Categories
ଆଞ୍ଚଳିକ

ନବୀନ ସରକାର ଆମର ପୈତୃକ ଜମିବାଡ଼ି ବଳପୂର୍ବକ ଛଡ଼ାଇ ନେଇଛନ୍ତି: ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଏବଂ ତତ୍ ସଂଲଗ୍ନ ୨୭ଟି ଗ୍ରାମର ଅଧିବାସୀମାନଙ୍କର ପୈତୃକ ଘରଡ଼ିହ ଓ ଜମିବାଡ଼ିକୁ ନବୀନ ସରକାର ବଳପୂର୍ବକ ଛଡ଼େଇ ନେଇଛନ୍ତି।

ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି ଯେ, ନବୀନ ସରକାର ତାଙ୍କର ଅଫିସରଙ୍କ ଜରିଆରେ ଜଟଣୀ ଲୋକଙ୍କର ପୈତୃକ ଜମିଜମାକୁ ୨୦୧୨ ମସିହାରୁ ଚକ୍ରାନ୍ତ କରି ଜଗନ୍ନାଥ ଜମିରେ ପରିଣତ କରିଛନ୍ତି। କାଳ କାଳ ଧରି ଏହି ସମ୍ପତ୍ତି ତାଙ୍କ ପୂର୍ବପୁରୁଷ ଏବଂ ଏବେ ତାଙ୍କ ନାମରେ ଥିଲା। ମାତ୍ର ୨୦୧୨ ମସିହାରେ ସରକାରୀ ଚକ୍ରାନ୍ତର ଶିକାର ହୋଇ ଏହି ଜମିର ସତ୍ତ୍ୱ ସବୁ ପରିବର୍ତ୍ତନ କରାଯାଇଛି। ଜଣେ ଆଇ.ଏ.ଏସ୍ ଅଫିସର ଏବଂ ଜଣେ ସେଟଲମେଣ୍ଟ ଅଫିସର ସରକାରଙ୍କ ମୁଖିଆଙ୍କ ପ୍ରରୋଚନାରେ ଏପରି କାର୍ଯ୍ୟ କରିଛନ୍ତି। ଏହାଦ୍ୱାରା ପ୍ରାୟ ୭ ଲକ୍ଷ ନିରୀହ ଲୋକ ପ୍ରଭାବିତ ହୋଇଛନ୍ତି। ଜଟଣୀ ମ୍ୟୁନିସିପାଲିଟି ସହ ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡ଼ା, ଭଁସର, ହରିରାଜପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର, ଗେଲସୁଆଁ ଓ କୁଦିଆରୀ ପ୍ରଭୃତି ଗ୍ରାମର ଲୋକ ୯ ବର୍ଷ ହେବ ନବୀନ ସରକାରଙ୍କୁ ଗୁହାରୀ କରି ଆସୁଛନ୍ତି। ମାତ୍ର ନବୀନ ସରକାର ଭୂଆଁ ବୁଲାଉଛନ୍ତି। ଏହା ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯିବା ଫଳରେ ଏଠାରେ କୌଣସି ସରକାରୀ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସୁବିଧା ଏଠାକାର ବାସିନ୍ଦା ଉପଲବ୍ଧ ହୋଇପାରୁ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । ମଶାଣୀ, ମେଳଣ ପଡ଼ିଆ ଓ ଖେଳପଡ଼ିଆର ବିକାଶ ପାଇଁ ସରକାରୀ ଯୋଜନାରେ ଅର୍ଥ ବିନିଯୋଗ ହୋଇପାରୁନି। କମ୍ୟୁନିଟି ସେଣ୍ଟର ହୋଇପାରୁନି। ଲୋକେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ପାଠପଢା ଓ ଚିକିତ୍ସା ପାଇଁ ଆବଶ୍ୟକସ୍ଥଳେ ନିଜର ପୈତୃକ ଜମି ବିକ୍ରୟ କରିପାରୁ ନାହାଁନ୍ତି। ୨୦୧୨ ମସିହା ପରେ ନବୀନ ସରକାର ଆମ୍ଭଙ୍କୁ ନିସ୍ୱଃ କରିଦେଇଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ଶ୍ରୀ ରାଉତରାୟ ନିଜେ ଏବଂ ‘ଜଟଣୀ ସ୍ଥିତିବାନ ଏଖରାଜତ ମାହାଲ ପରିବର୍ତ୍ତିତ ଜଗନ୍ନାଥ ଜମି କ୍ଷତିଗ୍ରସ୍ତ ମଞ୍ଚ’ ପକ୍ଷରୁ ବାରମ୍ବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚସିବ, ୫-ଟି ସଚିବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ଡ଼େଭଲପମେଣ୍ଟ କମିଶନର, ଆଇନ ମନ୍ତ୍ରୀ, ଆଇନ ସଚିବଙ୍କୁ ଅନେକଥର ସାକ୍ଷାତ କରି ସମାଧାନ ପାଇଁ ନିବେଦନ କରାଯାଇଥିଲା । ଶେଷରେ ନବୀନ ନିବାସ ଆଗରେ ଆତ୍ମଦାହ ପାଇଁ ଚେତାବନୀ ଦେବା ପରେ ନବୀନ ସରକାର ଘଟଣାର ତୁରନ୍ତ ବିଚାର ପାଇଁ ପ୍ରତିଶ୍ରୁତି ଦେଲେ। ଏବେ ରାଜସ୍ୱ ସଚିବଙ୍କ ତତ୍ତ୍ୱାବଧାନରେ ଏକ ମିଟିଂ ହୋଇଥିଲା। ତୃଟି ସଂଶୋଧନ କରି ଅସଲ ଜମି ମାଲିକଙ୍କୁ ତାଙ୍କର ଜମି ଫେରାଇ ଦେବାକୁ ସବ୍ କମିଟି ମାଧ୍ୟମରେ ଏକ ରେଜ୍ୟୁଲେସନ ହେଲା, ଯେଉଁଥିରେ କି ରାଜସ୍ୱମନ୍ତ୍ରୀ, ରାଜସ୍ୱ ସଚିବ, ଆଇନ ମନ୍ତ୍ରୀ, ଆଇନ ସଚିବ, ଅତିରିକ୍ତ ରାଜସ୍ୱ ସଚିବ ଏବଂ ଆଡ଼ଭୋକେଟ ଜେନେରାଲ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଆମ୍ଭେମାନେ ବିଶ୍ୱାସ ରଖିଲୁ ଯେ, ମୁଖ୍ୟ ଶାସନ ସଚିବ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହାର ଚୂଡ଼ାନ୍ତ ଘୋଷଣା କରିବେ। ମାତ୍ର ଦୁଃଖର ବିଷୟ ଏହିକି ଯେ, ମୁଖ୍ୟ ଶାସନ ସଚିବ ଚଞ୍ଚକତା କରି ସମସ୍ତ କାଗଜପତ୍ର ଉପରେ ପୁନଃ ବିଚାର ପାଇଁ ପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ପାଖକୁ ପଠାଇଛନ୍ତି। ଏହାକୁ ବିଶ୍ୱାସଘାତକତା ଛଡ଼ା କଣ ହୋଇପାରେ?

