Categories
ଆଞ୍ଚଳିକ

“ଅଙ୍କୁର” ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଅଙ୍କୁର” ତରଫରୁ ଗତ ୧୫ ଅକ୍ଟୋବର ସକାଳେ ଭୁବନେଶ୍ବରର ଏନ୍ ୧ ପ୍ରାଇମେରୀ ସ୍କୁଲ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଥିଲା। ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ କୋଡ଼ିଏ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ଅଙ୍କୁର ଆୟୋଜନ କରିଆସୁଛି। ସ୍କୁଲ ପିଲା, ଶିକ୍ଷକ ଓ ଅଭିଭାବକ ଙ୍କ ମିଳିତ ଉଦ୍ୟମରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ଅଙ୍କୁର ପ୍ରାଥମିକତା ଦେଇ ଆସୁଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଙ୍କୁରର ସମ୍ପାଦକ ଚିନ୍ମୟୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୃକ୍ଷରୋପଣ ଓ ଏହାର ଆବଶ୍ୟକତା ଉପରେ ସମ୍ୟକ ଧାରଣା ଦିଆଯାଇଥିଲା। ଅଙ୍କୁର ଫାଉଣ୍ଡେସନର କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକମାନେ ଏଥିରେ ବିଶେଷ ସହଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବିଶେଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୋଟିଏ ଦିନରେ ଏକାକାଳୀନ ଜାତୀୟ ରାଜପଥର ଚାରୋଟି ସ୍ଥାନରେ ପ୍ରାୟ ୧୦୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଛି। ଏ ପ୍ରକାର ଅଭିଯାନ ରାଷ୍ଟ୍ରବ୍ୟାପୀ ୧୦୦ଟି ଭିନ୍ନଭିନ୍ନ ସ୍ଥାନରେ ସଂଗଠିତ ହେଉଛି।

ଓଡିଶାର ବ୍ରାହ୍ମଣୀ ବାଏପାସର ରାଜାମୁଣ୍ଡା, ଟାଙ୍ଗି-ଭୁବନେଶ୍ୱର, ବାହାରଗୋଡା-ସିଙ୍ଗେଡା ଏବଂ ତେଲେଇବଣୀ-ସମ୍ବଲପୁର ଅଞ୍ଚଳରେ ଅନୁଷ୍ଠିତ ଏହି ମେଗା କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ଅଧିକାରୀଙ୍କ ସମେତ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବନ୍ଧିତ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହା ବ୍ୟତୀତ ପିଆଇୟୁ-କେନ୍ଦୁଝର ଏବଂ ଭୁବନେଶ୍ୱରରେ ମଧ୍ୟ ସିଙ୍ଗେଡା-ବିଂଝାବାହଲ, ପାଣିକୋଇଲି-ରିମୁଲି ଏବଂ ଭୁବନେଶ୍ୱର-ପୁରୀ ଜାତୀୟ  ରାଜପଥରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ଥାନୀୟ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେମାନଙ୍କର ସାମାଜିକ, ବ୍ୟକ୍ତିଗତ ଓ ବୌଦ୍ଧିକ ବିକାଶର ଉନ୍ନତି ପାଇଁ ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରାଯାଇଥିଲା। ଏଥିସହ ସ୍ଥାନୀୟ ଲୋକମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇ ଚାରାରୋପଣରେ ପରସ୍ପରକୁ ସାହାଯ୍ୟ କରିଥିଲେ।

