ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଆଶଙ୍କାଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ଏକ ସ୍ୱତନ୍ତ୍ର ସୈନ୍ୟ ଦଳର ଜଣେ ୨୮ ବର୍ଷୀୟ ଯବାନ ସୌରଭ ତୋମାରଙ୍କୁ ତାଙ୍କ ନିଜ ଗାଁରେ ଗୁଳିମାଡ଼ କରାଯାଇଛି। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମିରଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଜରୁରୀ ଚିକିତ୍ସା ଶେଷ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଖଡାନା ଗାଁର ଅଧିବାସୀ ସୌରଭ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଆଶ୍ୱାରୋହୀ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଅଛନ୍ତି। ସେ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ଦୀପାବଳି ରାତିରେ ନିଜ ଘର ଆଗରେ ଭାଇ ବିନୀତଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ଗାଁର ଦୁଇଜଣ ଯୁବକ ଧୀରଜ ଏବଂ ମୋନୁ ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ସହ ଗଣ୍ଡଗୋଳ ଆରମ୍ଭ କରିଥିଲେ। ସେମାନେ ଦେଶୀ ପିସ୍ତୋଲ ଏବଂ ଲାଠି ଧରି ଆସି ବାକ୍ଯୁଦ୍ଧ କରିବା ସହ ଅଚାନକ ଗୁଳିଚାଳନା କରିଥିଲେ। ପିସ୍ତୋଲରୁ ବାହାରିଥିବା ଗୁଳିଟି ନିକଟସ୍ଥ କାନ୍ଥରେ ବାଜି ସୌରଭଙ୍କ ମୁଣ୍ଡରେ ବାଜିଥିଲା। ଏହାସହ ଆକ୍ରମଣକାରୀମାନେ ଲାଠିରେ ତାଙ୍କ ଭାଇ ବିନୀତଙ୍କୁ ମଧ୍ୟ ମୁଣ୍ଡକୁ ଆଘାତ କରି ରକ୍ତାକ୍ତ କରିଦେଇଥିଲେ।
ଘଟଣା ପରେ ପରିବାର ଲୋକେ ଉଭୟ ଭାଇଙ୍କୁ ତୁରନ୍ତ ସ୍ଥାନୀୟ ବଡ଼ୌତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସୌରଭଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମିରଟ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କ ମୁଣ୍ଡରୁ ଗୁଳି ବାହାର କରାଯାଇ ଚିକିତ୍ସା କରାଯାଉଛି। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ହତ୍ୟା ଉଦ୍ୟମ, ଆକ୍ରମଣ ଏବଂ ଧମକ ସମ୍ପର୍କିତ ବିଭିନ୍ନ ଆଇନଗତ ଧାରା ଲଗାଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଲଗାତାର ଚଢ଼ାଉ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ସୌରଭ ନିଜର ଉଚ୍ଚତା ଏବଂ କଠିନ ଶାରୀରିକ ଯୋଗ୍ୟତା ବଳରେ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ରକ୍ଷୀ ଦଳରେ ସାମିଲ ହୋଇଥିଲେ। ଏହି ବାହିନୀ ଭାରତୀୟ ସେନାର ସବୁଠାରୁ ପୁରୁଣା ଏବଂ ସମ୍ମାନଜନକ ସୁରକ୍ଷା ଦଳ ଭାବେ ପରିଚିତ, ଯାହା ରାଷ୍ଟ୍ରପତିଙ୍କ ଆନୁଷ୍ଠାନିକ ଏବଂ ସୁରକ୍ଷା ଦାୟିତ୍ୱ ତୁଲାଇଥାଏ। ସୌରଭଙ୍କ ଭଳି ଜଣେ ପ୍ରମୁଖ ଯବାନଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


