Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନା ପରିବାର, ନା ନିଜ ସ୍ବାର୍ଥ; କେବଳ ଦଳିୟ ସ୍ବାର୍ଥରେ ନିଜକୁ ସମର୍ପି ଦେଇଛନ୍ତି ବବି ଦାସ

ଭୁବନେଶ୍ବର: ଗତକାଲି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ ରାୟ। ତେବେ ଏଥିରେ କେହି କିଛି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ହେଲେ ସେ ଯେହେତୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ଭିଣୋଇ ସେଥିପାଇଁ ତାହା ଚର୍ଚ୍ଚା ଚାଲିଛି। ବିଜେଡିର ଯିଏ ଟାଣୁଆ ନେତା ସିଏ କଣ ନିଜ ଭିଣୋଇଙ୍କୁ କେଉଁଠାରେ ହେଲେ ଥଇଥାନ କରିପାରିଲେ ନାହିଁ ? ଏହି ପ୍ରଶ୍ନ ବର୍ତ୍ତମାନ ଓଡିଶା ରାଜନୀତିରେ ଘୁରି ବୁଲୁଛି।

ଅରିନ୍ଦମ ଦୀର୍ଘ ବର୍ଷ ଧରି ବିଜେଡିରେ ସାମିଲ ହୋଇ ଦଳର ସାଧାରଣ ସଂପାଦକ ଥିଲେ। ଦଳ ବିଭିନ୍ନ ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ମଧ୍ୟ କରିଛି। ସେ 2019 ରେ ବିଧାୟକ ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ଶେଷ ମୂର୍ହୁର୍ତ୍ତରେ ତାହା ହେଲା ନାହିଁ।  ଯେଉଁ ବବି ଦାସ ଦଳରେ କିଏ କେଉଁ ପଦବୀରେ ରହିବ ଏବଂ କିଏ ମନ୍ତ୍ରୀ ହେବ ତାହା ନିର୍ଦ୍ଧାରଣ କରୁଛନ୍ତି ତାଙ୍କ ଭିଣୋଇଙ୍କ ପାଇଁ କାହିଁକି କିଛି କରିପାରିଲେ ନାହିଁ। ଅନ୍ୟପଟେ ଅରିନ୍ଦମ ଯେ ଜଣେ ଅନୁପଯୁକ୍ତ ପ୍ରାର୍ଥୀ ତାହା ମଧ୍ୟ ନୁହେଁ। ସେ ହେଉଛନ୍ତି ଜଣେ ବିଜୟୀ ସମ୍ଭାବନା ପ୍ରାର୍ଥୀ। ସେଥିରେ ତାଙ୍କୁ ଟିକେଟ ଦେଇଥିଲେ ଏମିତି କିଛି କେହି ନିନ୍ଦା କରିବାର ନ ଥିଲା। ହେଲେ ସେ କଲେ ନାହିଁ।

ସେତିକି ନୁହେଁ ଏହା ପୂର୍ବରୁ ବବିଙ୍କ ମାମୁଁ ଭବନୀ ଶଙ୍କର ଜଗଦ୍ଦେବ ମହାପାତ୍ରଙ୍କୁ ମଧ୍ୟ ବବି କୌଣସି ଥଇଥାନ କଲେ ନାହିଁ। ସେ ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ। ସେ ମଧ୍ୟ ଏଥର ବଡ ଆଶା କରିଥିଲେ ବିଜେଡିରେ ନିଜ ଭଣଜା ବବି ଦାସଙ୍କ ଦବଦବା ଅଛି ମାନେ ଟିକେଟ ମିଳିବ। ଶେଷରେ ତାହା ମଧ୍ୟ ହୋଇପାରିଲା ନାହିଁ। ସେ ମଧ୍ୟ ରାଗରେ କହିଲେ ମୋ ଭଣଜା କିଛି କଲେ ନାହିଁ। ଫଳରେ ସେ ମଧ୍ୟ ବିଜେପିରେ ସାମିଲ ହେଲେ।

