ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

Published: Mar 1, 2021, 11:35 am IST

ଭଦ୍ରକ: ଭଦ୍ରକ ଜିଲ୍ଲା ଚାରିଗାଁ ପଞ୍ଚାୟତ ଚକ୍ରାପାଢୀ ଗ୍ରାମର କୃଷ୍ଣଚନ୍ଦ୍ର ରଣାଙ୍କ ପୁଅ ଶକ୍ତି ସ୍ୱରୂପ (୧୫) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ସେ ଆଜି ଦିବା ୧୧ଟା ସମୟରେ ଘର ନିକଟରେ ଥିବା ନିମ୍ବ ଗଛରୁ ପତ୍ର ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ସେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ବେକରେ ଜୀବନ୍ତ ତାର ଲାଗିଯିବା ବେଳେ ସେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ।

ଏହି ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ନାବାଳକର ମର ଶରୀରକୁ ଆଣି କ୍ଷତିପୂରଣ ଦାବୀରେ ବରପଦା ଆଗରପଡ଼ା ପୂର୍ତ୍ତର୍ବିଭାଗ ରାସ୍ତାର କୁଆଁଶମଢିଆ ଛକଠାରେ ରାସ୍ତାରୋକ କରିଥିଲେ।

ଖବରପାଇ ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଯୁବନେତା ସତ୍ୟସାଧନ ବେଜ, ପୂର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ, ଯୁବନେତା ଧରଣୀଧର କରଙ୍କ ସମେତ ଆଗରପଡ଼ା ଥାନାଧିକାରିଣୀ ସୁକାନ୍ତି କେରେଇ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।

ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଶକ୍ତିସ୍ୱରୂପ ବାପମାଆଙ୍କର ଏକମାତ୍ର ପୁଅ ଥିଲେ। ସେ ବାଲିପୋଖରୀ ହାଇସ୍କୁଲରେ ୮ମ ଶ୍ରେଣୀରେ ପଢୁଥିଲେ। ପ୍ରକାଶଯେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏହିପରି ଅଘଟଣ ବାରମ୍ବାର ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Related posts