Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ୱର: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ।

ବାଙ୍ଗିରିପୋଷୀ ଘାଟିର ସଂପ୍ରସାରଣ, ଏନଏଚ୍ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍ ଗୁଡିକ ଚିହ୍ନଟ କରି ଖୁବ୍ ଶିଘ୍ର ଡିପିଆର ପ୍ରସ୍ତୁତ କରାଯାଇ ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଝରପୋଖରୀଆର ଅର୍ଦ୍ଧ ନିର୍ମିତ ପୋଲ ଏବଂ ପାଲବଣୀ ଓ ଯୁବଲୀ ପେଟ୍ରୋଲ ପମ୍ପ ନିକଟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ପରିବେଶ ଉପଯୋଗୀ ଗଛ ଯଥା ନିମ୍ବ, ଜାମୁ, ଶାଳ, ପିଆଶାଳ, ଆମ୍ବ ଇତ୍ୟାଦି ଲଗାଇବା ପାଇଁ ଏନଏଚ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ପଶୁପକ୍ଷୀଙ୍କର ଆବଶ୍ୟକତା ପୂରଣ ହୋଇପାରିବ। ଗଛ ବୃଦ୍ଧି ପାଇଁ ଗୋଶାଳାମାନଙ୍କ ଠାରୁ ପ୍ରାକୃତିକ ସାର ଓ ଜୈବିକ ସାର ନେଇ ଗଛଗୁଡିକରେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗୋପାଳପୁର, ଦୀଘା କୋଷ୍ଟାଲ ହାଇୱେର ନୂତନ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ବସ୍ ଷ୍ଟପ ଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଡିସ୍ପ୍ଲେ କରିବା ଏବଂ ସୋଲାର ଅପରେଟେଡ୍ ଲାଇଟିଂ ବ୍ୟବସ୍ଥା ବସ୍ଷ୍ଟପ୍ ଗୁଡିକରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶାରେ ଦୁର୍ଘଟଣାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରି କଳାଦାଗ ଘୋଷଣା କରି ବିହୀତ ପଦକ୍ଷେପ ନେବା ପାଇଁ ଆଦେଶ ଦେଇଥିଲେ। ବହୁଦିନରୁ ବାଙ୍ଗିରିପୋଷି ରାସ୍ତାର ସମ୍ପ୍ରସାରଣରେ ବାଧା ଆସୁଥିବା ପଥରକୁ ଫଟେଇବା ପାଇଁ ବ୍ଲାଷ୍ଟିଂ ଅନୁମତି ଯଥାଶୀଘ୍ର ଜିଲ୍ଲାପାଳ ତଥା ଜଙ୍ଗଲ କର୍ତୃପକ୍ଷଙ୍କ ଠାରୁ ନେବା ପାଇଁ ଏନଏଚଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ(ଇଏମ୍ଆର୍ଏସ) 

ଓଡିଶାରେ ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ ନିର୍ମାଣ କରୁଥିବା ସମସ୍ତ ଭାରତ ସରକାରଙ୍କର ବ୍ୟବସାୟୀଙ୍କ ସଂସ୍ଥା(ପିଏସ୍ୟୁ)ର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଆଜି ପର‌୍ୟ୍ୟନ୍ତ ରାଜ୍ୟ ସରକାର ଜଙ୍ଗଲ ସମସ୍ୟା ଥିବା ଇଏମ୍ଆରଏସ୍ ସ୍ଥାନ ଗୁଡିକ ସମାଧାନ କରି ବିଭାଗକୁ ହସ୍ତାନ୍ତର ନକରୁଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ମୟୂରଭଞ୍ଜ ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ଏକଲବ୍ୟ ବିଦ୍ୟାଳୟକୁ ଶୀଘ୍ର ଶେଷ କରିବା ସହିତ ଓଡ଼ିଶାରେ ନିର୍ମାଣ କରିବାକୁ ଥିବା ୮୭ଟି ଏକଲବ୍ୟ ବିଦ୍ୟାଳୟ ଗୁଡିକର ପୂର୍ବ ନିର୍ମାଣ ପ୍ରସ୍ତୁତି ଶେଷ କରି ଭୂମିପୂଜନ ସାରିବା ପାଇଁ ପିଏସୟୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଳିଅଣାଠାରେ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲର ଶୁଭ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା ଆସନ୍ତା ନଭେମ୍ବର ୨୦ତାରିଖରେ କରାଯିବାକୁ ସ୍ଥିରିକୃତ ହୋଇଛି। ସମସ୍ତ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲ ନିର୍ମାଣ ଶେଷ ହୋଇ କାର‌୍ୟ୍ୟକ୍ଷମ ହେଲେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେବା ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

