Categories
ଆଜିର ଖବର ରାଜ୍ୟ ଖବର

ପାଳିତ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରତ୍ୟେକ ବ୍ଲକ୍‌ ସ୍ତରରେ ଆଦର୍ଶ ବିଦ୍ୟାଳୟମାନ ସ୍ଥାପନା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ବିଦ୍ୟାଳୟମାନଙ୍କରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୯୩୪୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୨୪୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନକୁ ସୂଚାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପେଦେଷ୍ଟା(ଶିକ୍ଷା) ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଅଶ୍ୱଥୀ ଏସ୍‌, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶିକା ବନ୍ଦନା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରଧାନ ଶିକ୍ଷକ ସମ୍ମିଳନୀ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱସ୍ତରରେ ଯେଉଁମାନେ ମହାନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସେମାନଙ୍କ ମୂଳରେ ଶିକ୍ଷକ ଓ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ତାରତମ୍ୟ ଓ ଶିକ୍ଷାଦାନ ବିଷୟରେ ମଧ୍ୟ ସେ ଅବତାରଣା କରିଥିଲେ। ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ।

ଶିକ୍ଷା ଭରଣା କାର୍ଯ୍ୟକ୍ରମକୁ କିପରି ଭାବରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ କାର୍ଯ୍ୟକାରୀ କରିପାରିବେ ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଦାଶ ବିଶଦ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଆର୍‌ଏ ସ୍କିମ୍‌ରେ ୪ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ‘ମୋ ସ୍କୁଲ’ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରେସନାଲାଇଜେସନ୍‌ ଅଫ୍‌ ଟିଚରସ୍‌ ଆପଏଣ୍ଟମେଣ୍ଟ ଅଫ୍‌ ନୁ୍ୟ ହାଇସ୍କୁଲ ଟିଚରସ୍‌, ମର୍ଜର ଓ ଡି-ମର୍ଜର ଅଫ୍‌ ସ୍କୁଲସ୍‌, ପାରଦର୍ଶୀ ପୋର୍ଟାଲର କାର୍ଯ୍ୟକାରିତା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍‌ ପ୍ରାପ୍ତିଗୁଡ଼ିକୁ କିପରି ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ସେ ନିର୍ଦ୍ଦେଶ ଦେଇଥିଲେ। ବଲେଶ୍ୱର ଜିଲ୍ଲାକୁ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଗଣ୍ୟ ଜିଲ୍ଲା ଭାବେ ଗଢ଼ିତୋଳିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ବୈଠକରେ ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ ଦାଶ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସମ୍ବିତ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗଣଶିକ୍ଷା ବିଭାଗର ବଡ ନିଷ୍ପତି, ସେପ୍ଟେମ୍ବର ୩୦ ସୁଦ୍ଧା ୬୩ ହଜାର ୫୦୦ ଶିକ୍ଷକଙ୍କର ହେବ ପଦୋନ୍ନତି

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବେ ଏବଂ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତି ହୋଇଛି।

ସେହିପରି ଆଗାମୀ ସେପେଫମ୍ବର ମାସ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ବର୍ଗରେ ଥିବା ୬୩ ହଜାର ୫୦୦ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଇବେ ବୋଲି ବୈଠକରେ କୁହାଯାଇଛି । ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପ୍ରତିପାଳନ କରିବା ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ନେଇ ନିୟମିତ ବୈଠକ କରାଯିବ । ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କର ମୋବାଇଲ୍‌ ନମ୍ବର ସଂଗ୍ରହ କରିବେ । ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋଡିଙ୍ଗ ମାଧ୍ୟମରେ ସ୍କୁଲର ମୁଖ୍ୟ ସ୍ଥାନମାନଙ୍କରେ ଲଗାଇବେ ବୋଲି କୁହାଯାଇଛି ।

ଆଗାମୀ ସେପେଫମ୍ବର ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବ । ଏହାର ଯଥାର୍ଥ ପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ନିରନ୍ତର ଭାବରେ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନ ପାଇଁ ୟୁନିଟ୍‌ ଟେଷ୍ଟ କରାଯିବ । ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ୍‌ ଜରିଆରେ ପ୍ରଧାନଶିକ୍ଷକମାନଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବ୍ଲକ୍‌ ଅନ୍ତର୍ଭୁକ୍ତ ହୋଇଯାଇଛି । ଏଥିରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛି । ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି । ବହୁସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ‘ମୋ ସ୍କୁଲ’ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ସହ ମଧ୍ୟାହ୍ନ ଭୋଜନ ଏବଂ ରୋଷେଇ, ବଗିଚାର କାର୍ଯ୍ୟ ପ୍ରାୟ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଦାନ କରାଯିବ । ସମସ୍ତ ବିଦ୍ୟାଳୟ କୋଠାରେ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯିବ । ଇତି ମଧ୍ୟରେ ପ୍ରାୟ ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିଛି । ତେଣୁ ସବୁଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଛି । ଆଗାମୀ ବର୍ଷଠାରୁ ଆଦର୍ଶ ବିଦ୍ୟାଳୟରେ ଯେପରି ଶତପ୍ରତିଶତ ପିଲା ପାସ୍‌ ହେବେ ସେଥି ପାଇଁ ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଏଥର ଏକାଦଶ ଏବଂ ଦ୍ୱାଦଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅଛି ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପ୍ରତିପାଳନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଏଥି ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।
ଏସ୍‌ଇଆର୍‌ଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କରୋନା କାଳରେ ପରୀକ୍ଷାମୂଳକ ଭାବେ ସେମାନଙ୍କ ବାସସ୍ଥାନ ନିକଟରେ ପଢ଼ା ଯାଉଛି ।