Categories
ଆଜିର ଖବର ରାଜ୍ୟ ଖବର

ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ଉନମୋଚିତ

ଭୁବନେଶ୍ବର: ବିଶିଷ୍ଠ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ଉନମୋଚିତ ହୋଇଯାଇଛି। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଏହାକୁ ଉନମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଉତ୍ସବରେ ପ୍ରତିଷ୍ଠିତ ସାହିତ୍ୟିକା ଡ ପ୍ରତିଭା ରାୟ ଏବଂ କାଦମ୍ବିନୀର ସଂପାଦିକା ଇତି ସାମନ୍ତ ଯୋଗ ଦେଇଥିଲେ।

‘ମାୟାବର୍ତ୍ତ’ ରେ ବିଜୟ ନାୟକଙ୍କ ବଛା ବଛା 22 ଟି ଗଳ୍ପ ସ୍ଥାନିତ ହୋଇଛି। ଏଥିରେ ମୁଖ୍ୟତଃ ସମାଜର ତଳ ପାହଚରେ ଥିବା ମଣିଷର ସଂଘର୍ଷର କାହାଣୀ ଲିପିବଦ୍ଧ ହୋଇଛି। ଭାବର ସାନ୍ଧ୍ରତା ତଥା ଶଦ୍ଦର ଲାଳିତ୍ୟ ଯୋଗୁଁ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରାଯାଇଛି। ଏହି ପୁସ୍ତକର ପ୍ରଚ୍ଛଦ ପ୍ରଖ୍ୟାତ ଚିତ୍ରଶିଳ୍ପୀ ବଳଦେବ ମହାରଥା କରିଥିବା ବେଳେ ବିଦ୍ୟାପୁରୀ ପ୍ରକାଶନରେ ମୁଦ୍ରଣ ହୋଇଛି।

ଏହି ଉତ୍ସବରେ ଲେଖକ ତଥା ରାଷ୍ଟ୍ରପତିଙ୍କ ମିଡିଆ ସଚିବ ବିଜୟ ନାୟକ, ପ୍ରକାଶିକା ତପସ୍ବନୀ ନାୟକ, ପ୍ରକାଶକ ଜୀବାନନ୍ଦ ମିଶ୍ର, କବି ରକ୍ଷକ ନାୟକ ଏବଂ ଅମିତାଭ ଖିଲାର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ହେଲେ ଓଡିଆ ଅଫିସର ବିଜୟ ନାୟକ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ଅଫିସର ବିଜୟ ନାୟକ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ପୂର୍ବରୁ ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ତାଙ୍କର ଦକ୍ଷତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଥିଲେ।

ବରିଷ୍ଠ ଓଏଏସ ଅଫିସର ବିଜୟ ନାୟକ ଅବସର ପରେ ସେ ଓଡିଆ ବିଶ୍ବବିଦ୍ୟାଳୟର ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ ଗତମାସରେ ଏହି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ବରେ ରହିଥିଲେ। ବିଜୟ ନାୟକ ଜଣେ ଅଫିସର ଭାବେ ଯେତିକି ପରିଚିତ ସେହିପରି ଜଣେ ସାହିତ୍ୟିକ ଭାବେ ମଧ୍ୟ ସେତିକି ପରିଚିତ। ସେ କାହାଣୀ ନାମିତ ଏକ ପତ୍ରିକା ପ୍ରକାଶନ କରୁଛନ୍ତି।

ଏହି ନୂଆ ନିଯୁକ୍ତି ନେଇ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ପ୍ରଦାନ କରାଯାଉଛି।