ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଏକ ଜୋତା କାରଖାନାରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ମଙ୍ଗୋଲପୁରୀ ଶିଳ୍ପାଞ୍ଚଳରେ ଥିବା ଏହି କାରଖାନାରେ ଅଗ୍ନିକାଣ୍ଡ ଘଟିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନିଆଁ ସହ ଘନ ଧୂଆଁ ବ୍ୟାପିଯିବାରୁ ଅନେକ ଶ୍ରମିକ ଅଚେତ ହୋଇପଡ଼ିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ଲୋକଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟା ୩୦ ମିନିଟ୍ରେ କାରଖାନାରେ ନିଆଁ ଲାଗିଥିବା ଖବର ମିଳିଥିଲା। ତୁରନ୍ତ ଦମକଳ ବାହିନୀ ପହଞ୍ଚି ବେସମେଣ୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଏହାର ଘନ ଧୂଆଁ ଉପର ଚାରିଟି ମହଲାକୁ ବ୍ୟାପିଯାଇଥିଲା। ଫଳରେ କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା। ବିଶେଷ କରି ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସ୍ୱତନ୍ତ୍ର ଅଭିଯାନ ଚାଲିଥିଲା।
ପୁଲିସର ସୂଚନା ଅନୁସାରେ, ୬ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଧୂଆଁ ଯୋଗୁଁ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି। ଆହତଙ୍କ ଚିକିତ୍ସା ଜାରି ରହିଛି। ତେବେ ଅଗ୍ନିକାଣ୍ଡ ସମୟରେ କାରଖାନାରେ ମୋଟ କେତେ ଜଣ ଶ୍ରମିକ ଉପସ୍ଥିତ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏହି ଘଟଣାକୁ ନେଇ ଡିସିପି ବିକ୍ରମ ସିଂହ କହିଛନ୍ତି ଯେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କାରଖାନା ମାଲିକଙ୍କୁ ଘଟଣାସ୍ଥଳକୁ ଡକାଯାଇଛି। ଏଥିସହ ଠିକାଦାର ଓ କାରଖାନାର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। କାରଖାନାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ନିଆଁ କିପରି ଲାଗିଲା ଏବଂ ଘଟଣା ସମୟରେ କେତେ ଶ୍ରମିକ ଭିତରେ ଥିଲେ, ସେନେଇ ତଦନ୍ତ ଚାଲିଛି।
ଅନ୍ୟପଟେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ କାରଖାନା ଭିତରେ ଆଉ କେହି ଫସି ରହିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ତଲାସୀ ଅଭିଯାନ ଚାଲିଥିଲା। ଏହି ଅଗ୍ନିକାଣ୍ଡ ପୁଣିଥରେ ଶିଳ୍ପାଞ୍ଚଳରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଓ ଶ୍ରମିକଙ୍କ ଜୀବନ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି।