ସୁତରାଂ ଆଜିର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଉଛି ଯଦି ନବୀନ ସରକାର ନିଜର ତୃଟି ସଂଶୋଧନ କରି ପ୍ରଭୁ ଜଗନ୍ନାଥଙ୍କ ନାମରୁ ଅସଲ ଜମି ମାଲିକଙ୍କୁ ତାଙ୍କର ଜମି ୨ମାସ ଭିତରେ ଫେରସ୍ତ ନକରନ୍ତି, ତେବେ କ୍ଷତିଗ୍ରସ୍ତ ଜଟଣୀବାସୀ ହଜାର ହଜାର ସଂଖ୍ୟାରେ ନବୀନ ନିବାସ ଘେରାଉ କରିବେ। ପରିଣତ ପାଇଁ ନବୀନ ସରକାର ଦାୟୀ ରହିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜଟଣୀର ଅଶୋକ ମଙ୍ଗରାଜ, ବିବେକାନନ୍ଦ ବଡ଼ଜେନା, ଜୟକୃଷ୍ଣ ମଲିଆ, ନୌସରୀ ଅଲ୍ଲୀ, ବୃନ୍ଦାବନ ସାହୁ, ବିଷ୍ଣୁପ୍ରସାଦ ସାହୁ, ରାକେଶ କୁମାର ଦାସ, ପ୍ରମୋଦ କୁମାର ପ୍ରଧାନ, ପ୍ରମୋଦ ସାମନ୍ତସିଂହାର, ଭିକ୍ଷାକାରୀ ସାହୁ, ସୁବାସ ଚନ୍ଦ୍ର ସାହୁ, ତ୍ରିଲୋଚନ ପ୍ରଧାନ ଓ ସୁଧାଂଶୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଏକ ବିସ୍ପୋରକ କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ପ୍ରତିକ୍ରୀୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ଯେଉଁ କଥା କହିଛନ୍ତି ତାହା ରାଜ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ତାଙ୍କୁ ଯେତେବେଳେ ପଚରାଗଲା ଯେ, ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବେ। ତାହାର ଉତ୍ତରରେ ସେ ଏକ ବିସ୍ପୋରକ ତଥ୍ୟ କହିଛନ୍ତି।