ତେବେ ପ୍ରଶ୍ନ ହେଲା ଯେ, ବବି ଦାସ ଏତେ କ୍ଷମତାର ଅଧିକାରୀ ଥାଇ ମଧ୍ୟ ସେ କାହିଁକି ନିଜ ପରିବାର ସଦସ୍ୟକୁ ରାଜନୀତିରେ ଥଇଥାନ କଲେ ନାହିଁ। ତେବେ ତାହାର ଉତ୍ତର ଜାଣିବା ଅପେକ୍ଷା ବବି ଦାସଙ୍କ ନିଜ କଥା ମଧ୍ୟ ଚିନ୍ତା କରାଯାଉ। ସେ ତିନି ଥର ବିଧାୟକ ହୋଇ ସାରିଲେଣି। ୨୦୧୪ ମସିହାରୁ ୨୦୧୭ ମସିହା ଯାଏଁ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ସେ ୭ ବର୍ଷ ଧରି ମନ୍ତ୍ରୀ ପଦରୁ ଦୂରେଇ ରହି ସଂଗଠନ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଯିଏ ମନ୍ତ୍ରୀ ତିଆରି କରୁଛନ୍ତି ସେ କାହିଁକି ନିଜେ ମନ୍ତ୍ରୀ ହେଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଥିରୁ ସ୍ପଷ୍ଟ ଯେ, ବବି ଦାସଙ୍କର ନିଜ ପାଇଁ କିଛି ନାହିଁ କି ପରିବାର ପାଇଁ କିଛି ନାହିଁ, କେବଳ ଦଳ ପାଇଁ ସବୁକିଛି ନୀତିରେ ସେ ଚାଲୁଛନ୍ତି। ତାଙ୍କ ପାଖରେ କେବଳ ସଂଗଠନ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ, ତାକୁ ଛାଡି ଦେଲେ ବୋଧହୁଏ ତାଙ୍କ ପାଇଁ ଆଉ କିଛି ନାହିଁ। ସେଇଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ସେ ପ୍ରିୟପାତ୍ର ହୋଇ ରହି ଆସିଛନ୍ତି। ତାଙ୍କର ଏପରି ନିଃସ୍ବାର୍ଥପର କାର୍ଯ୍ୟକୁ କେବଳ ଦଳ କାହିଁକି ବିଭିନ୍ନ ମହଲରେ ମଧ୍ୟ ବେଶ ପ୍ରଶଂସା କରାଯାଉଛି।

Categories
ଆଞ୍ଚଳିକ

ହଂସତୁଳିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ହରପ୍ରସାଦ

ବେଗୁନିଆପଡା ( ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡର ପ୍ରଭାବରେ ତ୍ରିନାଥ ପାତ୍ର ଙ୍କ ଆଜବେଷ୍ଟ ଘରଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଖବର ପାଇ କୋଦଳା ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଜଙ୍ଗର ବରିଷ୍ଠ ବିଜେଡି ନେତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ

କୁଜଙ୍ଗ: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ୍‌ର ବରିଷ୍ଠ ବିଜେଡି ନେତା ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ଓ ମନିନ୍ଦ୍ର ଗୁରୁଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ଭଳି ଗୁରତ୍ୱ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣ ମଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି।

ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଛାତ୍ର ଜୀବନରୁ ରାଜନୀତି କରିବା ସହିତ ସମାଜସେବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସେହିପରି ଶ୍ରୀଯୁକ୍ତ ଗୁରୁ ବିଜୁ ଜନତା ଦଳର ସକ୍ରିୟ କର୍ମୀଭାବେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ପାରାଦ୍ୱୀପ ଅଂଚଳରେ ଶ୍ରମିକ ସଂଗଠନ ଓ ସମାଜସେବା ସଂଗଠନ ସହିତ ଜଡ଼ିତ ରହିଆସୁଛନ୍ତି।

