Categories
ବିଶେଷ ଖବର

ସପ୍ତମ ବେତନ କମିଶନର ଶେଷ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି। ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।

ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ 20 ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ପେନ୍ସନଭୋଗୀ ମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି।

Categories
ବିଶେଷ ଖବର

ଇଣ୍ଡିଆନ କେମିକାଲ ଇଞ୍ଜିିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧)ର ଶୁଭାରମ୍ଭ

ଭୁବନେଶ୍ୱର: ଇଣ୍ଡିଆନ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ (କେମ୍‌କନ୍‌-୨୦୨୧) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଇଞ୍ଜିିନିୟର୍ସ (ଆଇଆଇସିଏଚଇ)ର ୭୪ତମ ବାର୍ଷିକ ଅଧିବେଶନ ଆଜିଠାରୁ ସିଏସଆଇଆର- ଇନଷ୍ଟିଚ୍ୟୁଟ ଅଫ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ ଟେକ୍ନୋଲୋଜି, ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି।

କେମ୍‌କନ୍‌-୨୦୨୧କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିଏସଆଇଆରର ମହାନିର୍ଦ୍ଦେଶକ ଡ଼ ଶେଖର ସି. ମାଣ୍ଡେ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଭର୍ଚୁଆଲି ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ସିଏସ୍‌ଆଇଆର-ଆଇଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବାସୁଙ୍କ ସମ୍ବର୍ଦ୍ଧନାରେ ଆରମ୍ଭ ହୋଇଥିଲା।

ଏହି ୫ ଦିନିଆ କାର୍ଯ୍ୟକ୍ରମ ଆଇଆଇସିଏଚଇ-ଭୁବନେଶ୍ୱର ରିଜିଓନାଲ ସେନ୍ଟର ଏବଂ ସିଏସଆଇଆର-ଆଇଏମ୍‌ଏମ୍‌ଟି, ଭୁବନେଶ୍ୱର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି-ଇଣ୍ଡିଆନ ଅଏଲ ଓଡିଶା କ୍ୟାମ୍ପସ, ଭୁବନେଶ୍ୱର ସହିତ ମିଳିତ ଭାବରେ ଆୟୋଜିତ କରିଛି।

କେମ୍‌କନ୍‌- ୨୦୨୧କୁ ଉଦଘାଟନ କରି ମୁଖ୍ୟ ଅତିଥି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏସଆଇଆର- ଆଇଏମ୍‌ଏମ୍‌ଟିରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ନିଜର ଖୁସି ପ୍ରକାଶ କରିଥିଲେ ଏବଂ ରାଜ୍ୟର ବିକାଶ ନିମନ୍ତେ ସରକାର ସମସ୍ତ ପ୍ରକାର ସୁବିଧା ଓ ସୁଜୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ।

“ରାସାୟନିକ ଏବଂ ଖଣିଜ କ୍ଷେତ୍ର ପାଇଁ ସମ୍ବଳର ନିରନ୍ତର ବ୍ୟବହାର” ସମ୍ମିଳନୀର ବିଷୟବସ୍ତୁ ରହିଛି। କେମ୍‌କନ୍‌-୨୦୨୧ କାର୍ଯ୍ୟକ୍ରମରେ ମେମୋରିଆଲ ଲେକ୍‌ଚର, ପ୍ଲେନାରୀ ଲେକ୍‌ଚର, ସେମିନାର, ଆନ୍ତର୍ଜାତୀୟ ସମ୍ମୀଳନୀ, ପ୍ୟାନେଲ ଡିସ୍କସନ ଏବଂ ପ୍ରଦର୍ଶନୀ ଆଦି ଅନ୍ତର୍ଭୁକ୍ତ ରହିବ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଅତିଥି ସିଏସ୍‌ଆଇଆରର ଡାଇରେକ୍ଟର ଜେନେରାଲ ଏବଂ ଡିଏସଆଇଆରର ସେକ୍ରେଟାରୀ ଡ଼ ଶେଖର ସି. ମାଣ୍ଡେ କହିଲେ , “କୋଭିଡ୍ ମହାମାରୀ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖୁବ ଦୁଃଖଦାୟକ। ଏହାର ପରବର୍ତା ସମୟରେ କେମ୍‌କନ୍‌-୨୦୨୧ ଭଳି କାର୍ଯ୍ୟକ୍ରମକୁ କୋଭିଡ କଟକଣା ମଧ୍ୟରେ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ର୍ରହଣ କରିଥିବାରୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ମହାମାରୀ ହେଉ ବା ପରିବେଶ ସୁରକ୍ଷା ହେଉ ଏହିଭଳି କଠିନ ସମୟରେ ଆମ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ।”

ସିଏସ୍‌ଆଇଆରର ଡାଇରେକ୍ଟର ଜେନେରାଲ ଡ଼ ଶେଖର ସି. ମାଣ୍ଡେ, ଆଇଓସିଏଲ୍‌ର ସିଏମ୍‌ଡି, ଏସ୍‌.ଏମ୍‌. ବୈଦ୍ୟ, ଆଦିତ୍ୟ ବିର୍ଲା କେମିକାଲସ୍‌ର ଡାଇରେକ୍ଟର, ଡ଼ ସନ୍ତୃପ୍ତ ମିଶ୍ର, ଏକ୍ସେଲ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ, ଅଶ୍ୱିନୀ ସ୍ରଫ ଆଦି ନିମନ୍ତ୍ରିତ ଅତିଥି ଏବଂ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଅର୍ଗାନାଇଜିଂ କମିଟିର ସଭାପତି ଡ଼ ସି ଇଶ୍ୱରିଆ ଡ଼ ଜି.କେ. ରାୟଙ୍କୁ ସମ୍ବୋଧିତ କରିବା ସହ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାୟଗଡାରେ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାୟଗଡାରେ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି। ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍‌ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣୁପୁର ବ୍ଲକ୍‌ର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।