Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ: ଏୟାର ଲିଫ୍ଟରେ ଭୁବନେଶ୍ବର ଅଣାଗଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସେ ଯେଉଁଗାଡିରେ ଯାଇଥିଲେ ସେଥିରେ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା।

ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ।

ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ତାଙ୍କୁ ଦେଖିବା ପାଇଁ ନିଜେ ଆପୋଲ ହସପିଟାଲରେ ମଧ୍ୟ ଉପସ୍ଥିତ ରହିଛନ୍ତି। ସେହିପରି ବିଜେଡି ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ମିଶ୍ର, ସୁଶାନ୍ତ ସିଂ ଏବଂ ସଂବିତ ରାଉତରାୟ ପ୍ରମୁଖ ବହୁ ନେତା ସେଠାରେ ଉପସ୍ଥିତ ରହିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନବ ଦାସଙ୍କର ବ୍ୟକ୍ତିଗତ ସୁରକ୍ଷା ଥିବା ବେଳେ କେଉଁ ପରିସ୍ଥିତିରେ କିଏ ଗୁଳିମାଡ କଲା ସେ ନେଇ ତଦନ୍ତ କରାଯିବ। ତେବେ ଘଟଣାରୁ ଜଣାପଡିଛି ଯେ ଗାନ୍ଧୀଛକ ଫାଣ୍ଡିର ଏଏସଆଇ ଏହି ଗୁଳିମାଡ କରିଥିବା ଜଣାପଡିଛି। ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ ଅତି ନିକଟକରୁ ଗୁଳିମାଡ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଜଙ୍ଗଲ ମଧ୍ୟରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ବିଜେଡି ନେତା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳାଦ୍ରିପ୍ରସାଦ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଘଟଣାରେ ଜଣେ ବିଜେଡ଼ି ନେତା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ରିଗିଡିସିମା ଗ୍ରାମର ନକୁଳ ଶବରଙ୍କ ପୁତ୍ର ଲୋକନାଥ ଶବର(୪୭)।

ଅଭିଯୋଗ ମୁତାବକ ସୋମବାର ରାତି ପାଖାପାଖି ୮ ଘଟିକା ସମୟରେ ଲୋକନାଥ ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଜଳଖିଆ ଦୋକାନରୁ କାମ ସାରି ସ୍କୁଟି ଯୋଗେ ନିଜ ଗ୍ରାମ ରିଗିଡିସିମାକୁ ଫେରୁଥିବାବେଳେ ବଙ୍କାଡ଼ଗଡ଼ ଜଙ୍ଗଲ ରାସ୍ତାରେ ହଠାତ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ସୌଭାଗ୍ୟବଶତଃ ଲୋକନାଥ ଗୁଳିମାଡ଼ରୁ ବର୍ତ୍ତିଯାଇଥିଲେ। ଲୋକନାଥ ଏଥିରେ ଭୟଭୀତ ହୋଇ କ୍ଷିପ୍ର ଗତିରେ ଗାଡ଼ିଚଳାଇ କିଛି ବାଟ ଅତିକ୍ରମ କଲା ପରେ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଏହାପରେ ଉକ୍ତ ଖବର ବିଜୁଳି ବେଗରେ ସମଗ୍ର ଅଞ୍ଚଳରେ ଖେଳିଯାଇଥିଲା। ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡହେଲା ପରେ ପୋଲିସକୁ ସୂଚନା ଦେଇଥିଲେ ଲୋକନାଥ। ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ।

ଅନୁରୂପ ଭାବେ ମଙ୍ଗଳବାର ମଧ୍ୟ ଦିନତମାମ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ହାତରେ କୌଣସି ସୁରାକ ଲାଗିପାରିନାହିଁ। ତେବେ ଏହା ପୂର୍ବଶତ୍ରୁତାରୁ ହୋଇଥାଇପାରେ ବୋଲି ଲୋକନାଥ ସନ୍ଦେହ କରି ଏତଲାରେ କିଛି ବ୍ୟକ୍ତିବିଶେଷଙ୍କ ନାମ ଉଲ୍ଲେଖ କରିଥିବାର ଜଣାପଡିଛି। ଅପରପକ୍ଷେ ଲୋକନାଥ ମଧ୍ୟ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜଣେ ପୁରୁଖା ବିଜେଡି ନେତା ଭାବେ ପରିଚିତ। ତେଣୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସିବାକୁ ଥିବାବେଳେ ଗୁଳିକାଣ୍ଡର ଏହା ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ କେସ ନମ୍ବର ୩୮୦/୨୧, ଦଫା ୩୦୭, ୨୫ ଓ ୨୭ ଆରମ୍ସ ଆକ୍ଟ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଉକ୍ତ କେସର ତଦନ୍ତକାରି ଅଧିକାରୀ ହେଉଛନ୍ତି ଏସଆଇ ରାଜକିଶୋର ବେହେରା।

Categories
ଆଜିର ଖବର ରାଜ୍ୟ ଖବର

ଦିନ ଦ୍ବିପ୍ରହରରେ ବାଣପୁରରେ ଗୁଳିମାଡ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକରେ ଦିନ ଦ୍ବିପ୍ରହରରେ ଗୁଳିମାଡ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା। ବୟସ ତାଙ୍କର 37 ବର୍ଷ ବୋଲି ଜଣାପଡିଛି। ଗୁଳିଟି ତାଙ୍କର ନାକରେ ବାଜି ଭିତରେ ରହିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିନ୍ତୁ ଅବସ୍ଥା ବେଶ୍‌ ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ପାଇ ବାଣପୁର ପୋଲିସ୍‌ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଘରୋଇ ଝଗଡା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାକ୍ଷୀଗୋପାଳରେ ଫାୟାରିଂ , ଯୁବକ ମୃତ

ସମୀକ୍ଷା ବ୍ୟୁରୋ

ପୁରୀ : ଦୋଳ ଓ ହୋଲି ପର୍ବ ପୂର୍ବରୁ ସାକ୍ଷୀଗୋପାଳଠାରେ ଗୁଳିମାଡରେ ଜଣକର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କାଞ୍ଜିଆରେ ଶଶୁର ଘରେ ରହୁଥିଲେ ବୋଲି ସୂଚନା ରହିଛି । ରାତିରେ ଢାବାରେ ଖାଇବାକୁ ନେଇ ବଚସା ପରେ ଫାୟାରିଂ ହୋଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ସତ୍ୟବାଦୀ ଥାନା ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଗୁଳିକାଣ୍ଡର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ 316 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଛାତ୍ରୀଙ୍କୁ ଗୁଳିମାଡ଼ : ଦୁଇ ଦୁର୍ବୃତ୍ତ ଫେରାର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ବରରେ ଦିନ ଦ୍ବିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ । ଇନ୍‌ଫୋସିଟି ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳି ମାଡ ହୋଇଥିବାର ସୂଚନା ମିଳିଛି । ଛାତ୍ରୀଙ୍କ ଦୁଇ ଜଂଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣକ ଏକ ଘରୋଇ ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢୁଥିବାର ସୂଚନା ରହିଛି । ଛାତ୍ରୀ ଜଣକ ପୁରୁଷ ବନ୍ଧୁଙ୍କ ସହ ଛିଡା ହୋଇଥିବାବେଳେ ତାଙ୍କୁ ଗୁଳିମାଡ କରାଯାଇଛି । ଛାତ୍ରୀଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ କରି ଦୁଇ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛନ୍ତି ।