Categories
ଆଞ୍ଚଳିକ

ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ଖୋର୍ଦ୍ଧା ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ବାଣପୁର (ସୀତାରାମ ଅଗ୍ରୱାଲ): ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ଶ୍ରୀ ଚକ୍ରବର୍ତ୍ତୀ ଆଜି ପୂର୍ବାହ୍ନରେ ହଠାତ ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିଥିଲେ।  ମା’ ଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର ମଙ୍ଗଳ କାମନା କରି ଜିଲ୍ଲାବାସୀଙ୍କଠାରୁ ବିଦାୟ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ଦାୟିତ୍ୱ ଗ୍ରହଣ କରିବେ।

ତେବେ ଶ୍ରୀ ଚକ୍ରବର୍ତ୍ତୀଙ୍କ କାର୍ଯ୍ୟକାଳ ମଧ୍ୟରେ ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ବିଦାୟୀ ଜିଲ୍ଲାପାଳ। ତତସହିତ ଜିଲ୍ଲାରେ ଦୀର୍ଘ ଦେଢ଼ ବର୍ଷ ଧରି କାର୍ଯ୍ୟକାଳ ମଧ୍ୟରେ ଏକାଧିକ ସ୍ମୃତି ସାଉଁଟିଛନ୍ତି ବିଦାୟୀ ଜିଲ୍ଲାପାଳ।

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବା ଦିନଠାରୁ ଜିଲ୍ଲାର ଉନ୍ନତି ପାଇଁ ଅହରହ କାର୍ଯ୍ୟ କରୁଥିବାର ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିଛି। ଏପରିକି ବିଳମ୍ବିତ ରାତ୍ରି ଏବଂ ଛୁଟି ଦିନରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥାଏ। ଜଣେ ଦାଇତ୍ୱବାନ, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଓ ଶକ୍ତ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଚକ୍ରବର୍ତ୍ତୀ ନିଜର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଜିଲ୍ଲାର ବିଭିନ୍ନ ମେଡିକାଲ ଅଚାନକ ପରିଦର୍ଶନ ହେଉ ଅବା ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ ଏବଂ ଜନ ଅଭିଯୋଗ ଶୁଣାଣି ହେଉ ଏହା ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ନିକଟବର୍ତ୍ତୀ କରିପାରିଛି।

ଶ୍ରୀ ଚକ୍ରବର୍ତ୍ତୀ ବର୍ତ୍ତମାନ ମାଇନର ମିନେରାଲ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ନୂତନ ଦାଇତ୍ୱ ଗ୍ରହଣ କରିବେ। ଗତକାଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଦାୟୀ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ଶ୍ରୀ ମହାନ୍ତିଙ୍କ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଥିଲା। ବେଙ୍ଗରାଜପଲ୍ଲି ଠାରେ ଏ ନେଇ ଏକ ସଭାର ଆୟୋଜନ ଏନଏସି ପକ୍ଷରୁ କରାଯାଇଥିଲା।

ଉକ୍ତ ବିଦାୟକାଳୀନ ସଭାରେ ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ , ବିଡ଼ିଓ ଶୀତଲ ଅଗ୍ରୱାଲ, ସମସ୍ତ କାଉନସିଲର ଏବଂ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନେ ଶ୍ରୀ ମହାନ୍ତିଙ୍କ ସହ କାର୍ଯ୍ୟ କରିଥିବା ସୁଖଦ ସମୟ ଗୁଡିକ ମନେ ପକାଇବା ସହ ତାଙ୍କ ପ୍ରଶଂସା କରିଥିଲେ।

କରୋନା ପରବର୍ତ୍ତୀ ସମୟରେ ଶ୍ରୀ ମହାନ୍ତି ନୂତନ ଭାବେ ବାଣପୁର ଏନଏସି ଦାୟିତ୍ୱ ନେଇଥିଲେ। ଏବଂ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଉକ୍ତ ଦାୟିତ୍ୱରେ ରହି ଏନଏସି ରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବାର ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ। ସମସ୍ତଙ୍କୁ ସାଥିରେ ନେଇ ଉନ୍ନୟନ କାର୍ଯ୍ୟ ଜାରି ରଖିବାର ଉଚ୍ଚ ମନୋବୃତ୍ତି ଶ୍ରୀ ମହାନ୍ତିଙ୍କ ପାଖେ ଥିବା ସମସ୍ତ କର୍ମଚାରୀମାନେ ପରିପ୍ରକାଶ କରିଥିଲେ। ସଭାଶେଷରେ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ବିଦାୟ ଦିଆଯାଇଥିଲା।

Categories
ଆଞ୍ଚଳିକ

ବିଜେବି ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ଥାନୀୟ ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ଦର୍ଶନଶାସ୍ତ୍ର ବିଭାଗର ଯୁକ୍ତ ୩ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଦାୟକାଳୀଳ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଜେବି କଲେଜର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଜେବି କଲେଜର ଦର୍ଶନଶାସ୍ତ୍ର ବିଭାଗର ପୂର୍ବତନ ମୁଖ୍ୟ ବିଭାଗୀୟ ଡ. ନିହାରିକା ଦାସ ଯୋଗଦେଇ ନୀତିଶିକ୍ଷାକୁ ଜୀବନରେ ବ୍ୟବହାର କରି ଏକ ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା ଦରକାର ବୋଲି ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

ଏହି ଅବସରରେ ୨୦୨୦ ମସିହାରେ ପ୍ରଥମସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ଏସ୍‌.କଲ୍ୟାଣୀ ରେଡି ଏବଂ ୨୦୨୧ ମସିହାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପୂର୍ଣ୍ଣିମା ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡ. ନିହାରିକା ଦାସଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥି ଅଧ୍ୟାପିକା ସନ୍ଧ୍ୟାରାଣୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ଅଧ୍ୟାପିକା ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତମନ୍ନା ପଣ୍ଡା ଓ ଆଲୋକ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସିଦ୍ଧାନ୍ତ ନାୟକ, ସ୍ୱସ୍ତିକ ସେନାପତି, ଅଏସ୍‌, ସବନମ୍ ବେଗମ, ସୁମେଧା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।