Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲା କୁଚେଇ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା: ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଜଳ ଶକ୍ତି ଏବଂ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ କୁଚେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚି ପାରିବ ଏବଂ ଯେଉଁମାନଙ୍କ ପାଖରେ ଏସବୁ ସୁବିଧା ପହଞ୍ଚିଛି ସେମାନଙ୍କର ଅନୁଭୂତି ଜାଣିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି। ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଆମେ ସେସବୁ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରୁଛୁ।

ଆଜି କୁଚେଇ ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଯାତ୍ରାର ସଚେତନତା ଗାଡ଼ିରେ ଲାଗିଥିବା ଏଲଇଡି ସ୍କ୍ରିନରେ ପ୍ରମୁଖ ଯୋଜନା ସମ୍ପର୍କରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା। ହିତାଧିକାରୀମାନେ ସରକାରୀ ଯୋଜନା ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପିଏମ୍ ଅବାସ, ଉଜ୍ଜ୍ୱଳା, ଡାକ ବିଭାଗର ସଞ୍ଚୟ ଯୋଜନା ଆଦିରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ବେତନଟୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଶନିବାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଅବସରରେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ। ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯିବା ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରୟୋଗ ବିଷୟରେ ପ୍ରଶିକ୍ଷଣ ଦିଆଯିବା ସହିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବିଭିନ୍ନ ରୋଗ ପରୀକ୍ଷା କରାଯାଇଥିଲା। ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଟୁଡୁ କହିଥିଲେ ଯେ, ବିଗତ ଦଶ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଗରିବ, ମହିଳା, ଯୁବକ ଓ ଚାଷୀଙ୍କର ସାମାଜିକ ତଥା ଆର୍ଥିକ ବିକାଶ ହୋଇଛି । ଭାରତ ସବୁ କ୍ଷେତ୍ରରେ ଆଜି ପ୍ରଗତି ହାସଲ କରୁଛି। ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆସନ୍ତା ୨୫ ବର୍ଷରେ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ସହିତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ମଜବୁତ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଶ୍ରୀ ଷଡଙ୍ଗୀ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୨୦ ନଭେମ୍ବର, ୨୦୨୩ ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ୧୨ ସେପ୍ଟେମ୍ବର ୨୦୧୯ରେ ଝାଡ଼ଖଣ୍ଡ ରାଞ୍ଚିରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୧୨ ସେପ୍ଟେମ୍ବର ୨୦୧୯ରେ ରାଞ୍ଚି ଝାଡ଼ଖଣ୍ଡରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହାବ୍ୟତୀତ ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୁରୁଣା ଯୋଜନାରେ ୨୦୧୯ ପୂର୍ବରୁ ୨୮୮ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୨୦୨୬ ମାର୍ଚ୍ଚ ସୁଦ୍ଧା ସମୁଦାୟ ୭୪୦ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ଏଥିରେ ୨୦୧୯ରେ ମଞ୍ଜୁର ହୋଇଥିବା ୪୫୨ଟି ବିଦ୍ୟାଳୟ ସାମିଲ ରହିଛି।

ନବୋଦୟ ବିଦ୍ୟାଳୟ ଅନୁରୂପ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ୍) ଜରିଆରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରୁଛି। ଏନଇଟିଏସ ଏହି ବିଦ୍ୟାଳୟଗୁଡ଼ିକ ପାଇଁ ୩୮,୦୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛି।