ଏନ୍ଏଚଏଆଇର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉଭୟ ସଡ଼କ ପାର୍ଶ୍ଵ ଏବଂ ମଧ୍ୟବର୍ତ୍ତୀ ସ୍ଥାନ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରଦୂଷଣ, ମୃତ୍ତିକା ଅବକ୍ଷୟ, ବିଶ୍ୱ ତାପନ ହ୍ରାସ ସହ ଜାତୀୟ ରାଜପଥ କଡ଼ରେ ପ୍ରକୃତିର ସୁନ୍ଦରତା ଓ ସନ୍ତୁଳନକୁ ବଜାୟ ରଖିବା। ବୃକ୍ଷଗୁଡ଼ିକ ମଧ୍ୟ ଯାନବାହନରୁ ନିର୍ଗତ ବିଷାକ୍ତ ଧୁଆଁ ଓ ଧୂଳିକୁ ଅବଶୋଷଣ କରିବା ସହ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିବେ। ଲିମ୍ବ, ମହାଲିମ୍ବ, ଆଲଷ୍ଟୋନିଆ, ଟର୍ମିନାଲିଆ, ଲ୍ୟାଗରଷ୍ଟ୍ରୋମିଆ ଇତ୍ୟାଦି ଜାତୀୟ ଦୀର୍ଘ ଏବଂ ହୃଷ୍ଟପୃଷ୍ଟ ଚାରାଗୁଡ଼ିକ ଶବ୍ଦରୋଧୀ ଏବଂ ରାସ୍ତାରୁ ଧୂଳି ଅବଶୋଷଣକାରୀ ଭାବେ କାମ କରିଥାନ୍ତି।

ମଧ୍ୟମ ପ୍ରଜାତିର ଚାରା ଯଥା ବୌଗେନଭିଲେଆ, ସିଜେଲପିନିଆ ଓ ଟେକୋମା ରାତିରେ ବିପରିତ ଦିଗରୁ ଆସୁଥିବା ଅତ୍ୟୁଜ୍ଜ୍ୱଳ ଆଲୋକକୁ ଅବରୋଧ କରିବା ସହ ଯାତ୍ରୀମାନଙ୍କୁ ସୁନ୍ଦର ଦୃଶ୍ୟ ପ୍ରଦାନ କରିଥାନ୍ତି। ଏହି ଦିନିକିଆ କାର୍ଯ୍ୟକ୍ରମ ଅପରାହ୍ଣ ୪ଟା ସୁଦ୍ଧା ଶେଷ ହୋଇଥିଲା। ତେବେ ବାର୍ଷିକ ବୃକ୍ଷରୋପଣ କ୍ରିୟା ଯୋଜନା ୨୦୨୨-୨୩ର କାର୍ଯ୍ୟନ୍ୱୟନ ଦେଶର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ମୌସୁମୀ ଶେଷ ପର୍ଯ୍ୟନ୍ତ ଜାରୀ ରହିବ।

ଏନ୍ଏଚ୍ଏଆଇ ଓଡ଼ିଶାରେ ଚଳିତ ବିତ୍ତୀୟ ବର୍ଷ ୨୦୨୨-୨୩ରେ ଉଭୟ ମାର୍ଗରେ ତଥା ମଧ୍ୟାଞ୍ଚଳରେ ୩,୩୨,୧୦୦ ଟି ଚାରା ଲଗାଯିବାରକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୫,୦୦୦ଟି ଚାରା ଏହି ବୃହତ୍ ଅଭିଯାନରେ ରୋପଣ କରାଯାଇଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ମହାପ୍ରବନ୍ଧକ ତଥା ଆଂଚଳିକ ଅଧିକାରୀ, ଓଡିଶା, ଡଃ ରାମ ପ୍ରସାଦ ପଣ୍ଡାଙ୍କଠାରୁ ପ୍ରକାଶ। ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ ଓଡ଼ିଶାରେ ଏନ୍ଏଚ୍ଏଆଇ ପକ୍ଷରୁ ବିଗତ ଦୁଇ ବିତ୍ତୀୟ ବର୍ଷ ଯଥା ୨୦୨୦-୨୧ ଓ ୨୦୨୧-୨୨ରେ ଯଥାକ୍ରମେ ୧,୯୨,୬୧୧ ଏବଂ ୩,୭୮,୦୦୦ଟି ଚାରା ରୋପଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏନଏଚଏଆଇର ଦେଶ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ‘ଆଜାଦି କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଏନଏଚଏଆଇ 17 ଜୁଲାଇ, 2022 ରେ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବା। ଏନଏଚଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ବୃକ୍ଷରୋପଣ ପାଇଁ 100 ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକି ଜାତୀୟ ରାଜପଥ ପାର୍ଶ୍ବ, ଏନଏଚଏଆଇ ଲ୍ୟାଣ୍ଡ ପାର୍ସଲ୍ ଓ ଟୋଲ୍ ପ୍ଲାଜା ନିକଟରେ ରହିଛି। ଭାରତ ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଏନଏଚଏଆଇ 15 ଅଗଷ୍ଟ 2022 ସୁଦ୍ଧା 75 ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନଏଚଏଆଇର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରାଯିବ। ଏହି ଅଭିଯାନରେ ମଧ୍ୟ ଲୋକ ପ୍ରତିନିଧି, ସିଭିଲ୍ ସୋସାଇଟି, ଏନଜିଓ ଓ କଲେଜ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ, ଆନ୍ଧ୍ର ପ୍ରଦେଶ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଙ୍କୁ ଚାରା ରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସାମିଲ୍ କରାଯିବ।

ପରିବେଶ ଉପଯୋଗୀ ଜାତୀୟ ରାଜପଥର ବିକାଶ ପାଇଁ ଏନଏଚଏଆଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହାର ଲକ୍ଷ୍ୟ ହେଉଛି ଜନସାଧାରଣ, ରାଜ୍ୟ ସରକାର ଏଜେନ୍ସି, ଘରୋଇ ବୃକ୍ଷ ରୋପଣ ଏଜେନ୍ସି, ମହିଳା ଏସଏଚଜିଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ (ଏସଆରଏଲ୍‌ଏମ୍‌) ଓ ଜଙ୍ଗଲ ଓ ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ ସାମିଲ୍ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ଫେଲୋସିପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ନିକଟ କଣ୍ଟାବାଡ ଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ଫେଲୋସିପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧ହଜାର ଫଳ ଚାରା ଲଗାଯାଇଛି। ବିଭିନ୍ନ ଭେରାଇଟିର ଆମ୍ବ ଓ ପିଜୁଳି ଆଦି ଚାରା ରୋପଣ କରାଯାଇଛି।

ଗଭର୍ଣ୍ଣର ପ୍ରଭୂଦତ୍ତ ସୁବୁଦ୍ଧି, ଅତିରିକ୍ତ ଗଭର୍ଣ୍ଣର ରିତୁ ଅଗ୍ରୱାଲ, ପିଡିଜି ଶିବବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖାରବେଳ କଳିଙ୍ଗନଗରର, ଭୁବନେଶ୍ୱର ରୋଟାରୀ କ୍ଲବ ଫେଲୋସିପ ସଭାପତି ବିମ୍ବାଧର ବେହେରା ଓ କ୍ଲବର ସଦସ୍ୟଙ୍କ ସହ ସ୍ଥାନୀୟ ଅଧିବାସୀମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ସ୍ୱେଚ୍ଛାସେବୀ ସଂଗଠନ ମହାବୀର ସେନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ: ଅନେକ ସମାଜସେବା କାର୍ଯ୍ୟ କରି ସାଉଣ୍ଟୁଛି ପ୍ରଶଂସା

ପୁରୀ: ବର୍ତ୍ତମାନ ଦୃତଗତିରେ ଜଳବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ଫଳରେ ସମଗ୍ର ବିଶ୍ଵ ଏବେ ବିପଦ ଆଡକୁ ଗତି କରୁଛି। ଆଧୁନିକ ଯୁଗରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଳକାରଖାନା, ଯାନବାହାନ ବୃଦ୍ଧି ଯୋଗୁଁ ଜଳାବାୟୁ ପ୍ରଦ୍ୟୁଷଣ ହେବାରେ ଲାଗିଛି। ସେଥିପାଇଁ ପରିବେଶବିତମାନେ ବାରମ୍ବାର ସତର୍କ କରୁଛନ୍ତି। ଅନେକ ରାଷ୍ଟ୍ର ପରିବେଶକୁ ରକ୍ଷା କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

