Categories
ଆଞ୍ଚଳିକ

ଚିଲିକାରେ ବିଜେପି ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ: ଯୋଗଦେଲେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ ଚିଲିକା ନିର୍ବାଚନୀ ମଣ୍ଡଳୀର‌ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ‌ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଯୁବକ ଯୁବତୀମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ଏକ ସୁନ୍ଦର ସମାଜ ଗଠନ କରିବାରେ ଯୁବକ ଯୁବତୀମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଏହାପରେ ଅନୁଷ୍ଠିତ ସଭାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ବିଶେଷ ଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଶିଷ୍ଟ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିରଜାଈ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ଭୋଳ,ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଦୀନବନ୍ଧୁ ସାହୁ‌, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଯୁବମୋର୍ଚ୍ଚା ପ୍ରଭାରୀ ସୁମନ୍ତ ପଟ୍ଟନାୟକ, ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ, ଚ଼ଣ୍ଡେଶ୍ବର ମଣ୍ଡଳ ସଭାପତି ଲକ୍ଷ୍ମୀଧର ବରାଳ, ବଡ଼କୂଳ ମଣ୍ଡଳ ସଭାପତି ଦିଲ୍ଲିପ ମହାନ୍ତି, ପ୍ରତାପେଶ୍ବର ମଣ୍ଡଳ ସଭାପତି କୈଳାସ ବରାଳ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନଂ କାଉନସିଲର ତଥା ବାଣପୁର ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବି ନାରାୟଣ ମିଶ୍ର, ଗମ୍ଭାରୀମୁଣ୍ଡା ପଞ୍ଚାୟତ ର‌ ସମିତିସଭ୍ୟା ଅନିତା ପ୍ରଧାନ ଯୋଗଦେଇଥିଲେ।ସମସ୍ତ ନୂତନ ଭୋଟର୍ ମାନଙ୍କୁ ସଚେତନ କରାଯିବା ସହିତ ସେମାନେ ମତଦାନକୁ ନିଜର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ବିବେଚିତ କରି କିପରି ଶତ ପ୍ରତିଶତ ମତଦାନ କରିବେ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

୨୦୪୭ ମସିହା ମଧ୍ୟରେ ଭାରତକୁ ଆତ୍ମନିର୍ଭର ଓ ବିକଶିତ ରାଷ୍ଟ୍ର‌ ରେ ପରିଣତ କରିବା ପାଇଁ ସଂକଳ୍ପ ପାଠ କରାଇଥିଲେ। ଏହି ସଭା‌କୁ‌ ପରିଚ଼ାଳନା କରିଥିଲେ ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ପ୍ରଭାରୀ ବିଶ୍ବବିଜୟୀ ଦାଶ‌। ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତପନ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ କାହ୍ନୁଚ଼ରଣ ପ୍ରଧାନ, ସମର ରଞ୍ଜନ ସୁବୁଦ୍ଧି, ସଂଯୋଜକ ଶ୍ୟାମସୁନ୍ଦର ପ୍ରଧାନ, ସାଜିଦ୍ ହୁସେନ, ବାଲୁଗାଁ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାହ୍ନୁଚରଣ ପଲାଇ‌, ସିଦ୍ଧେଶ୍ଵରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଲଲାଟ କେଶରୀ ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମେତ ୧୫୦୦ ରୁ ଊର୍ଦ୍ଧ୍ଵ ନବ ଭୋଟର ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଇନ ଶୃଙ୍ଖଳା ନେଇ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ ନେତୃତ୍ବରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆଜି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଭୂବନେଶ୍ୱର ରାମମନ୍ଦିର ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ।

ଶୋଭାଯାତ୍ରା ପୂର୍ବରୁ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ। ଘଟଣାର ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ଉନ୍ମୋଚନ କରିବା ପରିବର୍ତେ ଷଡଯନ୍ତ୍ର ରଚି ଘଟଣାକୁ ଚପାଇ ଦେବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି। ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି।

ଆଇନଶୃଙ୍ଖଳା ନେଇ ପୂର୍ବରୁ ପଂଚାୟତ, ବ୍ଲକ ସ୍ତରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶହ ଶହ ଯୁବକ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଘେରାଉ କରିବା ସହ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏଆନ୍ଦୋଳନ ଜାରି ରହିବ ବୋଲି ଆଚାର୍ଯ୍ୟ କହିଛନ୍ତି।

ଏହି ଆନ୍ଦୋଳନରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ଶଂଶାଙ୍କ ରାଜ୍‌, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ୍ ଷଡଙ୍ଗୀ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ।

ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଶୋଭଯାତ୍ରାକୁ ଅଟକାଇ ଥିଲେ। ପୋଲିସ ସହ ଧସ୍ତାଧସ୍ତା କାରଣରୁ ୫୦ରୁ ଅଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଆହତ ହୋଇଥିବାର ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନକୁ ନେଇ ବିଜେଡି ରଖିଲା ପ୍ରତିକ୍ରିୟା, କହିଲା ଏମିତି କଥା

