ଆସିବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ମନ୍ତ୍ରୀ ହେବା ପରେ ଏହା ହେଉଛି ପ୍ରଥମ ଓଡିଶା ଗସ୍ତ

Published: Sep 5, 2021, 6:29 pm IST

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ଟୁଡୁ ଅସୁସ୍ଥତା କାରଣରୁ ଓଡିଶା ଆସି ପାରି ନ ଥିଲେ । ଆରୋଗ୍ୟ ଲାଭ କରି ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆସନ୍ତା କାଲି ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।

ମନ୍ତ୍ରୀ ପଦ ଦାୟୀତ୍ୱ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ୱର, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ବାରିପଦା, ରାଇରଂଗପୁର ସାଂଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ଏବଂ ସାମାଜିକ ଅନୁଷ୍ଠାନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଭୂବନେଶ୍ୱର ପହଂଚିବା ପରେ ସେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଏହାପରେ ସେ ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ପୁରୀ କାର୍ଯ୍ୟକ୍ରମ ସରିବା ପରେ ସେ ଭୂବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହାପରେ ସେ ୭ ତାରିଖ ଦିନ ଭୂବନେଶ୍ୱରରୁ ବାହାରି ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Related posts