ବିଶ୍ୱ ରକ୍ତଦାତା ଦିବସରେ ‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ’ ର ଦଶମ ରକ୍ତଦାନ ଶିବିର ଅନୁଷ୍ଠିତ

Published: Jun 14, 2020, 6:38 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟ ରେ ଦଶମ ଥର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା।

ପ୍ରତିବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍‍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ, ଏ, ଏବଂ ବି) ଆବିଷ୍କାର କରିଥିଲେ। ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ। ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ସୁସ୍ଥ ସବଳ ପ୍ରାପ୍ତ ବୟସ୍କ ମଣିଷ ଶରୀରରେ ପ୍ରାୟ ୧୦ ୟୁନିଟ୍‍ ବା ୧୦ ପିଣ୍ଟ ରକ୍ତ ଥାଏ। ସେ ଚାହିଁଲେ ପ୍ରତି ୫୬ ଦିନରେ ଥରେ ମାତ୍ର ୧ ପିଣ୍ଟ ରକ୍ତଦାନ କରିପାରେ।

ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ। ଆଜିର ଶିବିରରେ ସମୁଦାୟ ଦଶ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସମୁଦାୟ ଦଶଗୋଟି ଶିବିରରେ ୧୭୦ ଗୋଟି ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଡାକ୍ତର ସସ୍ମିତା ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ  ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି।

Related posts