Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଅଫିସରେ ତଥାଗତ ଶତପଥୀ, ଦଳକୁ ପୁଣି ଫେରିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟର ଶଙ୍ଖ ଭବନ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ତେବେ ଏହି ନୂଆ ଅଫିସକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ହେଉଛି ତଥାଗତ ଶତପଥୀଙ୍କୁ ନେଇ।

ଏହି ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ବର୍ତ୍ତମାନ ବିଜେଡିରେ ନାହିଁନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ସେ ଆଉ ରାଜନୀତି କରିବେ ନାହିଁ ଘୋଷଣା କରି ତାଙ୍କର ପାରଂପାରିକ ଆସନ ଢେଙ୍କାନାଳରୁ ଟିକେଟ ନେଇ ନ ଥିଲେ। ତାପରଠାରୁ ସେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି।

ହେଲେ ହଠାତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତଥାଗତଙ୍କ ବିଜେଡି କାର୍ଯ୍ୟାଳୟରେ ଆର୍ବିଭାବ ସମସ୍ତଙ୍କୁ ଚକିତ କରିଦେଇଛି। ସେଠାରେ ଉପସ୍ଥିତି ସାମ୍ବାଦିକ ଏବଂ ନେତାମାନେ ଭାବି ନେଲେ ଯେ, ତଥାଗତ ପୁଣି ଦଳକୁ ଫେରି ଢେଙ୍କାନାଳରୁ ଲଢେଇ କରିବେ। କାରଣ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେଉଥିବାରୁ ତଥାଗତ ତାଙ୍କୁ ଉଚିତ ଟକ୍କର ଦେଇପାରିବେ।

ଏସବୁ ଆଶା ଓ ଆଶଙ୍କାକୁ ନିଜେ ବିରାମ ଲଗେଇ ଦେଲେ ତଥାଗତ ଶତପଥୀ। ତାଙ୍କୁ ବିଜେଡି ଅଫିସ ଆସିବାର କାରଣ ପଚାରିବାରୁ ସେ କହିଥିଲେ ଯେ, ମୋତେ ନିମନ୍ତ୍ରଣ କରାଯାଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିବାରୁ ମୁଁ ଜଣେ ସାମ୍ବାଦିକ ହିସାବରେ ଆସିଛି।

ତେବେ ଆପଣ କଣ ବିଜେଡିରେ ଯୋଗଦେବେ କି ବୋଲି ପଚାରିବାରୁ ସେ କହିଥିଲେ ଯେ, ମୁଁ ବହୁପୂର୍ବରୁ କହିସାରିଛି ଯେ ମୁଁ କୌଣସି ରାଜନୈତିକ ଦଳ ସହିତ ନାହିଁ। ରାଜନୀତିରୁ ମୁଁ ଦୂରେଇ ଯାଇଛି। ମୋର ଆଉ ରାଜନୀତିରେ ଆଗ୍ରହ ନାହିଁ। ତେବେ ଆପଣଙ୍କୁ ନବୀନ ଟିକେଟ ଦେଲେ ଆପଣ ଲଢେଇ କରିବେ କି ନାହିଁ ପ୍ରଶ୍ନର ଉତ୍ତରେ ସେ ପୁଣି କହିଲେ ଯେ, ମୋତେ ଆଉ ରାଜନୀତି ଭଲ ଲାଗୁ ନାହିଁ।

ତଥାଗତ ୪ ଥର ସାଂସଦ ହୋଇ ଓଡିଶା ରାଜନୀତିରେ ଏକ ସୁଦୃଢ ସ୍ଥିତି ତିଆରି କରିଛନ୍ତି। ସେ ୨୦୧୯ ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା। କାରଣ ସେଠାରେ ସେତେବେଳେ ତାଙ୍କ ପରି ଜଣେ ପ୍ରାର୍ଥି ମିଳିବା କଷ୍ଟକର ହୋଇପଡିଥିଲା। ଶେଷରେ ମହେଶ ସାହୁ ଦଳ ପ୍ରାର୍ଥୀ କରି ବିଜୟ କରାଇଥିଲା। ହେଲେ ଏଥର ନିର୍ବାଚନରେ ଧର୍ମେନ୍ଦ୍ର ସେଠାରୁ ଛିଡା ହେଉଥିବାରୁ ତାଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଉଦଘାଟିତ ହେବ ବିଜେଡିର ନୂତନ ରାଜ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ଉଦଘାଟିତ ହେବ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ। ଯାହାର ନାମ ରହିଛି ‘ଶଙ୍ଖ ଭବନ’। ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର ପାଇଁ ଶାସନ କ୍ଷମତାରେ ରହିବା ପରେ ଦଳ ନିର୍ମାଣ କରିଛି ଏହି ନୂଆ ପାର୍ଟି ଅଫିସ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ।

ଦୁଇ ଦଶନ୍ଧୀ ଧରି ୟୁନିଟ୍-୬ ସ୍ଥିତ ଏକ ସରକାରୀ କ୍ୱାଟର୍ସ ଥିଲା ଦଳୀୟ କାର‌୍ୟ୍ୟାଳୟ। ଏବେ ସେହି ଜାଗାରେ ଦୁଇଟି କ୍ୱାଟର୍ସକୁ ମିଶାଇ ଅଫିସ ବିଲଡିଂ ନିର୍ମାଣ ହୋଇଛି। ବିଜେଡିର ନବନିର୍ମିତ କୋଠାରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯାଇଛି। ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି। ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍। ଏଥିରେ ୨୦୦୦ ଲୋକ ବସିପାରିବେ। ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି। ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି।

ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି । ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ ଦପ୍ତର ରହିଛି । ୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।