Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦଜାପିତ ହେଲା ବିଜେଡିର ଜନସଂପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର। ଏହା ଆମେ ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ।

ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ। ଆଗକୁ ମଧ୍ୟ ଦେଇ ଚାଲିବୁ। ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି। ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ।

ପ୍ରାରମ୍ଭରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ ପ୍ରମୁଖ ଦ୍ୱିତୀୟ ଦିବସର ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।

ସଂଗଠନ ସମ୍ପାଦକ ଶ୍ରୀ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ।

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି ଏବଂ ୫ଥର ଯାକ ଦଳକୁ ବିଜୟୀ କରାଇଛନ୍ତି। ଲୋକେ ତାଙ୍କୁ ନି୮ସର୍ତ ଭାବେ ଭଲ ପାଆନ୍ତି। ଏବେ ଷଷ୍ଠ ଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଆମକୁ ସେ ଦାୟିତ୍ଵ ନେବାକୁ ହେବ ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ହେବ।

ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓଡ଼ିଶାକୁ ଆମ ହକ୍ ଦେଉନାହିଁ ବୋଲି ବିଭିନ୍ନ ଉଦାହରଣ ସହ କହିଥିଲେ। ଓଡିଶା ପ୍ରତି କେନ୍ଦ୍ରର ଅବିଚାରର ସୀମା ନାହିଁ ବୋଲି ଦର୍ଶାଇ ସେ କହିଲେ ଯେ ୬୦ ଦଶକରେ ଆରମ୍ଭ ହୋଇଥିବା ଏହି ଅବିଚାର ଏବେ ବି ଜାରି ରହିଛି। ରେଳବାଇଠୁ ନେଇ ବିପର‌୍ୟ୍ୟୟ ସହାୟତା ଓ ଉଷୁନା ଚାଉଳ ଉଠାଣ ପର‌୍ୟ୍ୟନ୍ତ କେନ୍ଦ୍ର ଓଡ଼ିଶାକୁ ଅବିଚାର ଜାରି ରଖିଛି। ତେଣୁ କେନ୍ଦ୍ରର ଏହି ଅବିଚାର ବିରୋଧରେ ଆମର ଲଢ଼େଇ ଜାରି ରହିବ।

ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଲେ, ବିପର‌୍ୟୟକୁ ସଫଳ ମୁକାବିଲା କରିବାରେ ଓଡ଼ିଶା ଆଜି ସାରା ବିଶ୍ଵକୁ ଦିଗଦର୍ଶନ ଦେଉଛି। ପ୍ରାକୃତ୍ରିକ ବିପର‌୍ୟ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ “ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ” ଆହ୍ୱାନ ଦେବା ପରେ ଓଡ଼ିଶା ମଡେଲକୁ ଦେଖି ପ୍ରଶିକ୍ଷଣ ନେବା ପାଇଁ ଅନ୍ୟ ରାଜ୍ୟର ଅଫିସରମାନେ ଓଡ଼ିଶା ଆସୁଛନ୍ତି। ତେବେ ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ଆମକୁ ସହଯୋଗ କରୁନି ବୋଲି ସେ ଅଭିଯୋଗ କରିଥିଲେ ଏବଂ ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ସୁପରିଚାଳନା ଯୋଗୁଁ ଓଡ଼ିଶା କିପରି ଦ୍ରୁତ ଗତିରେ ପ୍ରଗତି କରୁଛି, ତାହାର ଚିତ୍ର ପ୍ରଦାନ କରିଥିଲେ। ମହାବାତ୍ୟା ପରର ଦୟନୀୟ ଆର୍ଥିକ ସ୍ଥିତିରୁ ଉଠି ଓଡ଼ିଶାର ଅର୍ଥନୀତି ଆଜି ଉପରମୁହାଁ ହୋଇଛି। ୨୦୦୦ ମସିହାରେ ରାଜ୍ୟର ବଜେଟ ସାଢେ ୧୧ ହଜାର କୋଟିରୁ ବଢି ୨ ଲକ୍ଷ କୋଟିରେ ପହଞ୍ଚିଛି। ସରକାର ଯେତେ ସବୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି, ସେସବୁର କାର‌୍ୟ୍ୟକାରୀତା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ପୂଜାରୀ କହିଥିଲେ।

ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ କହିଥିଲେ ଯେ ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି। ୧୭ ହଜାର ଗାଁକୁ ନିତି ଦିନିଆ ରାସ୍ତା ନିର୍ମାଣ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ରାସ୍ତା ନିର୍ମାଣ ବଜେଟ୍ ୨୯୮ କୋଟିରୁ ବଢି ୧୭ହଜାର ୪୨୪ କୋଟିରେ ପହଞ୍ଚିଛି। ତେଣୁ ଏହି ସବୁ ତଥ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିବେଦନ କରିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ -ଟି ମନ୍ତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିଜ ଭାଷାଣରେ ଓଡ଼ିଶା କେମିତି ନିଅଣ୍ଟିଆ ଖାଦ୍ୟ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇଛି, ତାହାର କାହାଣୀ ବର୍ଣ୍ଣନା କରିଥିଲେ। ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ଘୃଣା ଓ ଅସୂୟାର ରାଜନୀତି ଚଳିବ ନାହିଁ ବୋଲି ଦର୍ଶାଇ ଧର୍ମନିରପେକ୍ଷତାରେ ବିଶ୍ଵାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ଵାସ, ଭରସା ଓ ଆଶୀର୍ବାଦ ଅଛି ବୋଲି କହିଥିଲେ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ବାବୁଙ୍କ ଦୃଢ ନେତୃତ୍ଵ ଯୋଗୁଁ ଓଡ଼ିଶା ସରକାର କିପରି ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ପ୍ରତିବଦ୍ଧତାର ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛନ୍ତି, ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ ।

ଶେଷରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟନି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ଶ୍ରଦ୍ଧାଭାଜନ ହେବାକୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଓ କୌଶଳ ସଂପର୍କରେ ଅବଗତ କରିଥିଲେ। ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ବଦ୍ରି ନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଂଜନ ପଟ୍ଟନାୟକ, ସୁଶାନ୍ତ ସିଂ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପୂର୍ବରୁ ବିଜେଡିର ଶକ୍ତି ପ୍ରଦର୍ଶନ, ଦିଗଦର୍ଶନ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ। ଲୋକଙ୍କ ବଳ ବିଜୁ ଜନତା ଦଳ ନାରା ଦେଉଥିବା ଏହି ଦଳ ନିର୍ବାଚନ ପୂର୍ବରୁ ଦେଖାଇଛି ପତିୟାରା। ଆଜି ଭୁବନେଶ୍ବରର ଜନତା ମଇଦାନରେ ହଜାର ହଜାର ନେତାଙ୍କର ହୋଇଥିଲା ସମାଗମ। ଉଦ୍ଦେଶ୍ୟ ଥିଲା ଦଳର ନିର୍ବାଚିତ ପ୍ରତିନିଧୀମାନଙ୍କୁ ପଦଯାତ୍ରା ସଂପର୍କରେ ପ୍ରଶିକ୍ଷଣ ଦେବା।ଏଥିରେ ଭିଡିଓ ବାର୍ତ୍ତାରେ ଯୋଡି ହୋଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଙ୍କୁ ଦେଇଥିଲେ ଦିଗଦର୍ଶନ। ସେ କହିଥିଲ ଯେ, ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ସେ ଆହ୍ଵାନ ଦେଇଛନ୍ତି।କେବଳ ସେତିକି ନୁହେଁ, ଦେଶର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରମାନଙ୍କ ଅବଦାନ ସଂପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଲୋକଙ୍କର ଆମ ଉପରେ ବଡ ଭରସା ରହିଛି। ଆପଣମାନେ ସେମାନଙ୍କ ପାଖକୁ ଯାଇ ତାହା ପୂରଣ କରିବାରେ ସାହାଯ୍ୟ କରନ୍ତୁ ବୋଲି ସେ କହିଥିଲେ।ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି। କେବଳ ସେତିକି ନୁହେଁ, ଦେଶର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରମାନଙ୍କ ଅବଦାନ ସଂପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ଆଜିଠାରୁ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ସାରା ଓଡ଼ିଶାରୁ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।ଏହି ସମାବେଶରେ ଅଧ୍ୟକ୍ଷତା କରି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ଦେହାନ୍ତ ପରେ କିଏ ଓଡ଼ିଶାର ନେତୃତ୍ଵ ନେବ, ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଘୋର ନିରାଶାର ଅନ୍ଧକାର ସୃଷ୍ଟି ହୋଇଥିଲା। ଏହି ଅନ୍ଧକାର ଭିତରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାକାରୀଙ୍କ ଉତ୍କଣ୍ଠା ଓ ଆକାଂକ୍ଷାର ଅନ୍ତ ଘଟାଇ ଆଶାର ଆଲୋକ ହୋଇ ଉଭା ହୋଇଥିଲେ।ବିଜୁବାବୁଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ। ସେବେଠୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ଆଜି ନବୀନ ଓଡ଼ିଶାର ବିଶ୍ଵକର୍ମା ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଓ ଉପସାର ପ୍ରତୀକ ସାଜିଛନ୍ତି। ଆଉ ୨୫ ବର୍ଷ ତଳେ ନବୀନ ବାବୁ ବିଜୁ ଜନତା ଦଳର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି।ଓଡ଼ିଶାରେ ସ୍ଵାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି। ଏତେ ବର୍ଷ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ। ତେଣୁ ଏହି ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତ୍ତରଦାୟିତ୍ଵ ରହିଛି ବୋଲି କହି ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ।ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ବିଜୁବାବୁଙ୍କ ଅବର୍ତ୍ତମାନରେ ଗଭୀର ଆର୍ଥିକ ସଂକଟ ଓ ଅନେକ ଅଭାବ ଅସୁବିଧା ଭିତରେ ନବୀନ ବାବୁ ପ୍ରତିବଦ୍ଧତାର ସହ ଦଳର ନେତୃତ୍ଵ ଏପରି ଭାବରେ ନେଇଥିଲେ ଯେ ସଂଶୟ ଭିତରୁ ପ୍ରତ୍ୟୟ ଜନ୍ମ ନେଲା । ସବୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଋଣଗ୍ରସ୍ତ ଓଡ଼ିଶାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ସଂପୂର୍ଣ୍ଣ ମୋଡ଼ ବଦଳାଇ ଦେଇଥିଲେ। ଏବେ ତାଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଧାରା କ୍ଷିପ୍ର ହୋଇଛି। ପଦଯାତ୍ରାରେ ଆମକୁ ସଫଳତାର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ।ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ, ବିଜେଡି ଏକ ରାଜନୈତିକ ଦଳରୁ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦଶନ୍ଧି ଆରମ୍ଭରେ ଏକ ଖାଦ୍ୟ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ବୟନରେ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟର ମାନ୍ୟତା ପାଇଛି। ଚଳିତ ବର୍ଷ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା କିଛି ରାଷ୍ଟ୍ର ପାଇଁ ମଡ଼େଲ ବୋଲି ଘୋଷଣା କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଏହି ସବୁ ସଫଳତାର ବାର୍ତ୍ତା ଆମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ।ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଲେ, ସରକାରଙ୍କ ୫ଟି ରୂପାନ୍ତରୀକରଣ ଦଳ ଭିତରକୁ ମଧ୍ୟ ସଞ୍ଚରିତ ହେଉଛି। ଯୁବ, ଛାତ୍ର, ମହିଳା ଶାଖା ଆହୁରି ସଶକ୍ତ ହୋଇଛି। ଏବେ ଏହି ରୂପାନ୍ତରୀକରଣ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଆମର ଦାୟିତ୍ଵ । ନମ୍ରତା, ସେବା ମନୋବୃତ୍ତି, ଜନତାଙ୍କୁ ସମ୍ମାନ, ସ୍ୱଚ୍ଛତା, ସାଧୁତାକୁ ପ୍ରାଥମିକତା ଦେବାକୁ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ।ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ ବିଜେପି ଓଡ଼ିଶାରେ ନବୀନ ବାବୁଙ୍କୁ କ୍ଷମତାରୁ ଦୂରେଇ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ନବୀନ ବାବୁ ଓଡ଼ିଶାରୁ ଦାରିଦ୍ର୍ୟକୁ ଦୂରେଇ ଦେବା ପାଇଁ ବାଙ୍ଗାଲୋରରେ ବସି ରଣନୀତି ତିଆରି କରୁଛନ୍ତି। ନବୀନ ବାବୁଙ୍କ ସ୍ଥିର ଓ ଦୃଢ ନେତୃତ୍ଵ ଯୋଗୁଁ ଆଜି ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହୋଇଛି।ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଆମ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସ୍ଵୀକୃତି ଓ ସମ୍ମାନ ଦେଇଛନ୍ତି। ନିଜ ବାପାଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ଭାଗ ମହିଳାଙ୍କୁ ସୁଯୋଗ ଦେଇଛନ୍ତି ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ୍ କରିଛନ୍ତି।ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଉପରେ ଆଲୋକପାତ କରି ସାଂସଦ ସସ୍ମିତ ପାତ୍ର କହିଲେ, ନବୀନ ବାବୁ ଓଡ଼ିଶାର ହକ୍ ପାଇଁ ଲଢ଼େଇ କରୁଛନ୍ତି। ଦିଲ୍ଲୀରେ ଆମର କେହି ମାଲିକ ନାହାନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ହିଁ ଆମର ମାଲିକ।ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓଡ଼ିଶାରେ କ୍ରୀଡାର ଅଭ୍ୟୁଦୟ ଓ ବିଶ୍ଵରେ ପାଇଥିବା ଅନନ୍ୟ ପରିଚୟ ଉପରେ ଆଲୋକପାତ କରିଥିଲେ। ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନିବା ସହିତ ଏହାକୁ କାମରେ ଲଗାଇବାର ଅଙ୍ଗୀକାରବଦ୍ଧତାକୁ କାମରେ ଲଗାଇଛନ୍ତି।ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ତାଙ୍କ ଅଭିଭାଷଣରେ ଆଗାମୀ ୩୦ ବର୍ଷ ପାଇଁ ଦଳକୁ କାନ୍ଧରେ ଟେକି ଆଗକୁ ନେବା ଲାଗି ଯୁବକମାନଙ୍କୁ ଆହ୍ଵାନ ଦେଇଥିଲେ।ଏହା ବ୍ୟତୀତ ଦଳର ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।ସମାବେଶର ଦ୍ଵିତୀୟ ଅଧିବେଶନରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଡ. ଉଜ୍ଜ୍ଵଳ ପଟନୀ ନିଜର ଅଭିଭାଷଣ ରଖିଥିଲେ। ସେ ନବୀନ ବାବୁଙ୍କୁ ଦେଶର ତିନି ଜଣ ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ ବୋଲି ଅଭିହିତ କରିଥିଲେ। ସେ ଆହୁରି କହିଥିଲେ ଯେ ଦେଶର ଅଧେ ନେତା ନବୀନ ବାବୁଙ୍କଠାରୁ ବିନମ୍ରତା ଓ ସରଳତା ଶିଖିବା ଉଚିତ। ଏହି ଅବସରରେ ସେ ଉପସ୍ଥିତ ମହିଳା, ଯୁବ ଓ ଛାତ୍ର ନେତାଙ୍କୁ ନେତୃତ୍ଵ ବିକାଶର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦେଉଥିଲେ।ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମାବେଶକୁ ଉଦଘାଟନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟଣାଣୀ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶ୍ଵିନୀ ପାତ୍ର, ରଘୁନନ୍ଦନ ଦାସ, ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ରମ, ଓଡ଼ିଶା ମୋ ପରିବାର ଅରୂପ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, କଟକ ମେୟର ସୁବାସ ସିଂ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ଦଳର ସବୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ଗୃହର ମର୍ଯ୍ୟଦାହାନୀ ବିରୋଧରେ ବିଜେଡିର ବିଧାନସଭାରୁ ରାଜଭବନ ପଦଯାତ୍ରା

