Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ୮ ମଇଁଷି ମୃତ, କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଭୋରରେ ନାକଟିଦେଉଳ ବନାଞ୍ଚଳ ଜାମୁଜୋରୀ ପଂଚାୟତର ପାପକୁଇଲି ଝରଣ ଗ୍ରାମରେ ହାତୀ ଆକ୍ରମଣରେ ୮ ପଟ ମଇଁଷି ମୃତ୍ୟୁବରଣ କରିଥିବା ଜଣାପଡିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ସୀମାନ୍ତ ଜାମୁଜୋରୀ ପଂଚାୟତର ପାପକୁଇଝରଣ ଗ୍ରାମର ଲିଙ୍ଗରାଜମାଝୀ ଓ ଟଙ୍କଧର ମାଝୀଙ୍କ ୮ ପଟ ମଇଁଷିକୁ ହାତୀ ବିଳମ୍ବିତ ରାତିରେ ବନ୍ଧା ହୋଇଥିବା ଅବସ୍ଥାରେ ମାରିଦେଇ ଥିବା ଜଣା ପଡିଛି। ଖବର ପାଇ ରେଢାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ନାକଟିଦେଉଳ ବନାଂଚଳ ଅଧିକାରୀ ଅଶ୍ବିନୀ କୁମାର ବେହେରା, ରେଢାଖୋଲ ବନାଂଚଳ ଅଧିକାରୀ ମୈତ୍ରୀମଞିତ୍ ବିଶ୍ବାଳ ପ୍ରମୁଖ ପହଂଚି ତଦନ୍ତ କରିଥିଲେ।

ମୃତ ମଇଁଷିମାନଙ୍କର ଶବବ୍ୟବଚ୍ଛେଦ କରିଯାଇଥିବା ଜଣା ପଡିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ। ଏ ସଂପର୍କରେ ନାକଟିଦେଉଳ ରେଞର ଅଶ୍ବିନୀ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସଂଭବ ହୋଇ ପାରି ନ ଥିଲା। ହାତୀ ମାନଙ୍କର ପ୍ରାଦୁର୍ଭାବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ସରପଞ୍ଚଙ୍କ ସ୍ଵାମୀଙ୍କ ସମେତ ୨ ମୃତ: କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀମାନଙ୍କର ତାଣ୍ଡବରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନବିଭାଗ ହାତୀ ଘଉଡାଇବାରେ ତୁରନ୍ତ ବିହୀତ ପଦକ୍ଷେପ ନେଇ ପାରୁ ନାହିଁ। ଗତ କିଛି ମାସ ହେଲା ରେଢାଖୋଲ ବନ ଖଣ୍ଡରେ ବହୁ ଜଣଙ୍କୁ ହାତୀ ଜୀବନ ନେଇଛି।

ଗତକାଲି ରାତିରେ ସମ୍ବଲପୁର ବନଖଣ୍ଡ ଯୁଯୋମୁରା ନିକଟସ୍ଥ ଗୋପାଳ ଢାବାର ମାଲିକକୁ ଏକ ହାତୀ ରାତି ପ୍ରାୟ ୧ ରୁ ୨ ଟା ମଧ୍ୟରେ ଢାବା ସାମ୍ନାରେ ଶୋଇଥିବା ସମୟରେ ଖଟରୁ ଘୋଷାଡି ନେଇ ଅତି ନିର୍ମମ ଭାବରେ ମାରି ପକାଇଥିବା ଜଣା ପଡିଛି। ମୃତକ ଗୋପାଳର ଅନ୍ତଃବୁଜୁଳା ମଧ୍ୟ ବାହାରି ପଡିଛି। ମୃତକ ଗୋପାଳ ପ୍ରଧାନ ବିଜେଡିର ଜଣେ ସକ୍ରିୟ କର୍ମୀ ଭାବରେ ବେଶ୍ ଜଣାଶୁଣା ଥିବା ବେଳେ ନିଜର ଧର୍ମପତ୍ନୀ ସରପଂଚ ଥିବା ଜଣା ପଡିଛି। ଏପରିକି ମୃତକ ଗୋପାଳ ଜନହିତକର କାମରେ ନିଜକୁ ନିୟୋଜିତ କରିଥିଲେ।

