ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବାଲୁଗାଁରେ ବିଶାଳ ରାଲି, ବିରୋଧୀଙ୍କୁ କଲେ ଟାର୍ଗେଟ

Published: Nov 30, 2021, 4:03 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଆଜି ସବୁଜମୟ ହୋଇଯାଇଛି। ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଲା ବାଲୁଗାଁ। ଦୀର୍ଘ ଅଢେଇ ବର୍ଷ ପରେ ଆଜି ଚିଲିକା ନିର୍ବାଚନମଣ୍ଡଳିର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ବାଲୁଗାଁ ଏନଏସିରେ ଏକ ବିଶାଳ ରାଲି କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ କେବଳ ବାଲୁଗାଁ ଏନଏସିର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଏବଂ ମହିଳା କର୍ମୀମାନେ ଆଜି ସମଗ୍ର ଏନଏସି ପରିକ୍ରମା କରିଥିଲେ। ଉକ୍ତ ବିଶାଳ ଶୋଭାଯାତ୍ରା ବାଲୁଗାଁ ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସମଗ୍ର ଏନଏସିର ୧୧ ଟି ୱାର୍ଡ ଅତିକ୍ରମ କରିଥିଲା।

ଏହି ସମୟରେ ସ୍ଥାନୀୟ ଗାନ୍ଧୀ ଛକରେ କର୍ମୀମାନଙ୍କୁ ଶ୍ରୀ ସାହୁ ସମ୍ବୋଧିତ କରିବା ସହ ଦରଦାମ ବୃଦ୍ଧି ବିରୋଧରେ ବିଜେପିକୁ ଟାର୍ଗେଟ କରିଥିଲେ। ଏବଂ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଶେଷରେ ଉକ୍ତ ଶୋଭାଯାତ୍ରାଟି ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା।

ତେବେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ଚିଲିକା ନିର୍ବାଚନମଣ୍ଡଳିର ଅଢେଇ ଲକ୍ଷ ଭୋଟରଙ୍କ ହୃଦୟରେ ସେ ଅଛନ୍ତି ଏବଂ ରହିଥିବେ ବୋଲି କହିଥିଲେ। କର୍ମୀମାନଙ୍କ ସୁଖ ଦୁଃଖରେ ସଦାବେଳେ ସେ ଅଛନ୍ତି ଓ ରହିବେ। ଆଜି କେବଳ ଏନଏସିର ହଜାର ହଜାର କର୍ମୀଙ୍କୁ ନେଇ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାର ସେ କହିଛନ୍ତି।  ତତସହିତ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିଲିକା ନିର୍ବାଚନମଣ୍ଡଳିରେ ତାଙ୍କ ନେତୃତ୍ୱରେ ପୁଣି ଥରେ ଶଙ୍ଖ ବାଜିବ ବୋଲି ଶ୍ରୀ ସାହୁ କହିଛନ୍ତି।

Related posts