Categories
ଜାତୀୟ ଖବର ବିଶେଷ ଖବର

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ କଲା ବିଜେପି

ଭୁବନେଶ୍ୱର: ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ। ପୋଲିସ୍ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ଏବଂ ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ନିଜ ପାଟି ନ ଖୋଲିବା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ।

ଏପରିକି ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି କହିବା ସହ ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ବିଗତ ଦିନରେ ରାଜ୍ୟ ସରକାର ପଦୋନ୍ନତି ଦେଇ ବାରମ୍ବାର ପୁରସ୍କୃତ କରିବା ସହ ମେଡାଲ ଓ ଅର୍ଥରାଶି ମଧ୍ୟ ଦେଇଛନ୍ତି।

ହଠାତ୍ ସେହି ଦକ୍ଷ ପୋଲିସ ଅଧିକାରୀଜଣକ କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ଏବେ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ସେହିପରି ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ। ଯିଏ କ୍ରାଇମ କଲା ସେହି ବିଭାଗ ତଦନ୍ତ କରିବ, ଯାହାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁ ନଥିବା ଶ୍ରୀ ମହାନ୍ତି କହିଛନ୍ତି।

ବିଗତ ଦିନରେ ମମିତା ମେହେର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁର୍ଷ୍କମ, ଯାଜପୁରର ସ୍ମିତାରାଣି ବିଶ୍ୱାଳଙ୍କର ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ କ୍ରାଇମବ୍ରାଂଚର ତଦନ୍ତ କରିଥିଲେ ହେଲେ ଫଳ ଶୂନ। ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ, ଯାହାକି ସମଗ୍ର ଦେଶରେ ସର୍ବନିମ୍ନ। ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଥିବା ରାଜ୍ୟବାସୀ ଅନୁଭବ କରୁଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇ ପୁଣି ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି। ଭାରତୀୟ ଜନତା ପାର୍ଟି ଆଜି କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା କରୁନାହିଁ। ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି।

ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଏବଂ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ: ଏୟାର ଲିଫ୍ଟରେ ଭୁବନେଶ୍ବର ଅଣାଗଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସେ ଯେଉଁଗାଡିରେ ଯାଇଥିଲେ ସେଥିରେ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା।

ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ।

ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ତାଙ୍କୁ ଦେଖିବା ପାଇଁ ନିଜେ ଆପୋଲ ହସପିଟାଲରେ ମଧ୍ୟ ଉପସ୍ଥିତ ରହିଛନ୍ତି। ସେହିପରି ବିଜେଡି ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ମିଶ୍ର, ସୁଶାନ୍ତ ସିଂ ଏବଂ ସଂବିତ ରାଉତରାୟ ପ୍ରମୁଖ ବହୁ ନେତା ସେଠାରେ ଉପସ୍ଥିତ ରହିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନବ ଦାସଙ୍କର ବ୍ୟକ୍ତିଗତ ସୁରକ୍ଷା ଥିବା ବେଳେ କେଉଁ ପରିସ୍ଥିତିରେ କିଏ ଗୁଳିମାଡ କଲା ସେ ନେଇ ତଦନ୍ତ କରାଯିବ। ତେବେ ଘଟଣାରୁ ଜଣାପଡିଛି ଯେ ଗାନ୍ଧୀଛକ ଫାଣ୍ଡିର ଏଏସଆଇ ଏହି ଗୁଳିମାଡ କରିଥିବା ଜଣାପଡିଛି। ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ ଅତି ନିକଟକରୁ ଗୁଳିମାଡ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ମେଡିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହସପିଟାଲକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ଭୁବନେଶ୍ବରରୁ ପୁରୀରେ ପହଞ୍ଚିଥିଲେ। ସେଠାରେ ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ବାଲିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହି ମେଡିକାଲ କଲେଜରେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି। ଏହି ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହୋଇଛି। ଏଥିରେ ହଷ୍ଟେଲ, ପ୍ରଶାସନିକ ଭବନ, କ୍ୟାଣ୍ଟିନ ସହ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଛି । ଏଥିରେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି ।

ମେଡିକାଲର ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି।  ଚଳିତ ୨୦୨୧-୨୦୨୨ ଶିକ୍ଷା ବର୍ଷ ପାଇଁ ଏମବିବିଏସ ପାଠ୍ୟକ୍ରମ ପାଇଁ ନାମ ଲେଖା ସରିଛି। ୧୦୦ଟି ଆସନ ପାଇଁ ଏହି ନାମ ଲେଖା କରାଯାଇଛି। ଏଥିରେ  ୩୦ ଜଣ ଛାତ୍ରୀ ଏବଂ ୭୦ ଜଣ ଛାତ୍ର ନାମ ଲେଖାଇଛନ୍ତି।

ଏହି କଲେଜ ଉଦଘାଟନ ସହିତ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ମଧ୍ୟ ଭିଡିଓ କନଫ୍ରେସିଂ ଜରୀଆରେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କ ସହ ଭର୍ଚ୍ଚୁଆଲରେ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ଭାଷଣରେ ପୁରୀବାସୀଙ୍କ ପାଇଁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଗଲା ବୋଲି କହିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିୟମ ମଧ୍ୟ କରିଥିଲେ।