ଶେଷରେ ମନ୍ତ୍ରୀ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀଙ୍କ ସହିତ ଓଡ଼ିଶାର ଜଳ ସମସ୍ୟା ଉପରେ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଇଫେଡ କମିଶନର ଓ ତାଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବନଧନ ବିକାଶ କେନ୍ଦ୍ରର କିପରି ବିକାଶ ହେବ ଓ ଆଦି ମହୋତ୍ସବ ବିଷୟରେ ମାନନୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପାଇଁ ଦୁଇ ରାଜନୈତିକ ଦଳର ବଳକଷା

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ରାଜନୀତି ଆଦିବାସୀ ବହୁଳ ମତାଦାତାଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛି। ତେଣୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଲୋକପ୍ରିୟ ଆଦିବାସୀ ନେତାଙ୍କୁ ନେଇ ନିଜର ଗୋଟି ଚାଳନା କରିଥାନ୍ତି। ଏହି କ୍ରମରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟା ଇତିଶ୍ରୀ ମୁର୍ମୁଙ୍କୁ ନେଇ ଜିଲ୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଛି।

ଜିଲ୍ଲାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ପରେ ତାଙ୍କ ପରିବାର ସଦସ୍ୟ କହିଲେ ଝିଅ ଇତିଶ୍ରୀ ଏବେ ରାଜନୈତିକ ଦଳଗୁଡ଼ିକର ପ୍ରଥମ ପସନ୍ଦ ହୋଇଛନ୍ତି। କାରଣ ଇତିଶ୍ରୀ ଉଚ୍ଚ ଶିକ୍ଷିତା ହୋଇଥିବାରୁ ସେ ଲୋକମାନଙ୍କର ସମସ୍ୟାକୁ ତାଙ୍କ ମା’ଙ୍କ ଭଳି ପ୍ରାଥମିକତା ଦେଇ ସମାଧାନ କରିପାରିବେ ବୋଲି ମତଦାତା ତଥା ରାଜନୈତିକଦଳଗୁଡ଼ିକର ନେତୃମଣ୍ଡଳୀ ବିଶ୍ୱାସ କରୁଛନ୍ତି।

ମୟୁରଭଞ୍ଜ ଲୋକସଭା ଆସନ ଶାସକ ବିଜେଡି ପାଇଁ କେବେବି ସହଜ ହୋଇନାହିଁ । ଗତ ନିର୍ବାଚନରେ ଏଠାରୁ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ବିଜେଡି ପ୍ରାର୍ଥୀଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ମୟୁରଭଞ୍ଜ ଲୋକସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ପକ୍ଷରୁ ଇତିଶ୍ରୀଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଇତିଶ୍ରୀ ବିଜେଡି ପଟକୁ ଢଳିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ଅପର ପକ୍ଷରେ ବିଜେପିରେ ମୁର୍ମୁଙ୍କ ପରିବାର ରାଜନୀତି ଆରମ୍ଭ କରିଛନ୍ତି। ଇତିଶ୍ରୀଙ୍କ ମା’ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିରୁ ତାଙ୍କ ରାଜନୈତିକ ଯାତ୍ରା କରିଥିଲେ।ସେ ବିଜେପିରୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାମ କରି ବହୁ ସୁନାମ ଅର୍ଜନ କରିଛନ୍ତି।

ଏହାପରେ ମୋଦି ସରକାରଙ୍କୁ ତାଙ୍କୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ କରି ଦେଶର ଆଦିବାସୀ ମତଦାତାମାନଙ୍କୁ ନିଜ ପଟକୁ ଆଣିବାର ପ୍ରୟାସ କରିଛନ୍ତି। ଯେହେତୁ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଜୀବନ ବିଜେପିରେ କଟିଛି ତେଣୁ ତାଙ୍କ ଝିଅ ବିଜେପି ସହିତ ରହିବାରେ କୌଣସି ଅସୁବିଧା ହେବା ନାହିଁ।

ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ବିଜେପିରୁ ପ୍ରାର୍ଥୀ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତା ଚିନ୍ତା କରୁଥିବାର ଜଣାପଡିଛି। ଇତିଶ୍ରୀ ସେଠାରୁ ପ୍ରାର୍ଥି ହେଲେ ଦଳ ସାଂସଦ ପଦ ଫେରିପାଇବା ସହିତ ବିଧାୟକ ଆସନଗୁଡିକରେ ମଧ୍ୟ ସେ ବେଶ ପ୍ରଭାବ ପକାଇ ପାରିବେ।

ତେବେ ଏ ନେଇ ଉଭୟ ଇତିଶ୍ରୀ ଏବଂ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଜୋରଦାର ଆଲୋଚନା ଚାଲିଛି। ତେବେ ଇତିଶ୍ରୀ ଲୋକସଭା ପ୍ରାର୍ଥୀ ହେଲେ ବିଶେଶ୍ବର ଟୁଡୁଙ୍କୁ ବିଧାୟକ ପ୍ରାର୍ଥୀ ପ୍ରାର୍ଥୀ କରାଯିବ ବୋଲି ମୟୁରଭଂଜରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଲ୍ଲୀରେ ପହଞ୍ଚିଲା ଧାମନଗର ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ବିଧି ଉଲ୍ଲଘଂନ ପ୍ରସଂଗ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ପ୍ରସଂଗ ପହଁଚିଛି ଦିଲ୍ଲୀ ଦରବାରରେ। ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରତିଶୃତି ଦେଇଛନ୍ତି ତାହାକୁ ବିରୋଧ କରାଯାଇଛି।

ଅଭିଯୋଗରେ କୁହାଯାଇଛି ଯେ, ଗତକାଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ସେ ଭୋଟରମାନଙ୍କୁ ବୈତରଣୀ ବନ୍ୟା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ପରେ ଏହାର ସମାଧାନ କରାଯିବ। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ବୋଲି ବିଜେଡି କହିଛି। ତୁରନ୍ତ ନିର୍ବାଚନ କମିଶନର ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି କହିଛି।

ନୂଆଦିଲ୍ଲୀରେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ଏହି ଅଭିଯୋଗ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆସିବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ମନ୍ତ୍ରୀ ହେବା ପରେ ଏହା ହେଉଛି ପ୍ରଥମ ଓଡିଶା ଗସ୍ତ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ଟୁଡୁ ଅସୁସ୍ଥତା କାରଣରୁ ଓଡିଶା ଆସି ପାରି ନ ଥିଲେ । ଆରୋଗ୍ୟ ଲାଭ କରି ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆସନ୍ତା କାଲି ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।

ମନ୍ତ୍ରୀ ପଦ ଦାୟୀତ୍ୱ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ୱର, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ବାରିପଦା, ରାଇରଂଗପୁର ସାଂଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ଏବଂ ସାମାଜିକ ଅନୁଷ୍ଠାନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଭୂବନେଶ୍ୱର ପହଂଚିବା ପରେ ସେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଏହାପରେ ସେ ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ପୁରୀ କାର୍ଯ୍ୟକ୍ରମ ସରିବା ପରେ ସେ ଭୂବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହାପରେ ସେ ୭ ତାରିଖ ଦିନ ଭୂବନେଶ୍ୱରରୁ ବାହାରି ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !

ଭୁବନେଶ୍ବର, ନିକଟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଉଛି। କାରଣ ଏଥର ଓଡିଶାର ତିନିଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା, ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ଅନ୍ୟତମ କାରଣ। ସେଥିପାଇଁ ଦଳମତ ନିର୍ବିଶେଷରେ ଏହି ତିନିଜଣଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଟୁଇଟରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା କାହାକୁ ବି ସ୍ବାଗତ କରି ନାହାଁନ୍ତି। ନା ଧର୍ମେନ୍ଦ୍ର, ନା ଅଶ୍ବିନୀ କିମ୍ବା ନା ବିଶେଶ୍ବର।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡିଶାର ଏହି ତିନି ଜଣ ମନ୍ତ୍ରୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସହିତ ବିଜେଡିର କେତେକ ନେତା ମଧ୍ୟ ସ୍ବାଗତ କରିଛନ୍ତି। ବିଜେପି ଦଳର ପ୍ରାୟ ସମସ୍ତ ନେତା ମଧ୍ୟ ଏହି ତିନିଜଣଙ୍କୁ ସ୍ବାଗତ କରିଛନ୍ତି। ହେଲେ ବୈଜୟନ୍ତ ପଣ୍ଡା ପୁରା ନିରବକୁ ନେଇ ଦଳ ଭିତରେ ଚାଲିଛି ଆଲୋଚନା।

ରାଜ୍ୟ ବିଜେପିର ଜଣେ ଟାଣୁଆ ନେତାଙ୍କ କହିବା କଥା ଯେ, ବୈଜୟନ୍ତ ଏଥର କୁଆାଡେ ମନ୍ତ୍ରୀ ହେବେ ବୋଲି ବେଶ୍ ଚେଷ୍ଠା କରିଥିଲେ। ଏପରିକି ବହୁ ଜାତୀୟ ଟିଭି ଚ୍ୟାନେଲରେ ସେ ମନ୍ତ୍ରୀ ହେଉଛନ୍ତି ବୋଲି ପ୍ରଚାର ମଧ୍ୟ କରାଇଥିଲେ। ସେତେବେଳେ କେତେକ ଚ୍ୟାନେଲ ଏପରି ପ୍ରଚାର କଲେ ଯେ, ଲାଗିଲା ବୈଜୟନ୍ତ ମନ୍ତ୍ରୀ ହୋଇସାରିଛନ୍ତି।  ହେଲେ ମୋଦି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ ନାହିଁ। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଗଲା।

ଏହାକୁ ନେଇ ବୈଜୟନ୍ତ କୁଆଡେ ଭାରି ଖପ୍ପା। ତାଙ୍କୁ ନ ନେଲେ ନାହିଁ, ଧର୍ମେନ୍ଦ୍ରଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ନେଇ ତାଙ୍କୁ ଆହୁରି ବାଧିଛି। ସେଥିପାଇଁ ଧର୍ମେନ୍ଦ୍ରଙ୍କ ପାଇଁ ବୈଜୟନ୍ତ କାହାକୁ ହେଲେ ଶୁଭେଚ୍ଛା ଜଣାଇଲେ ନାହିଁ। ନୂଆ ମନ୍ତ୍ରୀମଣ୍ଡଳ ଦିନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକରେ ବୈଜୟନ୍ତ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ହେଲେ ସଂଧ୍ୟାରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସେ ଚୁପ ରହିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କୁ ବୈଜୟନ୍ତ ସ୍ବାଗତ ନ କରିବାର ପଛରେ ଆଉ ଏକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି। ତାହା ହେଲା ଆସାମ ନିର୍ବାଚନରେ ବିଜେପିର ସଫଳତା ନେଇ  ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ମୋଦିସାହାଙ୍କଠାରୁ ଆରମ୍ଭ କରି ଆସାମର ତଳ ସ୍ତର ନେତାଙ୍କୁ ଧନ୍ୟବାଦ ଦେଲେ। ହେଲେ ଆସାମ ପ୍ରଭାରୀ ବୈଜୟନ୍ତ ନାମ ସେଥିରେ ନ ଥିଲା। ସେଥିପାଇଁ ବିଜେପି ଭିତରେ କୁହାକୁହି ହେଉଛନ୍ତି ଯେ, ‘ଆସାମ ନିର୍ବାଚନରେ ମୋତେ ଧନ୍ୟବାଦ ଦେଇ ନ ଥିଲ, ତମେ ମନ୍ତ୍ରୀ ହେଲେ ମୁଁ କାହିଁକି ଶୁଭେଚ୍ଛା ଜଣାଇବି।’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶେଶ୍ବର ଟୁଡୁଙ୍କୁ ଆଦିବାସୀ ବ୍ୟାପର ସହିତ ଜଳଶକ୍ତି, ମନସୁଖ ହେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ, ଓଡିଶାର ସାଂସଦ ବିଶେଶ୍ବର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ସହିତ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ସେ ମୟୁରଭଂଜ ଜିଲ୍ଲାରୁ ବିଜେପି ସାଂସଦ ଅଛନ୍ତି। ସେ ଜଣେ ଆଦିବାସୀ ନେତା ଭାବେ ବେଶ୍ ଜଣାଶୁଣା। ସେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚାର ନ ଥିଲେ। ହେଲେ ଆଦିବାସୀଙ୍କ କାର୍ଡ ଖେଳିବା ପାଇଁ ତାଙ୍କୁ ମନ୍ତ୍ରୀ କରାଯାଇଛି।

ସେହିପରି ମନସୁଖ ମାଣ୍ଡଭିୟଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ କରାଯାଇଛି। ଏହି ଦାୟିତ୍ବରେ ଥିଲେ ଡ ହର୍ଷବର୍ଦ୍ଧନ। ତାଙ୍କୁ ବାହାର କରାଯାଇ ମନସୁଖଙ୍କୁ ଦିଆଯାଇଛି। ମନସୁଖ ହେଉଛନ୍ତି ଗୁଜୁରାଟର ସାଂସଦ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ସାଂସଦ ବିଶେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ନେଲେ ଶପଥ

ନୂଆଦିଲ୍ଲୀ, ଆଜି ରାଷ୍ଟ୍ରପତି ଭବନରେ ଓଡିଶା ମୟୁରଭଂଜର ସାଂସଦ ବିଶେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପ୍ରଥମ ଥର ପାଇଁ ବିଜେପିରୁ ସାଂସଦକୁ ନିର୍ବାଚିତ ହୋଇ ଯାଇଛନ୍ତି। ସେ ନାଲକୋର ଜଣେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଛନ୍ତି। ବିଶେଶ୍ବରଙ୍କୁ ମିଶାଇ ବର୍ତ୍ତମାନ କେନ୍ଦ୍ରରେ ଓଡିଶାର 3 ଜଣ ମନ୍ତ୍ରୀ ହେଲେ। କ୍ୟାବିନେଟ ମନ୍ତ୍ରୀ ଭାବେ ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବ ଶପଥ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥିତି, ବାହାରିଲେ ଜଣେ ପଶିଲେ ଦୁଇଜଣ

ଭୁବନେଶ୍ବର, ଆଉ ଅଳ୍ପ ସମୟ ପରେ ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ। ଏ ନେଇ ସାରା ଦେଶର ରାଜନୀତି ସରଗରମ ହୋଇ ଉଠିଛି। ତେବେ ଓଡିଶାରେ ବର୍ତ୍ତମାନ ଦୁଇ ଜଣ ସ୍ଥାନ ପାଉଛନ୍ତି। ଏହି ଦୁଇ ଜଣ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଯାଇ ଚାପାନ ରେ ଯୋଗଦେଇଛନ୍ତି। ସେହି ଦୁଇ ଜଣ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଏବଂ ମୟୁରଭଂଜ ସାଂସଦ ବିଶେଶ୍ବର ଟୁଡୁ।

ପୂର୍ବରୁ ଓଡିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ। ଏହି ଦୁଇଜଣଙ୍କ ମଧ୍ୟରୁ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଛନ୍ତି। ହେଲେ ତାଙ୍କ ବଦଳରେ ମିଳିଛି ଦୁଇଟି ମନ୍ତ୍ରୀ ପଦ। ସେଥିରେ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ଅଛି।

ବର୍ତ୍ତମାନ ବାହାରିଥିବା ତାଲିକା ଅନୁସାରେ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ବିଶେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ। ଏହି ଦୁଇଜଣ ଶପଥ ନେବା ପରେ ଓଡିଶାର ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ଜଣେ ରାଷ୍ଟ୍ରମନ୍ତ୍ରୀ ମୋଦି ମନ୍ତ୍ରୀ ମଣ୍ଡଳରେ ସାମିଲି ହେବେ।

ମୟୁରଭଂଜ ସାଂସଦ ବିଶେଶ୍ବର ଟୁଡୁ ହେଉଛନ୍ତି ଜଣେ ଆଦିବାସୀ ନେତା। ଏଥିସହିତ ବିଶେଶ୍ବର ଟୁଡୁ ହେଉଛନ୍ତି ଆରଏସଆସର ଜଣେ ପ୍ରଚଣ୍ଡ ସମର୍ଥକ। ସେ ଏହି ସଂସ୍ଥାର ଜାତୀୟ ସ୍ତରର ଜଣେ ଟାଣୁଆ ନେତା ଭାବେ ପରିଚିତ।

ସେହିପରି ଅଶ୍ବିନୀ ବୈଷ୍ଣବ ହେଉଛନ୍ତି ଓଡିଶା କ୍ୟାଡରର ଜଣେ ପୂର୍ବତ୍ତନ ଆଇଏଏସ। ଘର ତାଙ୍କର ରାଜସ୍ଥାନ । ସେ ଓଡିଶାରୁ ବିଜେପି ପ୍ରାଥୀ ଏବଂ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଛନ୍ତି।