Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୪୧ କେଜି ଗଞ୍ଜେଇ ଜବତ: କାର ଓ ଚାଲାଣକାରୀ ଗିରଫ

ରଣପୁର: ଭଞ୍ଜନଗରରୁ ଭୁବେନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ। ରଣପୁର କୋଟଗଡ଼ ଘାଟି ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କଲା ରଣପୁର ପୋଲିସ। ଗୋଟିଏ ଟାଟା ଟିଆଗୋ କାର ସହ ୪୧ କେଜି ଗଞ୍ଜେଇ ଜବତ କରିଛି ରଣପୁର ପୋଲିସ। ଏହାସହ ଚୋରା ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ। ଅଭିଯୁକ୍ତର ନାମ ସରୋଜ କୁମାର ସାହୁ, ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବୋଲି ଜଣା ପଡିଛି।

ଅଭିଯୁକ୍ତ ସରୋଜ ରିତିମତ ଭାବେ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲା। ଏ ନେଇ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀଙ୍କ ନିହାର ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ନେତୃତ୍ୱରେ ସଦଳ ବଳେ କୋଟାଗଡ଼ ଘାଟି ନିକଟ ପାର୍କ ଠାରେ ଛକି ରହିଥିଲା। ସେହି ଠାରୁ ରଣପୁର ପୋଲିସ କାର ସହ ୪୧ ଜବତ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦେଢ଼ ଲକ୍ଷ ହେବ ବୋଲି ଶରଣକୂଳ ଏସ.ଡି.ପି.ଓ ସୁଧାକର ସାହୁ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପ୍ରେସ ମିଟ୍ ରେ ରଣପୁର ଆଇ.ଆଇ.ସି ନିହାର ରଞ୍ଜନ ମହାନ୍ତି, ସୁନାଖଳା ଫାଣ୍ଡି ଅଧିକାରୀ ପ୍ରତି ପ୍ରକାଶ ମହାନ୍ତି ଓ ଥାନାର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭଞ୍ଜନଗରରୁ ୨୪ ଟି ଚୋରି ମୋବାଇଲ ଫୋନ ଜବତ, ପ୍ରକୃତ ମାଲିକଙ୍କୁ ଫେରସ୍ତ କଲା ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଭଞ୍ଜନଗର ଥାନା ଅନ୍ତର୍ଗତ ଜାମୁପଲି ଅଞ୍ଚଳର ଏକ ଘରେ ଚଢ଼ାଉ କରିଥିଲା। ସେଠାରେ ଏମ୍ ମାରିଆ ନାମକ ଜଣେ ଯୁବକକୁ କାବୁ କରି ତା’ ଠାରୁ ବିଭିନ୍ନ ନାମୀଦାମୀ କମ୍ପାନୀ ଯଥା ସାମସଙ୍ଗ୍, ଭିବୋ, ଓପୋ ଓ ରିୟଲମି ଭଳି ୨୪ ଟି ମୋବାଇଲ ଫୋନ ପୋଲିସ ଉଦ୍ଧାର କରିଥିଲା। ଏହାପରେ ମାରିଆକୁ ଥାନାକୁ ଆଣି ପୋଲିସ ଜେରା କରିଥିଲା।

ସେ କେଉଁଠାରୁ ଏହି ସବୁ ଫୋନ୍ ଚୋରି କରିଥିବା ପ୍ରକାଶ କରିବା ପରେ ଖୋର୍ଦ୍ଧା ଜିଲ୍ଲା ବନମାଳୀ ପୁର ଗ୍ରାମର ଅଜିତ ବେହେରା, ଭୁବନେଶ୍ୱର ଗଙ୍ଗପାଟଣା ଅଞ୍ଚଳର ଶ୍ୟାମସୁନ୍ଦର ସାହୁ ଓ କଟକ ଜିଲ୍ଲା କିଶୋର ନଗର ଥାନା ଅଞ୍ଚଳର ପ୍ରତାପ କିଶୋର ସ୍ବାଇଁ ନାମକ ବ୍ୟକ୍ତିଙ୍କୁ ଡକାଇ ଉକ୍ତ ମୋବାଇଲର ପ୍ରମାଣ ରଖି ଫେରାଇଛନ୍ତି ଗଞ୍ଜାମ ଏସ୍ ପି ଜଗମୋହନ ମୀନା.ଏସ୍। ଏନେଇ ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ବିଷୟରେ ସୁଚନା ପ୍ରଦାନ କରିଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ବିଶ୍ଵାମିତ୍ର ହରପାଲ୍, ଓ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୁଜାରୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ଧର୍ମ

ମଇ ୩ ତାରିଖରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ

କୈଲାଶ ଚନ୍ଦ୍ର ଚୌଧୁରୀ

ଭଞ୍ଜନଗର: ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଯାତ୍ରା କମିଟି ଉପଦେଷ୍ଟା ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ହେବାକୁ ଥିବା ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ର ସୁଚାରୁରୂପେ ସମ୍ପାଦନା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ନିର୍ବାହୀ ଅଧିକାରୀ ଆଶୁତୋଷ କର, ଥାନା ଅଧିକାରୀ ଧିରେଶ ଦାସ, ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନ୍ରୁସିଂହାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ମାର୍ଚ୍ଚ ୨୬ ତାରିଖ ରେ ଶୁଭଖୁଣ୍ଟି ସ୍ଥାପନ ସହ ମଇ ୩ ତାରିଖରୁ ୨୧ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ନିଷ୍ପତ୍ତି ନେଇଥିଲେ।

ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ଯାତ୍ରା କମିଟି ସଭାପତି ଭାବେ ରାଜେନ୍ଦ୍ର ବିଷୋୟୀ, ଉପସଭାପତି ଭାବେ ବିନୟ ରଥ ଓ ଶାନ୍ତନୁ ଦାସ, ସଙ୍ଗଠନ ସମ୍ପାଦକ ଭାବରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ସାଧାରଣ ସମ୍ପାଦକ ଭାବେ ସୁଧୀର ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି।

ପ୍ରକାଶ ଥାଉକି ଘୁମୁସର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ବ୍ୟାଘ୍ର ଦେବୀ ଠାକୁରାଣୀ ଓ ଭଞ୍ଜନଗର ର ଗ୍ରାମଦେବତୀ ଠାକୁରାଣୀ ଙ୍କୁ ମୁଖ୍ୟ ରାସ୍ତାରେ ଏକ ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରି ