Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ, ୧୫ ଆହତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ୧୮ ଜଣ ପୁରୁଷ ଯାତ୍ରୀ ଓଆର-୦୨-କ୍ସ-୬୫୯୯ ନମ୍ବର ବିଶିଷ୍ଟ ଏକ ମହେନ୍ଦ୍ରା ମିନିବସ ଯୋଗେ ଗୁରୁବାର ଦିନ ସଂନ୍ଧ୍ୟାରେ ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ। ତେବେ ଦର୍ଶନ ସାରି ଗତକାଲି ଫେରୁଥିବା ବେଳେ ରାତି ଦୁଇ ଘଟିକା ସମୟରେ ଯାତ୍ରୀମାନେ ପରିସ୍ରା କରିବା ନିମନ୍ତେ ବସଟି ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଅଟକିଥିଲା। ଉକ୍ତ ସମୟରେ ହଠାତ ପଛପଟୁ କ୍ଷିପ୍ର ଗତିରେ ଏକ ଅଜଣା ଟ୍ରକ ବସକୁ ଶକ୍ତ ଧକା ଦେଇ ଫେରାର ହୋଇଯାଇଥିଲା। ଯାହା ଫଳରେ ବସଟି ରାଜପଥ କଡ଼ରେ ଓଲଟିପଡିଥିଲା। ଏବଂ ତିନି ଜଣ ବ୍ୟକ୍ତି ବସ ତଳେ ଚାପି ହୋଇ ରହିଥିଲେ।

ସୂଚନା ପାଇ ସଙ୍ଗେସଙ୍ଗେ ବାଣପୁର, ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ଘଟଣା ଗ୍ରସ୍ତ ବସରୁ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଆହତ ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୫ ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ତେବେ ବସ ତଳେ ଚାପି ହୋଇଥିବା ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାଲୁଗାଁ ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ତିନି ଜଣ ବ୍ୟକ୍ତି ହେଲେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲି ପଞ୍ଚାୟତ ଭେଙ୍କଟରାୟପୁର ଗ୍ରାମର ଇ. ଲୋହି ଦାସ (୫୭), ଗଙ୍ଗାଧର ମହାରଣା (୩୯) ଏବଂ ନାରାୟଣପୁର ପଞ୍ଚାୟତ ଆଲିପୁର ଗ୍ରାମର ଅସିତ କୁମାର ବେହେରା (୨୯) ବୋଲି ଜଣାପଡିଛି। ମୃତକଙ୍କ ସମ୍ପର୍କୀୟ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।