Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନର ଦୃଷ୍ଟି ଅଡୁଆଳରେ ଗରିବ ପରିବାର

ବଡଚଣା: କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଶହଶହ ଯୋଜନା। ଯୋଜନା ଅଧା ବାଟରେ ବାଟବଣା ହେବାରେ ଲାଗିଛି। ସରକାର ଗରିବ ନିରାଶ୍ରୟଙ୍କୁ ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡିଆ, ମଧୁବାବୁ ପେନ୍‌ସନ ଭଳି ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୃଣମୁଳ ସ୍ତରରେ ଥିବା ଲୋକେ ଅଧିକରୁ ଅଧିକ କିପରି ସାମିଲ ହୋଇପାରିବେ ସେଥିପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୀକ୍ଷ୍ନ ଦୃ୍‌ଷ୍ଟି ଦେବା ପାଇଁ ତାଗିଦ କରିଥିବା ବେଳେ ବଡଚଣା ବ୍ଲକ ପତରାଜପୁର ପଞ୍ଚାୟତର ୱାର୍ଡ ନଂ ୫ର ସୀତା ଘଡେଇ (୬୮) ଙ୍କ ସ୍ୱାମୀ ସ୍ୱର୍ଗତ ରୁପ ଘଡେଇଙ୍କ ମୃତ୍ୟୁ ୧୦ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ସୀତା ଘଡେଇ ଭତ୍ତା ପାଇଁ ସରକାରୀ ବାବୁଙ୍କ ପାଖକୁ ଧାଇଁ ଧାଇଁ ୨ବର୍ଷ ପରେ ଭତ୍ତା ହୋଇଥିଲା।

୨ଗୋଟି ପୁଅ ବାହା ହୋଇ ନିଜ ସଂସାର ସହ ବାହାରେ ଦାଦନ ଖଟୁଥିବାରୁ ସୀତା ହରିଜନ ସମ୍ପଦ୍ରାୟର ନିଜ ବେଉସା କୁଲା ବାଉଁସିଆ ବୁଣି ଘର ଘର ବୁଲି ବିକି ଯାହା ପାଏ ଓ ଭତ୍ତାରୁ ଯାହା ମିଳେ ସେଥିରେ ଗୁଜୁରଣ ମେଣ୍ଟାଇଥାଏ। କିନ୍ତୁ ଦୁଃଖର କଥା ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ହେବ ଭତ୍ତା ପଇସା ପାଇପାରୁନାହିଁ। ପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖକୁ ବାରମ୍ବାର ଯାଇ ଯେତେ ନେହୁରା ହେଲେ ମଧ୍ୟ କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ପଚାରିଲେ ତୁମର ବ୍ୟାଙ୍କ ଏକାଉଣ୍ଟକୁ ଆସିବ କହି ଏଡେଇ ଦେଉଛନ୍ତି।

ସେହିପରି ସେହି ୱାର୍ଡର ଭାବ ଘଡେଇ (୭୦) ଙ୍କ ସ୍ୱାମୀ ନନ୍ଦ ଘଡେଇଙ୍କର ସେହି ଅବସ୍ଥା। ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ହେବ ତାଙ୍କର ମଧ୍ୟ ଭତ୍ତା ମିଳିପାରିନାହିଁ। ସେ ମଧ୍ୟ ସରପଞ୍ଚ ଓ ସରକାରୀ ବାବୁମାନଙ୍କ ପାଖକୁ ଦୈାଡି ଦୈାଡି ନିରାଶ ହୋଇ ଯାଜପୁର ଜିଲ୍ଲାପାଳ ମହୋଦୟଙ୍କୁ ଦେଖାକରିବେ ବୋଲି ଦୁଃଖରେ କାନ୍ଦିକାନ୍ଦି କହିଛନ୍ତି। ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୀତା ଓ ଭାବ ଘଡେଇଙ୍କୁ ଯଥାଶୀଘ୍ର ତାଙ୍କର ୮ମାସର ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରିରେ ଘରକୁ ଘର ବୁଲି ବିଜୁ ପକ୍କା ଘର ସହାୟତା ରାଶି ବାଣ୍ଟିଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ମନ୍ତ୍ରୀ ବେହେରା ଜିଲ୍ଲାର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଘରକୁ ଘର ବୁଲି ସହାୟତା ରାଶି ପ୍ରଦାନ କରିଥିଲେ।

ଏଥି ସହିତ ମନ୍ତ୍ରୀ ବେହେରା ହିତାଧିକାରୀଙ୍କୁ ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ବେହେରା ମାଲକାନଗିରି ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ନିଜ ହାତରେ ଏହି ସହାୟତା ରାଶି ପ୍ରଦାନ କରିଥିଲେ। ଗରିବ କଲ୍ୟାଣକାରୀ ଯୋଜନା ବାବଦ ଅର୍ଥକୁ ହିତାଧିକାରୀଙ୍କ ଘରେ ପହଂଚାଇବା ପାଇଁ ମନ୍ତ୍ରୀ ବେହେରା ଗାଁ କୁ ଗାଁ ବୁଲୁଥିବା ଦେଖି ଅଞ୍ଚଳରେ ବେଶ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା।