Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।

ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ଗତବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି, ଜିସିବି ଏବଂ ଗାଡ଼ିରେ ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହରର ଟ୍ରାଫିକ ଏକ ରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା। ଉକ୍ତ ରାଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଥିଲେ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବାଲୁଗାଁରେ ବିଶାଳ ରାଲି, ବିରୋଧୀଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଆଜି ସବୁଜମୟ ହୋଇଯାଇଛି। ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଲା ବାଲୁଗାଁ। ଦୀର୍ଘ ଅଢେଇ ବର୍ଷ ପରେ ଆଜି ଚିଲିକା ନିର୍ବାଚନମଣ୍ଡଳିର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ବାଲୁଗାଁ ଏନଏସିରେ ଏକ ବିଶାଳ ରାଲି କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ କେବଳ ବାଲୁଗାଁ ଏନଏସିର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳା କର୍ମୀମାନେ ଆଜି ସମଗ୍ର ଏନଏସି ପରିକ୍ରମା କରିଥିଲେ। ଉକ୍ତ ବିଶାଳ ଶୋଭାଯାତ୍ରା ବାଲୁଗାଁ ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସମଗ୍ର ଏନଏସିର ୧୧ ଟି ୱାର୍ଡ ଅତିକ୍ରମ କରିଥିଲା।

ଏହି ସମୟରେ ସ୍ଥାନୀୟ ଗାନ୍ଧୀ ଛକରେ କର୍ମୀମାନଙ୍କୁ ଶ୍ରୀ ସାହୁ ସମ୍ବୋଧିତ କରିବା ସହ ଦରଦାମ ବୃଦ୍ଧି ବିରୋଧରେ ବିଜେପିକୁ ଟାର୍ଗେଟ କରିଥିଲେ। ଏବଂ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଶେଷରେ ଉକ୍ତ ଶୋଭାଯାତ୍ରାଟି ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା।

ତେବେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ଚିଲିକା ନିର୍ବାଚନମଣ୍ଡଳିର ଅଢେଇ ଲକ୍ଷ ଭୋଟରଙ୍କ ହୃଦୟରେ ସେ ଅଛନ୍ତି ଏବଂ ରହିଥିବେ ବୋଲି କହିଥିଲେ। କର୍ମୀମାନଙ୍କ ସୁଖ ଦୁଃଖରେ ସଦାବେଳେ ସେ ଅଛନ୍ତି ଓ ରହିବେ। ଆଜି କେବଳ ଏନଏସିର ହଜାର ହଜାର କର୍ମୀଙ୍କୁ ନେଇ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାର ସେ କହିଛନ୍ତି।  ତତସହିତ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିଲିକା ନିର୍ବାଚନମଣ୍ଡଳିରେ ତାଙ୍କ ନେତୃତ୍ୱରେ ପୁଣି ଥରେ ଶଙ୍ଖ ବାଜିବ ବୋଲି ଶ୍ରୀ ସାହୁ କହିଛନ୍ତି।