Categories
ବିଶେଷ ଖବର

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦଶ ଲକ୍ଷରେ ଗୋଟିଏ ମାମଲା: ବିଏସକେୱାଇ ଦ୍ଵାରା ଶିଶୁ କନ୍ୟାର ସମ୍ମମ୍‌ରେ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ।

ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ। ପରେ ସେମାନେ ଶିଶୁଟିକୁ ସମ୍ମମ୍‌କୁ ଆଣିଥିଲେ। ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ନିମନ୍ତେ ରାଜି ହୋଇ ନଥିଲେ।

ସମ୍ମମ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହି ଟିମ୍‌ରେ ଆନେସ୍‌ଥେସିଓଲୋଜି ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ରୋଶନୀ ସାମିଲ୍ ଥିଲେ।

ଏହି ବିରଳ ଜନ୍ମଗତ ତ୍ରୁଟିକୁ ମଧ୍ୟ “କ୍ରାନିଓଫେସିଆଲ୍ କ୍ଲେଫ୍ଟ” କୁହାଯାଉଥିବା ବେଳେ ବର୍ତମାନ ସୁଦ୍ଧା ବିଶ୍ୱରେ ମୋଟ ୫୦ ରୁ ୬୦ଟି ଓ ଭାରତରେ ୧୫ ରୁ କମ୍ ଏପରି ଘଟଣା ଦୃଷ୍ଟିକୁ ଆସିଛି। ଓଡ଼ିଶାରେ ଏହା ତୃତୀୟ ଘଟଣା ବୋଲି ଡାକ୍ତର ଜେନା କହିବା ସହ ଜନ୍ମଗତ ତ୍ରୁଟି ଥିବା ଏକ ଲକ୍ଷ ଶିଶୁଙ୍କ ମଧ୍ୟରେ ୧ ରୁ ୪ ଜଣଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି।

ଖୁବ୍ ଯତ୍ନ ଓ ସଫଳତାର ସହ ଜନ୍ମଗତ ତ୍ରୁଟି ଥିବା ଏହି ଶିଶୁ କନ୍ୟାଟିର ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ବର୍ତମାନ ଧୀରେ ଧୀରେ ସୁସ୍ଥ ହେଉଛି। ତା’ ନାକରେ ଏକ ଛିଦ୍ର ଥିବା ବେଳେ ବାମ ଆଖିରେ ମଧ୍ୟ ଛିଦ୍ର ରହିଥିଲା। ତେଣୁ ତା’ର ଆଖିଟି ବନ୍ଦ ହୋଇଯାଇଥିଲା ଏବଂ ନିଃଶ୍ୱାସ ନେବାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲା ବୋଲି ଡାକ୍ତର ଜେନା କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରିବା ପାଇଁ ହସ୍ପିଟାଲ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପରିବାର ଉପରେ କୌଣସି ଆର୍ଥିକ ବୋଝ ଦିଆଯାଇ ନଥିଲା। ଶିଶୁଟିକୁ ୧୮ବର୍ଷ ହେବା ପରେ ତା’ର ନାକରେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ପଡ଼ିପାରେ ବୋଲି ଡାକ୍ତର ଜେନା କହିଛନ୍ତି।

ଏହି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ତୁରନ୍ତ କରାଯାଇ ନଥିଲେ ଆଖିରେ ସଂକ୍ରମଣ ଯୋଗୁଁ ଶିଶୁଟି ତା’ର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇବାର ସମ୍ଭାବନା ଥିଲା।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବି.ଏସ୍.କେ.ୱାଇ ର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଅନୁବନ୍ଧିତ ହସ୍ପିଟାଲ୍ ସଂଖ୍ୟା ୬୨୬ କୁ ବୃଦ୍ଧି

