ବାଣପୁର: ଜଙ୍ଗଲ ମଧ୍ୟରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ବିଜେଡି ନେତା

Published: Oct 26, 2021, 7:51 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳାଦ୍ରିପ୍ରସାଦ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଘଟଣାରେ ଜଣେ ବିଜେଡ଼ି ନେତା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ରିଗିଡିସିମା ଗ୍ରାମର ନକୁଳ ଶବରଙ୍କ ପୁତ୍ର ଲୋକନାଥ ଶବର(୪୭)।

ଅଭିଯୋଗ ମୁତାବକ ସୋମବାର ରାତି ପାଖାପାଖି ୮ ଘଟିକା ସମୟରେ ଲୋକନାଥ ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଜଳଖିଆ ଦୋକାନରୁ କାମ ସାରି ସ୍କୁଟି ଯୋଗେ ନିଜ ଗ୍ରାମ ରିଗିଡିସିମାକୁ ଫେରୁଥିବାବେଳେ ବଙ୍କାଡ଼ଗଡ଼ ଜଙ୍ଗଲ ରାସ୍ତାରେ ହଠାତ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ସୌଭାଗ୍ୟବଶତଃ ଲୋକନାଥ ଗୁଳିମାଡ଼ରୁ ବର୍ତ୍ତିଯାଇଥିଲେ। ଲୋକନାଥ ଏଥିରେ ଭୟଭୀତ ହୋଇ କ୍ଷିପ୍ର ଗତିରେ ଗାଡ଼ିଚଳାଇ କିଛି ବାଟ ଅତିକ୍ରମ କଲା ପରେ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଏହାପରେ ଉକ୍ତ ଖବର ବିଜୁଳି ବେଗରେ ସମଗ୍ର ଅଞ୍ଚଳରେ ଖେଳିଯାଇଥିଲା। ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡହେଲା ପରେ ପୋଲିସକୁ ସୂଚନା ଦେଇଥିଲେ ଲୋକନାଥ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ।

ଅନୁରୂପ ଭାବେ ମଙ୍ଗଳବାର ମଧ୍ୟ ଦିନତମାମ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ହାତରେ କୌଣସି ସୁରାକ ଲାଗିପାରିନାହିଁ। ତେବେ ଏହା ପୂର୍ବଶତ୍ରୁତାରୁ ହୋଇଥାଇପାରେ ବୋଲି ଲୋକନାଥ ସନ୍ଦେହ କରି ଏତଲାରେ କିଛି ବ୍ୟକ୍ତିବିଶେଷଙ୍କ ନାମ ଉଲ୍ଲେଖ କରିଥିବାର ଜଣାପଡିଛି। ଅପରପକ୍ଷେ ଲୋକନାଥ ମଧ୍ୟ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜଣେ ପୁରୁଖା ବିଜେଡି ନେତା ଭାବେ ପରିଚିତ। ତେଣୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସିବାକୁ ଥିବାବେଳେ ଗୁଳିକାଣ୍ଡର ଏହା ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ କେସ ନମ୍ବର ୩୮୦/୨୧, ଦଫା ୩୦୭, ୨୫ ଓ ୨୭ ଆରମ୍ସ ଆକ୍ଟ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଉକ୍ତ କେସର ତଦନ୍ତକାରି ଅଧିକାରୀ ହେଉଛନ୍ତି ଏସଆଇ ରାଜକିଶୋର ବେହେରା।

Related posts