ଠିକ୍ ସେହିପରି ରେଢାଖୋଲ ବନଖଣ୍ଡ ବଡମାଳ ରେଞ୍ଜର ବୁଢିଖମାର ଗ୍ରାମରେ ରଙ୍କ ଭୂୟାଁ (୫୮) ନାମକ ବ୍ୟକ୍ତି ଭୋରରୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଘଟଣା ସ୍ଥଳରେ ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ, ବନବିଭାଗର କର୍ମଚାରୀ ତଥା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସରକାରଙ୍କ ତରଫରୁ ଉଭୟଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ କହିଛି।

ଗୋଟିଏ ଦିନରେ ସମ୍ବଲପୁର ଜିଲ୍ଲାର ୨ଟି ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କର ଅମୂଲ୍ୟ ଜୀବନ ଯାଇଥିବା ବେଳେ ଅଂଚଳରେ ଲୋକମାନଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି। ହାତୀଟିକୁ ଟେଂକୁଲାଇଜର ଦେଇ ଅନ୍ୟତ୍ର ପଠାଇବାକୁ ସାଧାରଣରେ ଦାବୀ ହେଉଛି। ଘଟଣା ସ୍ଥଳରେ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଂଚି ମୃତକର ପରିବାରକୁ ସରକାରଙ୍କ ତରଫରୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ଦୃଢ ପ୍ରତିଶୃତି ଦେଇଛନ୍ତି। ସେ ପଟେ ବନବିଭାଗର କର୍ମଚାରୀମାନେ ନିଜ ସୁରକ୍ଷା ପାଇଁ ସରକାରଙ୍କୁ ଦାବୀ କରି ଆନ୍ଦୋଳନ କରିଥିବାରୁ ହାତୀ ଘଉଡାଇବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ହାତୀପଲ ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ: କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମହକୁଦ ଗ୍ରାମରେ ହାତୀପଲ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏ ନେଇ ଗ୍ରାମବାସୀ ବନଖଣ୍ଡ ଅଧିକାରୀ ରମାକାନ୍ତ ନାୟକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ଗତ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ପଟ ହାତୀପଲ ମହକୁଦ ଗ୍ରାମ ସମେତ ପାଖ ଗ୍ରାମ ଟିକିଲିପଡ଼ା, ଗୋଗୁଆପାଳ, ବଡ଼ଖମଣ, ବେତଝରଣ, ଧଉରାପାଳ, ବଳମ ଗ୍ରାମ ମାନଙ୍କ ରେ ଉପଦ୍ରବ ଯୋଗୁଁ ଧାନ ଫସଲ ସମେତ ବିଭିନ୍ନ ପ୍ରକାରର ପନିପରିବା ନଷ୍ଟ ହେଉଥିବାରୁ ଗ୍ରାମବାସୀ ମାନେ ବନବିଭାଗ କୁ ହାତୀପଲ ମାନଙ୍କୁ ଅନ୍ୟତ୍ର ଜଙ୍ଗଲ କୁ ଘଉଡ଼ାଇବା ସହିତ ନଷ୍ଟ ହୋଇଥିବା ଫସଲ ଆକଳନ କରି ଉଚିତ୍ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି।

ଏଥିରେ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବିରାଟ ସାହୁ, କାଳିଆ ଧଳ, ଶରତ କୁମାର ବିଶ୍ବାଳ, ଭୋଳନଥ ବେହେରା, କ୍ଷମାନିଧି ସାହୁ, ମାୟାଧର ଚାନ୍ଦ, ନରେନ୍ଦ୍ର ବେହେରା, ଆନନ୍ଦ ବେହେରା, ଗୟାଧର ସାହୁ ପ୍ରମୁଖ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ, କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜରେ ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି। ଅତୀତରେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ବନବିଭାଗ ହନ୍ତାହାତୀକୁ ଘଉଡାଇବାରେ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।