ଭୁବନେଶ୍ୱର : ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ବିଜେପି ଯୁବମୋର୍ଚ୍ଚା ଗୁଣ୍ଡାଗର୍ଦ୍ଦି ଓ ବ୍ୟାପକ ହିଂସାକାଣ୍ଡ ଘଟାଇଛି । ଆଜିର ଘଟଣାରେ ଓଡିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଅନେକ ପୁଲିସ ଆହତ ହୋଇଥିବାବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡିନାହାନ୍ତି । କାହାର ମୁଣ୍ଡ ଫାଟିଯାଇଛି ତ ଆଉ କାହାର ହାତ ଭାଙ୍ଗିଛି । ରକ୍ତମୁଖା ହୋଇ ସେମାନେ ପୁଲିସ ଗାଡ଼ିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି କେମିତି ହୀନ ରାଜନୀତି କରୁଛି, ଆଜି ପୁଣି ତାହା ପଦାରେ ପଡିଯାଇଛି । କେବଳ ହିଂସାରେ ବିଶ୍ୱାସ କରୁଥିବା ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି ।

କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ଆଜି ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ । ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଯେଉଁ ଫଟୋକୁ ଅତ୍ୟନ୍ତ ଅଶୋଭନୀୟ ଭାବେ ଚିତ୍ରଣ କଲେ, ତାହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି ।

ଆମେ ପୂର୍ବରୁ ବି କହିଥିଲୁ, ଆଜି ବିକ୍ଷୋଭର ନେତୃତ୍ୱ ନେଉଥିବା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଗୁଣ୍ଡା ପ୍ରକୃତିର ଏବଂ ଅପରାଧ ପ୍ରବଣ ବ୍ୟକ୍ତି । ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରହିଛି । ପୂର୍ବରୁ ବରଗଡ଼ବାସୀ ତାଙ୍କର ହିଂସାତ୍ମକ ଆଚରଣର ଝଲକ ଦେଖିଥିଲେ । ପୁରୀରେ ମଧ୍ୟ ଅନେକ ବାର ଗୁଣ୍ଡା ଗର୍ଦ୍ଦି କରିଥିବାରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ଆଜି ରାଜଧାନୀର ରାଜରାସ୍ତାରେ ପୂରା ଓଡ଼ିଶା ତାଙ୍କ ହିଂସାର ତାଣ୍ଡବ ଦେଖିଲା । ଶାନ୍ତିପ୍ରିୟ ଓଡ଼ିଶାବାସୀ କେବେ ବି ଏଭଳି ହିଂସାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ ଦେବେ । ବିଜେପି ଶୀର୍ଷ ନେତାମାନେ ମଧ୍ୟ ଏଭଳି ଚରିତ୍ରର ବ୍ୟକ୍ତିକୁ ଦଳରେ ପ୍ରଶ୍ରୟ ଦିଅନ୍ତୁ ନାହିଁ । ନ ହେଲେ ଓଡ଼ିଶାବାସୀ ସେମାନଙ୍କୁ ମଧ୍ୟ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚିଲିକାରେ ବିକ୍ଷୋଭ

ସୀତାରାମ ଅଗ୍ରୱାଲ
ଚିଲିକା: ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲୁଗାଁଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଅପରାହ୍ନ ୪ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପଠାଣି ବଳବନ୍ତରାୟଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି ବାଲୁଗାଁ ଗାନ୍ଧୀ ଛକଠାରୁ ବାଲୁଗାଁ ଥାନା ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ଯୁବ ମୋର୍ଚ୍ଚା ପକ୍ଷରୁ ବାଲୁଗାଁ ଥାନା ସମ୍ମୁଖରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଦିନ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକରେ ନିଜ ଘରକୁ ଫେରୁଥିଲେ। ନୃତ୍ତାଙ୍ଗସ୍ଥିତ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ସମ୍ପୃକ୍ତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ମାହଙ୍ଗା ପୋଲିସ ଅଟକ ରଖିଛି। କିନ୍ତୁ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରୁଛି। ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ଥାନାରେ ବିଜେପିକୁ ପକ୍ଷରୁ ବିକ୍ଷୋଭ କରାଯାଉଛି।

ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ବିଜେପି ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ମଣ୍ଡଳ ସମ୍ପାଦକ ପ୍ରଶାନ୍ତ ସାହୁ, ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଶ୍ୟାମ ସୁନ୍ଦର ପ୍ରଧାନ, ସୌମ୍ୟରଞ୍ଜନ ସାମନ୍ତରାୟ, ନିରଞ୍ଜନ ସେଠି, ତପନ ପ୍ରଧାନ, କାହ୍ନୁ ଚରଣ ପଲେଇ, ସମର ରଞ୍ଜନ ସୁବୁଦ୍ଧି ପ୍ରମୁଖଙ୍କ ସମେତ ବିଜେପି ଯୁବମୋର୍ଚା ର ଶତାଧିକ ପୁରୁଷ ଏବଂ ମହିଳା କର୍ମୀମାନେ ଯୋଗଦେଇଥିଲେ।