Categories
ଆଜିର ଖବର ରାଜ୍ୟ ଖବର

ଏମ୍‌ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ ହେଉଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏମ୍‌ସ ଏହି ସମ୍ମାନଜନକ ପୁରସ୍କାର ପାଇଛି। ହସ୍ପିଟାଲର ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗ (ସିଏସ୍‌ଏସ୍‌ଡି) ରେ ବିଭିନ୍ନ ଯନ୍ତ୍ର ଏବଂ ପ୍ରତିରୋପଣର ପୁନଃପ୍ରକ୍ରିୟାକରଣ ପାଇଁ ସର୍ବୋଚ୍ଚ ମାନ ନିର୍ଧାରଣ ଏବଂ ତଦାରଖ କରିବାର ପ୍ରକ୍ରିୟା ସ୍ବରୂପ ଏହି ଚୟନ କରାଯାଇଥିଲା।

ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ସମଗ୍ର ଏସିଆରୁ ଅଠେଇଶ ସୁପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ। ମାତ୍ର ଏମ୍‌ସ ଭୁବନେଶ୍ୱର ସର୍ବୋତ୍ତମ ଡାକ୍ତରଖାନା ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ସମଗ୍ର ଭାରତରୁ ଏମ୍‌ସ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଛି।

ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ, ଓଟି କମିଟି ଅଧ୍ୟକ୍ଷ, ଡିନ୍ ଅଧ୍ୟାପକ, ଅଧ୍ୟାପିକା, ସିଏସ୍ଏସ୍‌ଡିର କର୍ମଚାରୀ, ବିଭିନ୍ନ ଓଟିର ନର୍ସିଂ ଇନ୍ ଚାର୍ଜ ଏବଂ ସଂକ୍ରମଣ ନିୟନ୍ତ୍ରଣ କମିଟିର ସଦସ୍ୟମାନେ ମିଳିତ ଭାବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଫେସର ସେଟୋ ୱିଙ୍ଗ୍‌ ହଙ୍ଗ୍‌, ପାଟ୍ରିସିଆ ସିଙ୍ଗ୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱରର ସିଏସ୍‌ଏସ୍‌ଡି ୟୁନିଟ୍‌ରେ ଦୈନିକ ପ୍ରାୟ ୨୫ଶହ ପ୍ୟାକେଟ୍ ପ୍ରକ୍ରିୟାକରଣ କରାଯାଇଥାଏ। ଏମ୍‌ସର ଏହି ସିଏସ୍‌ଏସ୍‌ଡି ୟୁନିଟ୍ ହେଉଛି ଖ୍ୟାତିସମ୍ପନ୍ନ କାହୋ ସ୍ୱୀକୃତିପ୍ରାପ୍ତ। ବିଧିସମ୍ମତ ବୈଜ୍ଞାନିକ ପଦ୍ଧତିର ଉପଯୋଗ ପୂର୍ବକ ଏଠାରେ ପ୍ରକ୍ରିୟାକରଣ କରାଯାଇଥାଏ। ଯାହାକି ରୋଗୀସେବା ନିରାପତ୍ତାକୁ ସୁନିଶ୍ଚିତ କରିଥାଏ। ସର୍ଜିକାଲ୍ ନିରାପତ୍ତା ଏବଂ ହସ୍ପିଟାଲରେ ପ୍ରାପ୍ତ ସଂକ୍ରମଣ ନିରାକରଣରେ ସିଏସ୍‌ଏସ୍‌ଡି ୟୁନିଟ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରୋଗୀସେବା ନିରାପତ୍ତାର ମାନ ବଜାୟ ରଖିବା ପାଇଁ ଏହି ପୁରସ୍କାର ନିଶ୍ଚିତ ଭାବରେ ଆମକୁ ଉତ୍ସାହିତ କରିବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର କୋଭିଡ୍‌ ପରିଚାଳନାକୁ ପ୍ରଶଂସା କଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଡକ୍ୟୁମେଣ୍ଟସନ ପାଇଁ ପରାମର୍ଶ

ଭୁବନେଶ୍ୱର:  ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ କୋଭିଡ୍‌-୧୯ର ପରିଚାଳନା ସଂପର୍କରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଯୋଗଦେଇ କହିଲେ ଯେ ଓଡ଼ିଶା କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ଓ ଦୃଷ୍ଟି ଆକର୍ଷଣ କରିପାରିଛି । ତେବେ ଏ କ୍ଷେତ୍ରରେ ଡକୁମେଣ୍ଟେସନ୍‌ର ଆବଶ୍ୟକତା ରହିଛି । ସବୁଜିନିଷକୁ ସଠିକ୍‌ ଭାବେ ଡକୁମେଣ୍ଟେସନ୍‌ କରିପାରିଲେ ଅନ୍ୟମାନେ ତାକୁ ଅନୁସରଣ କରିପାରିବେ ।

ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କର ବାଲେଶ୍ୱର ଜିଲ୍ଲା ଗସ୍ତ ସଂପର୍କରେ ଅନୁଭୂତି ବର୍ଣ୍ଣନା କରିବା ସହ ଜିଲ୍ଲାରେ କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟ ହୋଇଥିବା କଥା ଉଲ୍ଲେଖ କରିଥିଲେ ।

ବାଲେଶ୍ୱର ଜିଲ୍ଲାରେ ଥିବା ଅକଜୁଲାରୀ ସ୍ୱାସ୍ଥ୍ୟ କେନ୍ଦ୍ର (ଏଏଚ୍‌ଏଫ୍‌)ଗୁଡ଼ିକରେ କୋଭିଡ୍‌-୧୯ ପରିଚାଳନା ବ୍ୟତୀତ ଏବେ ଟିକାଦାନ, ସ୍ୱାସ୍ଥ୍ୟସେବା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର ଓ ଆବଶ୍ୟକ ସ୍ଥଳେ ଆଶ୍ରୟ କେନ୍ଦ୍ର ଇତ୍ୟାଦି ପରିଚାଳନା କରାଯାଇପାରୁଛି । ଏହି କେନ୍ଦ୍ରଗୁଡ଼ିକ ବହୁମୁଖୀ ସେବା ପ୍ରଦାନରେ ସହାୟକ ହୋଇପାରୁଛି ।

ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟସେବା ପରିଚାଳନା ସଂପର୍କରେ ମଧ୍ୟ ଏହି ଅବସରରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡା. ନିହାର ରଞ୍ଜନ ରାୟ, ଡା. ସୌରଭ ଓ ଡା. ମନୀଷ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଜିତ କୁମାର ମହାନ୍ତି ଓ ଡା. ଦିନବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।