Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ। ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ।

ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ଉଭୟଲିଙ୍ଗୀ, କୋଭିଡ ଅନାଥ ପିଲା ମାନେ ଏଥିରେ ସାମିଲ ହୋଇଥାନ୍ତି।

ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ।

Categories
ବିଶେଷ ଖବର ରାଜ୍ୟ ଖବର

Big News: ବଢିବ ଭତ୍ତା ଟଙ୍କା, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ କରିବେ ଘୋଷଣା, ସୂଚନା ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସଂପର୍କରେ ଜନସଧାରଣଙ୍କୁ ସୂଚନା ଦେଇଛନ୍ତି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ବର ନୀଳଗିରିରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ବୟସ ସୀମା 60ରୁ ଉର୍ଦ୍ଧ ରଖାଯାଇଛି। ହେଲେ ବିଧବା ଭତ୍ତା ପାଇଁ କୌଣସି ବୟସ ସୀମା ନାହିଁ। ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏହି ଭତ୍ତା ପରିମାଣ ମାଲିକ 500 ଟଙ୍କାରୁ 800 ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହି ଭତ୍ତା ଟଙ୍କା ବୃଦ୍ଧି ନେଇ ବିଭିନ୍ନ ମହଲରେ ଦାବୀ ହୋଇଆସୁଛି। କାରଣ 500 ଟଙ୍କାରେ ଜଣେ ମାସସାରା ଚଳିବା ସମ୍ଭବ ହେଉ ନାହିଁ। ଏପରିକି 5ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ତାଙ୍କୁ ସବୁ ଜିଲ୍ଲାରୁ ଏହି ଅଭିଯୋଗ ପ୍ରଦାନ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଖୁବ ଶିଘ୍ର ଭତ୍ତା ବୃଦ୍ଧି ଖବର ଦେବେ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ଆଉ ଏକ ଦୁର୍ନୀତିର ଗୁମର ଖୋଲିଲା: ବିଧବା ଭତ୍ତା ପାଉଛନ୍ତି ମୃତ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ମୃତ ବ୍ୟକ୍ତି ପାଉଛନ୍ତି ବିଧବା ଭତ୍ତା। ପ୍ରସଙ୍ଗଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତରେ ଏପରି ଏକ ମହା ଦୁର୍ନୀତି ନଜରକୁ ଆସିଛି।

ସୂଚନା ମୁତାବକ ତୋରସିଂହ ପଞ୍ଚାୟତ ରୋପଡ଼ା ଗ୍ରାମର ହେମଲତା ବେୱାଙ୍କ ମୃତ୍ୟୁ ବହୁ ମାସ ପୂର୍ବରୁ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ମାସିକ ବିଧବା ଭତ୍ତା ମିଳୁଥିବାର ଅଭିଯୋଗ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମୃତକ ବ୍ୟକ୍ତିଙ୍କୁ ବିଧବା ଭତ୍ତା କିପରି ମିଳୁଛି ଏବଂ ଭତ୍ତା ନେଉଛି କିଏ?

ହସ୍ତଗତ ତଥ୍ୟ ମୁତାବକ ଚଳିତ ମାସ ୧୮ ତାରିଖରେ ମୃତ ହେମଲତା ବେୱାଙ୍କୁ ବିଧବା ଭତ୍ତା ଟଙ୍କା ମିଳିଛି। ତେବେ ନିୟମ ମୁତାବକ ଯଦି ପଞ୍ଚାୟତରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଏବାବଦରେ ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ହିତାଧିକାରୀ ପାଉଥିବା ସମସ୍ତ ସରକାରୀ ସୁବିଧାକୁ ବନ୍ଦ କରିଥାନ୍ତି।

ଦ୍ଵିତୀୟତଃ ଭତ୍ତା ଟଙ୍କା ପାଇବା ପୂର୍ବରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଉଭୟେ ଚି଼ହ୍ନଟ କରି ଭତ୍ତା କାର୍ଡ ଏବଂ ସ୍ଵାକ୍ଷର ଯାଞ୍ଚ କରିବେ। ଏହାପରେ ମିଳିତଭାବେ ସ୍ଵାକ୍ଷର କଲା ପରେ ହିତାଧିକାରୀଙ୍କୁ ପଇସା ମିଳିଥାଏ। ତେବେ ତୋରସିଂହ ପଞ୍ଚାୟତରେ ଏପରି ଜଘନ୍ୟ କାମ ଚାଲିଛି କିପରି? ମାସ ମାସ ଧରି ହିତାଧିକାରୀଙ୍କ ମୃତ୍ୟୁ ପରେ ବି ସରକାରୀ କର୍ମଚାରୀମାନେ ସେମାନଙ୍କ ଭତ୍ତା ଟଙ୍କା କିପରି ଅନ୍ୟକୁ ପ୍ରଦାନ କରୁଛନ୍ତି।

ଏତେ ସବୁ ଦୁର୍ନୀତି ହେଲାପରେ ବି କିପରି ସରପଞ୍ଚ ଜାଣିପାରୁନାହାନ୍ତି? କିପରି ପିଇଓ ମହାଶୟ ଏପରି ଦୁର୍ନୀତି କରିବାକୁ ସାହସ ପାଉଛନ୍ତି? ଏଠି ପିଇଓ, ଜି ଆର ଏସ୍ ଏବଂ ସରପଞ୍ଚଙ୍କ କାର୍ଯ୍ୟଦକ୍ଷତା ଏବଂ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏ ବିଷୟ ନେଇ ପିଇଓ ଅମୃତ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଜିଆରଏସ୍ ଜ୍ୟୋତି ପ୍ରକାଶ ଦାସଙ୍କୁ ଯୋଗାଯୋଗ କରିବାରୁ ଏହା ଭୁଲରେ ହୋଇଯାଇଛି ବୋଲି ସେ ସ୍ୱୀକାର କରିଛନ୍ତି। ତେବେ ବାଣପୁର ବିଡ଼ିଓ ଡ଼. ଶୁଭଶ୍ରୀ ତ୍ରିପାଠୀଙ୍କୁ ଏବିଷୟ ନେଇ ଦୃଷ୍ଟି ଆକର୍ଷଣ କରାଯିବାରୁ ନିକଟରେ ସେ ଏପରି ଅଭିଯୋଗ ପାଇଛନ୍ତି ଏବଂ ଏବାବଦକୁ ଉଭୟ ପିଇଓ ଏବଂ ଜି ଆର ଏସ୍ ଙ୍କୁ ସେ ଲିଖିତ ଆକାରରେ ସ୍ପଷ୍ଟୀକରଣ ମାଗିଛନ୍ତି।

ଯଦି ଏପରି ଅନିୟମିତତା ହୋଇଥିବାର ପ୍ରମାଣିତ ହୁଏ ତେବେ ନିଶ୍ଚିତ ରୂପେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମ ପ୍ରତିନିଧିଙ୍କୁ ପ୍ରତିଶୃତି ଦେଇଛନ୍ତି। ତେବେ ବାଣପୁର ବ୍ଲକରେ ଏଭଳି ଦୁର୍ନୀତି ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ମୃତ ହିତାଧିକାରୀଙ୍କ ରାସନ କାର୍ଡ ଏବଂ ଭତ୍ତା ଖାତା ଟିକନିଖ ଭାବେ ଯାଞ୍ଚ କରାଯାଉ ବୋଲି ବିଡିଓଙ୍କୁ ସାଧାରଣରେ ଦାବି ହେଉଛି।