ଏହି ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବିଦ୍ୟାଳୟ ପିଛା ପ୍ରାୟ ୧୫୦ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ପଡ଼ିବ। ଓଡ଼ିଶାରେ ମୋଟ ୧୧୪ଟି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୦୬ଟି ମଞ୍ଜୁର ହୋଇଛି। ଏହି ୧୧୪ଟି ବିଦ୍ୟାଳୟ ମଧ୍ୟରୁ ୨୭ଟି ବିଦ୍ୟାଳୟ ପୁରୁଣା ଯୋଜନାରେ ଏବଂ ୮୭ଟି ବିଦ୍ୟାଳୟ ନୂଆ ଯୋଜନାରେ ରହିଛି। ୮ଟି ସ୍ଥାନରେ ଜମି ଯୋଗାଡ଼ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩୨ଟି ସ୍ଥାନରେ ସ୍କୁଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୧ଟି ସ୍କୁଲର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୪ଟିର ନିର୍ମାଣ କାମ ନୂଆ ଯୋଜନାରେ ଜାରି ରହିଛି।

ମାନ୍ୟବର ରାଷ୍ଟ୍ରପତି ମୟୂରଭଞ୍ଜର କୁଳିଅଣାରେ ନିର୍ମିତ ଏକଲବ୍ୟ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ। ଏଥିପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୩୮ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ୍ ଲିମିଟେଡ୍ (ଏଚଏସସିଏଲ) ଦ୍ୱାରା ଏହାର ନିର୍ମାଣ କରାଯାଉଛି।

ଓଡ଼ିଶାରେ ମଞ୍ଜୁର ହୋଇଥିବା ୮୭ଟି ନୂଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ କେବଳ ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ମିଶାଇ ୧୯ଟି ବିଦ୍ୟାଳୟ ରହିଛି, ଯାହା ଭାରତର ଯେକୌଣସି ଜିଲ୍ଲା ପାଇଁ ସର୍ବାଧିକ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରାଯାଇ ଓଡ଼ିଶାର ୪୮ଟି ସ୍ଥାନରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜରୁ ସାଂସଦ ଅଛନ୍ତି ଏବଂ ଏଥିପାଇଁ ସହଯୋଗ ଯୋଗାଇ ଦେଉଛନ୍ତି। କୁଳିଅଣା  ଇଏମଆରଏସ କ୍ୟାମ୍ପସ ପ୍ରାୟ ୧୨ ଏକର ଜମିରେ ନିର୍ମିତ ହୋଇଛି। ଏଥିରେ ୨୪୦ ଜଣ ଛାତ୍ରୀ ଓ ୨୪୦ ଜଣ ଛାତ୍ରଙ୍କୁ ମିଶାଇ ୪୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଶ୍ରେଣୀଗୃହ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ମେସ୍, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଆବାସିକ ଗୃହ, ପ୍ରଶାସନିକ କାର୍ଯ୍ୟାଳୟ, ଖେଳ ପଡ଼ିଆ, କମ୍ପ୍ୟୁଟର ଓ ବିଜ୍ଞାନ ପରୀକ୍ଷାଗାର ରହିଛି। ଏହି ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏହି ବିଦ୍ୟାଳୟଗୁଡ଼ିକ  ମାଇଲଖୁଣ୍ଟ ସାବ୍ୟସ୍ତ ହେବେ।

Categories
ବିଶେଷ ଖବର

ରୋଜଗାର ମେଳା: ଆଜି ୭୧,୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୦.୩୦ ରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ।

ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୩୬ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୦ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିବେ।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ/ପଦବୀରେ ଯୋଗଦେବେ। ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ/ ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାକୁ ମିଳିଛି ୧୨୦୮.୮୬ କୋଟି: କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଓ କାନୁପୁର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୦୧୬ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଆକାରରେ ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଚାଲୁଥିବା କାର୍ଯ୍ୟର ତଥ୍ୟ ପ୍ରଦାନ କରିଛନ୍ତି।

ଶ୍ରୀ ଟୁଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଆଠଟି ପ୍ରକଳ୍ପ ମାଧ୍ୟମରେ ୨୪୯.୫୩ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି। ସେହିଭଳି କମାଣ୍ଡ ଏରିଆ ବିକାଶ ଓ ଜଳ ପରିଚାଳନା ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ୧୩୧.୯୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହାଫଳରେ ୭୧.୫୯ ହଜାର ହେକ୍ଟର ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି।