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ର ଦୃତବର୍ଦ୍ଧିଷ୍ଣୁ ପ୍ରସାର ଓ ଲୋକପ୍ରିୟତାକୁ ଲକ୍ଷ୍ୟ କରି ଏହାର ସଠିକ କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଇତି ମଧ୍ୟରେ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ସମ୍ବନ୍ଧିତ ବିଷୟ ସମୀକ୍ଷା କରି ଅନୁବନ୍ଧିତ ହସ୍ପିଟାଲ୍ ଗୁଡିକର ଅଧିକାରୀ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ର ଆଦି ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ନିୟମିତ ତାଲିମ ଓ ଅନୁପ୍ରେରଣା ଶିବିରମାନ ଆୟୋଜନ କରିବା ପାଇଁ ରାଜ୍ୟସ୍ତରୀୟ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ଡି. ବୃନ୍ଦା ଯୋଜନା କାର୍ଯ୍ୟାୟନର ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଜିଲ୍ଲାସ୍ତରରେ ଜିଲ୍ଲା ସଂଯୋଜକ କାର୍ଯ୍ୟାଳୟଗୁଡ଼ିକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର୍, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ। ସେ କହିଥିଲେ ଯେ ସ୍ୱାସ୍ଥ୍ୟମିତ୍ର ଏବଂ ଜିଲ୍ଲା ସଂଯୋଜକମାନଙ୍କ ଦକ୍ଷତା ବୃଦ୍ଧି କରାଗଲେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ବାସ୍ତବ ସହାୟତା ଯୋଗାଯାଇ ପାରିବ; ଏବଂ ତାଲିକାଭୂକ୍ତ ହସ୍ପିଟାଲ ସ୍ତରରେ ଲୋକମାନଙ୍କର ଚିକିତ୍ସା ସମ୍ବନ୍ଧିତ ଅଭିଯୋଗର ଆଶୁ ସମାଧାନ ହୋଇପାରିବ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବି.ଏସ୍.କେ.ୱାଇ ରେ ଉଚ୍ଚ ଗୁଣାତ୍ମକ ମାନର ଚିକିତ୍ସା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରର ଥିବା ୬୨୬ ଟି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲ୍କୁ ଅନୁବନ୍ଧିତ କରାଯାଇଛି। ‘ମୋ ସରକାର’ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର୍, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେସବୁର ସମାଧାନ କରାଯାଇଛି। ଆଗାମି ବର୍ଷ ପାଇଁ ହସ୍ପିଟାଲ୍ମାନଙ୍କୁ ଅନୁବନ୍ଧିତ ବା ତାଲିକା-ଅନ୍ତର କଲାବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲ୍ରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା ଓ ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲ୍ର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

କ୍ଷେତ୍ରସ୍ତରରେ ସୂଚନା, ଅନୁ ପ୍ରେରଣା ଓ ସଂଯୋଜନା କାର୍ଯ୍ୟକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ସ୍ଥିର କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବି.ଏସ୍.କେ.ୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ କାଉଣ୍ଟର ଖୋଲିବା, ତ୍ୱରିତ ଆଡ୍ମିଶନ୍, ଡିସ୍ଚାର୍ଜ ଓ ବିଲ୍ ପୈଠ ପାଇଁ ସପ୍ଟୱେୟାର ନବୀକରଣ କରିବା, ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବା ଆଦି ବଷୟରେ ସବିଶେଷ ସମୀକ୍ଷା ହୋଇଥିଲା।

ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା, ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ (ଅର୍ଥ) ଅରବିନ୍ଦ୍ ରାଉତରାୟ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଭୟଙ୍କୁ ନୂଆ ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଦିଲୋ ଗ୍ରାମର ବାସିନ୍ଦା ଅଭୟ କୁମାର ରାଉତ ଗତ ମାର୍ଚ୍ଚ ୧୫ତାରିଖ ବିଳମ୍ବିତ ରାତିରେ ହଠାତ୍ ହୃଦ୍ ଘାତର ଶିକାର ହେଲେ। ପରିବାରବର୍ଗ ନିଜର ବୁଦ୍ଧି ବଳରେ ପମ୍ପିଂ କରି ଅଭୟଙ୍କୁ ହୋସ୍ କୁ ଆଣିଥିଲେ।

ପରବର୍ତ୍ତୀ ସମୟରେ କଣ କରିବେ ବୋଲି ଭାବି ଚିନ୍ତିତ ହୋଇ ଓଡ଼ିଶା-ମୋ ପରିବାରର ସହାୟତା ଲୋଡ଼ିଥିଲେ। ହେଲ୍ପଡେସ୍କ ସଂଯୋଜକ ରଶ୍ମୀ ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ସମ୍ ହସ୍ପିଟାଲ ଆସିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସେମାନେ ହସ୍ପିଟାଲରେ ପହଞ୍ଚିବା ପରେ ରଶ୍ମୀ, ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ।

