Categories
ବିଶେଷ ଖବର

ଓଡ଼ିଶା ଉପକୂଳରୁ ପରିବର୍ଦ୍ଧିତ କ୍ଷମତା ସହ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ଜାନୁଆରୀ ୨୦, ୨୦୨୨ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ପରିବର୍ଦ୍ଧିତ କ୍ଷମତା ସମ୍ପନ୍ନ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ବ୍ରହ୍ମୋସର ଏହି ସଂସ୍କରଣରେ ଅଧିକ ସ୍ୱଦେଶୀ ଉପକରଣ ଏବଂ ଉନ୍ନତ ପ୍ରଦର୍ଶନ କ୍ଷମତା ସଂଯୋଗ କରାଯାଇଛି। ବ୍ରହ୍ମୋସ ଏରୋସ୍ପେସ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବିଶେଷଜ୍ଞ ଦଳ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରାଯାଇ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ଆନୁମାନିକ ଉତ୍କ୍ଷେପଣ ପଥକୁ ଅନୁସରଣ କରି ମିଶନର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା।

ଏହି ପରୀକ୍ଷଣ ଆଗକୁ ବ୍ରହ୍ମୋସ କାର୍ଯ୍ୟକ୍ରମ ପାଇଁ ଏକ ବୃହତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉଚ୍ଚ ଗତିସମ୍ପନ୍ନ ବ୍ରହ୍ମୋସ କ୍ଷେପଣାସ୍ତ୍ର ସୁପରସୋନିକ୍ ଅର୍ଥାତ୍ ଶବ୍ଦ ଠାରୁ ଦ୍ରୁତ ବେଗରେ ସର୍ବାଧିକ ଦୂରଭେଦ କ୍ଷମତା ପର୍ଯ୍ୟନ୍ତ ଗତି କରିବା ସହିତ ମିଶନର ସମସ୍ତ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଆଧୁନିକ ସ୍ୱଦେଶୀ ପ୍ରଯୁକ୍ତି ଉପଯୋଗ କରାଯାଇଛି। ବର୍ଦ୍ଧିତ ଦକ୍ଷତା ଓ ଉନ୍ନତ ପ୍ରଦର୍ଶନ ଲାଗି ଏଥିରେ ପରିବର୍ତ୍ତିତ ସର୍ବୋତ୍ତମ ପ୍ରକ୍ଷେପକ ସଂଯୋଗ କରାଯାଇଛି। ପୂର୍ବତଟରେ ନିୟୋଜିତ ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସମେତ ରେଞ୍ଜ ଉପକରଣର ସମସ୍ତ ସେନ୍ସର ଓ ଡାଉନ୍ ରେଞ୍ଜ ଜାହଜ ଦ୍ୱାରା ଏହି କ୍ଷେପଣାସ୍ତ୍ରର ଉତକ୍ଷେପଣକୁ ନିରୀକ୍ଷଣ କରାଯାଇଥିଲା।

ଡିଆରଡିଓ ଏବଂ ରୁଷର ଏନପିଓଏମର ଦଳ ଏହି ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟକୁ ପ୍ରଭାବଶାଳୀ ତଥା ଘାତକ ଢଙ୍ଗରେ ଭେଦ କରିବା ଲାଗି ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଅତ୍ୟଧିକ ବହୁମୁଖି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲଗାତାର ଉନ୍ନତିକରଣ ପାଇଁ ବ୍ରହ୍ମୋସ ଏରୋସ୍ପେସ ଯୌଥ ଉଦ୍ୟୋଗ ଜରିଆରେ ଡିଆରଡିଓ ଏବଂ ରୁଷର ଏନପିଓଏମ ମିଳିତ ଭାବେ କାମ କରୁଛନ୍ତି। ବ୍ରହ୍ମୋସ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହାକୁ ପୂର୍ବରୁ ସେନାବାହିନୀରେ ସାମିଲ କରାଯାଇସାରିଛି।

କ୍ଷେପଣାସ୍ତ୍ର ଉତ୍କ୍ଷେପଣ ସଫଳ ହୋଇଥିବାରୁ ବ୍ରହ୍ମୋସ, ଡିଆରଡିଓ ଦଳ ଏବଂ ଉଦ୍ୟୋଗକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପ୍ରଶଂସା କରିଛନ୍ତି।
ଅସ୍ତ୍ର ପ୍ରଣାଳୀର ଦକ୍ଷତା ବୃଦ୍ଧି ଏବଂ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଥିବାରୁ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି। ଏହି ପରୀକ୍ଷଣ ସହ ସମ୍ପୃକ୍ତ ଥିବା ଏନପିଓଏମ, ରୁଷ ଏବଂ ଡିଆରଡିଓ ଦଳକୁ ବ୍ରହ୍ମୋସ ମିଶନର ମହାନିର୍ଦ୍ଦେଶକ ଅତୁଲ ଡି ରାଣେ ଅଭିନନ୍ଦନ ଜଣାଇଛନ୍ତି।

Categories
ବିଶେଷ ଖବର

ବ୍ରହ୍ମୋସ ଏଇଥିପାଇଁ ତିଆରି ହେଉଛି, କୌଣସି ଦେଶ ଭାରତ ଉପରେ ଖରାପ ଆଖି ପକାଇବାକୁ ସାହସ କରିବେ ନାହିଁ: ରାଜନାଥ ସିଂ

ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଆମେ ବ୍ରାହ୍ମୋସ୍ ତିଆରି କରିବାକୁ ଚାହୁଁଛୁ ଯାହାଦ୍ୱାରା ଦୁନିଆର କୌଣସି ଦେଶ ଭାରତକୁ ଏକ ଖରାପ ଆଖିରେ ଦେଖିବା ପାଇଁ ସାହସ କରିପାରିବ ନାହିଁ।

ସିଂ କହିଛନ୍ତି, “ଆମେ ଭାରତର ମାଟିରେ ବ୍ରହ୍ମୋସ୍ ନିର୍ମାଣ କରିବାକୁ ଚାହୁଁଛୁ ଯାହା ଦ୍ଵାରା ଦୁନିଆର କୌଣସି ଦେଶ ଭାରତକୁ ଖରାପ ଆଖିରେ ଦେଖିବା ପାଇଁ ସାହସ କରିବେ ନାହିଁ। ପାକିସ୍ତାନର ବିନା ନାମ ନେଇ ସେ କହିଛନ୍ତି ଯେ, ମୁଁ ଉରି ଏବଂ ପୁଲୱାମା ଘଟଣାକୁ ମନେ ପକାଇବାକୁ ଚାହୁଁଛି, ଗୋଟିଏ ଆମର ପଡୋଶୀ ଦେଶ ଅଛି… ଯିଏ ପୁଲୱାମା ଭଳି ଘଟଣା ଘଟେଇଥିଲା। ଏହା ପରେ ଆମର ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଆମେ ସେହି ଦେଶ ଭିତରେ ପଶି ଆତଙ୍କବାଦୀଙ୍କୁ ସଫା କରିଥିଲେ।

ରାଜନାଥ ଦୃଢ ଭାବରେ କହିଛନ୍ତି ଯେ, ଆମେ ଏୟାର ଷ୍ଟ୍ରାଇକରେ ମଧ୍ୟ ସଫଳ ହୋଇଛୁ। ଆମେ ବାର୍ତ୍ତା ଦେଇଛୁ ଯେ, ଯଦି କେହି ଆମକୁ ଖରାପ ଆଖିରେ ଦେଖନ୍ତି, ତେବେ ଆମେ ସୀମା ପାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବା। ଏହା ହେଉଛି ଭାରତର ଶକ୍ତି। ପ୍ରତିରକ୍ଷା ପ୍ରକଳ୍ପ ଉପରେ ଆଲୋକପାତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, “ଆଜି ଉଭୟ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ଆମ ଦେଶର ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏଥି ସହିତ ଉତ୍ତରପ୍ରଦେଶକୁ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ କରିବାରେ ଏହା ସଫଳ ହେବ। ପ୍ରତିରକ୍ଷା ବୈଜ୍ଞାନିକ ତଥା ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି। କହିଛନ୍ତି ଯେ ମୁଁ ଭାବି ନ ଥିଲି ଯେ ଛଅ, ଆଠ, ଦଶ ମାସ ଭିତରେ ଏହି ଜମି ଅଧିଗ୍ରହଣ କରାଯାଇପାରିବ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଦେଢ ମାସ ମଧ୍ୟରେ ଦୁଇ ଶହ ଏକର ଜମି ଉପଲବ୍ଧ କରାଇପାରିଛନ୍ତି।

ମାଫିଆଙ୍କୁ ଦମନ କରିଥିବାରୁ ସେ ଯୋଗୀଙ୍କୁ ପ୍ରଶଂସା କରି କହିଥିଲେ ଯେ ଯୋଗୀ ପ୍ରତ୍ୟେକ କାର୍ଯ୍ୟରେ ଉଦାରତା ପ୍ରଦର୍ଶନ କରନ୍ତି। କିନ୍ତୁ ଗୋଟିଏ କାମରେ ସେ ଅସ୍ପଷ୍ଟ, ସେ ମାଫିଆ ପ୍ରସଙ୍ଗରେ କୌଣସି ରିହାତି ଦିଅନ୍ତି ନାହିଁ। ଏହାର ଫଳ ସ୍ୱରୂପ, ବିଶ୍ଵର ବିଭିନ୍ନ ସ୍ଥାନରୁ ନିବେଶକମାନେ ଉତ୍ତରପ୍ରଦେଶକୁ ନିବେଶ କରିବାକୁ ଆସୁଛନ୍ତି।