ଆଜି ସଂଧ୍ୟା ୭ ଟାରେ ନାକଟିଦେଉଳ ରେଞ୍ଜ ଲୁବୁରୀ ଗ୍ରାମର ମଥୁରା ଦେହୁରୀ (୫୦) ଝାଡା ଯାଉଥିବା ସମୟରେ ଏକ ଦନ୍ତା ଆସି ଆକ୍ରମଣ କରି ପଳାଇ ଯାଇଥିଲା। ଘଟଣା ସ୍ଥଳରେ ହିଁ ମଥୁରାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବନବିଭାଗର କୌଣସି ପ୍ରତିନିଧି ଲୁବୁରୀ ଗ୍ରାମରେ ପହଂଚି ନ ଥିବା ଗ୍ରାମବାସୀ ଆମ ପ୍ରତିିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ବାରମ୍ବାର ଏ ଅଂଚଳରେ ହାତୀ ଦୌରାତ୍ମ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଧାନ ଅମଳ ସମୟରେ ହାତୀମାନେ ଆସି ଧାନ ଫସଲ ମଧ୍ୟ ନଷ୍ଟ କରିପକାଉଛନ୍ତି। ବନବିଭାଗ ଠିକ୍ ସମୟରେ କ୍ଷତିପୂରଣ ଦେଉନାହିଁ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଅକ୍ରମଣରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ହାତୀକୁ ମଣିଷ ମାରୁଛି ତ ଆଉ କେଉଁଠି ମଣୀଷକୁ ହାତୀ ମାରୁଥିବା ଘଟଣା  ନିତିଦିନିଆ ହେଲାଣି। ବିଶେଷ କରି ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଇ ହାତୀ ସମ୍ମୁଖରେ ପଡି ମୃତ୍ୟୁ ବରଣ କରୁଛନ୍ତି।

ରେଢାଖୋଲ ବନଖଣ୍ଡ ଡଇଁଚା ପଂଚାୟତ ଗୋପାଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୂବରଣ କରିଥିବା ଖବର ହସ୍ତଗତ ହୋଇଛି। ବୃଦ୍ଧା ଜଣଙ୍କ ହେଲେ ଗୋପାଳପୁର ଗ୍ରାମର ନୁନି ସମର୍ଦ୍ଦା (୭୦)ବୋଲି ଜଣା ପଡିଛି। ଆଜି ସକାଳ ୭ ଟାରେ କେନ୍ଦୁପତ୍ର ତୋଳିବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ ସେ କେନ୍ଦୁପତ୍ର ତୋଳ(ବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ବୃଦ୍ଧାକୁ ଶୁଣ୍ଢାରେ କଚାଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ବନବିଭାଗକୁ ଖବର ଦେବା ପରେ ଆହତ ବୃଦ୍ଧାଜଣଙ୍କୁ ସଙ୍ଗେ ସଙ୍ଗେ ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନାକୁ ପହଂଚିବା  ପୂର୍ବରୁ ବୃଦ୍ଧା ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା।

ବନକର୍ମଚାରୀମାନେ ଜଙ୍ଗଲ ଭିତରେ ସେଇ ନରହନ୍ତା ଦନ୍ତାହାତୀକୁ ଖୋଜୁଥିବା ବେଳେ ସେ ପଟେ ପୋପାଳପୁର ଗ୍ରାମର ବୃଦ୍ଧାଜଣଙ୍କୁ ହାତୀ ମାରିଦେବା ଘଟଣା ଜଣା ପଡିଥିଲା। ବନକର୍ମଚାରୀ ଅଜିତ୍ ସାହୁ ତଥା ବନକର୍ମଚାରୀମାନେ ଆହତ ବୃଦ୍ଧାକୁ ଡାକ୍ତରଖାନାକୁ ନେଇଯାଇଥିଲେ। ମୃତ ବୃଦ୍ଧାର ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାରିଗାଁ ପଞ୍ଚାୟତ ଚକ୍ରାପାଢୀ ଗ୍ରାମର କୃଷ୍ଣଚନ୍ଦ୍ର ରଣାଙ୍କ ପୁଅ ଶକ୍ତି ସ୍ୱରୂପ (୧୫) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ସେ ଆଜି ଦିବା ୧୧ଟା ସମୟରେ ଘର ନିକଟରେ ଥିବା ନିମ୍ବ ଗଛରୁ ପତ୍ର ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ସେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ବେକରେ ଜୀବନ୍ତ ତାର ଲାଗିଯିବା ବେଳେ ସେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ।

ଏହି ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ନାବାଳକର ମର ଶରୀରକୁ ଆଣି କ୍ଷତିପୂରଣ ଦାବୀରେ ବରପଦା ଆଗରପଡ଼ା ପୂର୍ତ୍ତର୍ବିଭାଗ ରାସ୍ତାର କୁଆଁଶମଢିଆ ଛକଠାରେ ରାସ୍ତାରୋକ କରିଥିଲେ।