ଡାକ୍ତର ପରୀକ୍ଷା କରିବା ପରେ, ତାଙ୍କ ହାର୍ଟରେ ଦୁଇଟି ବ୍ଲକେଜ ଥିବାର ଜଣା ପଡ଼ିଥିଲା। ପରବର୍ତ୍ତୀ ସମୟରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ହୋଇଥିଲା। ହୃଦ୍ ରୋଗ ବିଶେଷଜ୍ଞ ଡ଼ଃ ସୌମ୍ୟ ମହାପାତ୍ର ତାଙ୍କର ଅସ୍ତ୍ରୋପଚାର କରିଥିଲେ, ଯାହା ସଫଳ ମଧ୍ୟ ହୋଇଥିଲା। ଏହାପରେ ତାଙ୍କ ହାର୍ଟରେ ଦୁଇଟି ଷ୍ଟେଣ୍ଟ ଲାଗିଥିଲା, ଯାହାର ମୂଲ୍ୟ ପାଖାପାଖି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ କିନ୍ତୁ ଖୁସିର କଥା ତାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇ ବିନା ମୂଲ୍ୟରେ ଲାଗିଥିଲା।

ବର୍ତ୍ତମାନ ଅଭୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଅତିଶୀଘ୍ର ଡିଶ୍ଚାର୍ଜ ହୋଇ ଘରକୁ ଫେରିବେ ବୋଲି ଡାକ୍ତର କହିଛନ୍ତି। ଏଭଳି ଅସମୟରେ ଅଭୟଙ୍କ ପରିବାରବର୍ଗକୁ ସହାୟତାର ହାତ ବଢାଇ ଥିବାରୁ, ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନାବାଳିକା ବର୍ଷା ନାଇକ ପାଇଁ ବରଦାନ ହେଲା ବି.ଏସ୍.କେ.ୱାଇ.

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମର ମିଳିତ ପ୍ରଚେଷ୍ଟା ଗଞାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କଇଥପୋଲି ହରିଜନ ସାହିର ନାବାଳିକା ବର୍ଷା ନାଇକ (୧୭ ବର୍ଷ) ପାଇଁ ବରଦାନ ସାବସ୍ତ୍ୟ ହୋଇଛି। ମାନସିକ ଭିନ୍ନକ୍ଷମ ହୋଇଯାଇଥିବା ବର୍ଷାର ମା’ ଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି। ସେ ଆରୋଗ୍ୟ ଲାଭ କରିଛନ୍ତି । ପାଠ ପଢା ପାଇଁ ମଧ୍ୟ ବର୍ଷାକୁ ସହାୟତା ମିଳିଛି।

ଘଟଣାର ବିବରଣୀରୁ ଜଣାପଡିଛି ଯେ ବର୍ଷାଙ୍କର ମା’ ପ୍ରଭାସିନୀ ନାଇକ ମାନସିକ ରୋଗଗ୍ରସ୍ତ ହୋଇପଡିଥିଲେ। ବର୍ଷାକୁ ଘରର କାମ, ଖାଦ୍ୟ ଯୋଗାଡ, ମା’ ଙ୍କର ଯତ୍ନ ଆଦି ସମସ୍ତ କାମ କରିବାକୁ ପଡୁଥିଲା। ଆର୍ଥିକ ଦୁରାବସ୍ଥା ମଧ୍ୟ ଆଉ ଏକ ବାଧକ ଥିଲା। ଗଣମାଧ୍ୟମରୁ ଏକଥା ଜାଣିବାମାତ୍ରେ ବି.ଏସ୍.କେ.ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଗଞାମ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍, ବେଲଗୁଣ୍ଠା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଦଳଗତ ଉଦ୍ୟମ ଆରମ୍ଭ ହୋଇଥିଲା।
ପ୍ରଭାସିନୀ ରହୁଥିବା ଗ୍ରାମରେ ପହଞ୍ଚି ଏହି ଟିମ୍ ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତାରେ ପ୍ରଭାସିନୀଙ୍କ ପରିବାର ସହ ଆଲୋଚନା କରିଥିଲେ। ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେବ ବୋଲି ବୁଝାଇଥିଲେ।

