Categories
ଆଜିର ଖବର ରାଜ୍ୟ ଖବର

ବାଣିଜ୍ୟ ଏବଂ ପରିବହନ ବିଭାଗ ଓ ଏନସିସି ନିର୍ଦ୍ଦେଶାଳୟ ମଧ୍ୟରେ ‘ଜୁନିଅର ରକ୍ଷକ’ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ବୁଧବାର ପୂର୍ବାହ୍ନରେ ଲୋକସେବା ଭବନର କନଭେନସନ୍‌ ହଲରେ ବାଣିଜ୍ୟ ଏବଂ ପରିବହନ ବିଭାଗ ଓ ଏନସିସି ନିର୍ଦ୍ଦେଶାଳୟ ମଧ୍ୟରେ ’ଜୁନିଅର ରକ୍ଷକ’ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅତିରିକ୍ତ କମିଶନର୍‌ ଟ୍ରାନ୍ସପୋର୍ଟ (ସଡକ ସୁରକ୍ଷା) ଲାଲ୍‌ମୋହନ ସେଠୀ ଏବଂ ଏନସିସି ନିର୍ଦ୍ଦେଶକ, ଓଡିଶା ସାଗର କେ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରାୟ ୬୩ ହଜାର କ୍ୟାଡେଟ ସଡକ ସୁୁରକ୍ଷା ସଡକ ଦିଗରେ ’ଜୁନିଅର ରକ୍ଷକ’ ଭାବେ କାର୍ଯ୍ୟ କରିବେ। ସେମାନ ସଡକ ଦୁର୍ଘଟଣାର ଆଶଙ୍କାକୁ ରୋକିବା ଏବଂ ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଏକ ସଂକଳ୍ପବଦ୍ଧ ପ୍ରତିବଦ୍ଧତାକୁ ଆପଣେଇ ସଡକ ସୁରକ୍ଷା ସମ୍ବନ୍ଧୀୟ ଶିକ୍ଷା, ତାଲିମ ହାସଲ କରିବେ। ଏହି ଏନସିସି କ୍ୟାଡେଟ-କମ ଜୁନିଅର ରକ୍ଷକ ଆମର ଭବିଷ୍ୟତର ସଡକ ସୁରକ୍ଷା ରାଷ୍ଟ୍ରଦୂତ ହେବେ ଯେଉଁମାନେ ସେମାନଙ୍କ ବନ୍ଧୁ, ପରିବାର ଏବଂ ଜନସାଧାରଣଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତାର ଜାଗରୁକତା ବିସ୍ତାର କରିବାରେ ପ୍ରମୁଖ ଭୂମିକା ନେବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଯୋଗେ ପ୍ରକାଶ କରିଥିଲେ।

ମୁଖ୍ୟ ଅତିଥି ବାଣିଜ୍ୟ ଏବଂ ପରିବହନ, ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର, ଓଡିଶା ରାଜ୍ୟ ପୋଲିସ ହାଉସିଂ ଓ କଲ୍ୟାଣ କର୍ପୋରେସନ୍‌ର ସିଏମଡି ସନ୍ତୋଷ ବାଲା, ଓଡିଶା ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କେ ମହାନ୍ତିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ମୁଖ୍ୟ ଅତିଥି ବାଣିଜ୍ୟ ଏବଂ ପରିବହନ, ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟର ୬ଟି ସ୍ଥାନ ଯଥା ଅନୁଗୁଳ, ଢେଙ୍କାନାଳ, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର ଓ ଗଂଜାମରେ ସ୍ୱ୍‌ୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌ ଲୋକାର୍ପଣ କରିଥିଲେ। ଟ୍ରାଫିକ୍‌ ନିୟମ ଏବଂ ସଡକ ଚିହ୍ନ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନର ଅଭାବ ହେତୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ୫-ଟି ପଦକ୍ଷେପ ଅଧୀନରେ ଏହି ସ୍ୱ୍‌ୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି।

ସ୍ୱ୍‌ୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌ ବଳରେ ଯୋଗ୍ୟ ବ୍ୟକ୍ତିମାନେ ଡ୍ରାଇଭିଂ ଲାଇସେନ୍ସ ପାଇ ଦୁର୍ଘଟଣା ହ ୍ରାସ କରିବାରେ ସାହାଯ୍ୟ କରିବେ। ଏହା ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିିତ କରିବ ଓ ମାନୁଆଲ ପରୀକ୍ଷା ପ୍ରକ୍ରିୟା ତୁଳନାରେ ଅଧିକ ଦକ୍ଷ ଏବଂ ସ୍ୱ୍‌ଚ୍ଛ ହେବ। ଧାର୍ଯ୍ୟ ସମୟ ମଧ୍ୟରେ ଏହି ବ୍ୟବସ୍ଥା ରାଜ୍ୟର ସମସ୍ତ ଅଞ୍ଚଳରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଥିଲେ।

ମନ୍ତ୍ରୀ ଟୁକୁନି ସାହୁ ୫-ଟି ପଦକ୍ଷେପ ଅଧୀନରେ ସାରା ରାଜ୍ୟରେ ୨୩ଟି ସ୍ଥାନରେ ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାସ୍ତା କଡ଼ରେ ବେଆଇନ ପାର୍କିଂ ହେଉଛି ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ। ବିଗତ ୨-୩ ବର୍ଷ ମଧ୍ୟରେ ରାସ୍ତା ପାଶ୍ୱର୍ରେ ପାର୍କିଂ ଯାନ ସହିତ ଜଡିତ ଦୁର୍ଘଟଣା ୨୨୦% ବଢିଛି ଓ ୮୫୨ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲା ମଧ୍ୟରେ ପାର୍କିଂ ସୁବିଧା ନ ଥିବାରୁ ହେଭି ମୋଟର ଯାନଗୁଡିକ ବାରମ୍ବାର ରାସ୍ତା କଡ଼ରେ ଅଟକି ରହିଥାଏ ଦୀର୍ଘ ମାର୍ଗର ଡ୍ରାଇଭରମାନେ ବାରମ୍ବାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଚାପ ଅନୁଭବ କରନ୍ତି, ସଡ଼କ ଦୁର୍ଘଟଣାରେ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ପର୍ଯ୍ୟାପ୍ତ ନିଦ ନଥାଏ। ଏଥିପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ଡ୍ରାଇଭରମାନଙ୍କୁ କାର୍ଗୋ, ଇନ୍ଧନ ଆଦି ସୁବିଧା ସହିତ ଅନ୍ୟ ସୁବିଧା ଯୋଗାଇବା ପାଇଁ ସାରା ରାଜ୍ୟରେ ଟ୍ରକ୍‌ ଟର୍ମିନାଲ୍‌ ର୍ନିମାଣ କରିବାକୁ ଯାଉଛି। ପରିବହନ ବିଭାଗ ଡ୍ରାଇଭରମାନଙ୍କର ସଠିକ୍‌ ତାଲିମ ଏବଂ ପରୀକ୍ଷା ଠାରୁ ଆରମ୍ଭ କରି ଦୀର୍ଘ ରୁଟ୍‌ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ ସ୍ଥାନ, ବିଳମ୍ବିତ ରାତିରେ ଡ୍ରାଇଭରମାନଙ୍କୁ ମାଗଣା ଚା ବଣ୍ଟନ କରିବା ସହିତ ଅନେକ ପଦକ୍ଷେପ ଆରମ୍ଭ କରିଛି।