ଭୁବନେଶ୍ବର, ଆଜି ପୁଣି ଥରେ ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଂଗ ନେଇ ବିଜେଡି ତୁମ୍ବିତୋଫାନ କରିଛି। ଗୃହରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଦିନ 12 ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଏହାପରେ ବିଜେଡି ବିଧାୟକ ବିଧାନସଭାରୁ ଏକାଠି ହୋଇ ଏକ ପଦଯାତ୍ରାରେ ବାହାରିଥିଲେ।

ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ସେମାନେ ରାଜଭବନକୁ ଯାଇଥିଲେ। ସେମାନଙ୍କର ଦାବୀ ହେଉଛି ଯେ, ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହର ଅମର୍ଯ୍ୟଦା କରିଛନ୍ତି। ସେ ତୁରନ୍ତ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଛନ୍ତି। ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଏକ ଅପରାଧପ୍ରବଣ ମାନସିକତା। ଏହା ବିଧାନସଭା ପରି ପବିତ୍ର ଗୃହରେ କରାଯିବା ଅନୁଚିତ। ସେଥିପାଇଁ ବିଧାୟକ ନିଃସର୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ପାଗ ଦେଖି ପଗଡି ଭିଡିଲା ବିଜୁ ଜନତା ଦଳ, ବିରୋଧୀ ଦଳ ଚୁପ୍

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର. ଏବେ ସାରା ବିଶ୍ବରେ ଯେପରି କରୋନା ଭୟ ଘାରିଛି, ସେହିପରି ଓଡିଶାରେ ମଧ୍ୟ ତାହା ଅନୁଭୂତ ହେଉଛି। ତେବେ ସାଧାରଣ ଲୋକଙ୍କୁ ସିନା କୋଭିଡ19 ଭୟ ହେଲେ ନେତାଙ୍କୁ ନୁହେଁ। ବର୍ତ୍ତମାନ ନେତାଙ୍କୁ କୋଭିଡଠାରୁ ଆହୁରି ଭୟ ଲାଗିଲାଣି ଭୋଟ। କାରଣ ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଋତୁ ପାଖେଲାଣି। ଏପଟେ କୋଭିଡ ସେପଟେ ନିର୍ବାଚନ, କାହାକୁ କଣ କରିବେ ସେ ନେଇ ଚିନ୍ତାରେ ନେତା।

ବର୍ତ୍ତମାନ ଓଡିଶାର ଦୁଇଟି ଉପନିର୍ବାଚନର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ତାପରେ ଆସିବ ନଗର ନିର୍ବାଚନ। ଏହା ପରେ ପରେ ପଞ୍ଚାୟତ ନିର୍ବାଚନ ପାଖେଇବ। ସେଥିପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। କାରଣ ନଗର ନିର୍ବାଚନ ବେଳେ ପ୍ରମୁଖ ଭୁବନେଶ୍ବର ଓ କଟକ ପରି ମହାନଗରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏହି କୋଭିଡ ମହାମାରୀ ସମୟରେ ରାଜନୈତି ଫାଇଦା କିଏ ହାସଲ କରୁଛି ବୋଲି ଯଦି ପ୍ରଶ୍ନ ପଚରାଯାଏ ତେବେ ବିଜେଡି ବୋଲି କହିହେବ। କାରଣ ବର୍ତ୍ତମାନ ବିଜେଡି ରାଜ୍ୟରେ ବେଶ୍ ଶକ୍ତିଶାଳୀ ଥିଲେ ମଧ୍ୟ ସେ ପ୍ରଚାର ପ୍ରସାର ସହ ଜନସେବା କରିବାରେ ପଛ ଘୁଞ୍ଚା ଦେଉ ନାହିଁ। ବିରୋଧୀ କଂଗ୍ରେସ ଓ ବିଜେପି କରୋନାରେ ସରକାର କଣ ଦୁର୍ନିତି କରୁଛନ୍ତି ବୋଲି ରଡି କରିବାରେ ଲାଗିଛନ୍ତି। ଠିକ୍ ସେତିକି ବେଳେ ବିଜେଡି ସେପଟେ ଗାଁ ଗାଁ ବୁଲି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବାରେ ବ୍ୟସ୍ତ।

ପାଗ ଦେଖି କେଉଁ କୈଶଳ ଆପଣେଇ ହେବା ତାହା ବିଜେଡିକୁ ବେଶ୍ ଭଲ ଭାବରେ ଜଣା ଅଛି। ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ତାହାର ପଦଯାତ୍ରା। ମୁଖ୍ୟତଃ ପୂର୍ବ ପଦଯାତ୍ରାଗୁଡିକରେ ବିଜେଡି ସରକାରଙ୍କ ସଫଳତାର ପ୍ରଚାର ପ୍ରସାର କରାଇଥାଏ। ହେଲେ ଏଥର ପରିସ୍ଥିତି ଦେଖି ଦଳ ତାହାର ରଣନୀତି ବଦଳାଇ ଦେଇଛି।

ଏଥର କରୋନା ବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା ମନୋବୃତି ନେଇ ଏହି ପଦଯାତ୍ରା କରିଛି। ଏଥିରେ ବିଧାୟକ, ମନ୍ତ୍ରୀ ଏବଂ କର୍ମିମାନେ ଗାଁ ଗାଁକୁ ବୁଲି ମାସ୍କ ବାଣ୍ଟିବେ, ସାମାଜିକ ଦୂରତା ଏବଂ ହାତ ଧୋଇବା ପ୍ରଭୃତି କାମ କରିବା ପାଇଁ ସଚେତନ କରାଇବେ। ଏପରି ସୁନ୍ଦର ଯୋଜନା ନେଇ ବିଜେଡି ଏହି ବିପଦ ସମୟରେ ଲୋକଙ୍କ ପାଖରେ ଛିଡା ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଏପରି ପଦଯାତ୍ରାକୁ କେଉଁ ବିରୋଧୀ ଦଳ ବିରୋଧ କରିବାକୁ ସାହାସ କରିବେ।

ସେଥିପାଇଁ କୁହାଯାଏ ପାଗ ଦେଖି ପଗଡି ବାନ୍ଧେ ବିଜୁ ଜନତା ଦଳ