ଗତକାଲି ଚିଲିକାରେ ଅନୁଷ୍ଠିତ ହେଲା ରେକର୍ଡ ସଂଖ୍ୟାରେ ବିବାହ: ଅମାନିଆ ଗଣିଲେ ମୋଟା ଅଙ୍କର ତଣ୍ଡ

Published: May 20, 2021, 11:34 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ରେକର୍ଡ ସଂଖ୍ୟକ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାଣପୁର ଏବଂ ବାଲୁଗାଁ ଥାନା ଅଧୀନରେ ଥିବା ଅଞ୍ଚଳଗୁଡିକରେ ସର୍ବମୋଟ ୯୮ ଗୋଟି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ତନ୍ମଧ୍ୟରୁ କେବଳ ବାଣପୁର ଥାନା ଅଧୀନସ୍ଥ ଅଞ୍ଚଳରେ ୮୪ ଗୋଟି ବିବାହ ଅନୁଷ୍ଠିତ ହୋଇଛି।

ତେବେ ପ୍ରାୟତଃ ସବୁ ସ୍ଥାନରେ କୋଭିଡ଼ ଗାଇଡଲାଇନ ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ କେତେକ ସ୍ଥାନରେ ଗାଇଡଲାଇନର ଖୋଲାଖୋଲି ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ସେଥିପାଇଁ ଗତକାଲି ଦିନ ଏବଂ ରାତି ତମାମ ଉକ୍ତ ଅଞ୍ଚଳଗୁଡିକରେ ଉଭୟ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ପୋଲିସ ପ୍ରଶାସନର ମିଳିତ ଚଢ଼ାଉ ଜାରି ରହିଥିଲା।   କାର୍ଯ୍ୟାନୁଷ୍ଠାନସ୍ୱରୂପ ଉଲଂଘନକାରୀଙ୍କଠାରୁ ଉଭୟ ପ୍ରଶାସନ ମିଳିତ ଭାବେ ୨୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିବା ସହ ୧ଟି ମାମଲା ମଧ୍ୟ ରୁଜୁ ହୋଇଛି।

ସେଥିମଧ୍ୟରୁ ବାଣପୁର ତହସିଲ ଏବଂ ପୋଲିସ ୨୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଥିବାବେଳେ ଚିଲିକା ତହସିଲ ଏବଂ ବାଲୁଗାଁ ପୋଲିସ ୫ ହଜାର ଜରିମାନା ଆଦାୟ କରିଛି। ଏ ନେଇ ଉଭୟ ତହସିଲଦାର ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଗତକାଲି କୋଭିଡ ନିୟମ ଉଲଂଘନ ବାବଦକୁ ବାଲୁଗାଁ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନା ଏବଂ ଫାଣ୍ଡି ଅଞ୍ଚଳରୁ ୭୯ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ତନ୍ମଧ୍ୟରୁ ଅମାନିଆଙ୍କଠାରୁ ୨୪ ହଜାର ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୫୫ ହଜାର ଜରିମାନା ଆଦାୟ ହୋଇଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Related posts