Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରହିବ ସ୍ୱତନ୍ତ୍ର ଷ୍ଟାର୍ଟଅପ୍‌ ନୀତି

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଗବେଷଣାଜନିତ ଉପଲବ୍ଧ ଜ୍ଞାନକୁ କିଭଳି ବଜାର ଉପଯୋଗୀ କରାଯାଇପାରିବ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷକମାନେ ଅତି ଉଚ୍ଚକୋଟୀର ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିଆସୁଛନ୍ତି । କିନ୍ତୁ ଏହି ଜ୍ଞାନର ବ୍ୟବହାରିକତା ନିମନ୍ତେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ତ୍ୱରାନ୍ୱିତ କରିବା ସହ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାରେ ସହାୟକ ହେବ।

ଏଥି ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। କେଉଁ କେଉଁ ସୋପାନ ଦେଇ ଗଲେ ସେମାନେ ଇନ୍‌କୁ୍ୟବେସନ୍‌ ସେଣ୍ଟରର ସହାୟତାରେ ସେମାନଙ୍କର ଉପଲବ୍ଧ ଜ୍ଞାନକୌଶଳ ପ୍ରୟୋଗ କରି ଏହାକୁ ବଜାର ଉପଯୋଗୀ କରିପାରିବେ, ସେଥିପାଇଁ ଅଧ୍ୟାପନା ମଣ୍ଡଳୀ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଚିଠା ‘ଷ୍ଟାର୍ଟଅପ୍‌ ପଲିସି’ ପ୍ରସ୍ତୁତ କରାଯିବା ଉପରେ ମଧ୍ୟ ବିଷଦ ଆଲୋଚନା ହୋଇଥିଲା।

ଷ୍ଟାର୍ଟଅପ୍‌ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍‌କାର ରାଏ ଏବଂ ଫ୍ରଷ୍ଟ ଓ ସୁଲିଭାନ୍‌ର ଏକ୍‌ଜିକୁଟିଭ୍‌ ବୋର୍ଡ ସଦସ୍ୟ ଡ. ସୁଧାଂଶୁ ଦାଶ ଏ ଦିଗରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଏବଂ ପରବର୍ତ୍ତୀ ଆଲୋଚନା ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ରହି ଓଡ଼ିଶାରେ ଉଚ୍ଚଶିକ୍ଷାରେ ଗବେଷଣାର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରିଥିଲେ।

ଏଥିରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତି ଏବଂ ଉଚ୍ଚଶିକ୍ଷା ବିଭାଗ ଓ ପରିଷଦର ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବୀରେନ୍ଦ୍ର କୋରକୋରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ୱବିଦ୍ୟାଳୟରେ ଦିଆଯିବ ଦକ୍ଷତା ବିକାଶ ଶିକ୍ଷା, ଅଷ୍ଟ୍ରେଲିଆ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରାଯିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି। ଏଥି ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ର୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମିନିଷ୍ଟର କାଉନ୍‌ସିଲ୍‌ର (ଶିକ୍ଷା ଓ ଗବେଷଣା) ଅଷ୍ଟ୍ରେଲିଆ ମି. ମାଥୁ୍ୟ ଜନ୍‌ଷ୍ଟନ, ଡାଇକିନ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଇୟାନ୍‌ ମାର୍ଟିନ୍‌ ଏବଂ ମି. ଡାନିୟେଲ୍‌ ସିମ୍‌ (ଡେପୁଟି କନ୍‌ସୁଲେଟ୍‌ ଜେନେରାଲ୍‌), ଅଷ୍ଟ୍ରେଲିଆନ୍‌ କନ୍‌ସୁଲେଟ୍‌ ଜେନେରାଲ୍‌, କୋଲକାତାଙ୍କ ମିଳିତ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ସୃଜନଶୀଳତାର ବିକାଶ ନିମନ୍ତେ ସହଯୋଗର ନକ୍ସା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ।

ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ଚିତ୍ର ତଥା ବିଶ୍ୱରେ ଗବେଷଣା କ୍ଷେତ୍ରରେ ଉପଲବ୍ଧି କରିଥିବା ପ୍ରସିଦ୍ଧିର ତଥ୍ୟ ଶିକ୍ଷାବିତ୍‌ମାନେ ଅବଗତ ହୋଇଥିଲେ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଦକ୍ଷ ହେବା ଜରୁରୀ। ଚାକିରି ନଖୋଜି ଚାକିରି ପ୍ରଦାନକାରୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ସହଯୋଗଭିତ୍ତିକ ଶିକ୍ଷା ପ୍ରଦାନରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ପରିବର୍ତ୍ତନଶୀଳ ଶିକ୍ଷା ବ୍ୟବସ୍ଥାରେ ସମ୍ବଳ ବନିପାରିବା ସହ ଆନ୍ତର୍ଜାତିକ ସ୍ତରରେ ଗବେଷଣାରେ ପ୍ରସିଦ୍ଧି ଲାଭ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବିଶ୍ୱବିଦ୍ୟାଳୟ ଶିକ୍ଷାରେ ରୂପାନ୍ତରୀକରଣ ପ୍ରକିି୍ରୟା ସମ୍ବନ୍ଧରେ ବିଶେଷ ତଥ୍ୟ ଉପସ୍ଥାପିତ କରିଥିଲେ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା କାଉନ୍‌ସିଲର (ଓଏସ୍‌ଏଚ୍‌ଇସି) ଉପାଧ୍ୟକ୍ଷ ପ୍ର. ଅଶୋକ ଦାସ ଦକ୍ଷତା ବିକାଶ ଓ ଗବେଷଣା କ୍ଷେତ୍ରରେ ସହଯୋଗର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଭିନ୍ନ ତଥ୍ୟ ଉପସ୍ଥାପିତ କରିଥିଲେ।

ଶେଷରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବୀରେନ୍ଦ୍ର କରକରା ଧନ୍ୟବାଦ ଅର୍ପଣ କରିଥିଲେ। ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁକ୍ତିକାନ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍‌ସେସ ରିଭ୍ୟୁ (ସିଏସ୍‌ଆର) ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଚଳିତ ବର୍ଷ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ସିଏସ୍‌ଆର ପକ୍ଷରୁ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ଯୋଗ୍ୟ ବିବେଚିତ ହୋଇଛି।

ସିଏସ୍‌ଆରର ପତ୍ରିକାର ୬୦ବର୍ଷ ପୁର୍ତି ଅବସରରେ ରାଜଧାନୀ ଦିଲ୍ଲୀର ଏକ ତାରକା ହୋଟେଲରେ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସମାରୋହରେ ସୋଆର ଅଫିସର ଅନ୍ ସ୍ପେସିଆଲ ଡିୟୁଟି (ଓଏସ୍‌ଡି) ପ୍ରୀତମ ନାୟକ ଏହି ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ।

ସିଏସ୍‌ଆର ପତ୍ରିକାର ସଂସ୍ଥାପକ ଏସ୍‌. କେ. ସଚଦେବା ସୋଆକୁ ଦେଶର ଆଗାଧାଡିର ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ପ୍ରଫେସର ନାୟକ ଯେଉଁ କଠୋର ପରିଶ୍ରମ ଓ ପ୍ରୟାସ କରିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ।

ଶ୍ରୀ ସଚଦେବା ତାଙ୍କ ଭାଷଣରେ କଂପିଟିସନ୍ ସକ୍‌ସେସ ରିଭ୍ୟୁ କିଭଳି ଏକ ସାଧାରଣ  ପତ୍ରିକା ଭାବେରୁ ଆରମ୍ଭ ହୋଇ ଗତ ୬୦ ବର୍ଷ ମଧ୍ୟରେ ଦେଶ ବିଦେଶରେ ପ୍ରତିଷ୍ଠା ହାସଲ କରିପାରିଛି ତାହା ଉଲ୍ଳେଖ କରିଥିଲେ। ବିଶେଷ ଭାବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ଚାକିରୀ ପାଇବାରେ ଏହି ପତ୍ରିକା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ ଦର୍ଶାଇଥିଲେ।

ଶ୍ରୀ ସଚଦେବା ମଧ୍ୟ ଉଲ୍ଳେଖ କରିଥିଲେ ଯେ କୌଣସି ସଂସ୍ଥାକୁ ସଫଳତା ହାସଲ କରିବାକୁ ହେଲେ କଠୋର ପରିଶ୍ରମ, ତ୍ୟାଗ ଓ ପ୍ରତିଭା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ। ଦେଶର ଭବିଷ୍ୟତକୁ ଗଠନ କରିବାରେ ସୋଆ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି ଦାୟିତ୍ୱ ନିଭାଉଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ବନ୍ଦ ରହିବ କଲେଜ, ବିଶ୍ୱବିଦ୍ୟାଳୟରେ ଶ୍ରେଣୀ ଗୃହ ପାଠ ପଢା

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ବୃଦ୍ଧି ହୋଇଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ତେଣୁ ଏପରି ସ୍ଥଳେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢା ଚାଲୁଥିବାରୁ ଅନେକ ସବଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଉଛି।

ତେବେ ଆଜିଠାରୁ ସ୍କୁଲରେ ପାଠ ପଢାକୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ସେହିଭଳି ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଆସନ୍ତାକାଲି ଠାରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ପାଠ ପଢା ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ମଇ  ୨ ତାରିଖ ପର୍ଯ୍ୟନ୍ତ କଲେଜ ଆଉ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର ନିର୍ଦ୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ।

ସୋଆ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡସ ଆଣ୍ଡ ଡିସରପସନ୍ସ ଇନ ହସ୍ପିଟାଲିଟି ଆଣ୍ଡ ଟୁରିସୀମ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ ଶ୍ରୀ ଗୁଆନି।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଓ ସ୍ନାତକୋତ୍ତରର ପରୀକ୍ଷା ଏବଂ ଫଳାଫଳ ତାରିଖ ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୯ ତାରିଖ ସୁଦ୍ଧା  ସମସ୍ତ ମହାବିଦ୍ୟାଳୟରେ ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଶେଷ ହେବ। ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷାର ଫଳାଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ।

ସେହିଭଳି ବିଶ୍ୱବିଦ୍ୟାଳୟରେ ପିଜିରେ ନାମ ଲେଖା ପାଇଁ ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ। ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ଚାଲିବ।

ସ୍ନାତକୋତ୍ତର ଶେଷ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବା ନେଇ ପ୍ରୟାସ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି: ହେବ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ମାସ କିମ୍ବା ଅଗଷ୍ଟ ମାସ ସୁଦ୍ଧା ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ। ହେଲେ ପରୀକ୍ଷା କେବେ ହେବ, ତାହା ନେଇ ବିଶ୍ୱବିଦ୍ୟାଳୟ ତାରିଖ ନିର୍ଦ୍ଧାରଣ କରିବ। ପରୀକ୍ଷା ଅନଲାଇନରେ ହେବା ପାଇଁ ନିଷ୍ପତ୍ତି ହୋଇଛି। ଅନଲାଇନ ପରୀକ୍ଷା କେମିତି ହେବ, ତାହା ବିଶ୍ୱବିଦ୍ୟାଳୟ ସ୍ଥିର କରିବ। ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ। ଯେଉଁମାନଙ୍କର ପରୀକ୍ଷା ଦେବା ପାଇଁ ଘରେ ଅସୁବିଧା ଥିବ, ସେମାନେ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୧ ରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବ ଅନଲାଇନ କ୍ଳାସ

ଭୁବନେଶ୍ବର: ଜୁନ ୧ ତାରିଖରୁ ଉଚ୍ଚ ଶିକ୍ଷା ଅନଲାଇନ କ୍ଳାସ ଆରମ୍ଭ ହେବ। ଜୁନ ୧ ତାରିଖରୁ କଲେଜ, ବିଶ୍ୱବିଦ୍ୟାଳୟରେ ଅନଲାଇନ କ୍ଳାସ ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଅନଲାଇନ କ୍ଳାସ ଆରମ୍ଭ ହେବ। କରୋନା ଯୋଗୁଁ ଏବେ ପିଲାମାନେ ଏକାଠି ବସି ଶ୍ରେଣୀ ଗୃହରେ ପାଠ ପଢିପାରିବେ ନାହିଁ। ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଲେଜ ହଷ୍ଟେଲ ବନ୍ଦ ରହିବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ୟୁଜିସି ସୂଚନା ଦେବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ: ସ୍କୁଲ, କଲେଜକୁ ଛୁଟି ଘୋଷଣା କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍‌ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍‌ ହେବେ।

ଏହି ସାଇକେଲ୍‌ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍‌ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ସମସ୍ତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି। ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ସବିତା ଆଚାର୍ଯ୍ୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ କିଶୋର ବାସା, ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ଏନ୍‌. ନାଗରାଜୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପାଇଁ ଦୀନବନ୍ଧୁ ସାହୁ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫୁଲ୍ଲ ମହାନ୍ତି ମିଶ୍ରଙ୍କୁ କୁଳପତି ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି।