Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର ସ୍ବାସ୍ଥ୍ୟ

ନିୟମିତ ରକ୍ତ ଦାନ ହୃଦଘାତ ଏବଂ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ: ବିଶେଷଜ୍ଞ

ଭୁବନେଶ୍ୱର: ନିୟମିତ ରକ୍ତଦାନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ହୃଦୟ ସବୁବେଳେ ସୁସ୍ଥ ଓ ସତେଜ ରହିଥାଏ। ରକ୍ତଦାନ ଫଳରେ ହୃଦଘାତ ଏବଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ରକ୍ତଦାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଣେ ଦାତା ତିନିରୁ ଚାରିଜଣଙ୍କ ଜୀବନ ରକ୍ଷା କରିଥାଏ ବୋଲି ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ସ୍ବେଚ୍ଛାକୃତସ୍ ରକ୍ତଦାତା, ବିଶେଷକରି ନିୟମିତ ଦାତା, ରକ୍ତଦାନ ଦ୍ୱାରା ଏଚ୍.ଆଇ.ଭି, ହେପାଟାଇଟିସ୍ ଜୀବାଣୁ ଏବଂ ଅନ୍ୟାନ୍ୟ ରକ୍ତ ସଂକ୍ରମଣକୁ ରୋକିବାରେ ପ୍ରଥମ ଧାଡ଼ିର ଯୋଦ୍ଧା ପାଲଟନ୍ତି।  ସ୍ୱେଚ୍ଛାସେବୀ ଦାତାମାନେ ମଧ୍ୟ ସୁରକ୍ଷିତ ରକ୍ତର ମହତ୍ତ୍ୱ ଜାଣନ୍ତି, ଫଳରେ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖନ୍ତି, ଯାହା ରକ୍ତଦାନ ଉଦ୍ଦେଶ୍ୟରେ ରକ୍ତ ଉପାଦାନଗୁଡ଼ିକର ସର୍ବୋଚ୍ଚ ମାତ୍ରା ପାଇଁ ଆବଶ୍ୟକ । ସେହିଭଳି, ରକ୍ତର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁସ୍ଥ ସ୍ବେଚ୍ଛାସେବୀ ଦାତାଙ୍କ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଏହି ଅବସରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରକ୍ତଦାନ ନିମନ୍ତେ ଆଗେଇ ଆସିବାକୁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ।

ଏହି ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏମ୍ସ ନର୍ସିଂ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦ ରୁ ଅଧିକ ରକ୍ତଦାତା ରକ୍ତ ଦାନ କରିଥିଲେ।

ରକ୍ତ କର୍କଟ (କ୍ଲିନିକାଲ୍ ହେମାଟୋଲୋଜି) ବିଭାଗର ଡକ୍ଟର ପ୍ରବୋଧ ଦାସ, ହସ୍ପିଟାଲ ପ୍ରଶାସନ ବିଭାଗର ଡକ୍ଟର (ମେଜର) ମୁକୁନ୍ଦ ଚନ୍ଦ୍ର ସାହୁ, ସିଏମଏଫଏମ ବିଭାଗର ଡକ୍ଟର ଵିନୋଦ ପାତ୍ର, ଆନାଟୋମୀ ବିଭାଗର ଡକ୍ଟର ପ୍ରଭାସ ରଂଜନ ତ୍ରିପାଠୀ, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ଡକ୍ଟର ସୋମନାଥ ମୁଖାର୍ଜୀଙ୍କ ସମେତ ଡକ୍ଟର ଅଂଶୁମାନ ସାହୁ, ଡକ୍ଟର  ଦେବାଶିଷ ମିଶ୍ର, ଡକ୍ଟର ପ୍ରିୟମାଧବ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ କାର୍ଲ ଲ୍ୟାଣ୍ଡଷ୍ଟାଇନ୍ରଙ୍କ ଜନ୍ମଦିନରେ ପ୍ରତିବର୍ଷ ୧୪ ଜୁନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ଏବିଓ ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍ ଆବିଷ୍କାର ପାଇଁ ଲ୍ୟାଣ୍ଡଷ୍ଟାଇନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ବିଶ୍ୱ ରକ୍ତଦାତା ଦିବସ: ୧ ହଜାରରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କଲେଣି ବାଣପୁର ମାଟିର ସୁପୁତ୍ର ରଞ୍ଜନ

ଭୁବନେଶ୍ବର: ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ଆଜିର ଦିନରେ ଏମିତି ଏକ ଅମ୍ଳାନ ପ୍ରତିଭା ବିଷୟରେ ଆଲୋଚନା କରିବା, ଯିଏ କେବଳ ରକ୍ତଦାନ କରିନାହାନ୍ତି, ବରଂ ୧ ହଜାରରୁ ଉର୍ଦ୍ଧ୍ଵ ରକ୍ତ ୟୁନିଟ ସଂଗ୍ରହ କରି ସମ୍ମାନର ପାତ୍ର ହୋଇପାରିଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମିତ ରଞ୍ଜନ କୁମାର ମହାପାତ୍ର, ଯାହାଙ୍କ ପିତାଙ୍କ ନାମ ସୁରେନ୍ଦ୍ର କୁମାର ମହାପାତ୍ର ଓ ମାତାଙ୍କ ନାମ ଶାନ୍ତିଲତା ମହାପାତ୍ର।

ପିଲାଟି ବେଳୁ ଜନସେବା କରିବା ପାଇଁ ମନସ୍ଥ କରିଥିବା ରଞ୍ଜନ କୁମାର ମହାପାତ୍ରଙ୍କ ସ୍କୁଲ ଶିକ୍ଷା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁରରୁ ଆରମ୍ଭ ହୁଏ, ପରବର୍ତ୍ତୀ ସମୟରେ ବାନାମ୍ବର ଏକାଡ଼େମୀ, ଭୀମପୁର ଦଶମ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଉତ୍ତୀର୍ଣ୍ଣ କଲାପରେ ଏସ୍.କେ.ସି.ଜି. ଅଟୋନୋମସ୍ ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନରେ ସ୍ନାତ୍ତକୋତର ଡ଼ିଗ୍ରୀ ହାସଲ କରନ୍ତି। ଅଧୁନା ଦୁର୍ଗା ଚ଼ରଣ ଚ଼ିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀ, ଖୋର୍ଦ୍ଧାଠାରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।

ଏତଦ୍ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ସଂଯୋଜକ ଭାବେ ସେ ଦାୟିତ୍ଵ ନିଭାଉଛନ୍ତି। ମାନବ ସେବା ହିଁ ମାଧବ ସେବା,ଏହି ଉକ୍ତିକୁ ନିଜ ଜୀବନଦର୍ଶନରେ ସାମିଲ କରି ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି ରଞ୍ଜନ କୁମାର ମହାପାତ୍ର। ସେ ୨୦୧୭ ମସିହାରେ ରେଡ଼କ୍ରସରେ ଯୋଗଦେଇଥିଲେ ଏବଂ ସ୍ବର୍ଗତ ପଦ୍ମଶ୍ରୀ ଡ଼ି.ପ୍ରକାଶ ରାଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରକ୍ତଦାନ ପ୍ରତି ଆଗ୍ରହୀ ହୋଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିଲେ।

ପରବର୍ତ୍ତୀ ସମୟରେ ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗରେ ଅନ୍ୟ ବନ୍ଧୁ ମାନଙ୍କୁ ନେଇ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ “ଦି ବ୍ଲଡ଼୍ ଡ଼ୋନର୍ସ, ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲେ। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ସମାଜରେ କେହି ରକ୍ତ ଅଭାବରୁ ଯେପରି ଅସୁବିଧାରେ ପଡିବେ ନାହିଁ। ଏହି ସଂଗଠନ ମାଧ୍ୟମରେ ସେ ଏବଂ ସହଯୋଗୀ ବନ୍ଧୁ ମାନେ ନିଜେ ରକ୍ତଦାନ କରିବା ସହ କେଉଁ ମାନେ ରକ୍ତଦାନ କରିପାରିବେ, ରକ୍ତଦାନ କଲେ ଆମକୁ କି ଉପକାର ମିଳେ, ସେସବୁକୁ ଜନସାଧାରଣଙ୍କୁ ବୁଝାଇ ରକ୍ତଦାନ କରିବାକୁ ଉତ୍ସାହିତ କରିଥାନ୍ତି।