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ଜଳ ଉତ୍ସଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡିଶାକୁ ୧୪୫.୧୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏଥିରେ ଦୁଇଟି କ୍ଲଷ୍ଟରର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ୪୭.୯୬ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ କାମ ଚାଲିଛି।

ସେ ଆହୁରି କହିଛନ୍ତି ଯେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥିରେ ନଦୀ ପରିଚାଳନା, କୂଳକ୍ଷୟ ରୋକିବା, ନଷ୍ଟ ହୋଇଯାଇଥିବା ବନ୍ୟା ନିରୋଧକ ବ୍ୟବସ୍ଥାର ପୁନରୁଦ୍ଧାର, ସମୁଦ୍ରକୂଳ କ୍ଷୟକୁ ରୋକିବା ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୦୦୦କୋଟି ଟଙ୍କାର କେନ୍ଦ୍ରୀୟ ବ୍ୟୟ ବରାଦ ରହିଛି। ଏକାଦଶ ଓ  ଦ୍ୱାଦଶ ଯୋଜନାରେ ଓଡିଶାର ଏଭଳି ୬୮ଟି ପ୍ରକଳ୍ପକୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ତଦନୁସାରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ୧୧୯.୪୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୬୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଫଳରେ ୧୯୩୭୪୯ ହେକ୍ଟର ଜମି ଓ ୧୧, ୫୪, ୩୦୦ ଲୋକଙ୍କୁ ବନ୍ୟା ଦାଉରୁ ସୁରକ୍ଷିତ କରାଯାଇଛି।

ମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ସହାୟତାରେ ପରିଚାଳିତ ଡ୍ୟାମ ମରାମତି ଓ ବିକାଶ ପ୍ରକଳ୍ପ (ଡ୍ରିପ)ରେ ଓଡିଶା ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ୨୦୧୨ରୁ ୨୦୨୧ ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରଥମ ପଯ୍ୟାୟ କାର୍ଯ୍ୟରେ ଓଡିଶାର ୨୬ଟି ଡ୍ୟାମର ମରାମତି ଓ ବିକାଶ କରାଯାଇଛି। ଏଥିପାଇଁ ୩୩୬କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଡ୍ରିପ-୨ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓଡିଶାର ୩୬ ଡ୍ୟାମ ଅନ୍ତର୍ଭୁକ୍ତ ହୋଇଛି ଏବଂ ଏ ବାବଦରେ ମୋଟ ୮୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମ ୨୦୨୧ ଅକ୍ଟୋବର ୧୨ରୁ ଆରମ୍ଭ ହୋଇଛି।

ଓଡିଶାର ଭୂତଳ ଜଳ ଓ ତାହାର ପରିଚାଳନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ଓଡିଶାର ୨୫ ଜିଲ୍ଲାର ୨୪୫ବ୍ଲକରେ ୧,୨୦, ୫୯୯ ବର୍ଗ କିମି. ଅଞ୍ଚଳ ଜାତୀୟ ଆକ୍ୱାଫର ମ୍ୟାଫିଙ୍ଗ ଆଣ୍ଡ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୭ଶତାଂଶ ଅଞ୍ଚଳର ମାନଚିତ୍ରକରଣ କରାଯାଇସାରିଲାଣି। ଏସବୁ ଅଞ୍ଚଳରେ ଭୂତଳ ଜଳଉତ୍ସର ସ୍ତର ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି। ସେହିଭଳି ଭଦ୍ରକ, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳରେ ଲୁଣାପାଣି ମିଶୁଥିବାରୁ ତାହାକୁ ରୋକିବାକୁ ପଦକ୍ଷେପ ଆରମ୍ଭ କରାଯାଇଛି  ଏବଂ ଯୋଡ, ନାଳ ଓ ଉପନାଳଗୁଡିକର ବିକାଶ କାର୍ଯ୍ୟ ଚାଲିଛି।

ଏହାଛଡା ଜାତୀୟ ହାଇଡ୍ରୋଲୋଜି ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ ୫୦ ଶତାଂଶ ଋଣ ଯୋଗାଇ ଦେଉଛି। ଜଳସେଚନ ଓ ଜଳ ପରିଚାଳନା ସଂକ୍ରାନ୍ତ ବିଶ୍ୱସନୀୟ ଡାଟା ସଂଗ୍ରହ, ତାହାର ସୁରକ୍ଷା, ପରିଚାଳନା ଓ ବ୍ୟବହାର ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ନିର୍ମାଣ ଏହି ପ୍ରକଳ୍ପର ଲକ୍ଷ୍ୟ। ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି। ଏଥିପାଇଁ ୯୧.୧୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କେନ୍ଦ୍ର ସରକାର ଏ ବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫.୨୫କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି ବୋଲି ଟୁଡୁ କହିଛନ୍ତି।

ତାଙ୍କ ଉତ୍ତରରେ ଜଳସଚେନ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଳସମ୍ପଦ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ନିଜର ସମ୍ବଳ ଅନୁସାରେ ଯୋଜନା କରି ପାଣ୍ଠି ଯୋଗାଇଥାଆନ୍ତି ଓ ତାହାର ରକ୍ଷଣାବେକ୍ଷଣ କରିଥାନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ଭୂମିକା ସୀମିତ। କେନ୍ଦ୍ର କେବଳ ଏଥିରେ ରାଜ୍ୟମାନଙ୍କୁ ବୈଷୟିକ ସହାୟତା, କେତେକ କ୍ଷେତ୍ରରେ ଆଂଶିକ ଆର୍ଥିକ ସାହାଯ୍ୟ ଯୋଗାଇ ସୁବିଧାଯୋଗାଣକାରୀ ଭୂମିକା  ନିର୍ବାହ କରିଥାଏ। ଜଳ ନିରାପତ୍ତା ପାଇଁ କେନ୍ଦ୍ରୀୟ ଯୋଜନା ବାହାରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ସୀମିତ ସହାୟତା ସ୍ଥଳ ବିଶେଷରେ ଯୋଗାଉଛନ୍ତି ବୋଲି ଶ୍ରୀ ଟୁଡୁ କହିଛନ୍ତି। (ପି.ଆଇ.ବି.)

Categories
ବିଶେଷ ଖବର

ମେ ୩୧ରେ ‘‘ଗରିବ କଲ୍ୟାଣ ସମ୍ମେଳନ’’: ହିତାଧିକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ବରୂପ ଭାରତ ସରକାରଙ୍କ ନଅଟି ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ପ୍ରାୟ ୧୬ଟି ଯୋଜନା ଓ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ ମତ ବିନିମୟ କରିବେ। ‘‘ଗରିବ କଲ୍ୟାଣ ସମ୍ମେଳନ’’ ନାମକ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ସିମଲା ଠାରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଥିବା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଆଲୋଚନା କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିସାନ ସମ୍ମାନ ନିଧିର ୧୧ତମ କିସ୍ତି ଆକାରରେ ୨୧ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ଜାରି କରିବେ। ରାଜ୍ୟ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କେଭିକେ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ଆୟୋଜନ କରାଯିବ। ଏହି ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ହିତାଧିକାରୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ଏହି ପରିପ୍ରେକ୍ଷୀରେ କଟକର ମାହାଙ୍ଗାଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀମାମୟ ଉପସ୍ଥିତିରେ ଶିମଲାଠାରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେହିପରି ବାରିପଦାଠାରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।

