ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ: ଏୟାର ଲିଫ୍ଟରେ ଭୁବନେଶ୍ବର ଅଣାଗଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

Published: Jan 29, 2023, 3:24 pm IST

ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସେ ଯେଉଁଗାଡିରେ ଯାଇଥିଲେ ସେଥିରେ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା।

ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ।

ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ତାଙ୍କୁ ଦେଖିବା ପାଇଁ ନିଜେ ଆପୋଲ ହସପିଟାଲରେ ମଧ୍ୟ ଉପସ୍ଥିତ ରହିଛନ୍ତି। ସେହିପରି ବିଜେଡି ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ମିଶ୍ର, ସୁଶାନ୍ତ ସିଂ ଏବଂ ସଂବିତ ରାଉତରାୟ ପ୍ରମୁଖ ବହୁ ନେତା ସେଠାରେ ଉପସ୍ଥିତ ରହିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନବ ଦାସଙ୍କର ବ୍ୟକ୍ତିଗତ ସୁରକ୍ଷା ଥିବା ବେଳେ କେଉଁ ପରିସ୍ଥିତିରେ କିଏ ଗୁଳିମାଡ କଲା ସେ ନେଇ ତଦନ୍ତ କରାଯିବ। ତେବେ ଘଟଣାରୁ ଜଣାପଡିଛି ଯେ ଗାନ୍ଧୀଛକ ଫାଣ୍ଡିର ଏଏସଆଇ ଏହି ଗୁଳିମାଡ କରିଥିବା ଜଣାପଡିଛି। ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ ଅତି ନିକଟକରୁ ଗୁଳିମାଡ କରାଯାଇଛି।

Related posts