ଓଡିଶାକୁ ଏକ ଦୁର୍ଘଟଣାମୁକ୍ତ ରାଜ୍ୟରେ ପରିଣତ କରିବା ଦିଗରେ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ କହିଲେ ଯେ, ୧୯୯୯ ମହାବାତ୍ୟାରେ ପ୍ରାୟ ୨୦ ହଜାର ଲୋକ ମୃତ୍ୟୁ ବରଣ କରିଥିଲେ ମଧ୍ୟ ପରବର୍ତ୍ତି ବାତ୍ୟାଗୁଡିକରେ ନିଷ୍ଠାପର ପଦକ୍ଷେପ ନେଇ ଆମେ ମୃତ୍ୟୁସଂଖ୍ୟାକୁ ଶୂନ କରିପାରିଥିଲୁ। ସେହିଭଳି ନିଷ୍ଠା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୬୩ ହଜାର କ୍ୟାଡେଟଙ୍କ ସହଯୋଗ ବଳରେ ଆମର ସଡ଼କ ଦୁର୍ଘଟଣା ମୃତ୍ୟୁକୁୁ ମଧ୍ୟ ଆମେ ହ୍ରାସ କରି ପାରିବା।

ପ୍ରମୁଖ ଶାସନ ସଚିବ ଉଷା ପାଢୀ ସାଧାରଣ ଜନତାଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁିତ୍ୱାରୋପ କରିଥିଲେ।

ପରିବହନ କମିଶନର ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ସଡକ ସୁରକ୍ଷା ଦିଗରେ ନିରନ୍ତର ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ।

ରାଜ୍ୟରେ ସଡ଼କ ଦୁର୍ଘଟଣାର ଧାରା ସମ୍ବନ୍ଧରେ ବହୁମୂଲ୍ୟ ସୂଚନା ପ୍ରଦାନ କରୁଥିବା ଓଡ଼ିଶାରେ ସଡ଼କ ଦୁର୍ଘଟଣା ପୁସ୍ତକ ଉନ୍ମୋଚନ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର ପରିପ୍ରେକ୍ଷୀରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇଆଇଟି, ଗୌହାଟୀ ମଧ୍ୟରେ “ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ “ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ” ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷିରିତ ହୋଇଥିଲା । ଜଳସମ୍ପଦ ବିଭାଗ ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଓ ଆଇଆଇଟି, ଗୌହାଟୀ ପକ୍ଷରୁ ପ୍ରଫେସର ଶିବାଶିଷ ଦତ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ନଦୀ । ଏହି ନଦୀ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲିଠାରେ ଏକ ନଦୀବନ୍ଧ ଏବଂ ରେଙ୍ଗାଲି ଡ୍ୟାମର ପ୍ରାୟ ୩୫.୦୦ କିଲୋମିଟର ତଳ ମୁଣ୍ଡରେ ସମଲଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି । ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଜଳପ୍ରବାହର ସ୍ଥିତି ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥାପନ କରିଥିଲେ । ନଦୀସ୍ତରରେ ବାଲି, ପଙ୍କ ଓ ପଟୁ ଆଦି ବସିବା ଦ୍ୱାରା ନଦୀରେ ଜଳସ୍ତର ଓ ପ୍ରବାହ କମ୍ ରହୁଛି । ଫଳରେ ବନ୍ୟା ଜଳ ନିସ୍କାସନରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ନଦୀରେ ଜଳ ସଂଚୟ ଏବଂ ପ୍ରବାହକୁ ନିଶ୍ଚିତ କରିବାକୁ ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଆବଶ୍ୟକ ସମୟରେ ଜଳର ଉପଲବ୍ଧତା ଦୃଷ୍ଟିରୁ ଯାଜପୁର ଜିଲ୍ଲାର ଜେନାପୁର ଓ ଯୋକଡିଆରେ ସମନ୍ୱିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରି ଉଭୟ ନଦୀରେ ପ୍ରବାହ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ନଦୀ ପ୍ରଣାଳୀକୁ ପୁନରୁଦ୍ଧାର କରିବା ପାଇଁ ଢାଞ୍ଚାଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଜଳ ପ୍ରବାହର ଆନୁପାତିକ ବଣ୍ଟନ ପାଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବା ପାଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି,ଗୌହାଟୀ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଜଳ ସଂପଦ ବିଭାଗ ଲୋକମାଙ୍କର ଜଳର ଆବଶ୍ୟକତାକୁ ପୂରଣ ଦିଗରେ ସର୍ବଦା ପ୍ରୟାସ ଜାରି ରଖିଛି । ବିଭାଗ ତରଫରୁ ବ୍ରାହ୍ଣଣୀ ନଦୀରେ ପ୍ରସ୍ତାବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ରାନ୍ତରେ ଓ ନଦୀରେ ମାଟି,ପଙ୍କ ଆଦି ଜମି ନରହି ଜଳ ପ୍ରବାହକୁ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ ଏହି ବୁଝାମଣା ପତ୍ର ଏ କ୍ଷେତ୍ରରେ ବୈଷୟିକ ଅଧ୍ୟୟନ ପାଇଁ ଆମକୁ ସହାୟକ ହେବ , ଯାହା ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ତାଙ୍କ ଅଭିଭାଷଣରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ୍ ଭାବେ ଅବଗତ କରିଥିଲେ । ବୈଠକରେ ବିଭାଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାଙ୍କ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ସେପେଫମ୍ବର ୧୩, ୨୦୨୩ ତାରିଖରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୬୭୯୮ ଜିପି ମଧ୍ୟରୁ ପ୍ରାୟ ଶତକଡା ୬୫ ଭାଗ ଜିପିରେ (୪୩୭୩ ଜିପି) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଆର୍ଥିକ ଅଗ୍ରସର ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ବ୍ୟାଙ୍କ ସେବା ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିପିଙ୍କୁ ଏକ ସ୍ଥାୟୀ ବ୍ୟାଙ୍କ ଶାଖା ଯୋଗାଇ ଦିଆଯିବା ଆବଶ୍ୟକ।