ଦେଶବ୍ୟାପୀ ଏସବୁ ଯୋଜନାର କୋଟି କୋଟି ହିତାଧିକାରୀ ରହିଛନ୍ତି । ଦେଶର ଜନସଂଖ୍ୟାର ସବୁଠୁ ଗରିବ ବର୍ଗଙ୍କ ସବୁ ଜଟିଳ ସମସ୍ୟା ସମାଧାନ ଦିଗରେ ଏହି ଯୋଜନା ଓ କାର୍ଯ୍ୟକ୍ରମ ସବୁ ସହାୟକ ହେଉଛି। ଆବାସ, ପାନୀୟ ଜଳ ଉପଲବ୍ଧତା, ଖାଦ୍ୟ, ସ୍ବାସ୍ଥ୍ୟ ସେବା ଓ ପୋଷଣ, ଜୀବନଜୀବିକା ଏବଂ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଆଦି କ୍ଷେତ୍ରରେ ଗରିବମାନଙ୍କୁ ସହାୟତା ମିଳୁଛି। ଏହି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ଯୋଜନାରେ ସମନ୍ବୟର ସମ୍ଭାବନା ଉଜାଗର ହୋଇପାରିବ ଏବଂ ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ ଦିଗରେ ସହାୟତା ମିଳିବ। ଏଥିସହିତ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଗରିକଙ୍କ ଆଶାଆକାଂକ୍ଷା ଜାଣିବା ଲାଗି ଏପରି କାର୍ଯ୍ୟକ୍ରମ ଏକ ସୁଯୋଗ ଆଣି ଦେବ। ଏହି ସମ୍ମେଳନକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏକକ ଦେଶବ୍ୟାପୀ ମତବିନିମୟ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଛି ଯାହାକି ଦେଶର ସବୁ ଜିଲ୍ଲାରେ ଆୟୋଜନ କରାଯିବ। ଏଥିରେ ହିତାଧିକାରୀଙ୍କ ଜୀବନରେ ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଆଲୋଚନା କରିବେ।

କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ, ରାଜ୍ୟ/ଜିଲ୍ଲା/କେଭିକେ କାର୍ଯ୍ୟକ୍ରମ ପୂର୍ବାହ୍ନ ୯.୪୫ରେ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ଏସବୁ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। ଦୂରଦର୍ଶନ ଏବଂ ଏହାର ଜାତୀୟ ଓ ଆଞ୍ଚଳିକ ଚ୍ୟାନେଲ ମାଧ୍ୟମରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ। ମାଇ ଗଭ୍‌ ଜରିଆରେ ଜାତୀୟ କାର୍ଯ୍ୟକ୍ରମର ୱେବକାଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଲୋକମାନେ ଆଗୁଆ ନିଜର ପଞ୍ଜୀକରଣ କରାଇବେ। ଅନ୍ୟ ସୋଶଲ ମିଡିଆ ଚ୍ୟାନେଲ ଯଥା ୟୁଟ୍ୟୁବ, ଫେସବୁକ, ଟୁଇଟ୍ଟର, ଇନଷ୍ଟାଗ୍ରାମ୍‌ ଆଦିରେ ଏହାକୁ ଦେଖିହେବ।

ଏହି ମତବିନିମୟ କାର୍ଯ୍ୟକ୍ରମ ଦ୍ବାରା ନାଗରିକଙ୍କ ଜୀବନକୁ ସହଜ କରୁଥିବା ଏସବୁ ଯୋଜନାର ଜନ-କୈନ୍ଦ୍ରିକ ଦୃଷ୍ଟିକୋଣ ପ୍ରତିଫଳିତ ହେବା ସହିତ ଜନସାଧାରଣଙ୍କ ଆଶାଆକାଂକ୍ଷା ସମ୍ପର୍କରେ ସରକାର ଅବଗତ ହୋଇପାରିବେ, ଯାହାଫଳରେ ପ୍ରଗତି ଦିଗରେ ରାଷ୍ଟ୍ରର ଯାତ୍ରାରେ କେହି ଜଣେ ଯେମିତି ବଞ୍ଚିତ ରହିବେ ନାହିଁ ତାହା ସୁନିଶ୍ଚିତ ହୋଇପାରିବ।

ଯୋଜନା/କାର୍ଯ୍ୟକ୍ରମର ତାଲିକା

– ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମୀଣ ଓ ସହରାଞ୍ଚଳ)

– ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି

– ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା

– ପୋଷଣ ଅଭିଯାନ

– ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା

– ସ୍ବଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଓ ସହରାଞ୍ଚଳ)

– ଜଳ ଜୀବନ ମିଶନ ଓ ଅମୃତ

– ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା

– ଏକ ରାଷ୍ଟ୍ର ଏକ ରାସନ କାର୍ଡ

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

– ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା

– ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର

– ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

Categories
ଜାତୀୟ ଖବର ବିଶେଷ ଖବର

ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ ଏବଂ ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ –ଅମୃତ ମିଶନ ୨.୦ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ କୌଶଳ କିଶୋର, ଶ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଭିନ୍ନ ରାଜ୍ୟର ମନ୍ତ୍ରୀଗଣ, ମହାନଗର ନିଗମ, ପୌରପାଳିକାର ମେୟର ଓ କମିଶନରମାନେ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ୨୦୧୪ରେ ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ଦେଶବାସୀ ସଂକଳ୍ପ ନେଇଥିଲେ ଏବଂ ଏହି ସଂକଳ୍ପକୁ ପୂରଣ କରି ଆଜି ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣ କରାଯାଇସାରିଛି । ବର୍ତ୍ତମାନ ‘ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ଆବର୍ଜନାମୁକ୍ତ, ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ କରିବା ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ମିଶନ ଅମୃତ ପରବର୍ତ୍ତୀ ପର‌୍ୟ୍ୟାୟର ଲକ୍ଷ୍ୟ ହେଉଛି ଦେଶରେ ବର୍ଜ୍ୟ ଏବଂ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର ଆଣିବା ଏବଂ ଆମ ସହରଗୁଡ଼ିକୁ ଜଳ-ସୁରକ୍ଷିତ ସହରରେ ପରିଣତ କରିବା ସହିତ ଆମ ନଦୀଗୁଡ଼ିକୁ ବର୍ଜ୍ୟ ଜଳମୁକ୍ତ କରିବା । ଆମ ନଦୀଗୁଡ଼ିକରେ ଯେପରି ଆଦୌ ବର୍ଜ୍ୟ ଜଳ ନିଷ୍କାସିତ ହେବ ନାହିଁ ତାହା ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ।

ସହରାଞ୍ଚଳର ପୁନର୍ଗଠନ ଏବଂ ସ୍ୱଚ୍ଛତାରେ ଏହି ପରିବର୍ତ୍ତନର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ, ଏହିସବୁ ଅଭିଯାନ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ କେବଳ ତାଙ୍କରି ଆଦର୍ଶରେ ସାକାର ରୂପ ନେଉଛି। ସେ ମଧ୍ୟ ଶୌଚାଳୟ ନିର୍ମାଣ କାରଣରୁ ମା’ ଓ ଝିଅମାନଙ୍କର ସୁବିଧା ବିଷୟରେ ଉଲ୍ଲେଖ କରିଥିଲେ ।

ଦେଶର ଭାବନାକୁ ସଲାମ କରି, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ବର୍ତ୍ତମାନ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି ।
ପ୍ରଧାନମନ୍ତ୍ରୀ ନିଜର ଭାବନାକୁ ବ୍ୟକ୍ତ କରି କହିଥିଲେ ଯେ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରାରେ ଗୋଟିଏ ଦେଶର ଲକ୍ଷ୍ୟ, ସମ୍ମାନ, ଗାରିମା ଏବଂ ଆକାଂକ୍ଷା ରହିଛି; ଏଥିସହିତ ମାତୃଭୂମି ପାଇଁ ଅତୁଳନୀୟ ଭଲ ପାଇବା ରହିଛି ।

ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆଜିର କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାବା ସାହେବ ଆମ୍ବେଦକର ସହରାଞ୍ଚଳ ବିକାଶକୁ ଅସମାନତା ଦୂର କରିବାର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ବିଶ୍ୱାସ କରୁଥିଲେ । ଏକ ଉନ୍ନତ ଜୀବନର ଆଶା ନେଇ ଗାଁରୁ ବହୁ ସଂଖ୍ୟକ ଲୋକ ସହରକୁ ଚାଲି ଆସିଥାନ୍ତି । ସେମାନେ ନିଯୁକ୍ତି ପାଇଯାଆନ୍ତି, କିନ୍ତୁ ଗାଁ ଅପେକ୍ଷା ମଧ୍ୟ ଅତି କଷ୍ଟକର ସ୍ଥିତିରେ ଜୀବନଧାରଣ କରିଥାନ୍ତି। ଏହା ସେମାନଙ୍କୁ ଦ୍ୱୈତ ସମସ୍ୟାରେ ପକାଇଥାଏ, ଗୋଟିଏ ପଟେ ସେମାନେ ଘର ଠାରୁ ଦୂରରେ ରହିଥାନ୍ତି ଏବଂ ଅନ୍ୟପଟେ ସହରରେ କଷ୍ଟକର ପରିସ୍ଥିତିରେ ରହିବାକୁ ପଡ଼ିଥାଏ । ଅସମାନତା ଦୂର କରି ଏହି ପରିସ୍ଥିତି ବଦଳାଇବା ଲାଗି ବାବା ସାହେବ ଗୁରୁତ୍ୱାରୋପ କରୁଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ପରବର୍ତ୍ତୀ ପର‌୍ୟ୍ୟାୟ ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜି ଆମେ ପାଖାପାଖି ୭୦ ପ୍ରତିଶତ ଦୈନିକ ବର୍ଜ୍ୟ ପରିଚାଳନା କରୁଛୁ । ବର୍ତ୍ତମାନ ଆମକୁ ଏହା ୧୦୦ ପ୍ରତିଶତ ପର‌୍ୟ୍ୟନ୍ତ ନେବାକୁ ହେବ । ସହରାଞ୍ଚଳ ବିକାଶ ମନ୍ତ୍ରଣାଳ ପାଇଁ ବର୍ଦ୍ଧିତ ଆବଣ୍ଟନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୨୦୧୪ ପୂର୍ବବର୍ତ୍ତୀ ପାଞ୍ଚ ବର୍ଷରେ ମନ୍ତ୍ରଣାଳୟକୁ ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଅନ୍ୟପକ୍ଷରେ ୨୦୧୪ ପରବର୍ତୀ ୭ ବର୍ଷରେ ମନ୍ତ୍ରଣାଳୟକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ସହରାଞ୍ଚଳ ବିକାଶ ସଂକ୍ରାନ୍ତ କୌଣସି କାର‌୍ୟ୍ୟକ୍ରମରେ ଉଠାଦୋକାନୀ ଏବଂ ବୁଲାବିକାଳୀମାନଙ୍କୁ ଯେକୌଣସି ସହରର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଏକ ଆଶାର ଆଲୋକ ନେଇ ଆସିଛି । ୪୬ ଲକ୍ଷରୁ ଅଧିକ ଉଠାଦୋକାନୀମାନଙ୍କୁ ସ୍ୱନିଧି ଯୋଜନାର ଲାଭ ମିଳିଛି । ୨୫ ଲକ୍ଷରୁ ଅଧିକ ଲୋକ ୨.୫ ହଜାର କୋଟି ଟଙ୍କା ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉଠାଦୋକାନୀମାନେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସେମାନେ ଋଣ ପରିଶୋଧ କରିବାରେ ଏକ ଭଲ ରେକର୍ଡ ବଜାୟ ରଖିଛନ୍ତି । ଏହି ଯୋଜନା କାର‌୍ୟ୍ୟକାରୀ କରିବା କ୍ଷେତ୍ରରେ ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ବଡ଼ ରାଜ୍ୟ ନେତୃତ୍ୱ ନେବା ଖୁସିର ବିଷୟ ବୋଲି ସେ କହିଥିଲେ ।