ଲଗାତର ଦୁଇ ତିନିଥର ସିଧାସଳଖ ଆଲୋଚନା, ବୁଝାସୁଝା ଏବଂ ପ୍ରତିଶୃତି ଆଦି ପରେ ପରିବାରଙ୍କ ପୂର୍ଣ୍ଣ ସହମତିରେ ଜଣେ ଆତ୍ମୀୟ ସହାୟକଙ୍କ ସହିତ ପ୍ରଭାସିନୀଙ୍କୁ ଫେବୃଆରୀ ୧୬ ତାରଖ ଦିନ ସ୍ୱତନ୍ତ୍ର ଗାଡିରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଆବଶ୍ୟକୀୟ ଚିକିତ୍ସାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଓ ନିଶାନିବାରଣ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଆଡମିଶନ କରି ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ବିଶେଷଜ୍ଞମାନଙ୍କ ଦ୍ୱାରା ପଦ୍ଧତିଗତ ଚିକିତ୍ସା ଓ ନିରନ୍ତର ପର୍ଯ୍ୟବେକ୍ଷଣ ଯୋଗୁ ପ୍ରଭାସିନୀଙ୍କ ମାନସିକ ସ୍ଥିତିରେ ଦୃତ ଉନ୍ନତ୍ତି ସାଧନ ହୋଇଥିଲା। ସେ ଧିରେ ଧିରେ ଆରୋଗ୍ୟ ଲାଭ କରିଥିଲେ। ହସ୍ପିଟାଲରେ ତାଙ୍କ ପାଖରେ ଥିବା ନିଜ ପୁଅ ଏବଂ ଡ଼ାକ୍ତର ଓ ନର୍ସମାନଙ୍କ ସହ ସ୍ୱାଭାବିକ କଥାବାର୍ତ୍ତା କରିବା ଆରମ୍ଭ କଲେ। ଶେଷରେ ଗତକାଲି (ତା ୯/୩/୨୦୨୩ ରିଖ) ପ୍ରଭାସିନୀଙ୍କୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଥିଲା। ସଂପୂର୍ଣ୍ଣ ଚିକିତ୍ସା ଓ ଔଷଧ ଆଦି ତାଙ୍କୁ ମାଗଣାରେ ଯୋଗାଯାଇଥିଲା। ହସ୍ପିଟାଲରୁ ଡିସଚାର୍ଯ ସମୟରେ ଏକ ମାସ ପାଇଁ ଔଷଧ ଦିଆଯାଇଥିଲା। ପରବର୍ତ୍ତି ଅନୁସରଣ ଚିକିତ୍ସା ବିଷୟରେ ତାଙ୍କର ପୁଅ ଓ ପରିବାର ଲୋକମାନଙ୍କୁ ମଧ୍ୟ ବୁଝାଇ ଦିଆଯାଇଥିଲା। ଆଜି ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପ୍ରଭାସିନୀ ପ୍ରାୟ ସ୍ୱାଭାବିକ ଜୀବନ ଆରମ୍ଭ କରୁଛନ୍ତି। ବି.ଏସ୍.କେ.ୱାଇ. ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି।

ଇତି ମଧ୍ୟରେ ବର୍ଷାଙ୍କୁ ଶିକ୍ଷା ବାବଦ ଜରୁରୀ ଖର୍ଚ୍ଚ ନିମନ୍ତେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ‘ବୁକ୍ ବ୍ୟାଙ୍କ୍’ ରୁ ମାଗଣାରେ ତାଙ୍କୁ ବହି ଯୋଗାଇ ଦିଆଯାଇଛି। ବର୍ଷାର +୨ ଶିକ୍ଷା ନିମନ୍ତେ ସମସ୍ତ ଫିସ୍ ଛାଡ କରିବା ପାଇଁ ଭଞନଗର ଉପଜିଲ୍ଲାପାଳ ସଂପୃକ୍ତ +୨ କଲେଜକୁ ନିର୍ଦେଶ ଦେଇଛନ୍ତି। ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଭାସିନୀଙ୍କ ପୁଅ ଦୀପକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ମୋର ମା’କୁ ଭଲ କଲା ଏବଂ ଆମ ପରିବାରକୁ ରକ୍ଷାକଲା। ଆମେ ଏଥିପାଇଁ ଚିର କୃତଜ୍ଞ।” ପ୍ରଭାସିନୀଙ୍କୁ ସହାଯତା କରୁଥିବା ତାଙ୍କର ବଡ଼ ଭଉଣୀ ବିଭାସିନୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ପାଇଁ ଦୀର୍ଘଦିନ ଧରି ମାନସିକ ରୋଗାଗ୍ରସ୍ତ ଥିବା ମୋର ଭଉଣୀ ଭଲ ହେଲା, ତା’ର ପିଲା ଛୁଆ ପରିବାର ରକ୍ଷା ହେଲା। ବି.ଏସ୍.କେ.ୱାଇ. ସତରେ ଜୀବନ ରକ୍ଷାକାରୀ ଯୋଜନା। ମୁଖ୍ୟମନ୍ତ୍ରୀଙ୍କୁ କୋଟି ପ୍ରଣାମ।”

