Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ଜଟଣୀର କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେଡି ସମ୍ପାଦକ ପ୍ରଦୀପ ସାହୁ ଓ ବିଜେଡି ଜିଲ୍ଲା ଉପସଭାପତି ବିପିନ ଜୟସିଂହଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ ଓ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ସାମାଜିକ କର୍ମୀ ସରୋଜ କୁମାର ବଳିୟାରସିଂହ, ଜଟଣୀ ମ୍ୟୁନିସପାଲଟିର କଂଗ୍ରେସ କାଉନସିଲର ଇତିଶ୍ରୀ ଦାସ, ଅନୀତା ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ସରପଞ୍ଚ କୌଶଲ୍ୟା ବଳିୟାରସିଂହ, ପୂର୍ବତନ କାଉନସିଲର ସୌମେନ୍ଦ୍ର ପଟ୍ଟନାୟକ, ସାଂସଦଙ୍କ ଜଟଣୀ ବ୍ଲକ ପ୍ରତିନିଧି ରବି ନାରାୟଣ ସ୍ୱାଇଁ, ବିଜେପି ନେତା ପ୍ରଶାନ୍ତ କୁମାର ଦାସ, ଯୁବ କଂଗ୍ରେସ ନେତା ବିଜୟ କେତନ ମଙ୍ଗରାଜ, ପୂର୍ବତନ ସରପଞ୍ଚ ବାବାଜୀ ମଙ୍ଗରାଜ, ବିଜେପି ଯୁବ ନେତା ମନେଶ ସେଠୀ, ଲକ୍ଷ୍ମୀଧର ସାହୁ, ଦ୍ୱାରିକା ଛୋଟରାୟ, ମହମ୍ମଦ ଇସକ୍‌, ଏସ୍‌କେ କୋରବାର, ବିଟୁ ମହେଶ, ସୁଶାନ୍ତ କୁମାର ନାଏକ, ଭାରତୀ ଭୂଷଣ ମିଶ୍ର, ଏନ୍‌.ଜଗନ୍ନାଥ ରାଓ, ଦିଲ୍ଲୀପ ବିଶ୍ୱାଳ, ମହେଶ୍ୱର ଦାସ ଓ ମୁନ୍ନା ବାରିକଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହକୁ ତୁରନ୍ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ: ବିଜେଡି

ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଦେଇ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ରାଜନାଥ ସିଂହଙ୍କୁ ଅନୁରୋଧ କରିଥିଲେ।

୨୦୧୭ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀରେ ପାଇକ ବିଦ୍ରୋହର ଶତାବ୍ଦୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।

୨୦୨୧ ଡିସେମ୍ବର ୬ ତାରିଖରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧିଦଳ ମାନ୍ୟବର କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା ପାଇଁ ଦାବି କରିଥିଲେ।

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରରେ ଥିବା ଦୁଇ ଓଡିଆ ମନ୍ତ୍ରୀ ତଥା ଓଡିଶାର ୮ଜଣ ବିଜେପି ସାଂସଦ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ କେନ୍ଦ୍ରରେ ଏହି ପ୍ରସଙ୍ଗକୁ ଉଠାଉ ନାହାନ୍ତି। ସଂସଦରେ ଓଡିଆ ବିଜେପି ସାଂସଦମାନେ ଏହି ପ୍ରସଙ୍ଗ ମୁହଁ ଖୋଲିଥିବାର ଆମେ କେବେ ବି ଦେଖିନାହୁଁ। ଏହା ପାଇକ ବିଦ୍ରୋହ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଭୁବନେଶ୍ୱରର ବିଜେପି ସାଂସଦ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହେଉଛି “ଓଡିଆ ଅସ୍ମିତା ଏବଂ ଓଡିଆ ଆତିଥ୍ୟ” ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଦୁଇ ଓଡିଆ ମନ୍ତ୍ରୀ ଏବଂ ୮ଜଣ ବିଜେପି ସାଂସଦ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଓଡିଶାର ସାଢେ ୪କୋଟି ଲୋକଙ୍କ ସହ ଆମେ ଦୃଢଭାବେ ଦାବି କରୁଛୁ ଯେ କାଳ ବିଳମ୍ବ ନକରି ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ

ଭୁବନେଶ୍ବର: ଆଜି ବାଣପୁର ପଲଟନ ପଡିଆରେ ଚାଲିଛି ପଞ୍ଚୁଦୋଳ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଏହି ସ୍ଥାନରେ ଘଟିଥିଲା ଏକ ରାଜନୈତିକ ହିଂସାକାଣ୍ଡ। ଯାହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଟଚମଟ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ସ୍ଥାନରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ ବିଜେପି କର୍ମି।

ସେଦିନ ଥିଲା ୨୦୨୨ ମାର୍ଚ୍ଚ ୧୨ ତାରିଖ। ବର୍ତ୍ତମାନ ବର୍ଷକର ଏହି ଲମ୍ବା ସମୟ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି କଣ ରହିଛି, ଖୋଦ ବିଧାୟକଙ୍କ ସ୍ଥିତି କିପରି, ତାହାର ହିସାବ ନିକାସ କରିବାର ସମୟ ଆସିଛି।

ବିଧାୟକଙ୍କ ଉପରେ ଆରୋପ ଥିଲା ଯେ, ସେ ଲୋକଙ୍କୁ ଗାଡି ମଡାଇ ଦେଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଏହା କେତେ ସତ ତାହାର ରାୟ ଏ ପର୍ଯ୍ୟନ୍ତ ଆସି ନାହିଁ। ତେବେ ପୋଲିସ ରିପୋର୍ଟ ଆଧାରରେ ବିଧାୟକଙ୍କୁ ଗିରଫ କରାଗଲା। ସେ ଜେଲ ଗଲେ।

ସେତିକିରେ କଥା ସରିଲା ନାହିଁ, ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରି ଦିଆଗଲା। ଶେଷରେ ବିଧାୟକଙ୍କୁ ବର୍ଷକ ପାଇଁ ନିର୍ବାଚନ ମଣ୍ଡଳୀ ଯିବାକୁ କୋର୍ଟ ବାରଣ କରିଦେଲେ। ଗୋଟିଏ ପଟେ ମାଡଖାଇ ରକ୍ତାକ୍ତ ହେବା, ଜେଲ ଯିବା, ଦଳରୁ ବହିସ୍କାର ହେବା ଏବଂ ନିର୍ବାଚନ ମଣ୍ଡଳି ଭିତରେ ପଶି ନ ପାରିବା ପ୍ରଭୃତି ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ବହୁ ମୂଲ୍ୟ ଦେବାକୁ ପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଅବସ୍ଥାରେ ଚିଲିକା ନିର୍ବାଚନ ମଣ୍ଡଳ ସଂପୂର୍ଣ୍ଣ ଭାବେ ନେତୃତ୍ବ ଛେଉଣ୍ଡ ହୋଇଯାଇଛି। କର୍ମିମାନେ କିଏ କାହାକୁ କିପରି ଗୁହାରି କରିବେ ତାହାର କେହି କିଛି ଥଳକୁଳ ପାଉ ନାହିଁନ୍ତି। ଏପରିକି ବିଜେଡିର ନିର୍ବାଚିତ ପଞ୍ଚାୟତ ଓ ପୌର ପ୍ରତିନିଧିମାନେ ମଧ୍ୟ କଣ କରିବେ କାହାକୁ କହିବେ, ରାସ୍ତା ନ ପାଇ ବାଉଳେଇ ହେଉଛନ୍ତି।

ହେଲେ ଏପରି ପରିସ୍ଥିତିରେ ବିଧାୟକ ନ ଆସିଲେ ନାହିଁ, ଯଦି ସାଂସଦ ପିନାକୀ ମିଶ୍ର ଆସି ଥାଆନ୍ତେ ତେବେ ହୁଏତ ଚିଲିକା କର୍ମି ନେତୃତ୍ବ ଛେଉଣ୍ଡ ହୋଇ ନ ଥାଆନ୍ତେ। ବିଧାୟକ ବଦଳରେ ତାଙ୍କ ନିର୍ଦ୍ଦେଶରେ ହୁଏତ କର୍ମିମାନେ କାମ କରିଥାଆନ୍ତେ। କିନ୍ତୁ ଦୁଃଖର କଥା ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳିକୁ ହେୟ ଜ୍ଞାନ କଲେ। ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ସ୍ବଦେହରେ ଦେଖିବା ସ୍ବପ୍ନରେ ପରିଣତ ହୋଇଗଲା। ଚିଲିକାରେ ପିନାକୀଙ୍କ ପାଇଁ ପ୍ରଚାର କରି ଭୁଲ କରିଛୁ ବୋଲି କର୍ମିମାନେ ଭାବି ସାରିଲେଣି।