ତେଣୁ ଓଡିଶା ସରକାର ସିଏସ୍‌ପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କବିହୀନ ଜିପିକୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଜିପିମାନଙ୍କୁ ଏହି ଯୋଜନାରେ ପର‌୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ୫ ବର୍ଷ ପାଇଁ ବିନା ଭଡାରେ ବ୍ୟାଙ୍କିଙ୍ଗ ସ୍ଥାନ ପ୍ରଦାନ କରିବେ। ଏଥିସହିତ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସର୍ବମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରାଯାଇଛି।

ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସଠିକ ରୂପଦେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ୫-ଟି ମନ୍ତ୍ର ଅନୁଯାୟୀ ଏହାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସମସ୍ତ ଜିପିମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ଏଭଳି ଏକ ଆଦର୍ଶ ମଡେଲ୍ ଗ୍ରହଣ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଅଟେ।

ଏହା ଦ୍ୱାରା ରାଜ୍ୟର ସମସ୍ତ ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକମାନେ ସୁବିଧାରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଏବଂ ଠିକ୍ ସମୟରେ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଲାଭ ପାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେବା ସହ ୬ ମାସ ପାଇଁ ଇଂଟର୍ଣ୍ଣସିପ୍‌ର ବ୍ୟବସ୍ଥା କରାଯିବ। ଏହାଛଡା ଇଂଟର୍ଣ୍ଣସିପ୍ ସମୟରେ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସୁଯୋଗ ମିଳିବ। ଏହା ବ୍ୟତୀତ ଇଞ୍ଜିନିୟରିଂ, ସଫ୍ଟେଓ୍ୟର, ହାର୍ଡେଓ୍ୟର ଇତ୍ୟାଦି ଉପରେ କମ୍ପାନୀ ପକ୍ଷରୁ କର୍ମଶାଳା, ଆଲୋଚନା ଚକ୍ର ଓ ହାକାଥନ୍‌ର ମଧ୍ୟ ଆୟୋଜନ କରାଯିବ ଏବଂ ଆଇଟିଇଆର କ୍ୟାମ୍ପସ୍ ରୁ ଛାତ୍ରଛାତ୍ରୀ ମାନଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ ମିଳିପାରିବ।

ଏହି ବୁଝାମଣାରେ ସୋଆର ପ୍ରୋ-ଭାଇସ୍‌ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଓ ଟି ଆଣ୍ଡ ଡି କମ୍ପାନୀର ଟାଟା ପାୱାର ମାନବ ସମ୍ବଳ ମୁଖ୍ୟ ଶ୍ରୀ ସୁବୀର ବର୍ମାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲେ।

ଟାଟା ପାୱାର ଏଲ୍ ଆଣ୍ଡ ଡି, ଓଡିଶା ଡିସକମ୍ ର ମୁଖ୍ୟ ବୁଦ୍ଧିଶ କୁମାର ବେହେରା, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ ଓ କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌, ଆଇଟିଇଆରର ମୁଖ୍ୟ ସୁମିତ ମିତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିତଳାପଲୀ ଜୈବିକ ସାର ପ୍ଲାଣ୍ଟ ପରିଚାଳନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋୖର ନିଗମ ଅଞ୍ଚଳରୁ ସଂଗ୍ରୁହିତ ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ଜୈବିକ ସାର ପ୍ଲାଣ୍ଟ କାରଖାନାର ପରିଚାଳନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଇତ୍ୟବସରରେ ତ୍ରୁତୀୟଲିଙ୍ଗି ସଂଗଠନ ପକ୍ଷରୁ ଗଠିତ ବହୁଚରା ସ୍ବୟଂ ସହାୟକ ଗୋଷ୍ଠୀକୁ ଉକ୍ତ ପ୍ଲାଣ୍ଟ ପରିଚାଳନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ,ପୌର ନିଗମ କମିଶନର ଜେ ସୋନାଲ୍ ଙ୍କ ସମେତ ବହୁ ନିଗମ ପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାମଗ୍ରୀକ ଚିକିତ୍ସା ସୁବିଧା ନିମନ୍ତେ ଏମ୍ସ ଭୁବନେଶ୍ୱର ଏବଂ ଏସଭିନିର୍ତାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍ଭିନିର୍ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏସ୍ଭିନିର୍ତାର, କଟକ ନିର୍ଦ୍ଦେଶକ ଡ. ପି ପି ମହାନ୍ତି ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।

ଏପରି ବୁଝାମଣା ଅସ୍ତ୍ରୋପଚାର ପରବର୍ତ୍ତୀ ଏବଂ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ପୁନର୍ବାସ ଚିକିତ୍ସା ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ବିଶେଷ ସହାୟକ ହେବ। ଏମ୍ସର ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍ସ, ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ, ପେଡିଆଟ୍ରିକ୍ସ(ଶିଶୁରୋଗ) ଭଳି ବିଭିନ୍ନ ବିଭାଗ ସହିତ ଏସ୍ଭିନିର୍ତାରର ଫିଜିଓଥେରାପୀ, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ ଭଳି ବିଭିନ୍ନ ବିଭାଗ ଅଧୀନରେ ଚିକିତ୍ସିତ ରୋଗୀଙ୍କ ରେଫରାଲ୍ ଉପରେ କାର୍ଯ୍ୟ କରିବ। ଉଭୟ ଜାତୀୟ ଅନୁଷ୍ଠାନ ଏହି କ୍ଷେତ୍ରରେ ଚିକିତ୍ସାଧୀନ ରୋଗୀ ଆବଶ୍ୟକ କରୁଥିବା ପୁନର୍ବାସ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତପ୍ରକାଶ କରିଛନ୍ତି।

