Categories
ଆଜିର ଖବର ଜାତୀୟ ଖବର

ଲିଟର ପିଛା ୧୫ ଟଙ୍କାରେ ମିଳିବ ପେଟ୍ରୋଲ!: ସୂତ୍ର କହିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ପ୍ରତାପଗଡ଼: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ସହିତ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି। ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗଡକରୀ ଏଭଳି ସୂତ୍ରକୁ କହିଛନ୍ତି, ଯାହା ଦ୍ଵାରା ଗୋଟିଏ ଲିଟର ପେଟ୍ରୋଲ ମାତ୍ର ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, “ଯଦି ୬୦ ପ୍ରତିଶତ ଇଥାନଲ ଏବଂ ୪୦ ପ୍ରତିଶତ ବିଦ୍ୟୁତ ବ୍ୟବହାର କରାଯାଏ, ତେବେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। ଏହା କେବଳ ପ୍ରଦୂଷଣକୁ ଦୂର କରିବାରେ ସହାୟକ ହେବ ନାହିଁ, ବରଂ ଇନ୍ଧନ ଆମଦାନୀକୁ ମଧ୍ୟ ହ୍ରାସ କରିବ।”

ରାଜସ୍ଥାନର ପ୍ରତାପଗଡରେ ୫୬୦୦ କୋଟି ଟଙ୍କାର ୧୧ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବା ପରେ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଇନ୍ଧନ ଆମଦାନୀ ମୂଲ୍ୟ ୧୬ ଲକ୍ଷ କୋଟି ଟଙ୍କା। ଯଦି ଏହାକୁ ହ୍ରାସ କରାଯାଇପାରିବ, ତେବେ ଏହି ଟଙ୍କା ବାହାରକୁ ପଠାଇବା ପରିବର୍ତ୍ତେ ଏହା କୃଷକଙ୍କ ଘରକୁ ଯିବ। ଏଭଳି ପରିସ୍ଥିତିରେ କୃଷକମାନେ ଖାଦ୍ୟ ଯୋଗାଣକାରୀ ତଥା ଶକ୍ତି ଦାତା ହୋଇପାରିବେ। ପ୍ରକାଶ ଯେ, ଇଥାନଲ ଆଖୁରୁ ଉତ୍ପାଦିତ ହୁଏ ଏବଂ ଭାରତରେ ଲକ୍ଷ ଲକ୍ଷ ଆଖୁ ଚାଷୀ ଅଛନ୍ତି, ଯାହାର ଜୀବିକା ଉତ୍ସ ହେଉଛି ଆଖୁ।

କେନ୍ଦ୍ର ମନ୍ତ୍ରୀ ପ୍ରତାପଗଡରେ ୫୬୦୦ କୋଟି ଟଙ୍କା ମୂଲ୍ୟର ୧୧ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ। ମୋଟ ୨୧୯ କିଲୋମିଟର ଏବଂ ୩୭୭୫ କୋଟି ଟଙ୍କା ମୂଲ୍ୟର ଚାରୋଟି ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରାଯାଇଛି।

ଅଜମେର ଏବଂ ଭିଲୱାଡା ଜିଲ୍ଲା ସହିତ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ କିଶାନଗଡରୁ ଗୁଲାବପୁରା ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୮ ରେ ଏକ ଛଅ ଲେନ୍ ବିଭାଗ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମରେ ୨୨୫୦ କୋଟି ଟଙ୍କା ବ୍ୟୟରେ ରାଜସ୍ଥାନର କେନ୍ଦ୍ରୀୟ ସଡକ ପାଣ୍ଠି ଅଧୀନରେ ଥିବା ୭୪ ଟି ପ୍ରକଳ୍ପର ଅନୁମୋଦନ ମଧ୍ୟ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାରିଗାଁ ପଞ୍ଚାୟତ ଚକ୍ରାପାଢୀ ଗ୍ରାମର କୃଷ୍ଣଚନ୍ଦ୍ର ରଣାଙ୍କ ପୁଅ ଶକ୍ତି ସ୍ୱରୂପ (୧୫) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ସେ ଆଜି ଦିବା ୧୧ଟା ସମୟରେ ଘର ନିକଟରେ ଥିବା ନିମ୍ବ ଗଛରୁ ପତ୍ର ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ସେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ବେକରେ ଜୀବନ୍ତ ତାର ଲାଗିଯିବା ବେଳେ ସେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ।

ଏହି ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ନାବାଳକର ମର ଶରୀରକୁ ଆଣି କ୍ଷତିପୂରଣ ଦାବୀରେ ବରପଦା ଆଗରପଡ଼ା ପୂର୍ତ୍ତର୍ବିଭାଗ ରାସ୍ତାର କୁଆଁଶମଢିଆ ଛକଠାରେ ରାସ୍ତାରୋକ କରିଥିଲେ।

ଖବରପାଇ ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଯୁବନେତା ସତ୍ୟସାଧନ ବେଜ, ପୂର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ, ଯୁବନେତା ଧରଣୀଧର କରଙ୍କ ସମେତ ଆଗରପଡ଼ା ଥାନାଧିକାରିଣୀ ସୁକାନ୍ତି କେରେଇ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।

ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଶକ୍ତିସ୍ୱରୂପ ବାପମାଆଙ୍କର ଏକମାତ୍ର ପୁଅ ଥିଲେ। ସେ ବାଲିପୋଖରୀ ହାଇସ୍କୁଲରେ ୮ମ ଶ୍ରେଣୀରେ ପଢୁଥିଲେ। ପ୍ରକାଶଯେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏହିପରି ଅଘଟଣ ବାରମ୍ବାର ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।