ସେ କହିଛନ୍ତି ଯେ ନବୀନବାବୁ ମୋତେ ମଧ୍ୟ ବିଜେଡିରେ ମିଶିବା ପାଇଁ ଅଫର ଦେଇଥିଲେ। ସେ ନବୀନ ନିବାସକୁ ଡାକି ବିଜେଡିରେ ମିଶିବା ପାଇଁ କହିଥିଲେ। ଏଥିରେ ତାଙ୍କୁ ଭୁବନେଶ୍ବର କିମ୍ବା ଜଟଣୀ, ଯେଉଁଠାରୁ ଚାହିଁବେ ଛିଡା ହୋଇପାରିବେ ବୋଲି ଅଫର ଦେଇଥିଲେ। ହେଲେ ସେତେବେଳେ ମୁଁ ନବୀନବାବୁଙ୍କୁ ମନା କରିଥିଲି। ତାଙ୍କୁ କହିଥିଲି ମୁଁ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଏହାପରେ ନବୀନବାବୁ ମୋତେ ଥ୍ୟାଙ୍କ୍ ୟୁ କହିଥିଲେ।

ସୁର ରାଉତରାୟଙ୍କର ଏପରି ବୟାନରେ କେତେ ସତ କେତେ ମିଛ ଅଛି ତାହା ଜଣାପଡି ନାହିଁ। ହେଲେ ଏପରି ବୟାନକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ବିଶେଷ କରି ଜଟଣୀ ଓ ଖୋର୍ଦ୍ଧା ବିଜେଡିରେ ଏହାକୁ ନେଇ ବେଶ ଆଲୋଚନା ଚାଲିଛି। କାରଣ ରାଜ୍ୟର ବିଭିନ୍ନ ଦଳର ନେତାମାନେ ବର୍ତ୍ତମାନ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କାଳେ ସୁର ରାଉତରାୟ ବିଜେଡି ଆସିଯିବେ ସେ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି ସ୍ଥାନୀୟ ନେତା।

ତେବେ ପ୍ରଦୀପ ମାଝୀଙ୍କ ଇସ୍ତଫା ନେଇ ତୀବ୍ର ବିରୋଧ କରିଛନ୍ତି ସୁର ରାଉତରାୟ। ସେ କହିଛନ୍ତି ଯେ ପ୍ରଦୀପ କଂଗ୍ରେସ ଦଳକୁ ଧୋକା ଦେଇଛନ୍ତି। କାରଣ କଂଗ୍ରେସ ତାଙ୍କୁ ରାଜ୍ୟରେ ପରିଚିତ କରାଇଥିଲା। ସେ ଏମପି ହୋଇଥିଲେ, ସେ ଦଳର ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିଲେ। ଦଳ ଏପରି ଦାନ କରିବା ସତ୍ବେ ସେ ଦଳ ଛାଡିବା ଧୋକାବାଜ ବୋଲି ସୁର ରାଉତରାୟ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ପ୍ରଦୀପଙ୍କର ପାୱାର ଏବଂ ପଇସା ଦରକାର। ସେଥିପାଇଁ ସେ ଦଳ ଛାଡିଛନ୍ତି। ସେ ଦଳ ଛାଡିବେ ବୋଲି ମୁଁ ଆଠମାସ ଆଗରୁ ଜାଣିଥିଲି। ସେଥିପାଇଁ ସେତେବେଳେ ତାଙ୍କୁ କହିଥିଲି ଯଦି ଯିବା କଥା ଯାଅ। ସେଥିରେ କିଛି ଫରକ ପଡିବ ନାହିଁ। ବର୍ତ୍ତମାନ ତାଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

କଟକ: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇଛନ୍ତି। ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ।

ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ।  ଶ୍ରୀ ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି। ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ। ବିଧାୟକ ରାଉତରାୟଙ୍କ ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା କରାଯାଉଛି।