ଏଥିସହିତ ହୃଦ୍ ରୋଗ, ମାନସିକ ରୋଗ, କର୍କଟ ଆଦି ବିଭାଗ କ୍ଷେତ୍ରରେ ମଧ୍ୟ ପୁନର୍ବାସ ବ୍ୟବସ୍ଥା ଯୋଗାଇଦେବାରେ ଏହି ବୁଝାମଣା ବିଶେଷ ସହାୟକ ହେବ। ଉଭୟ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା, ଗବେଷଣା ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବା, ଏସ୍ଭିନିର୍ତାର ଛାତ୍ରଛାତ୍ରୀ ଏମ୍ସକୁ ଆସି କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ଭଳି ବିଷୟ ମଧ୍ୟ ଏହି ବୁଝାମଣାରେ ସ୍ଥାନ ପାଇଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ସର୍ବଦା ଏହିଭଳି ବୁଝାମଣାକୁ ଉତ୍ସାହିତ କରିଥାଆନ୍ତି। ଏହି ଏମଓୟୁକୁ ସଫଳ କରିବା ପାଇଁ ପ୍ରେରଣା ଦେଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଏମ୍ସ ଏବଂ ଏସ୍ଭିନିର୍ତାର ମିଳିତ ଭାବେ ଦିବ୍ୟାଙ୍ଗ ଜନ ତଥା କୃତ୍ରିମ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ନୂତନ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରିବା ତଥା ଅନ୍ୟାନ୍ୟ ଗବେଷଣାତ୍ମକ ଉତ୍ପାଦ ସୃଷ୍ଟି କରିବା ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତିରେ ସହଯୋଗ କରିବ ଏହି ଏମ୍ଓୟୁ। ସେହିପରି ଜାତୀୟ ଶିକ୍ଷା ନୀତିରେ ଥିବା ବ୍ୟବସ୍ଥା ଅନୁଯାୟୀ ଉଭୟ ଅନୁଷ୍ଠାନ ବିଭିନ୍ନ ଏକାଡେମୀକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହା ଉପରେ କାର୍ଯ୍ୟ କରିବେ।

ଭାରତର ସର୍ବବୃହତ ଲୋକୋମୋଟର୍ ପୁନର୍ବାସ ଚିକିତ୍ସା କେନ୍ଦ୍ର ଏସ୍ଭିନିର୍ତାର ଫିଜିଓଥେରାପି, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ, ପ୍ରୋଷ୍ଟେଟିକ୍ସ ଏବଂ ଅର୍ଥୋଟିକ୍ସ ଆଦି ବିଭିନ୍ନ ପ୍ରକାରର ପୁନର୍ବାସ ଥଇଥାନ ଚିକିତ୍ସାସେବା ଯୋଗାଇଆସୁଛି। ଏମ୍ସ ଭୁବନେଶ୍ୱର ସହିତ ହୋଇଥିବା ଏହି ବୁଝାମଣା ମାଧ୍ୟମରେ ଏହି କ୍ଷେତ୍ରରେ ଆହୁରି ଅଧିକ ବ୍ୟାପକତା ଆସିବା ସହିତ ଗବେଷଣା ନିମନ୍ତେ ବାଟ ଫିଟାଇବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡ. ପି ପି ମହାନ୍ତି ପ୍ରକାଶ କରିଛନ୍ତି। ଏହି ବୁଝାମଣା ଫଳରେ ଅନେକ ଗୁରୁତର ରୋଗୀ ଆବଶ୍ୟକୀୟ ଚିକିତ୍ସା ସହାୟତା ପାଇପାରିବେ ବୋଲି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ଡିଏନ୍ (ଏକାଡେମିକ୍) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡ. ଡି କେ ପରିଡ଼ା, ଆସୋସିଏଟ୍ ଡିନ୍ (ଗବେଷଣା) ଡ. ଭାଗୀରଥୀ ଦ୍ୱିବେଦୀ, ପିଆର୍ ସେଲ୍ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଏସ୍ଭିନିର୍ତାର ଅଧ୍ୟାପିକା(ଅକୁପେସନାଲ୍ ଥେରାପୀ) ପ୍ରଜ୍ଞା ସିଂ ଏବଂ ତାଲିମ ସଂଯୋଜକ ରଶ୍ମି ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି।

ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଆଞ୍ଚଳିକ ସହଯୋଗ ବଢିବ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ବିିଭିନ୍ନ ଆନ୍ତର୍ଜାତିକ, ଆଞ୍ଚଳିକ ଓ ଜାତୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ଓ ଉପଲବ୍ଧି ଉତ୍ସାହଜନକ ରହୁଛି। ଖେଳକୁଦକୁ ସ୍ୱଚ୍ଛ ଓ ନିଶା କାରବାର ତଥା ମାଦବ ଦ୍ରବ୍ୟରୁ ମୁକ୍ତ ରଖିବାକୁ ଭାରତ ଅଙ୍ଗୀକୃତ ହୋଇ ଏ କ୍ଷେତ୍ରରେ କାମ କରୁଛି। ଆଣ୍ଟି ଡୋପିଙ୍ଗ କ୍ଷେତ୍ରରେ ଭାରତ ଅବଦାନ ବେଶ୍ ପ୍ରଂଶସନୀୟ।

ସେ ଆହୁରି କହିଛନ୍ତି ଯେ ଭାରତକୁ ଏକ କ୍ରୀଡା ମହାଶକ୍ତିରେ ପରଣିତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରଣାଳୟ ଅଙ୍ଗୀକୃତ। ଭାରତୀୟ କ୍ରୀଡାବିତ୍ମାନଙ୍କର ପ୍ରଦର୍ଶନ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ବଢାଇବା ପାଇଁ ମନ୍ତ୍ରଣାଳୟ ଅବିରତ ଭାବେ କାର୍ଯ୍ୟ କରୁଛି। “ଆମେ ଉଚ୍ଚମାନର ତାଲିମ, ଉତ୍ତମ କ୍ରୀଡା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଆମ କ୍ରୀଡାବିତ୍ମାନଙ୍କୁ ଯୋଗାଇ ଆସୁଛୁ। ସବୁପ୍ରକାର ଖେଳକୁଦର ବିକାଶ ପାଇଁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି। ପ୍ରତିଭା ବିକାଶ ନିମନ୍ତେ ଖେଳକୁଦରେ ଅଧିକରୁ ଅଧିକ ପ୍ରତିଯୋଗିତାମାନ କରାଯାଉଛି। ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍ଙ୍କୁ ସମାନ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖେଳକୁଦକୁ ସ୍ୱଚ୍ଛ ଓ ନିଶାମୁକ୍ତ କରିବା ପାଇଁ ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ ତାହାର ଉଦ୍ୟମ ଅବ୍ୟାହତ ରଖିଛି” ବୋଲି ସେ କହିଛନ୍ତି।

