ସ୍କୁଲ ସ୍ତରରେ ହକି ସହ ଅନ୍ୟ କ୍ରୀଡା ପ୍ରତିଯୋଗୀତା କରିବାକୁ ଦିଆଗଲା ନିର୍ଦ୍ଦେଶ

Published: Dec 8, 2022, 7:28 am IST
Hockey

ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ଜାନୁୟାରୀ ୧୩ ତାରିଖଠାରୁ ୨୯ତାରିଖ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହେଉଛି। ସେଥିପାଇଁ ବିଭିନ୍ନ ମହଲରେ ହକି ତଥା ଅନ୍ୟାନ୍ୟ ଖେଳକୁଦ ସମ୍ପର୍କରେ ସଚେତନତା ତଥା ଉତ୍ସାହ ସୃଷ୍ଟି କରିବା ନିମନ୍ତେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ।

ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଚଳିତ ଡିସେମ୍ବର ୮ ତାରିଖଠାରୁ ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ୨୦୨୩ ମସିହା ଜାନୁୟାରୀ ୧୦ ତାରିଖରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଉପକ୍ରମରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତା ନିମନ୍ତେ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳାୟ, ଭୁବନେଶ୍ୱର ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।

ବ୍ଲକ ସ୍ତରରେ ପ୍ରତିଯୋଗୀତା ନିମନ୍ତେ ପ୍ରତି ବ୍ଲକ ପିଛା ୫୪ ହଜାର ଟଙ୍କା ହିସାବରେ ମୋଟ ୧ କୋଟି ୬୯ ଲକ୍ଷ ୫୬ ହଜାର ଟଙ୍କା ଓ ଜିଲ୍ଲା ସ୍ତରରେ ପ୍ରତିଯୋଗୀତା ନିମନ୍ତେ ୫୭ ଲକ୍ଷ ୫୯ ହଜାର ୭୮୦ ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ପ୍ରତିଯୋଗିତା ନିମନ୍ତେ ପ୍ରତିଯୋଗୀମାନେ ଆସିବା ପାଇଁ ୮୯ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ହକିର ବହୁଳ ପ୍ରଚାରପ୍ରସାର ପ୍ରଥା ତୃଣମୂଳ ସ୍ତରରେ ସଚେତନତା ପାଇଁ, ଚଳିତ ବର୍ଷ ଉପରୋକ୍ତ ବ୍ଲକ ତଥା ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ହକି ଏବଂ ହକି ସହିତ ଜଡିତ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଉଛି । କ୍ରୀଡା ଏବଂ ଯୁବ ବ୍ୟପାର ବିଭାଗ ତଥା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।

Related posts