ସେହିପରି ଶ୍ରୀ ଗୁରୁ ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବାଲେଶ୍ୱର, କେନ୍ଦ୍ରାପଡ଼ା ଭଳି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ବିଶ୍ୱାଳ ଓ ଶ୍ରୀଯୁକ୍ତ ଗୁରୁ ଜିଲ୍ଲା ସଂପାଦକ ଭାବେ ନିଯୁକ୍ତ ହେବା ପରେ ପାରାଦ୍ୱୀପ ଓ କୁଜଙ୍ଗ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି। ଏହି ଗୁରୁ ଦାୟିତ୍ୱ ମିଳିବା ପରେ ଶ୍ରୀ ବିଶ୍ୱାଳ ଓ ଶ୍ରୀ ଗୁରୁ ସ୍ଥାନିୟ ପାରାଦ୍ୱୀପ ବିଧାୟକ ସମ୍ବିତ୍ ରାଉତରାୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ବିଶେଷ ଖବର

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ବେହେରା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀଙ୍କ ଉପସ୍ଥିତିରେ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଦୀପ ବେହେରା ଆଜି ଆନୁଷ୍ଟାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉତରକୁଳ ଗ୍ରାମପଂଚାୟତର ସରପଂଚ ବିଜେଡି ନେତ୍ରୀ ସୁଭାଷିନୀ ବେହେରା, ସ୍ଥାନୀୟ ବରିଷ୍ଠ ବିଜେଡି ନେତା ବିନୋଦ ଭୁୟାଁ, ନାଏବ ସରପଂଚ ଶକୁନ୍ତଳା ମାଦେଳୀ, ନିର୍ବାଚିତ ଜନପ୍ରତିନିଧି କବିତା ସାହୁ, ଉମାକାନ୍ତ ସାହୁ, ପପୁ ମଲ୍ଲିକ, ପ୍ରଭାତୀ ବେହେରା, ସନ୍ଧ୍ୟାରାଣୀ ସ୍ୱାଇଁ, ସୁବାଷ ମଲ୍ଲିକ, ରଞ୍ଜନ ପରିଡା, ନୃସିଂହ ନାୟକ, ଅନନ୍ତ ମଲ୍ଲିକ, ପ୍ରମୋଦ ସାହୁ, ମାନସ ମହାପାତ୍ର, ବିଜେଡି ନେତା ଭାସ୍କର ଜେନା, ଅକ୍ଷୟ ପରିଡା, କୈଳାସ ଚନ୍ଦ୍ର ମହାପାତ୍ର, ପ୍ରକାଶ ନାୟକ, ବିଧାଂଶୁ ପରିଡା ପ୍ରମୁଖ ବିଜୁ ଜନତା ଦଳ ପରିତ୍ୟାଗ କରି ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଂଗ୍ରେସ ନେତା ଅମୀୟ ସିଂ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଶ୍ରୀ ବେହେରା ବିଜେପିରେ ଯୋଗ ଦେଇ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଣେ ସାଧାରଣ ଲୋକଙ୍କ ସ୍ୱପ୍ନକୁ ପୁରଣ କରିପାରେ। ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ପ୍ରତିଷ୍ଠା କରାଇବା ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ ଏବଂ କଟକ ସଦର ନିର୍ବାଚନମଣ୍ଡଳୀରେ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡିକୁ କ୍ଷମତାଚୁ୍ୟତ କରିବାକୁ ସଂକଳ୍ପବଦ୍ଧ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା।

ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଦିଲୀପ ମଲ୍ଲିକ, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ବିଧାନସଭା ପ୍ରଭାରୀ ରଶ୍ମୀରେଖା ଦାସ, ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ନେତାଙ୍କୁ ମିଳିଲା ନୂଆ ଦାୟିତ୍ଵ, ଲେନିନ ମହାନ୍ତି ହେଲେ ମିଡିଆ ସଂଯୋଜକ

ଭୁବନେଶ୍ବର: ନୂଆ ବର୍ଷକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ଆଜି ବିଜୁ ଜନତା ଦଳ ଏକ ନୂଆ ଘୋଷଣା କରିଛି। ଆଜି ବିଜେଡ଼ି ନେତାଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ଵ ଦିଆଯାଇଛି। ଆଜି ବିଜେଡ଼ି ପକ୍ଷରୁ ମିଡିଆ ଟିମର ପୁନର୍ଗଠନ ହୋଇଛି। ଦଳ ପକ୍ଷରୁ ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ଵ ଦିଆଯାଇଥିବା ବେଳେ ୯ ଜଣଙ୍କୁ ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ଵ ମିଳିଛି।