କ୍ରୀଡା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ତରର ଧନାଢ୍ୟ ବିକଶିତ ଦେଶ ଏବଂ ଦକ୍ଷିଣର ଦରିଦ୍ର ଅନଗ୍ରସର ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ହ୍ରାସ କରିବାକୁ ଭାରତ ଆଞ୍ଚଳିକ ସ୍ତରରେ କାମ କରୁଛି। ଏଥିପାଇଁ ଭାରତ ଏସୀୟ ମିତ୍ର ରାଷ୍ଟ୍ରମାନଙ୍କ ନିମନ୍ତେ ଅର୍ଥନୀତିକ ଓ ସାମାଜିକ ଅଭିବୃଦ୍ଧି ନିମନ୍ତେ କାମ କରୁଛି। ସେ ଆହୁରି କହିଛନ୍ତି ଯେ ବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଓ କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାର ନିରୋଧୀ ଆନ୍ତର୍ଜାତିକ ୟୁନୋସ୍କୋ ଚୁକ୍ତି କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅବଦାନ ଓ କାର୍ଯ୍ୟ ଆଣ୍ଟି ଡୋପିଙ୍ଗ ଆନ୍ଦୋଳନକୁ ବୈଶ୍ୱିକ ସ୍ତରରେ ଆହୁରି ବ୍ୟାପକ ଓ ସୁଦୃଢ କରିବାକୁ ଉଦ୍ଦିଷ୍ଟ। ଭାରତର କାର୍ଯ୍ୟ ଏ କ୍ଷେତ୍ରରେ ସ୍ପଷ୍ଟ ଏବଂ କ୍ରୀଡାକୁ ନିର୍ମଳ ଓ ନିଶାମୁକ୍ତ କରିବାକୁ ଏହା ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିଛି।

ସେ କହିଛନ୍ତି ଯେ ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ପଦରେ ରହିଛି। ଏହି ସଂଗଠନ ମାଧ୍ୟମରେ ଭାରତ ଏସିଆ ଅଞ୍ଚଳର ସମସ୍ୟାବଳୀକୁ ଅଗ୍ରାଧିକାର ଦେଇ ଏହାର ସମାଧାନ ପାଇଁ ବିଶ୍ୱ ମଂଚରେ ସ୍ୱର ଉଠାଉଛି। କ୍ରୀଡା ସହିତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବିକାଶମୂଳକ ସହଯୋଗ ବଢାଇବାକୁ ଭାରତ ପ୍ରସ୍ତାବ ଦେଇଛି। ‘ନାଡା’ ଇଣ୍ଡିଆଓ ‘ସାରାଡୋ’ ମଧ୍ୟରେ ନିଶା ଔଷଧ ବ୍ୟବହାରକୁ ରୋକିବା ପାଇଁ ହୋଇଥିବା ଏହି ଚୁକ୍ତିକୁ ସେ ସ୍ୱାଗତ କରିବା ସହିତ ଉଭୟ ସଂସ୍ଥାଙ୍କ ଅଭିନନ୍ଦନ ଜଣାଇଛନ୍ତି। ଏ ପ୍ରକାର ବୁଝାମଣା ପ୍ରଥମ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଜାତୀୟ, ଆଞ୍ଚଳିକ ଓ ବିଶ୍ୱସ୍ତରରେ ଖେଳକୁଦ ଆହୁରି ସ୍ୱଚ୍ଛ ଏବଂ ନିଶାମୁକ୍ତ ହେବ ବୋଲି ସେ ମତ ଦେଇଛନ୍ତି।

ଏହି ବୁଝାମଣାପତ୍ରରେ ‘ନାଡା’ ଇଣ୍ଡିଆର ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଋତୁ ସରିନ ଏବଂ ‘ସାରାଡୋ’ର ମହା ନିର୍ଦ୍ଦେଶକ ମହମ୍ମଦ ମହିଦ ଶରିଫ ସ୍ୱାକ୍ଷର କରିଥିଲେ। ଉଭସେୟ ପକ୍ଷ ଦକ୍ଷିଣ ଏସିଆର ଆଣ୍ଟି ଡୋପିଙ୍ଗ ଶିକ୍ଷା, ତାଲିମ, ଦକ୍ଷତା ବିକାଶ, ସେମିନାର କର୍ମଶାଳା, ଆୟୋଜନ ଏବଂ ଗବେଷଣା, ବିଭିନ୍ନ ବିନିମୟ କାର୍ଯ୍ୟକ୍ରମ ଓ ଆଦି ପ୍ରମୁଖ ଛ’ଟି କ୍ଷେତ୍ରରେ କାମ କରିବେ।

ଏହି ଅବସରରେ ଭାରତର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚତୁର୍ବେଦୀ, ୱାଡାର ମହାନିର୍ଦ୍ଦେଶକ ସୁଶୀ ଋତୁ ସରିନ୍, ୱାଡାର ଏସିଆ-ଓସେନିଆ ନିର୍ଦ୍ଦେଶକ କାଜୁହିରୋ ହାୟାସୀ ଏବଂ ସାରାଡୋର ମହା ନିର୍ଦ୍ଦେଶକ ମହମ୍ମଦ ମହିନ ଶରିଫ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସାରୋଡାର ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର ପ୍ରତିନିଧିମାନେ ନିଜ ନିଜ ଦେଶର ଚାଲିଥିବା ଆଣ୍ଟି ଡୋପିଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ନେଇ ଏମ୍ସ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।

ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ, ରୋଗର ପୂର୍ବାନୁମାନ କୌଶଳ ସୃଷ୍ଟି, ଡିଜିଟାଲ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ର ନିମନ୍ତେ ବିଭିନ୍ନ ଉପକରଣର ବିକାଶ ଏବଂ ଏହି କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ସହଯୋଗ କରିବାକୁ ସହମତ ହୋଇଛନ୍ତି।

