ବିଶ୍ୱବିଦ୍ୟାଳୟରେ ଦିଆଯିବ ଦକ୍ଷତା ବିକାଶ ଶିକ୍ଷା, ଅଷ୍ଟ୍ରେଲିଆ ପ୍ରତିନିଧିଙ୍କ ସହ ଆଲୋଚନା

Published: Dec 12, 2022, 6:04 pm IST
Skill Education in University

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରାଯିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି। ଏଥି ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ର୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମିନିଷ୍ଟର କାଉନ୍‌ସିଲ୍‌ର (ଶିକ୍ଷା ଓ ଗବେଷଣା) ଅଷ୍ଟ୍ରେଲିଆ ମି. ମାଥୁ୍ୟ ଜନ୍‌ଷ୍ଟନ, ଡାଇକିନ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଇୟାନ୍‌ ମାର୍ଟିନ୍‌ ଏବଂ ମି. ଡାନିୟେଲ୍‌ ସିମ୍‌ (ଡେପୁଟି କନ୍‌ସୁଲେଟ୍‌ ଜେନେରାଲ୍‌), ଅଷ୍ଟ୍ରେଲିଆନ୍‌ କନ୍‌ସୁଲେଟ୍‌ ଜେନେରାଲ୍‌, କୋଲକାତାଙ୍କ ମିଳିତ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ସୃଜନଶୀଳତାର ବିକାଶ ନିମନ୍ତେ ସହଯୋଗର ନକ୍ସା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ।

ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ଚିତ୍ର ତଥା ବିଶ୍ୱରେ ଗବେଷଣା କ୍ଷେତ୍ରରେ ଉପଲବ୍ଧି କରିଥିବା ପ୍ରସିଦ୍ଧିର ତଥ୍ୟ ଶିକ୍ଷାବିତ୍‌ମାନେ ଅବଗତ ହୋଇଥିଲେ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଦକ୍ଷ ହେବା ଜରୁରୀ। ଚାକିରି ନଖୋଜି ଚାକିରି ପ୍ରଦାନକାରୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ସହଯୋଗଭିତ୍ତିକ ଶିକ୍ଷା ପ୍ରଦାନରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ପରିବର୍ତ୍ତନଶୀଳ ଶିକ୍ଷା ବ୍ୟବସ୍ଥାରେ ସମ୍ବଳ ବନିପାରିବା ସହ ଆନ୍ତର୍ଜାତିକ ସ୍ତରରେ ଗବେଷଣାରେ ପ୍ରସିଦ୍ଧି ଲାଭ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବିଶ୍ୱବିଦ୍ୟାଳୟ ଶିକ୍ଷାରେ ରୂପାନ୍ତରୀକରଣ ପ୍ରକିି୍ରୟା ସମ୍ବନ୍ଧରେ ବିଶେଷ ତଥ୍ୟ ଉପସ୍ଥାପିତ କରିଥିଲେ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା କାଉନ୍‌ସିଲର (ଓଏସ୍‌ଏଚ୍‌ଇସି) ଉପାଧ୍ୟକ୍ଷ ପ୍ର. ଅଶୋକ ଦାସ ଦକ୍ଷତା ବିକାଶ ଓ ଗବେଷଣା କ୍ଷେତ୍ରରେ ସହଯୋଗର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଭିନ୍ନ ତଥ୍ୟ ଉପସ୍ଥାପିତ କରିଥିଲେ।

ଶେଷରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବୀରେନ୍ଦ୍ର କରକରା ଧନ୍ୟବାଦ ଅର୍ପଣ କରିଥିଲେ। ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁକ୍ତିକାନ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

Related posts