ଲେନିନ ମହାନ୍ତିଙ୍କୁ ମିଡିଆ ସଂଯୋଜକ ଭାବେ ଦଳ ନିଯୁକ୍ତି ଦେଇଛି। ସେହିଭଳି ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ଶର୍ମିଷ୍ଠା ସେଠୀଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ଵ ମିଳିଛି। ସେହିଭଳି ଦେବୀ ମିଶ୍ର, ପ୍ରତାପ ମାଝୀଙ୍କୁ ମୁଖପାତ୍ର ଦାୟିତ୍ଵ ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଜଙ୍ଗଲ ମଧ୍ୟରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ବିଜେଡି ନେତା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳାଦ୍ରିପ୍ରସାଦ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଘଟଣାରେ ଜଣେ ବିଜେଡ଼ି ନେତା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ରିଗିଡିସିମା ଗ୍ରାମର ନକୁଳ ଶବରଙ୍କ ପୁତ୍ର ଲୋକନାଥ ଶବର(୪୭)।

ଅଭିଯୋଗ ମୁତାବକ ସୋମବାର ରାତି ପାଖାପାଖି ୮ ଘଟିକା ସମୟରେ ଲୋକନାଥ ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଜଳଖିଆ ଦୋକାନରୁ କାମ ସାରି ସ୍କୁଟି ଯୋଗେ ନିଜ ଗ୍ରାମ ରିଗିଡିସିମାକୁ ଫେରୁଥିବାବେଳେ ବଙ୍କାଡ଼ଗଡ଼ ଜଙ୍ଗଲ ରାସ୍ତାରେ ହଠାତ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ସୌଭାଗ୍ୟବଶତଃ ଲୋକନାଥ ଗୁଳିମାଡ଼ରୁ ବର୍ତ୍ତିଯାଇଥିଲେ। ଲୋକନାଥ ଏଥିରେ ଭୟଭୀତ ହୋଇ କ୍ଷିପ୍ର ଗତିରେ ଗାଡ଼ିଚଳାଇ କିଛି ବାଟ ଅତିକ୍ରମ କଲା ପରେ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଏହାପରେ ଉକ୍ତ ଖବର ବିଜୁଳି ବେଗରେ ସମଗ୍ର ଅଞ୍ଚଳରେ ଖେଳିଯାଇଥିଲା। ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡହେଲା ପରେ ପୋଲିସକୁ ସୂଚନା ଦେଇଥିଲେ ଲୋକନାଥ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ।

ଅନୁରୂପ ଭାବେ ମଙ୍ଗଳବାର ମଧ୍ୟ ଦିନତମାମ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ହାତରେ କୌଣସି ସୁରାକ ଲାଗିପାରିନାହିଁ। ତେବେ ଏହା ପୂର୍ବଶତ୍ରୁତାରୁ ହୋଇଥାଇପାରେ ବୋଲି ଲୋକନାଥ ସନ୍ଦେହ କରି ଏତଲାରେ କିଛି ବ୍ୟକ୍ତିବିଶେଷଙ୍କ ନାମ ଉଲ୍ଲେଖ କରିଥିବାର ଜଣାପଡିଛି। ଅପରପକ୍ଷେ ଲୋକନାଥ ମଧ୍ୟ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜଣେ ପୁରୁଖା ବିଜେଡି ନେତା ଭାବେ ପରିଚିତ। ତେଣୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସିବାକୁ ଥିବାବେଳେ ଗୁଳିକାଣ୍ଡର ଏହା ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ କେସ ନମ୍ବର ୩୮୦/୨୧, ଦଫା ୩୦୭, ୨୫ ଓ ୨୭ ଆରମ୍ସ ଆକ୍ଟ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଉକ୍ତ କେସର ତଦନ୍ତକାରି ଅଧିକାରୀ ହେଉଛନ୍ତି ଏସଆଇ ରାଜକିଶୋର ବେହେରା।