Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଘରେ କେଉଁ ଗଛ ରଖିଲେ ପରିବାର ପ୍ରତି ଆସିବ ନାହିଁ ବିପଦ

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ।

ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ।

ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ କରିଥା’ନ୍ତି। ସେହିପରି ତୁଳସୀର ଉପକାରୀ ଗୁଣ ଅନନ୍ୟ। ତୁଳସୀ ଗଛ ଘରେ ଲଗାଇବା ଦ୍ବାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ସେହିପରି ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ସେହିପରି ମନି ପ୍ଲାଣ୍ଟ ମଧ୍ୟ ଅତ୍ୟନ୍ତ ଶୁଭ। ଏହି ଗଛ ଲଗାଇବା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ହଦଳୀ ଗଛ ମଧ୍ୟ ବେଶ୍‌ ଶୁଭଦାୟକ।

ଯଦି ଆପଣ କିଚେନ୍‌ ଗାର୍ଡେନ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣ ଧନିଆ, ପାଳଙ୍ଗ ପରି ଗଛଗୁଡିକୁ ଲଗାନ୍ତୁ। ଏହା ରୋଷେଇରେ ସାହାଯ୍ୟ କରିବା ସହିତ ଏହି ଗଛଗୁଡିକ ବାସ୍ତୁ ଦୃଷ୍ଟିରୁ ବହୁତ ଶୁଭ ହୋଇଥାଏ।

ତେବେ ଘରେ କୌଣସି ପ୍ରକାରର କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ସେହିପରି ଯେଉଁ ଗଛର ଛାଲକୁ କାଟିଲେ ଧଳା ଧଳା ପଦାର୍ଥ ବାହାରିଥାଏ, ସେପରି ଗଛ ଲଗାନ୍ତୁ ନାହିଁ। ଏପରି ଗଛ ଲଗାଇଲେ ଘରେ ନକାରାତ୍ମକ ଶକ୍ତିସୃଷ୍ଟି ହୋଇଥାଏ।

Categories
ବିଶେଷ ଖବର

ବିପଦରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ!: ଶାସକ କଳର ବ୍ୟବସ୍ଥା ମଧ୍ୟରେ ପେଶି ହେଉଛି ଗଣମାଧ୍ୟମ

ସୁବାଷ କୁମାର ତାରଣିଆଁ

ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି। ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି।

ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ। କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ।

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା। ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି। ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି। ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି।

ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା। ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଇ ଆସୁଅଛି। ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା। ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ। ଦ୍ୱିତୀୟ ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ। କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ।

ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ। ଦର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି। ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି।

ଗଣମାଧ୍ୟମ ୧୯୬୬ରେ ସ୍ୱାଧୀନତା ପାଇଲା ଏବଂ ଜାତୀୟ ମାନ୍ୟତା ପାଇଲା। କିନ୍ତୁ ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉଥିଲା, ଆଜି ତାର କଣ୍ଠରୋଧ କରିଦିଆଯାଉଛି ଯାହା ଏକ ଉଦ୍‌ବେଗଜନକ ବିଷୟ। ଏହାର ସୁଯୋଗ ନେଇ ଛତୁ ଫୁଟିଲା ଭଳି ନୂଆ ନୂଆ ଖବର କାଗଜ ଓ ୱେବପୋର୍ଟାଲ ଗଢିଉଠୁଛି। ଏହିସବୁ ୱେବ୍‌ପୋର୍ଟାଲ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ କିଛି ରାଜନୈତିକ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହୁଥିବାରୁ, ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଗଣମାଧ୍ୟମର ମୂଲ୍ୟବୋଧକୁ ଜଳାଞ୍ଜଳି ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ଧମକାଇ ଟଙ୍କା ଆଦା କରୁଥିବାର ଖବର ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ଯାହା ଗଣମାଧ୍ୟମ ପ୍ରତି ଏକ ଶକ୍ତ ଆଘାତ।

ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମ ଏବେ ନିଜ ନିଜ ଭିତରେ କାଦୁଆ ଫିଙ୍ଗାଫିଙ୍ଗିରେ ଜଡ଼ିତ ରହୁଛନ୍ତି। ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଦଳୀୟ ସାମ୍ବାଦିକ ବୋଲି କୁତ୍ସାରଟନା କରାଯାଉଛି ଯାହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ଜଣେ ସାମ୍ବାଦିକ କାଉ କଳା ବୋଲି କହୁଥିବା ବେଳେ ଅନ୍ୟଜଣେ ସାମ୍ବାଦିକ କାଉକୁ ଧଳା ବୋଲି ପ୍ରମାଣିତ କରିବାକୁ ତତ୍ପର ହୋଇପଡ଼ୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅନାମଧେୟ ଓ ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ନିଜକୁ ସାମ୍ବାଦିକତାର ପରିଚୟ ଦେଇ ଗରିବ ଓ ସାଧାରଣ ଜନତାଙ୍କୁ ବ୍ଲାକ ମେଲିଂ କରି ଅର୍ଥ ଉପାର୍ଜନ କରୁଛନ୍ତି ଯାହା ସାମ୍ବାଦିକ ଓ ଗଣମାଧ୍ୟମ ନାମରେ କଳଙ୍କ। ସେହିପରି ସମ୍ବାଦିକମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ଉପରେ ଅକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ, ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି। ଯେଉଁଥି ପାଇଁ ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସକ କଳର ବ୍ୟବସ୍ଥା ମଧ୍ୟରେ ପେଶି ହୋଇଯାଇଛି।

ଦେଶ ସ୍ୱାଧୀନ ହେଲା, ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହା ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ। ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି ଏହାର ସ୍ୱାଧୀନତାର ମାନେ କିଛି ନାହିଁ। ଗଣମାଧ୍ୟମର ସ୍ୱାଭିମାନ ଆଜି ରସାତଳଗାମୀ। ବହୁମୁଖୀ ମୂଲ୍ୟବୋଧ ସମସ୍ୟାକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହେଉଛନ୍ତି ଯାହା ଆମର ବିଶ୍ୱାସଘାତକ ଭଳି ପରିଚୟ ସୃଷ୍ଟି କରି ଚାଲିଛି। ବଦନାମର ଆଖ୍ୟା ପାଉଛି ଏବଂ ଗଣଙ୍କର ବିଶ୍ୱାସଭାଜନ ହରାଇବାରେ ଲାଗିଛି। ବର୍ତ୍ତମାନ ସମୟ ଆସିଛି, ଏହି ଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ହେଲେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ସାମ୍ବାଦିକ ବୃତ୍ତି ପ୍ରତି ସାମାନ୍ୟତମ ଜ୍ଞାନ ନଥାଇ, ସାମ୍ବାଦିକତାର ପରିଚୟ ଦେଇ ସାଧାରଣ ଜନତାଙ୍କୁ ଠକୁଥିବା ନକଲି ସାମ୍ବାଦିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କଥାରେ ଅଛି ଗୋଟିଏ ହାତରେ ପାଞ୍ଚୋଟି ଆଙ୍ଗୁଳି କେହି ନୁହେଁ କାହା ଭଳି, ପାଞ୍ଚଜଣ ଯାକ ଏକାଠି ହୋଇଲେ ପରବତ ଦେବେ ଟାଳି। ତେଣୁ ସମୟ ଆସିଛି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଏକାଠି ହେବାକୁ ପଡ଼ିବ। ଗଣମାଧ୍ୟମର କଣ୍ଠରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଭିଏଁ ଏକତ୍ରିତ ଭାବେ ପ୍ରତିରୋଧ କରିବାକୁ ପଡ଼ିବ। ଏଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ନିହାତି ଜରୁରୀ।

ପ୍ରତ୍ୟେକ ସାମ୍ବାଦିକ ଓ ଗଣମାଧ୍ୟମଗୁଡ଼ିକ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳମତରୁ ଉର୍ଦ୍ଧ୍ୱରେ ରହି କୌଣସି ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ନହୋଇ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗେଇ ଆସିବାକୁ ପଡ଼ିବ। ତେବେ ଯାଇ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ନିଜର ମୂଲ୍ୟବୋଧକୁ ବଜାୟ ରଖିପାରିବ।