ଖବରପାଇ ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଯୁବନେତା ସତ୍ୟସାଧନ ବେଜ, ପୂର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ, ଯୁବନେତା ଧରଣୀଧର କରଙ୍କ ସମେତ ଆଗରପଡ଼ା ଥାନାଧିକାରିଣୀ ସୁକାନ୍ତି କେରେଇ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।

ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଶକ୍ତିସ୍ୱରୂପ ବାପମାଆଙ୍କର ଏକମାତ୍ର ପୁଅ ଥିଲେ। ସେ ବାଲିପୋଖରୀ ହାଇସ୍କୁଲରେ ୮ମ ଶ୍ରେଣୀରେ ପଢୁଥିଲେ। ପ୍ରକାଶଯେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏହିପରି ଅଘଟଣ ବାରମ୍ବାର ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହାତୀ ଆକ୍ରମଣରେ ଆହତବ୍ୟକ୍ତି ବୁର୍ଲାଡାକ୍ତରଖାନାରେ ମୃତ: କ୍ଷତିପୂରଣ ଦାବୀରେ ଜାମୁଜୋରୀରେ ରାସ୍ତାରୋକ

କନ୍ଦର୍ପ ବେହେରା
ରେଢାଖୋଲ: ଗତ ୨୭ ତାରିଖରେ ନାକଟିଦେଉଳ ରେଞ୍ଜ ଜାମୁଜୋରୀ ପଂଚାୟତର ବିନ୍ଦୁପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହାତୀ ମାରି ଦେବା ପରେ ତାକୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧିନ ଥିବା ସମୟରେ ଆଜି ସକାଳୁ ତାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଥିଲା। ମୃତ ବ୍ୟକ୍ତିର ପରିବାରକୁ କ୍ଷତିପୂରଣ ଦାବୀରେ ଶବ ରଖି ଜାମୁଜୋରୀ ଗ୍ରାମପଂଚାୟତ ପାଖରେ ମୂଖ୍ୟରାସ୍ତା ନିକଟରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଖବର ପାଇ ନାକଟିଦେଉଳ ଥାନାଧୀକାରୀ ଇସ୍‌ମାଇଲ ଏକ୍କା, ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ଜାମୁଜୋରୀ ସରପଂଚ ଅଜୀତ କୁମାରେ ପ୍ରଧାନ ଘଟଣା ସ୍ଥଳକୁ ଯାଇଥିଲେ। ଲୋକମାନଙ୍କୁ ବୁଝାସୁଝା କରିବା ପରେ ଓ ପ୍ରଶାସନ ପ୍ରତିଶୃତି ଦେବା ପରେ ଅପରାହ୍ନ ୪ଟା ୩୦ରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ। ମୃତ ବ୍ୟକ୍ତି ଜଣଙ୍କ ଓାର୍ଡମେମ୍ବର ଥିଲେ ବୋଲି ଜଣା ପଡିଛି।

ପ୍ରକାଶ ଯେ ଏକ ମାସ ତଳେ ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତ ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ(୬୨) ନାମକ ମହିଳା ଜମିକୁ ହାତୀ ମାରି ଦେଇଥିଲା। ସୂଚନା ଯୋଗ୍ୟ ଯେ,ଏଇ କିଛି ଦିନ ତଳେ ୨୩/୫/୨୦୨୦ ରେ ମଧ୍ୟ ନାକ୍‌ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ଭେଠିଆବେନି ଗ୍ରାମର ମହିଳା ପତ୍ର ତୋଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳିଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମରେ ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକକୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ, ୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧ ଙ୍କୁ ହାତୀ ମାରିଦେଇଥିଲ। ଏମିତି ବାରମ୍ବାର ରେଢାଖୋଲ ସବଡିଭିଜନରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ନିକଟରେ ରେଢାଖୋଲ ହେମାମୁରା ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ଦଳିଦେଇଥିଲା। ୬ବର୍ଷ ମଧ୍ୟରେ ନାକଟିଦେଉଳ ବ୍ଲକରେ ୮ ଜଣଙ୍କୁ ହାତୀ ମାରି ଦେଇଥିବା ଜଣା ପଡିଛି।