ରାଜ୍ୟରେ ପ୍ରଥମ କରି ହୋଇଥିବା ଏପରି ପ୍ରୟାସ ଜନସ୍ୱାସ୍ଥ୍ୟ ଏବଂ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନଗୁଡ଼ିକର ସମାଧାନ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ରୋଗର ନିରାକରଣ ଏବଂ ଚିକିତ୍ସାରେ ବେଶ ସହାୟକ ହେବବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ଏହି ବୁଝାମଣା ଫଳରେ ବିଭିନ୍ନ ରୋଗର ଚିହ୍ନଟ, ଚିକିତ୍ସାଉପକରଣ, ଆପ୍, ପରିଧାନଯୋଗ୍ୟ ସେନ୍ସର ବିକାଶ, ପ୍ରତିଛବିଭିତ୍ତିକ ନିରାକରଣ(ଇମେଜିଂ) ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ସୁଦୃଢ଼ କରିବ। ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏପରି ବୁଝାମଣାକୁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ସର୍ବଦା ଉତ୍ସାହିତ କରିଥାଆନ୍ତି। ସଫତଳାର ସହିତ ଏହି ଏମଓୟୁ ସ୍ବାକ୍ଷରିତ ହେବାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ଉଭୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ. ବିଶ୍ବାସ।

ଏପରି ନିଆରା ବୁଝାମଣାରେ ଖୁସି ପ୍ରକଟ କରିବା ସହିତ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ୍ କରମଲକର କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ସାମୂହିକ ଭାବେ ସମ୍ଭାବ୍ୟ ପାରସ୍ପରିକ ଭାଗିଦାରୀ ଉପରେ ଦୃଷ୍ଟି ରଖିଛନ୍ତି। ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ରାଜ୍ୟ ତଥା ସମଗ୍ର ଦେଶରେ ସାମାଜିକ ପ୍ରଭାବ ବୃଦ୍ଧି କରିବ। ଜନହିତକର କାର୍ଯ୍ୟ ପାଇଁ ଏହି ପ୍ରୟାସ ବେଶ ସଫଳ ହେବ। ଏପରି ଏମଓୟୁକୁ ଉତ୍ସାହିତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ କରମଲକର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଜ୍ଞାନକୌଶଳର ପ୍ରୟୋଗ ଠୋସ୍ ଫଳାଫଳ ଆଣିବା ନେଇ ଶତପ୍ରତିଶତ ପ୍ରୟାସ କରାଯିବ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ।

ଅସ୍ଥିଶଲ୍ୟ, ରେଡିଓଲୋଜି, କର୍କଟ ଭଳି ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତାର ପୟୋଗ ଫଳରେ ବେଳ ଥାଉ ଥାଉ ସ୍ତନ କର୍କଟ ଭଳି ରୋଗକୁ ମଧ୍ୟ ଚିହ୍ନଟ କରାଯାଇପାରିବ। ଯାହାକି ଏହାର ଚିକିତ୍ସାକୁ ସହଜ କରିବ। ସେହିପରି ଉଭୟ ଅନୁଷ୍ଠାନ ଏକ ଉତ୍ସର୍ଗୀକୃତ ଅତ୍ୟାଧୁନିକ ଗବେଷଣାଗାର ବିକାଶ ଉପରେ ଧ୍ୟାନ ଦେବେ। ଏଥିସହିତ “ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି” ଭଳି ଏକ ଉନ୍ନତ ଅନୁସନ୍ଧାନ କେନ୍ଦ୍ର ସ୍ଥାପନା ସହିତ ବିଭିନ୍ନ ଚିକିତ୍ସା ସାମଗ୍ରୀ ଏବଂ ଉପକରଣ ଉତ୍ପାଦନର ମାର୍ଗ ପ୍ରସ୍ତୁତ ହେବ।

ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନୁଷ୍ଠାନ ଏକାଧିକ ସ୍ବଳ୍ପକାଳୀନ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା ରହିଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଅଧ୍ୟାପକ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ସହିତ ତାଲିମ ପାଠ୍ୟକ୍ରମର ପ୍ରବର୍ତ୍ତନ ଏହି କ୍ଷେତ୍ରରେ ଉତ୍କର୍ଷ ଆଣିବ। ପ୍ୟାଟେଣ୍ଟିଂ, ଉତ୍ପାଦ ବିକାଶ, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଶିଳ୍ପ ସହଯୋଗ ଆଦି ଦିଗରେ ଉଭୟ ଅନୁଷ୍ଠାନ ପରସ୍ପରକୁ ସହଯୋଗ କରିବେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ପ୍ରେରଣା ସୃଷ୍ଟି କରିବ। ଏହା ମଧ୍ୟ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସଫଳ କରିବାରେ ସହଯୋଗ କରିବ।

ଏହି ଅବସରରେ ଏମ୍ସ ଭୁବନେଶ୍ୱର ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅଧ୍ୟକ୍ଷ ପ୍ରଫେସର ଯୋଗେଶ କେ ଚାୱଲା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ସହଯୋଗୀ ଡିନ୍ (ଅନୁସନ୍ଧାନ) ଡ. ଭାଗିରଥୀ ଦ୍ୱିବେଦୀ, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଭାରପ୍ରାପ୍ତ ଡିଡିଏ ରଶ୍ମୀରଂଜନ ସେଠୀ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦିନାକର ପାସ୍ଲା, ପି କେ ସାହୁ, ବ୍ରହ୍ମ ଦେଓ ଏବଂ ଟି ଭି ସତ୍ୟମ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାନାଡାର “କାନାପୋଟେକ୍ସ” ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଳୀ: ଦେଶରେ ରାସାୟନିକ ସାରର ଉପଲବ୍ଧତା ବୃଦ୍ଧି ଏବଂ ଏ କ୍ଷେତ୍ରରେ ଦୀର୍ଘକାଳୀନ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ସାର କମ୍ପାନୀମାନେ ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାଡାନାର “ କାନପୋଟେକ୍ସ” କମ୍ପାନୀ ସହିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଗତକାଲି ଅର୍ଥାତ୍ ୨୦୨୨ ସେପ୍ଟେମ୍ବର ୨୭ତାରିଖରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ସାର କମ୍ପାନୀ କରମଣ୍ଡଳ ଇଣ୍ଟରନ୍ୟାସନାଲ, ଚମ୍ବଲ ଫର୍ଟିଲାଇଜର ଓ ଇଣ୍ଡିଆନ ପଟାସ ଲିମିଟେଡ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାନାଡାର କାନପୋଟେକ୍ସ ବିଶ୍ୱର ସର୍ବବୃହତ୍ ପଟାସ ରପ୍ତାନୀକାରୀ/ଯୋଗାଣକାରୀ ସଂସ୍ଥା। ଏହା ବାର୍ଷିକ ୧୩୦ଲକ୍ଷ ମେଟ୍ରିକ ଟନ୍ ପଟାସ ଓ ପଟାସ ଜାତୀୟ ସାର ଏବଂ ଅନ୍ୟାନ୍ୟ ଉର୍ବରକ ସାମଗ୍ରୀ ରପ୍ତାନୀ କରିଥାଏ। ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କାନପୋଟେକ୍ସ ଭାରତକୁ ‘ମ୍ୟୁରେଟ ଅଫ ପଟାସ’ ସାର ଯୋଗାଇବ।

