ବାଣପୁର: ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଯୁବକଙ୍କ ମୃତ୍ୟୁ

Published: Jul 27, 2023, 11:09 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ବାଣପୁର ଏନଏସି ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସୁମନ୍ତ ଦଣ୍ଡସେଣା ନାମକ ଯୁବକ ପରିବାର ପ୍ରତିପୋଷଣ ନିମନ୍ତେ ସୁଦୂର ଆବୁଧାବିକୁ ଶ୍ରମିକ ଭାବରେ ମାତ୍ର ଛଅମାସ ତଳେ କାର୍ଯ୍ୟ କରିବାକୁ ଯାଇଥିଲେ। ଗଲ୍ଫ ଏସିଆ ନାମକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟବରଣ କରିଥିବା ଗତ ସାତଦିନ ତଳେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଶବ ହସ୍ତାନ୍ତର କରିବାକୁ ପରିବାର ଲୋକ ଆକୁଳ ନିବେଦନ କରିବାରେ ଉକ୍ତ କମ୍ପାନୀ ଶବକୁ ବିଶାଖାପାଟଣା ପର୍ଯ୍ୟନ୍ତ ପଠାଇଥିଲେ।

ସେଠାରୁ ନିଜ ଖର୍ଚ୍ଚରେ ଆଜି ସନ୍ଧ୍ୟାରେ ପରିବାର ଲୋକ ମୃତଦେହକୁ ଗ୍ରହଣ କରି ନିଜ ଗ୍ରାମକୁ ଆଣିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହେବା ସହ ଶହଶହ ଲୋକଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ତେବେ ସୁମନ୍ତ ପରିବାରର ଏକ ମାତ୍ର ରୋଜଗାରିଆ ଥିବାରୁ ପରିବାର ବେସାହାରା ହୋଇଯାଇଛନ୍ତି। କମ୍ପାନୀ ତରଫରୁ ତାଙ୍କର ବକେୟା ପାରିଶ୍ରମିକ କି ମୃତ୍ୟୁ ଜନିତ କୌଣସି କ୍ଷତିପୂରଣ ଦିଆଯାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତତସହିତ କେଉଁ କାରଣ ପାଇଁ ମୃତ୍ୟୁ ହେଲା ପରିବାର ଲୋକ ସନ୍ଦେହରେ ଅଛନ୍ତି। ତେଣୁ କମ୍ପାନୀ ତରଫରୁ ସୁମନ୍ତଙ୍କ ପରିବାରକୁ ତାଙ୍କର ବାକିଥିବା ସମସ୍ତ ପାରିଶ୍ରମିକ ସହ ମୃତ୍ୟୁ ଜନିତ କ୍ଷତିପୂରଣ ଦେବାକୁ ପରିବାର ସହ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ଦୃଢ ଦାବୀ କରିଛନ୍ତି।

Related posts