ଆଜି ଉଦଘାଟିତ ହେବ ବିଜେଡିର ନୂତନ ରାଜ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”

Published: Apr 23, 2023, 9:18 am IST

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ଉଦଘାଟିତ ହେବ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ। ଯାହାର ନାମ ରହିଛି ‘ଶଙ୍ଖ ଭବନ’। ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର ପାଇଁ ଶାସନ କ୍ଷମତାରେ ରହିବା ପରେ ଦଳ ନିର୍ମାଣ କରିଛି ଏହି ନୂଆ ପାର୍ଟି ଅଫିସ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ।

ଦୁଇ ଦଶନ୍ଧୀ ଧରି ୟୁନିଟ୍-୬ ସ୍ଥିତ ଏକ ସରକାରୀ କ୍ୱାଟର୍ସ ଥିଲା ଦଳୀୟ କାର‌୍ୟ୍ୟାଳୟ। ଏବେ ସେହି ଜାଗାରେ ଦୁଇଟି କ୍ୱାଟର୍ସକୁ ମିଶାଇ ଅଫିସ ବିଲଡିଂ ନିର୍ମାଣ ହୋଇଛି। ବିଜେଡିର ନବନିର୍ମିତ କୋଠାରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯାଇଛି। ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି। ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍। ଏଥିରେ ୨୦୦୦ ଲୋକ ବସିପାରିବେ। ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି। ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି।

ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି । ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ ଦପ୍ତର ରହିଛି । ୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

Related posts