ଏହି ଚୁକ୍ତିକୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟ ସ୍ୱାଗତ କରିଛନ୍ତି। ଏହାକୁ ଏକ ଐତିହାସିକ ପରିପେକ୍ଷ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ଚୁକ୍ତି ଫଳରେ ଭାରତରେ ପଟାସ ସାରର ଅଭାବ ଓ ମୂଲ୍ୟ ଅସ୍ଥିରତାର ଅବସାନ ଘଟିବ ଏବଂ ଚାଷୀକୂଳ ଏହା ଦ୍ୱାରା ବିଶେଷଭାବେ ଉପକୃତ ହେବେ। ଦୀର୍ଘକାଳୀନ ଭିତ୍ତିରେ କାନ୍ସପୋଟେକ୍ସ ଭାରତକୁ ପଟାସ ସାର ଯୋଗାଇବା ଦ୍ୱାରା ଦେଶରେ ପଟାସ ଯୋଗାଣ ଓ ଉପଲବ୍ଧତା ବଢିବ ଏବଂ ଏହାର ମୂଲ୍ୟ ସ୍ଥିର ରହିବ। ସାର ଯୋଗାଣ ବ୍ୟବସ୍ଥାକୁ ସୁସଂହତ ଓ ସୁଦୃଢ କରିବାକୁ ଭାରତୀୟ କମ୍ପାନୀମାନଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାର ସୁଯୋଗ ନେଇ ସମ୍ପୃକ୍ତ କମ୍ପାନୀମାନେ ସାର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବା ଆବଶ୍ୟକ। ଏଥିପାଇଁ ସେମାନେ ସମ୍ବଳବାନ ରାଷ୍ଟ୍ରଙ୍କ ସହିତ ଅଂଶୀଦାରୀ ଭିତିରେ କାମ କରି ଆଗେଇ ଆସିବା ଉଚିତ।

ସେ କହିଛନ୍ତି ଯେ ରାସାୟନିକ ସାର ଓ ଏହାର କଞ୍ଚାମାଲ ପାଇଁ ଭାରତ ବିଦେଶ ବଜାର ଉପରେ ଅଧିକ ନିର୍ଭରଶୀଳ। ତେଣୁ ଭାରତୀୟ କମ୍ପାନୀମାନେ ଏହାର ଆମଦାନୀ ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ସମ୍ବଳବାନ ଦେଶଙ୍କ ସହିତ ଅଂଶୀଦାରୀ ଭିତ୍ତିରେ କାମ କଲେ ଭାରତର କୃଷି ଓ କୃଷକଙ୍କୁ ଲାଭ ମିଳିବ। ଏହା ଦ୍ୱାରା ମଧ୍ୟ ସାର ଅଭାବ ଦୂର ହୋଇ ମୂଲ୍ୟ ସ୍ଥିର ରହିବ ଏବଂ ଯୋଗାଣ ଚାହିଦା ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରକ୍ଷା କରି ହେବ।
ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ଆହୁରି କହିଛନ୍ତି ଯେ ବୁଝାମଣାପତ୍ର ଅନୁସାରେ କାନପୋଟେକ୍ସ ସଂସ୍ଥା ଭାରତକୁ ତିନିବର୍ଷ ପାଇଁ ବାର୍ଷିକ ୧୫ଲକ୍ଷ ମେଟ୍ରିକ ଟନ୍ ଲେଖାଏଁ ପଟାସ ଯୋଗାଇବ। ଏହି ପଟାସକୁ ଭାରତୀୟ ସାର ଉତ୍ପାଦନକାରୀ କମ୍ପାନୀମାନେ ବ୍ୟବହାର କରିପାରିବେ। ସେମାନେ ଆବଶ୍ୟକ କଞ୍ଚାମାଲ ଓ ଅନ୍ୟାନ୍ୟ ଖଣିଜ ନିୟମିତ ଭାବେ ଚାହିଦା ମୁତାବକ ପାଇଲେ ଦେଶରେ ପଟାସ ସାରର ଅଭାବ ରହିବ ନାହିଁ। ଯୋଗାଣ ବଢିଲେ ଏହି ସାରର ମୂଲ୍ୟ ମଧ୍ୟ ସ୍ଥିର ରହିବ ଏବଂ ଅଭାବ ଜନିତ ମୂଲ୍ୟ ଅସ୍ଥିରତା ଦୂର ହୋଇପାରିବ।

ଏହି ଚୁକ୍ତି ଦ୍ୱାରା ଦେଶର କୃଷକ ସମାଜ ବିଶେଷ ଉପକୃତ ହେବା ସହ ସେମାନଙ୍କର କଲ୍ୟାଣ ସାଧିତ ହେବ। ଏହାଦ୍ୱାରା କୃଷି ଉତ୍ପାଦନ ବଢିବ ଏବଂ ଦେଶର ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ ହୋଇପାରିବ। ଏହି ଚୁକ୍ତି କାନାଡା-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ଆଶା ପ୍ରକାଶ କରିଛନ୍ତି।

ରୁଷିଆ, ଇସ୍ରାଏଲ ଓ ଅନ୍ୟ କେତେକ ରାଷ୍ଟ୍ରଙ୍କ ସହିତ ପଟାସ ଯୋଗାଣ ପାଇଁ ଭାରତ ଦୀର୍ଘମିଆଦି ଚୁକ୍ତି ସ୍ୱାକ୍ଷରିତ କରିବାକୁ ଉଦ୍ୟମ କରୁଛି ବୋଲି ସେ କହିବା ସହିତ ଏହାର ଆମଦାନୀକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଥିଲେ। ମୋଲାସେସ୍ରୁ ପଟାସ ଉତ୍ପାଦନ ସହିତ ଏନ୍ବିଏସ୍ ଯୋଜନାରେ ଦେଶରେ ଦେଶୀ କାରିଗରୀ ଜ୍ଞାନ କୌଶଳ ଉପଯୋଗ କରି ବିଭିନ୍ନ ପ୍ରକାର ପଟାସ ଜାତୀୟ ସାର ଉତ୍ପାଦନ କରିବାକୁ ରସାୟନ ଓ ସାର ମନ୍ତ୍ରଣାଳୟ ଉଦ୍ୟମ ଆରମ୍ଭ କରିଛି ବୋଲି ସେ କହିଛନ୍ତି।

ପୃଷ୍ଟଭୂମି

ପଟାସ, ପଟାସିୟମର ଉତ୍ସ। ଏହାକୁ ମ୍ୟୁରେଟ ଅଫ୍ ପଟାସ ସାର ପ୍ରସ୍ତୁତିରେ ସିଧାସଳଖ ବ୍ୟବହାର କରାଯାଇଥାଏ। ସେହିଭଳି ଏନ୍ପିକେ ସାର ପ୍ରସ୍ତୁତିରେ ପଟାସକୁ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ସହିତ ମିଶାଇ ବ୍ୟବହାର କରାଯାଏ। ଭାରତ ତାହାର ପଟାସ ଆବଶ୍ୟକତାର ଶତପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରେ। ଭାରତ ଏବେ ବାର୍ଷିକ ୪୦ ଲକ୍ଷ ମେଟ୍ରିକ ଟନ୍ ମ୍ୟୁରେଟ୍ ଅଫ ପଟାସ ସାର ଆମଦାନୀ କରୁଛି।

କାନାଡାର କାନପୋଟେକ୍ସ ସଂସ୍ଥା ଦୁଇଟି ପ୍ରମୁଖ ସାର କମ୍ପାନୀଙ୍କର ଏକ ମିଳିତ ଉପକ୍ରମ। ଏହି କମ୍ପାନୀଦ୍ୱୟ ହେଲେ ମୋଜଏକି ଓ ନ୍ୟୁଟିଏନ୍। କାନାଡାର ସାସ୍କଟଚେୱାନ ଅଞ୍ଚଳରେ ଏହାର କାରଖାନା ରହିଛି। ସେଠାରୁ ବିଦେଶକୁ ସିଧାସଳଖ ପଟାସ ଓ ବିଭିନ୍ନ ପ୍ରକାର ପଟାସ ଜାତୀୟ ସାର ରପ୍ତାନୀ କରାଯାଇଥାଏ। ଏବେ ଏହି ସଂସ୍ଥା ବିଶ୍ୱର ୪୦ରୁ ଅଧିକ ଦେଶକୁ ବାର୍ଷିକ ୧୩୦ଲକ୍ଷ ମେଟ୍ରିକ ଟନ୍ ପଟାସ ରପ୍ତାନୀ କରୁଛି। ଭାରତ ଏବେ ଏହି ତାଲିକାରେ ଯୋଡି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-‘ଟି’ ଉପକ୍ରମରେ ‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ‘ପ୍ରୟାସ’ ଯୋଜନା ଅଧୀନରେ ଏସ୍‌ଟି, ଏସ୍‌ସି, ଓବିସି ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଯୁବବର୍ଗଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ୩୨ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହିତ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ଟି) ଓ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ସି) ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହା ମାର୍ଚ୍ଚ ୨ ତାରିଖରେ ‘ପ୍ରୟାସ’ ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନଠାରୁ ୧୦୫ଟି ବ୍ୟାଚ୍‌ରେ ୩୧୫୦ ଜଣ ଏସ୍‌ସି, ଏସ୍‌ଟି ଯୁବବର୍ଗଙ୍କୁ ସଫଳତାର ସହ ତାଲିମ ସହିତ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସଭାପତିତ୍ୱ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦ୍ଦେଶକ(ଏସ୍‌ଟି) ତଥା ସିଇଓ, ଓଟିିଡିଏସ୍‌ ଗୁହା ପୁନମ୍‌ ତାପସ କୁମାର, ନିୟୋଜନ ନିର୍ଦ୍ଦେଶାଳୟ ତଥା ସିଇଓ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ରେଘୁ ଜି., ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ସି) ଲକ୍ଷ୍ମଣ କୁମାର ମଲ୍ଲିକ ଏବଂ ଓଏଫ୍‌ଏସ୍‌ଡିସିର ଜେନେରାଲ ମ୍ୟାନେଜର ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଯୁଗ୍ମସଚିବ ନଭଲ୍‌ଜିତ୍‌ କପୁର, ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀମାନେ ଯୋଗଦେଇଥିଲେ।

ସଂପ୍ରତି ଓଡ଼ିଶା ଜନଜାତି ବିକାଶ ସମିତି (ଓଟିଡିଏସ୍‌)ଏବଂ ଓଡ଼ିଶା ଜାତି ଓ ଜନଜାତି ଆର୍ଥିକ ବିକାଶ ସମବାୟ ସଂସ୍ଥା (ଓଏସ୍‌ଏଫ୍‌ଡିସି) ପକ୍ଷରୁ ମିଶନ ମୋଡ୍‌ରେ ମିଳିତ ଭାବେ ‘ପ୍ରୟାସ’ ଯୋଜନାରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ଜୁନ୍‌, ୨୦୨୨ ସୁଦ୍ଧା ୧୩,୦୨୦ ଜଣ ଏସ୍‌ସି, ଏସ୍‌ଟି ଏବଂ ଓବିସି ଯୁବବର୍ଗଙ୍କୁ ଦକ୍ଷତା ତାଲିମ ଓ ନିଯୁକ୍ତି ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ପ୍ଲେସ୍‌ମେଣ୍ଟ ଲିଙ୍କଡ୍‌ ଏମ୍ପ୍ଲୟବିଲିଟି ଟ୍ରେନିଂ ଯୋଜନା ଅଧୀନରେ ଏନ୍‌ଏସ୍‌ଡିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ପାଠ୍ୟକ୍ରମ ସହିତ ସଫଫ ସ୍କିଲ୍‌ ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଉଛି। ଜିଲ୍ଲାସ୍ତରରେ ପିଏ, ଆଇଟିଡିଏ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଶିକ୍ଷଣ କେନ୍ଦ୍ରରେ ନିୟମିତ ଗସ୍ତ କରି ସେମାନଙ୍କର ପ୍ରଶିକ୍ଷାର୍ଥୀଙ୍କ ସୁରକ୍ଷା ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବୈଷୟିକ ସହାୟତାରେ ‘ପ୍ରୟାସ’ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।