ହାତୀ ଅକ୍ରମଣରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

Published: May 21, 2022, 7:36 pm IST

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ହାତୀକୁ ମଣିଷ ମାରୁଛି ତ ଆଉ କେଉଁଠି ମଣୀଷକୁ ହାତୀ ମାରୁଥିବା ଘଟଣା  ନିତିଦିନିଆ ହେଲାଣି। ବିଶେଷ କରି ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଇ ହାତୀ ସମ୍ମୁଖରେ ପଡି ମୃତ୍ୟୁ ବରଣ କରୁଛନ୍ତି।

ରେଢାଖୋଲ ବନଖଣ୍ଡ ଡଇଁଚା ପଂଚାୟତ ଗୋପାଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୂବରଣ କରିଥିବା ଖବର ହସ୍ତଗତ ହୋଇଛି। ବୃଦ୍ଧା ଜଣଙ୍କ ହେଲେ ଗୋପାଳପୁର ଗ୍ରାମର ନୁନି ସମର୍ଦ୍ଦା (୭୦)ବୋଲି ଜଣା ପଡିଛି। ଆଜି ସକାଳ ୭ ଟାରେ କେନ୍ଦୁପତ୍ର ତୋଳିବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ ସେ କେନ୍ଦୁପତ୍ର ତୋଳ(ବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ବୃଦ୍ଧାକୁ ଶୁଣ୍ଢାରେ କଚାଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ବନବିଭାଗକୁ ଖବର ଦେବା ପରେ ଆହତ ବୃଦ୍ଧାଜଣଙ୍କୁ ସଙ୍ଗେ ସଙ୍ଗେ ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନାକୁ ପହଂଚିବା  ପୂର୍ବରୁ ବୃଦ୍ଧା ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା।

ବନକର୍ମଚାରୀମାନେ ଜଙ୍ଗଲ ଭିତରେ ସେଇ ନରହନ୍ତା ଦନ୍ତାହାତୀକୁ ଖୋଜୁଥିବା ବେଳେ ସେ ପଟେ ପୋପାଳପୁର ଗ୍ରାମର ବୃଦ୍ଧାଜଣଙ୍କୁ ହାତୀ ମାରିଦେବା ଘଟଣା ଜଣା ପଡିଥିଲା। ବନକର୍ମଚାରୀ ଅଜିତ୍ ସାହୁ ତଥା ବନକର୍ମଚାରୀମାନେ ଆହତ ବୃଦ୍ଧାକୁ ଡାକ୍ତରଖାନାକୁ ନେଇଯାଇଥିଲେ। ମୃତ ବୃଦ୍ଧାର ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Related posts