Categories
ଆଞ୍ଚଳିକ

ବାଣପୁର: ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଯୁବକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ବାଣପୁର ଏନଏସି ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସୁମନ୍ତ ଦଣ୍ଡସେଣା ନାମକ ଯୁବକ ପରିବାର ପ୍ରତିପୋଷଣ ନିମନ୍ତେ ସୁଦୂର ଆବୁଧାବିକୁ ଶ୍ରମିକ ଭାବରେ ମାତ୍ର ଛଅମାସ ତଳେ କାର୍ଯ୍ୟ କରିବାକୁ ଯାଇଥିଲେ। ଗଲ୍ଫ ଏସିଆ ନାମକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟବରଣ କରିଥିବା ଗତ ସାତଦିନ ତଳେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଶବ ହସ୍ତାନ୍ତର କରିବାକୁ ପରିବାର ଲୋକ ଆକୁଳ ନିବେଦନ କରିବାରେ ଉକ୍ତ କମ୍ପାନୀ ଶବକୁ ବିଶାଖାପାଟଣା ପର୍ଯ୍ୟନ୍ତ ପଠାଇଥିଲେ।

ସେଠାରୁ ନିଜ ଖର୍ଚ୍ଚରେ ଆଜି ସନ୍ଧ୍ୟାରେ ପରିବାର ଲୋକ ମୃତଦେହକୁ ଗ୍ରହଣ କରି ନିଜ ଗ୍ରାମକୁ ଆଣିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହେବା ସହ ଶହଶହ ଲୋକଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ତେବେ ସୁମନ୍ତ ପରିବାରର ଏକ ମାତ୍ର ରୋଜଗାରିଆ ଥିବାରୁ ପରିବାର ବେସାହାରା ହୋଇଯାଇଛନ୍ତି। କମ୍ପାନୀ ତରଫରୁ ତାଙ୍କର ବକେୟା ପାରିଶ୍ରମିକ କି ମୃତ୍ୟୁ ଜନିତ କୌଣସି କ୍ଷତିପୂରଣ ଦିଆଯାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତତସହିତ କେଉଁ କାରଣ ପାଇଁ ମୃତ୍ୟୁ ହେଲା ପରିବାର ଲୋକ ସନ୍ଦେହରେ ଅଛନ୍ତି। ତେଣୁ କମ୍ପାନୀ ତରଫରୁ ସୁମନ୍ତଙ୍କ ପରିବାରକୁ ତାଙ୍କର ବାକିଥିବା ସମସ୍ତ ପାରିଶ୍ରମିକ ସହ ମୃତ୍ୟୁ ଜନିତ କ୍ଷତିପୂରଣ ଦେବାକୁ ପରିବାର ସହ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ଦୃଢ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଦେଶରୁ ଓଡିଶା ଫେରିଥବା ୨୪୬ ଯାତ୍ରୀ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନଭେମ୍ବର ୨୪ ତାରିଖ ପରେ ଓଡିଶା ଆସିଥିଲେ। ସେମାନଙ୍କର କରୋନା ପରୀକ୍ଷା ପରେ ପଜିଟିଭ ହୋଇଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ଆଇଏଲଏସ ଯାଇଛି। ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।

ଏହି ସବୁ ଆକ୍ରାନ୍ତ ଓମିକ୍ରନରେ ସଂକ୍ରମିତ କି ନାହିଁ, ତାହା ଜେନମ ସିକ୍ଵେନସିଂ ପରେ ଜଣାପଡିବ। ଏହାର ରିପୋର୍ଟ ଶୁକ୍ରବାର ଦିନ ଆସିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ଓମିକ୍ରନ ଚିହ୍ନଟ ହୋଇନାହାନ୍ତି। ତେବେ ଏହାପୂର୍ବରୁ ୧୪୧ ନମୁନା ଟେଷ୍ଟରୁ ମଧ୍ୟ କେହି ଓମିକ୍ରନ ଚିହ୍ନଟ ହୋଇନଥିବା ବିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ: ବାଲୁଗାଁ ଶ୍ରମ ଅଧିକାରୀଙ୍କ ଦ୍ଵାରସ୍ଥ ହେଲେ ପରିବାର

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଶ୍ରମିକଙ୍କୁ କମ୍ପାନୀ ଶ୍ରମ କରାଉଥିଲେ ମଧ୍ୟ ମାସ ମାସ ଧରି ଦରମା ଦେଉନଥିବା ଅଭିଯୋଗ ହୋଇଛି। ମସ୍କଟର ଓମାନ ସହରରୁ ଏଭଳି ଅଭିଯୋଗ ଆସିଛି।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ଗ୍ରାମର ପ୍ରଫୁଲ୍ଲ ବେହେରା ଓ ପଞ୍ଚେଇ ବେହେରାଙ୍କ ବଡ ପୁଅ ଚନ୍ଦନ ବେହେରା (୨୬) ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଚାରି ବର୍ଷ ପୂର୍ବେ ମସ୍କଟର ଓମାନ ସହରରେ ଥିବା ‘ଡ଼ଲଫିନ ଟ୍ରେଡିଙ୍ଗ ଆଣ୍ଡ ଇନଭେଷ୍ଟମେଣ୍ଟ ‘ ନାମକ ଏକ ଘରୋଇ କମ୍ପାନୀରେ ହେଲ୍ପର ଭାବେ କାମ କରିବାକୁ ଯାଇଥିଲେ।

ତେବେ ଦୀର୍ଘ ଦଶ ମାସ ହେବ ଉକ୍ତ କମ୍ପାନୀ ଚନ୍ଦନଙ୍କୁ ପାରିଶ୍ରମିକ ଦେଉନାହିଁ ଏବଂ ଖାଇବାକୁ ଖାଦ୍ୟ ମଧ୍ୟ ଠିକରେ ଦେଉନଥିବାର ଚନ୍ଦନଙ୍କ ମାତା ପଞ୍ଚେଇ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ କମ୍ପାନୀ ତାଙ୍କୁ ନାନାଦିପ୍ରକାର ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି ପଞ୍ଚେଇ।

ଏହି ପରିପ୍ରେକ୍ଷୀରେ ସେ ନିକଟରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେବା ସହ ଯଥାଶୀଘ୍ର ତାଙ୍କ ପୁତ୍ର ଚନ୍ଦନଙ୍କୁ ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରିବାପାଇଁ ନିବେଦନ କରିଛନ୍ତି।

ଅନୁରୂପ ଭାବେ ଏ ନେଇ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଅଭିଯୋଗ ପାଇଥିବାର ସ୍ୱୀକାର କରିଛନ୍ତି। ଚନ୍ଦନଙ୍କ ସହିତ ବାଣପୁର ବ୍ଲକ, ଚିଲିକା ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାର ଆଉ ୭ ଜଣ ଶ୍ରମିକ ମଧ୍ୟ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବାର ପ୍ରକାଶ କରିଛନ୍ତି ସହକାରୀ ଶ୍ରମ ଅଧିକାରୀ। ତେବେ ତଦନ୍ତରୁ ଜଣାପଡିଛି ଯେ ସମସ୍ତ ୮ ଜଣ ଶ୍ରମିକମାନଙ୍କ ରେସିଡେନ୍ସ ଭିଜାର ଅବଧି ଗତବର୍ଷରୁ ସମାପ୍ତ ହୋଇଯାଇଛି ଏବଂ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ। ଏବଂ ସେଥିନିମନ୍ତେ ସେମାନଙ୍କୁ ଉକ୍ତ କମ୍ପାନୀ ଗତବର୍ଷରୁ କାମ ଦେଉନାହିଁ କି ପାରିଶ୍ରମିକ ଦେଉନାହିଁ। ତଥାପି ପଞ୍ଚେଇ ଦେଇଥିବା ଅଭିଯୋଗ ଆଧାରରେ ଶ୍ରମ ଅଧିକାରୀ ଏ ନେଇ ଶ୍ରମ କମିଶନର ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇସାରିଛନ୍ତି ଏବଂ ଯଥାଶୀଘ୍ର ସମସ୍ତ ୮ ଜଣ ଶ୍ରମିକଙ୍କୁ ସ୍ବଦେଶୀ ଆଣିବା ପାଇଁ ପ୍ରଚେଷ୍ଟା ଜାରିରହିଥିବାର ସୂଚନା ଦେଇଛନ୍ତି ଶ୍ରୀ ମାଝୀ।