Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣାକୁ ଫୁ’: ବିବାହ କାର୍ଯ୍ୟରେ ଶତାଧିକ ଲୋକ, ନାଗୀନ୍ ନୃତ୍ୟ କଲେ ସୁକିନ୍ଦା ତହସିଲଦାର

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ କରୋନା କଟକଣାକୁ ଫୁ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନାଗିନ୍ ନୃତ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଶକ୍ତ କଟକଣା ଜାରି କରିଛନ୍ତି। ଲକଡାଉନ, ସର୍ଟଡାଉନ ସହ ବିବାହ, ବ୍ରତ, ଭୋଜିଭାତ ଓ ଜନସମାବେଶ ଉପରେ ବିଭିନ୍ନ କଟକଣା ଜାରି କରାଯାଇଛି। ମାତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗିରେ ଖୋଲମ୍ ଖୋଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

କେତେକ ପ୍ରଶାସନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ସହ ସୁକିନ୍ଦା ତହସିଲଦାର କରୋନା କଟକଣା ନିୟମର ଧଜିଆ ଉଡାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ ହୋଇଛି। ସାମାଜିକ ଦୁରତା, ମାକ୍ସ ପରିଧାନ କଥାକୁ ପଛରେ ପକାଇ କନ୍ୟା ଘର ଆଗରେ କରୋନା କଟକଣାକୁ ଫୁ କରି ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା।ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ଖବର ପାଇ ତିର୍ତ୍ତୋଲ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର କୌଣସି ଅଦୃଶ୍ୟ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି।

ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୋଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା କୁହାଯାଉଥିବା ବେଳେ ବେଆଇନ ବିବାହ ଉତ୍ସବରେ ଚୁପ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ଅନୁଷ୍ଠିତ ହେଲା ୧୦୭ ଟି ବିବାହ କାର୍ଯ୍ୟ: ନିୟମ ଉଲ୍ଲଂଘନକାରୀ ଗଣିଲେ ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ ୧୦୭ ଟି ବିବାହ କାର୍ଯ୍ୟ ଏବଂ ୭ ଟି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉକ୍ତ କାର୍ଯ୍ୟ ଗୁଡିକରେ ସମସ୍ତେ କୋଭିଡ ନିୟମକୁ ଅନୁପାଳନ କରିଥିବା ବେଳେ ତିନି ଜଣ ଏହାର ଉଲଂଘନ କରିଥିଲେ। ତେଣୁ ସେମାନଙ୍କଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତହସିଲ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ୧୭ ହଜାର ୭ ଶହ ତାଙ୍କ ଜରିମାନା ଆଦାୟ କରିଛି।

ଅନୁରୂପ ଭାବେ ଗତକାଲି ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ କୋଭିଡ ନିୟମ ଉଲଂଘନ ବାବଦରେ ୧୫୪ ଜଣ ଅମାନିଆଙ୍କଠାରୁ ୪୨ ହଜାର ୮ ଶହ ଟଙ୍କା ଏବଂ ୧୬୯ ଜଣ ଅମାନିଆ ଗାଡ଼ିଚାଳକଙ୍କ ଠାରୁ ୧ ଲକ୍ଷ ୯୩ ହଜାର ଟଙ୍କା ପୋଲିସ ଆଦାୟ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ସେହିପରେ ଭାବେ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ଛଦ୍ମବେଶରେ ଚଣ୍ଡେଶ୍ୱର ଛକ ନିକଟରୁ ଏକ ବେଆଇନ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କ ବଡ ପଦକ୍ଷେପ: ବିବାହ କାର୍ଯ୍ୟ ଲାଗି ନିୟମରେ ହେଲା ପରିବର୍ତ୍ତନ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା।

ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା।

ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ ଏବଂ ବିବାହରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସୂଚୀ ଦାଖଲ କରିବାକୁ ପଡିବ। ଆଉ ଆଫିଡେଭିଟ ଦେବାକୁ ପଡିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।  ଏସଡ଼ିପିଓଙ୍କ ଏଭଳି ପଦକ୍ଷେପ ଯୋଗୁଁ ଜନସାଧାରଣମାନେ ବହୁ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ଆଞ୍ଚଳିକ

ଗତକାଲି ଚିଲିକାରେ ଅନୁଷ୍ଠିତ ହେଲା ରେକର୍ଡ ସଂଖ୍ୟାରେ ବିବାହ: ଅମାନିଆ ଗଣିଲେ ମୋଟା ଅଙ୍କର ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ରେକର୍ଡ ସଂଖ୍ୟକ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାଣପୁର ଏବଂ ବାଲୁଗାଁ ଥାନା ଅଧୀନରେ ଥିବା ଅଞ୍ଚଳଗୁଡିକରେ ସର୍ବମୋଟ ୯୮ ଗୋଟି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ତନ୍ମଧ୍ୟରୁ କେବଳ ବାଣପୁର ଥାନା ଅଧୀନସ୍ଥ ଅଞ୍ଚଳରେ ୮୪ ଗୋଟି ବିବାହ ଅନୁଷ୍ଠିତ ହୋଇଛି।

ତେବେ ପ୍ରାୟତଃ ସବୁ ସ୍ଥାନରେ କୋଭିଡ଼ ଗାଇଡଲାଇନ ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ କେତେକ ସ୍ଥାନରେ ଗାଇଡଲାଇନର ଖୋଲାଖୋଲି ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ସେଥିପାଇଁ ଗତକାଲି ଦିନ ଏବଂ ରାତି ତମାମ ଉକ୍ତ ଅଞ୍ଚଳଗୁଡିକରେ ଉଭୟ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ପୋଲିସ ପ୍ରଶାସନର ମିଳିତ ଚଢ଼ାଉ ଜାରି ରହିଥିଲା।   କାର୍ଯ୍ୟାନୁଷ୍ଠାନସ୍ୱରୂପ ଉଲଂଘନକାରୀଙ୍କଠାରୁ ଉଭୟ ପ୍ରଶାସନ ମିଳିତ ଭାବେ ୨୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିବା ସହ ୧ଟି ମାମଲା ମଧ୍ୟ ରୁଜୁ ହୋଇଛି।

ସେଥିମଧ୍ୟରୁ ବାଣପୁର ତହସିଲ ଏବଂ ପୋଲିସ ୨୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଥିବାବେଳେ ଚିଲିକା ତହସିଲ ଏବଂ ବାଲୁଗାଁ ପୋଲିସ ୫ ହଜାର ଜରିମାନା ଆଦାୟ କରିଛି। ଏ ନେଇ ଉଭୟ ତହସିଲଦାର ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଗତକାଲି କୋଭିଡ ନିୟମ ଉଲଂଘନ ବାବଦକୁ ବାଲୁଗାଁ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନା ଏବଂ ଫାଣ୍ଡି ଅଞ୍ଚଳରୁ ୭୯ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ତନ୍ମଧ୍ୟରୁ ଅମାନିଆଙ୍କଠାରୁ ୨୪ ହଜାର ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୫୫ ହଜାର ଜରିମାନା ଆଦାୟ ହୋଇଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।