Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!

ଭୁବନେଶ୍ବର: ବିଭିନ୍ନ ସମୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାରେ ରହିଥାନ୍ତି। ସେ ଭଲର ହେଉ କିମ୍ବା ଭେଲରେ। ହେଲେ ଏଥର ସେ ଏକ ନୂଆ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲେ ପୂଜା ଅବସରରେ ଏହି ବିଧାୟକ ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା। ଜଣେ ବିଧାୟକ ଭାବେ ପୂଜା ମଣ୍ଡପ ବୁଲିବା ଭୁଲ ନୁହେଁ। ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ବୁଲୁଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଯେଉଁ ଆଲୋଚନା ବର୍ତ୍ତମାନ ଚାଲିଛି ତାହା ହେଲା ପ୍ରଶାନ୍ତ ଜଗଦ୍ଦେବ ଚିଲିକା ଛାଡି ବର୍ତ୍ତମାନ ଖୋର୍ଦ୍ଧା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମା’ଙ୍କ ନିକଟରେ ଶରଣ ପଶି କୁଆଡେ ଗୁହାରି କରି ଲୋକସଂପର୍କ ବଢାଇବାରେ ଲାଗିଛନ୍ତି। ଫଳରେ ସେ ଖୋର୍ଦ୍ଧା ଏବଂ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏପରିକି ସେ ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ଚିଲିକାରେ ସେ ବେଶ୍ ବିବାଦୀୟ ହୋଇପଡିବା ପରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ଯେ, ବିଜେଡି ପୁଣିଥରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ। କାରଣ ଏଥର ବିଜେପିରୁ ସାଂସଦ ଅପରାଜିତା ଷଡଙ୍ଗୀ ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହେବେ। ସେଥିପାଇଁ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ବାଛିଛନ୍ତି।

କିଛି ମାସ ଧରି ଅପରାଜିତା ବେଗୁନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂଗଠନ ମଜବୁତ କରିବା ଆରମ୍ଭ କରିଦେଇଛନ୍ତି। ବେଗୁନିଆର ଛୋଟଛୋଟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉଛନ୍ତି ସାଂସଦ ଅପରାଜିତା। ତାଙ୍କୁ ସମ୍ମୁଖୀନ ହେବା ପାଇଁ ଏହି ବାହୁବଳି ନେତା ଉପଯୁକ୍ତ ବୋଲି କୁଆଡେ ବିଜେଡି ଚିନ୍ତା କରିଛି। ବେଗୁନିଆରେ ଅପରାଜିତାଙ୍କୁ କେବଳ ପ୍ରଶାନ୍ତ ଜଗଦ୍ଦେବ ଟକ୍କର ଦେଇପାରିବେ ବୋଲି ବିଜେଡି ସର୍ଭେରୁ ଜଣାପଡିଛି।

ଯଦି ଅପରାଜିତା ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହୁଅନ୍ତୁ, ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସେଠାରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଜାନକୀ ବଲ୍ଲଭ ପଟ୍ଟନାୟକ ପରି ନେତାଙ୍କ ସହିତ ନିର୍ବାଚନ ଲଢେଇ କରି ଅଳ୍ପ ଭୋଟରେ ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ସେ ହି ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରିଛି। କାରଣ ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଫଳରେ ସେ ସବୁକୁ ପାଥେୟ କରି ଜଗଦ୍ଦେବଙ୍କର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପତିୟାରା ରହିଛି। ତେଣୁ ରାଜନୈତିକ ମହଲରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ସୁରକ୍ଷିତ ଆସନ ବୋଲି କୁହାଯାଉଛି।

ଏ ସବୁକୁ ଲକ୍ଷ କରି ୨୦୨୪ ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଶହରାରେ ଉଭୟ ନିର୍ବାଚନ ମଣ୍ଡଳୀରେ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁଙ୍କ କ୍ବାରଣ୍ଟାଇନ କେନ୍ଦ୍ର ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା

ବେଗୁନିଆ, ଓଡିଆ ଫେରନ୍ତାଙ୍କ ପାଇଁ ବେଗୁନିଆ ନିର୍ବାଚନ ମଣ୍ଡଳିରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୈଧୁରୀ। ତେବେ ସେ ଭୁବନେଶ୍ବର ସାଂସଦ ଅପରାଜିତଙ୍କ ନିର୍ଦ୍ଦେଶରେ ଏବଂ ତାଙ୍କ ପ୍ରତିନିଧି ଭାବେ ଏହି ଗସ୍ତ କରିଛନ୍ତି। ଅନୁ ଗତକାଲି ବେଗୁନିଆ ଏବଂ ବୋଲଗଡର 9ଟି ଗ୍ରାମ ପଞ୍ଚାୟତ ଭ୍ରମଣ କରି ଏହି କେନ୍ଦ୍ରଗୁଡିକ ବୁଲି ଦେଖିଥିଲେ।
ତେବେ ଅନୁ ଏହି ଗସ୍ତ ସମୟରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିଛନ୍ତି ସତ ହେଲେ ତାଙ୍କ ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାରଙ୍କ କରୋନା ମୁକାବିଲାକୁ କୌଣସି ନେତା ରାଜନୀତିକରଣ କରୁ ନାହିଁନ୍ତି। ବିପଦ ପରିସ୍ଥିତରେ ନେତାମାନେ ଆରୋପ ପ୍ରତିଆରୋପରୁ ନିଜକୁ ଦୂରେଇ ରଖିଛନ୍ତି। ହେଲେ ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏପରି ନିର୍ଦ୍ଦେଶ କିପରି ଦେଲେ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।