ଏ ସବୁ ପରିସ୍ଥିତି ଭିତରେ ଦୀର୍ଘ ଦିନ ଧରି ଚୁପ ରହିଥିବା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ହଠାତ୍ ମୁଣ୍ଡ ଟେକିବା ଆରମ୍ଭ କଲେ। ତେବେ ହାସ୍ୟସ୍ପଦ କଥା ଯେ, ସେ ଏପରି ଅସୁବିଧା ସମୟରେ କର୍ମିମାନଙ୍କୁ ସାଥ୍ ଦେବେ କଣ ଓଲଟି ତାଙ୍କୁ ଗାଳି କରିବା ଆରମ୍ଭ କଲେ। ଯେଉଁମାନେ ରଘୁଙ୍କଆଡକୁ ଟିକିଏ ଢଳିବାକୁ ଚାହୁଁଥିଲେ ସେମାନେ ସବୁ ଫିଡିକି ଗଲେ। ଫଳରେ ଚିଲିକାର ରାଜନୈତିକ ପାଣିକୁ ରଘୁ ପରିସ୍କାର କରିବେ କଣ ତାହାକୁ ଆହୁରି ଗୋଳିଆ କରି ଦେଲେ।

ସର୍ବୋପରି କହିବାକୁ ଗଲେ ଗତବର୍ଷ ଆଜିର ଦିନରେ ବାଣପୁର ପଲଟନ ପଡିଆରେ ଯାହା ଘଟିଲା ତାହା ଥିଲା ଚିଲିକା ରାଜନୈତିକ ଇତିହାସରେ ଏକ ସ୍ମରଣୀୟ ଘଟଣା। ଯାହା କେବେ ପୂର୍ବରୁ ହୋଇ ନ ଥିଲା କିମ୍ବା ଭବିଷ୍ୟତରେ ଏପରି ହେବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଚିଲିକାର ବିଜେଡି କର୍ମି ଓ ନେତାଙ୍କୁ ଏପରି ବିପଦ ସମୟରେ ନା ବିଧାୟକ, ନା ସାଂସଦ, ନା ପୂର୍ବତନ ବିଧାୟକ, ନା ବିଜୁ ଜନତା ଦଳ, କେହି ଛିଡା ନ ହେବା ହିଁ ସବୁଠୁ ବଡ ଦୁଃଖଦାୟକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ରାଜନୀତି ସରଗରମ, ଦୁର୍ଯୋଧନ ନିଶ୍ଚିତ ମରିବ ବୋଲି କାହାକୁ କହିଲେ ବିଭୂତି

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ବେଶ ସରଗରମ ହୋଇଯାଇଛି। କାରଣ ଗତକାଲି ଦଳର ପ୍ରତିଷ୍ଠା ଦିବସରେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ଭାଷଣ ପରେ କର୍ମିମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। କର୍ମିମାନେ ଯାହା ଚାହୁଁଥିଲେ ବିଭୂତି ସେହି ସଭାରେ ତାହା ହିଁ କହିଲେ। ଫଳରେ ଚିଲିକାରେ ବିଜେଡି କର୍ମିଙ୍କର ମନୋବଳ ବେଶ ବଢିଯାଇଛି।

ଏହି ବୈଠକରେ ବିଭୂତି କହିଥିଲେ ଯେ, ଚିଲିକାରେ ଜଣେ ଦୁର୍ଯୋଧନ ଅଛନ୍ତି। ସେହି ଦୁର୍ଯୋଧନ ଖୁବ ଶିଘ୍ର ମରିବ। ସେତିକି ନୁହେଁ ସେ କର୍ମିମାନଙ୍କୁ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ, ଚିଲିକାରେ ଢୋଲ ଭିତରେ ମୂଷା ପଶି କାମ କରିବା ପରି ଜଣେ ଅଛି। ବ୍ୟସ୍ତ ହୁଅନ୍ତୁ ନାହିଁ, ଯନ୍ତା ବସି ସାରିଛି, ସେହି ମୂଷା ଖୁବ ଶିଘ୍ର ଯନ୍ତାରେ ପଡିବ।

ବିଭୂତିଙ୍କ ଏହି ବକ୍ତବ୍ୟକୁ କର୍ମିମାନେ ବେଶ ତାଳିମାରି ସ୍ବାଗତ କରିଥିଲେ। ତେବେ ବିଭୂତି ଏହି କଥା ଯାହାକୁ ଦେଖାଇ କହୁଥିଲେ ସେ ହେଉଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ କଥା କାହାକୁ ଅଛପା ନାହିଁ। କାରଣ ବିଗତ ଦିନରେ ରଘୁନାଥ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ, ସାଂସଦ, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ବହୁ ନିର୍ବାଚତ ପ୍ରତିନିଧିଙ୍କୁ ଗାଳି କରିଥିଲେ।

ରଘୁନାଥଙ୍କ ଏପରି ସମାଲୋଚନାକୁ ନେଇ କର୍ମିମାନେ ଅସନ୍ତୋଷ ଜାହିର ରହିଥିଲେ। ହେଲେ ବିଭୂତିଙ୍କ ବକ୍ତବ୍ୟ ପରେ ଏବେ ସେମାନେ ଶାନ୍ତ ପଡିଛନ୍ତି। ତେବେ ବିଭୂତି ଏହି ସଭାରେ କହିଥିଲେ ଯେ, ଖୁବ ଶିଘ୍ର ଏପରି ଦଳ ବିରୋଧୀଙ୍କ ଉପରେ ବିଜେଡି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରଘୁନାଥଙ୍କ ଉପରେ ଦଳ କୌଣସି ମୁହୁର୍ତ୍ତରେ କିଛି ବି ପଦକ୍ଷେପ ଗ୍ରହଣ କରିପାରେ।

ତେବେ ବିଭୂତିଙ୍କ ଏହି ବକ୍ତବ୍ୟକୁ ନେଇ ରଘୁନାଥ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କ ନାଁ ନେଇ ସମାଲୋଚନା କରିଥିଲି। ହେଲେ ସେଠାରେ କେହି ମୋର ନାମ ନେଇ ନାହାଁନ୍ତି। ତେଣୁ ଏ ନେଇ ମୁଁ କୌଣସି ପ୍ରତିକ୍ରିୟା ରଖିବି ନାହିଁ। ତେବେ ଦଳୀୟ ସଭାରେ ଆପଣ କାହିଁକି ଯୋଗ ଦେଲେ ନାହିଁ ବୋଲି ପଚାରିବାରେ ସେ କହିଥିଲେ ଯେ, ମୋର ସେଠାକୁ ଯିବାର ନାହିଁ।

ତେବେ ରଘୁନାଥଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ କଥା ବିଭୂତି କହିବା ପରେ ଏବେ ରଘୁନାଥ ପ୍ରମାଦ ଗଣୁଥିବାର ଜଣାପଡିଛି। ବହୁ ମାସ ଧରି ରଘୁଙ୍କୁ ଚିଲିକା ବିଜେଡି କର୍ମ ଏବଂ ନିର୍ବାଚିତ ସଦସ୍ୟମାନେ ଏକ ଘରକିଆ କରି ରଖିଛନ୍ତି। ବିଭୂତିଙ୍କ ବକ୍ତବ୍ୟ ପରେ ଆଗାମୀ ଦିନରେ ଏହା ଆହୁରି ତୀବ୍ର ହେବ ବୋଲି ଅନୁମାନ କରାଯାଉଛି। ଫଳରେ ବିଜେଡିରେ ରଘୁନାଥଙ୍କ ଭବିଷ୍ୟତ କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।