Categories
ବିଶେଷ ଖବର

ଅପରାଜିତାଙ୍କୁ କଡ଼ା ଜବାବ ଦେଲେ ସୁଲତା: ଆମ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ

ଭୁବନେଶ୍ଵର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ। ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କହନ୍ତି। ଆଜି ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ।

ଏକ ପ୍ରେସ ବିବୃତିରେ ଶ୍ରୀମତୀ ଦେଓ କହିଛନ୍ତି ଯେ, ଅପରାଜିତା ମାଡାମ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି। ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ, ୨୩ ବର୍ଷ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଏବଂ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି। କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି।

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ଵାସ କରନ୍ତି। ତେଣୁ ସେ କଥା କମ୍ କାମ ବେଶି କରନ୍ତି। ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି। ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ, ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ।

ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି। ସରକାର କୃଷି ଓ ଜଳସେଚନ ଉପରେ ଅଧିକ ଗୁରୁତ୍ଵ ଦେବା ସହ କୃଷକଙ୍କ ଆୟ ବୃଦ୍ଧି କରିଛନ୍ତି। ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି। ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସମ୍ ରେ ହେଲା ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ହସ୍ପିଟାଲ୍‌ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍  ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍‌ମୁନାରୀ ଭାଲ୍‌ଭ ଷ୍ଟେନୋସିସ୍ ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍।

ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଗ୍ରହଣ କରିପାରୁ ନଥିଲା। ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍‌ଏସ୍ ଆଣ୍ଡ ସମ୍  ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗରେ ଶିଶୁଟିକୁ ଭର୍ତି କରାଇଥିଲେ।

ହସ୍ପିଟାଲ୍‌ର କାର୍ଡିଓଲୋଜିଷ୍ଟ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଂଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରଟିର ଚିକିତ୍ସା ଆରମ୍ଭ କରାଯାଇଥିଲା। ବିଭିନ୍ନ ପରୀକ୍ଷାରୁ ଶିଶୁଟିର ହାର୍ଟରେ ପଲମୁନାରୀ ଭାଲବ୍ ଷ୍ଟେନୋସିସ୍ ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା। ହାର୍ଟର ଭାଲ୍‌ବରେ ଥିବା ତୃଟି ଯୋଗୁଁ ଫୁସଫୁସ୍‌କୁ ଠିକ୍ ଭାବରେ ଏବଂ ଉପଯୁକ୍ତ ପରିମାଣର ରକ୍ତ ସଂଚାଳନ ହୋଇପାରୁ ନଥିଲା। ମାତ୍ର ୬ ମାସର ଶିଶୁଟିର ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଖୁବ୍ ଜଟିଳ ଥିବା ବେଳେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା।

ତେବେ ଏହି ଅସ୍ତ୍ରୋପଚାର ନିମନ୍ତେ ସମ୍ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଶରତ କୁମାର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍‌ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲ୍‌ମୁନାରୀ ଭାଲ୍‌ଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ।

ଅସ୍ତ୍ରୋପଚାର ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ସୂଚନା ଯୋଗ୍ୟ ଯେ ସମ୍ ହସ୍ପିଟାଲ୍‌ରେ ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମଗତ ଏବଂ ପରବର୍ତି ସମୟରେ ସୃଷ୍ଟି ହେଉଥିବା ହୃଦଜନିତ ତୃଟିର ସମସ୍ତ ପ୍ରକାର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ସହ ଶିଶୁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆମ୍ରି ହସ୍ପିଟାଲ ପରିଦର୍ଶନ: ବିଜୁ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସିତ ରୋଗୀଙ୍କୁ ଭେଟି ବୁଝିଲେ ସ୍ବାସ୍ଥ୍ୟବସ୍ଥା