ମହାମାରୀ କରୋନା ସମୟରେ ଏହି ସଂଗଠନ ଆଗକୁ ଆସି ରକ୍ତଦାନ କରି ଅନେକଙ୍କୁ ସାହାଯ୍ୟ କରିଛି। ଆଜି ପର୍ଯ୍ୟନ୍ତ ଏହି ସଂଗଠନ ୧୦୨୫ ୟୁନିଟ୍ ବ୍ଲଡ଼ ସଂଗ୍ରହ କରିଛି। ଏବଂ ସଂଗଠନର ପ୍ରତିଷ୍ଠାତା ସଭାପତି ରଞ୍ଜନ କୁମାର ମହାପାତ୍ର ନିଜେ ୨୦ ଥର ରକ୍ତଦାନ କରିଛନ୍ତି। ଏହି ସଂଗଠନ ୨୫ ଥର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରିପାରିଛି।

ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ସଂଗଠନର ଜନାଭିମୁଖୀ କାର୍ଯ୍ୟ ପାଇଁ ନୂଆ ଆଲୋକ ସମାଜସେବାର ଅନ୍ୟ ଏକ ନାମ ସଂଗଠନ ତରଫରୁ “ନୂଆ ଆଲୋକ ସମ୍ମାନ-୨୦୧୯”, କଟକ ଗୋପୀନାଥପୁର ସ୍ଥିତ ବିଜୟାନନ୍ଦ ଯୁବ ପରିଷଦ ତରଫରୁ “ଭାଗବତ ରକ୍ତ ସଂପର୍କ” ସମ୍ମାନ, ଜୀବନ ଜ୍ୟୋତି, ଓଡ଼ିଶା ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, କେନ୍ଦୁଝର ସମାଜସେବୀ ମହାସଂଘ ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ- ୨୦୨୦, ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, ହାପିନେସ୍ ଫାଉଣ୍ଡେସନ, ଜଷ୍ଟ ଫର୍ ୟୁ ସଂଗଠନ ପକ୍ଷରୁ ଜଷ୍ଟ ଫର୍ ୟୁ ସେବା ସମ୍ମାନ, ସ୍ବଚ୍ଛତା ଆୱାରନେସ୍ ଏଣ୍ଡ୍ ଧାରା ଆସୋସିଏସନ୍, ଟୋକନ୍ ଫର୍ ଆପ୍ରିସିଏସନ୍ ଭଳି ବହୁ ସଂଗଠନ ତରଫରୁ ସମ୍ମାନିତ ହୋଇସାରିଛି। ଆଜି ବିଶ୍ବ ରକ୍ତଦାତା ଦିବସରେ ଆସନ୍ତୁ ରକ୍ତଦାନ କରିବା ଓ ରକ୍ତଦାନ କରିବା ପାଇଁ ସଚ଼େତନତା କରିବା।

Categories
ଆଞ୍ଚଳିକ

ବିଶ୍ୱ ରକ୍ତଦାତା ଦିବସରେ ‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ’ ର ଦଶମ ରକ୍ତଦାନ ଶିବିର ଅନୁଷ୍ଠିତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟ ରେ ଦଶମ ଥର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା।

ପ୍ରତିବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍‍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ, ଏ, ଏବଂ ବି) ଆବିଷ୍କାର କରିଥିଲେ। ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ। ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ସୁସ୍ଥ ସବଳ ପ୍ରାପ୍ତ ବୟସ୍କ ମଣିଷ ଶରୀରରେ ପ୍ରାୟ ୧୦ ୟୁନିଟ୍‍ ବା ୧୦ ପିଣ୍ଟ ରକ୍ତ ଥାଏ। ସେ ଚାହିଁଲେ ପ୍ରତି ୫୬ ଦିନରେ ଥରେ ମାତ୍ର ୧ ପିଣ୍ଟ ରକ୍ତଦାନ କରିପାରେ।

ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ। ଆଜିର ଶିବିରରେ ସମୁଦାୟ ଦଶ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସମୁଦାୟ ଦଶଗୋଟି ଶିବିରରେ ୧୭୦ ଗୋଟି ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଡାକ୍ତର ସସ୍ମିତା ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ  ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି।