ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଏକ ବିସ୍ପୋରକ କଥା କହିଲେ ବିଧାୟକ ସୁର ରାଉତରାୟ

Published: Oct 22, 2021, 1:25 pm IST

ଭୁବନେଶ୍ବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ପ୍ରତିକ୍ରୀୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ଯେଉଁ କଥା କହିଛନ୍ତି ତାହା ରାଜ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ତାଙ୍କୁ ଯେତେବେଳେ ପଚରାଗଲା ଯେ, ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବେ। ତାହାର ଉତ୍ତରରେ ସେ ଏକ ବିସ୍ପୋରକ ତଥ୍ୟ କହିଛନ୍ତି।

ସେ କହିଛନ୍ତି ଯେ ନବୀନବାବୁ ମୋତେ ମଧ୍ୟ ବିଜେଡିରେ ମିଶିବା ପାଇଁ ଅଫର ଦେଇଥିଲେ। ସେ ନବୀନ ନିବାସକୁ ଡାକି ବିଜେଡିରେ ମିଶିବା ପାଇଁ କହିଥିଲେ। ଏଥିରେ ତାଙ୍କୁ ଭୁବନେଶ୍ବର କିମ୍ବା ଜଟଣୀ, ଯେଉଁଠାରୁ ଚାହିଁବେ ଛିଡା ହୋଇପାରିବେ ବୋଲି ଅଫର ଦେଇଥିଲେ। ହେଲେ ସେତେବେଳେ ମୁଁ ନବୀନବାବୁଙ୍କୁ ମନା କରିଥିଲି। ତାଙ୍କୁ କହିଥିଲି ମୁଁ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଏହାପରେ ନବୀନବାବୁ ମୋତେ ଥ୍ୟାଙ୍କ୍ ୟୁ କହିଥିଲେ।

ସୁର ରାଉତରାୟଙ୍କର ଏପରି ବୟାନରେ କେତେ ସତ କେତେ ମିଛ ଅଛି ତାହା ଜଣାପଡି ନାହିଁ। ହେଲେ ଏପରି ବୟାନକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ବିଶେଷ କରି ଜଟଣୀ ଓ ଖୋର୍ଦ୍ଧା ବିଜେଡିରେ ଏହାକୁ ନେଇ ବେଶ ଆଲୋଚନା ଚାଲିଛି। କାରଣ ରାଜ୍ୟର ବିଭିନ୍ନ ଦଳର ନେତାମାନେ ବର୍ତ୍ତମାନ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କାଳେ ସୁର ରାଉତରାୟ ବିଜେଡି ଆସିଯିବେ ସେ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି ସ୍ଥାନୀୟ ନେତା।

ତେବେ ପ୍ରଦୀପ ମାଝୀଙ୍କ ଇସ୍ତଫା ନେଇ ତୀବ୍ର ବିରୋଧ କରିଛନ୍ତି ସୁର ରାଉତରାୟ। ସେ କହିଛନ୍ତି ଯେ ପ୍ରଦୀପ କଂଗ୍ରେସ ଦଳକୁ ଧୋକା ଦେଇଛନ୍ତି। କାରଣ କଂଗ୍ରେସ ତାଙ୍କୁ ରାଜ୍ୟରେ ପରିଚିତ କରାଇଥିଲା। ସେ ଏମପି ହୋଇଥିଲେ, ସେ ଦଳର ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିଲେ। ଦଳ ଏପରି ଦାନ କରିବା ସତ୍ବେ ସେ ଦଳ ଛାଡିବା ଧୋକାବାଜ ବୋଲି ସୁର ରାଉତରାୟ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ପ୍ରଦୀପଙ୍କର ପାୱାର ଏବଂ ପଇସା ଦରକାର। ସେଥିପାଇଁ ସେ ଦଳ ଛାଡିଛନ୍ତି। ସେ ଦଳ ଛାଡିବେ ବୋଲି ମୁଁ ଆଠମାସ ଆଗରୁ ଜାଣିଥିଲି। ସେଥିପାଇଁ ସେତେବେଳେ ତାଙ୍କୁ କହିଥିଲି ଯଦି ଯିବା କଥା ଯାଅ। ସେଥିରେ କିଛି ଫରକ ପଡିବ ନାହିଁ। ବର୍ତ୍ତମାନ ତାଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Related posts