ଖୋର୍ଦ୍ଧା: ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ସାମିଲ ହୋଇଥିବା ପୁରୁଷ ହିତାଧିକାରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଉଥିବା ବେଳେ ଅନେକ ଘରୋଇ ହସ୍ପିଟାଲରେ ଏହି କାର୍ଡକୁ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଆମ୍ରି ହସ୍ପିଟାଲ ପରିଦର୍ଶନ କରିଥିଲେ ଏଆବ୍ମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିରେ ଚିକିତ୍ସାଧୀନ ହେଉଥିବା ରୋଗୀମାନେ ଉତ୍ତମ ଚିକିତ୍ସା ସୁବିଧା ପାଉଥିବାରୁ ସେମାନେ ଖୁସିରେ ଅଛନ୍ତି ଓ ଆନନ୍ଦ ପ୍ରକାଶ କରିଥିଲେ।

ଏହି ସମୟରେ ଚିକିତ୍ସାଧୀନ ହରସ ବରାଡ଼, ଧୂରେନ୍ଦ୍ର ଲାଲ ସିଂଦେଓ, ନରସିଂହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖୋର୍ଦ୍ଧା ଜିଲ୍ଲାପାଳ ପଚାରି ବୁଝିଥଲେ। ଏବଂ ହସ୍ପିଟାଲ ପକ୍ଷରୁ ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍‌ରେ ସ୍ମାର୍ଟ ହେଲଥ୍‌ କାର୍ଡ ବାଣ୍ଟିଲେ ମନ୍ତ୍ରୀ ବିକ୍ରମ ଆରୁଖ

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଏବଂ ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ଗ୍ରାମପଞ୍ଚାୟତରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି ।

ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗର ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍‌ ଅଞ୍ଚଳର ଯଥାକ୍ରମେ ୧ଲକ୍ଷ ୦୨ ହଜାର ୫୯୭ ଏବଂ ୯୯ ହଜାର ୨୨୫ ହିତାଧିକାରୀ ଏହି କାର୍ଡ ଦ୍ୱାରା ଉପକୃତ ହେବେ ।

Categories
ବିଶେଷ ଖବର

କେନ୍ଦ୍ରାପଡା ଓ ଯାଜପୁରରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଯୋଜନାରେ ସାମିଲ ହେଲା ସାରା ଓଡିଶା

ଭୁବନେଶ୍ବର: ମାଲକାନଗିରିରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇଥିବା ସେବା ଓ ପ୍ରତିବଦ୍ଧତାର ଏ ଅଭିଯାନ ଆଜି ଯାଜପୁର ରେ ଉଦ୍ ଯାପିତ ହୋଇଛି। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ସାମିଲ ହୋଇଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମରେ। ରାଜ୍ୟର ଗରିବ ଲୋକଙ୍କ ପାଇଁ ସବୁଦିନ ପାଇଁ ଆଣିଛି ଚିକିତ୍ସା ଖର୍ଚ୍ଚରୁ ମୁକ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାସହିତ ରାଜ୍ୟର ୩୦ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ।

ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟବାସୀଙ୍କୁ ଚିକିତ୍ସା ଖର୍ଚ୍ଚ ଚିନ୍ତାରୁ ଦୂର କରିବ। ଖଣ୍ଡିଏ କାର୍ଡ ଧରି ରାଜ୍ୟର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଦେଶର ସବୁଠାରୁ ଭଲ ହସ୍‌ପିଟାଲରେ ବିନା ପଇସାରେ ପାଇପାରିବ ଚିକିତ୍ସା ସୁବିଧା। ଏହାଦ୍ବାରା ସେ ନିଜେ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଏହି ସ୍ମାର୍ଟ କାର୍ଡ ବିଷୟରେ ପଚାରିବାରୁ ସେମାନେ ଏ କାର୍ଡ ପାଇ ବହୁତ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣା ଇଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଏବଂ ଯାଜପୁରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବ ଯୋଗୁ ଓଡିଶା ଆଜି ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ସୁନାମ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଯାଜପୁର ର ସମସ୍ତ ବିଧାୟକ ଓ ସାସଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ତିରିଶ ଜିଲ୍ଲା ର କଳାକାର ମାନେ ଯୋଗ ଦେଇଥିଲେ ।ଶେଷରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା।