Categories
Hockey Worldcup23 ଖେଳ ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ସ୍ତରରେ ହକି ସହ ଅନ୍ୟ କ୍ରୀଡା ପ୍ରତିଯୋଗୀତା କରିବାକୁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ଜାନୁୟାରୀ ୧୩ ତାରିଖଠାରୁ ୨୯ତାରିଖ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହେଉଛି। ସେଥିପାଇଁ ବିଭିନ୍ନ ମହଲରେ ହକି ତଥା ଅନ୍ୟାନ୍ୟ ଖେଳକୁଦ ସମ୍ପର୍କରେ ସଚେତନତା ତଥା ଉତ୍ସାହ ସୃଷ୍ଟି କରିବା ନିମନ୍ତେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ।

ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଚଳିତ ଡିସେମ୍ବର ୮ ତାରିଖଠାରୁ ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ୨୦୨୩ ମସିହା ଜାନୁୟାରୀ ୧୦ ତାରିଖରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଉପକ୍ରମରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତା ନିମନ୍ତେ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳାୟ, ଭୁବନେଶ୍ୱର ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।

ବ୍ଲକ ସ୍ତରରେ ପ୍ରତିଯୋଗୀତା ନିମନ୍ତେ ପ୍ରତି ବ୍ଲକ ପିଛା ୫୪ ହଜାର ଟଙ୍କା ହିସାବରେ ମୋଟ ୧ କୋଟି ୬୯ ଲକ୍ଷ ୫୬ ହଜାର ଟଙ୍କା ଓ ଜିଲ୍ଲା ସ୍ତରରେ ପ୍ରତିଯୋଗୀତା ନିମନ୍ତେ ୫୭ ଲକ୍ଷ ୫୯ ହଜାର ୭୮୦ ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ପ୍ରତିଯୋଗିତା ନିମନ୍ତେ ପ୍ରତିଯୋଗୀମାନେ ଆସିବା ପାଇଁ ୮୯ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ହକିର ବହୁଳ ପ୍ରଚାରପ୍ରସାର ପ୍ରଥା ତୃଣମୂଳ ସ୍ତରରେ ସଚେତନତା ପାଇଁ, ଚଳିତ ବର୍ଷ ଉପରୋକ୍ତ ବ୍ଲକ ତଥା ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ହକି ଏବଂ ହକି ସହିତ ଜଡିତ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଉଛି । କ୍ରୀଡା ଏବଂ ଯୁବ ବ୍ୟପାର ବିଭାଗ ତଥା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାଜିଲା ବିଶ୍ବ କପ ହକି ମହାସମର ବିଗୁଲ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖେଳସୂଚୀ, ପୁଲ-ଡି ରେ ଆୟୋଜକ ଭାରତ

ଭୁବନେଶ୍ବର: ଆଜି ବାଜିଛି ବିଶ୍ବ କପ ହକି ମହାସମରର ବିଗୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଏହି ମହାସମରର ଘୋଷଣା କରିଛନ୍ତି।ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ  ଖେଳସୂଚୀ ଘୋଷଣା କରାଯାଇଛି। ୨୦୨୩ରେ ହେବାକୁ ଥିବା ଏହି ମହାସମରରେ ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ।

ତେବେ ପୁଲ୍-ଡିରେ ଭାରତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଛନ୍ତି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ସେହି ଘୋଷଣା ଅନୁଯାୟୀ ଯେଉଁ ଦେଶ ରହିଛି ତାହା ହେଲା..

ପୁଲ୍-ଏ:  ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି

ପୁଲ୍-ବି: ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି।

ପୁଲ୍-ସି: ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି

ପୁଲ-ଡି: ଭାରତ, ଇଂଲଣ୍ଡ, ସ୍ପେନ, ୱାଲସ ସ୍ଥାନ ପାଇଛନ୍ତି

୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ ଓ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ,  ବିଶ୍ୱର ଶ୍ରେଷ୍ଠ ହକି ଦଳ ଏବଂ ଖେଳାଳିଙ୍କୁ ସ୍ୱାଗତ କରି ଆମେ ସର୍ବଦା ଗର୍ବିତ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନେକ ଚମତ୍କାର କ୍ରୀଡା କାହାଣୀ ଲେଖା ହୋଇସାରିଛି। ଏପରି କ୍ଷେତ୍ରରେ ବର୍ତ୍ତମାନ ବିଶ୍ୱକୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ  ଆମନ୍ତ୍ରଣ କରୁଛୁ। ଏହି ନୂତନ ଷ୍ଟାଡିୟମ୍ ହକି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ।

ଆୟୋଜିତ କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, “ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ। ଓଡିଶା ଦ୍ଵିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରୁଛି, ଯାହା ଗର୍ବର ବିଷୟ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କୁରେସୀ କହିଛନ୍ତି ଯେ,ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ।” ଏହାସହ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, “ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ।

ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍ଆଇଏଚ୍) କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, ହକି ପ୍ରମୋସନ କାଉନସିଲ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ସଚିବ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।