ତେବେ ପରିବେଶକୁ ରକ୍ଷା କରିବା ପାଇଁ ପୁରୀ ଜିଲ୍ଲା ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡିଛି। ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ବୃକ୍ଷରୋପଣ କରାଯାଇ ପରିବେଶକୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ସଂଗଠନ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାହୁପଡା (କଣାସ, ପୁରୀ), ନୂଆ ଜଗନ୍ନାଥ ସଡକର ସିଦ୍ଧେଶ୍ଵର ମନ୍ଦିର ନିକଟରୁ ମଇନ୍ଦିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୨.୫ କି. ମି.,  କବରେଶ୍ୱର ମନ୍ଦିର (ସିରିଆପଡା), ନୃସିଂହ ମନ୍ଦିର (ବାଲିପଡା) ରେ ବୃକ୍ଷରୋପଣ କରାଯାଇଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଦୁଷ୍ମନ୍ତ ମଙ୍ଗରାଜ, ଉପସଭାପତି ଅମ୍ଲାନ ଦାସ, ସମ୍ପାଦକ ଯୋଗେଶ ସାମନ୍ତସିଂହାର, ଉପଦେଷ୍ଟା ସୁଶାନ୍ତ ମାର୍ଥୀ, ତ୍ରିଲୋଚନ ବେହେରା, ହେମନ୍ତ ବଡ଼ଜେନା, ତପସ୍ୱିନୀ ମହାରଥା ଏବଂ ସମାଜ ସେବୀ ମହାବୀର ସେନାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେମାନଙ୍କ ସହିତ ସାହୁପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ବଲ୍ଳଭ ଗଢ, କମ୍ପାଉଣ୍ଡର ପ୍ରମୋଦ ମହାରଣା ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନଙ୍କ ସହ ସାମିଲ ଥିଲେ।

ତେବେ ସ୍ଥାନୀୟ ଅଞ୍ଚଳରେ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ଉକ୍ତ ସଂଗଠନ ନିୟୋଜିତ ଅଛି। ଗତ କିଛି ଦିନ ତଳେ କଣାସ ସାହୁପଡା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସଂଗଠନ ମାଗଣାରେ ଖାତା ଯୋଗାଇଦେଇଛି।

ସେହିଭଳି କଣାସର ବୀରକେସପୁର ଗ୍ରାମର କର୍କଟ ରୋଗରେ ପୀଡିତ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ ସଂଗଠନ ପକ୍ଷରୁ ଦୀର୍ଘ ୩ ବର୍ଷ ହେଲା ବିଭିନ୍ନ ପ୍ରକାର ସହାୟତା ଯୋଗାଇଦିଆଯାଉଛି। ବୀରକେସପୁରର ଉଚ୍ଛବ ସ୍ଵାଇଁଙ୍କ ପୁତ୍ର ସତ୍ୟନାରାୟଣ ସ୍ଵାଇଁ (୬) ବିଗତ ୩ ବର୍ଷ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛି। ଶିଶୁଟିର ଚିକିତ୍ସା ପାଇଁ ସଂଗଠନ ପକ୍ଷରୁ ମଧ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କ୍ରମାଗତ ଭାବେ ଏଭଳି ଅନେକ ସାମାଜିକ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ମହାବୀର ସେନାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ମିଳିତ ଆନୁକୂଲ୍ୟରେ ନାଲିବର ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାମିଲି କୋର୍ଟ ଜଜ୍ ଜୀବନଜ୍ୟୋତି ରଥ ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର୍ ସଦିପା ପାତ୍ର, ମୁନସଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ, ଫରେଷ୍ଟ ରେଞ୍ଜ ଅଧିକାରୀ ବଳରାମ ସାହୁ, ଫରେଷ୍ଟର୍ ସୁକାନ୍ତ ବେହେରା, ବାନାମ୍ବର ବିଶ୍ୱାଳ, ବିଜୟିନୀ ବିଶ୍ୱାଳ, ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ,ଆଇନଜୀବୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀଗଣ ଓ କୋର୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।