ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଓଡିଶା ବିଧାନସଭା ତରଫରୁ ଦିଲ୍ଲୀ ଯିବେ ୨୬ ବିଧାୟକ

Published: Jul 31, 2022, 8:31 am IST

ଭୁବନେଶ୍ବର: ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ଓଡିଶା ବିଧାନସଭା ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯିବ। ସେଥିପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ପ୍ରାୟ ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏମାନେ ଆସନ୍ତା ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବେ। ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ୪ ତାରିଖରେ ଫେରି ଆସିବେ।

ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ।

ଏହା ଦ୍ବାରା ଆସନ୍ତାକାଲି ଅର୍ଥାତ ୧ ତାରିଖରେ ବିଧାନସଭା ବନ୍ଦ ହୋଇଯିବ। ଏହି ଅଧିବେସନ ୪ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀ ଯାଉଥିବାରୁ ଆଉ ବିଧାନସଭା ଚାଲିପାରିବ ନାହିଁ ବୋଲି ଜଣପଡିଛି। ବିଧାୟକମାନଙ୍କର ଏହି ଗସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ଯୋଗାଇ ଦିଆଯିବ।

Related posts