ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

Published: Apr 4, 2022, 9:08 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

Related posts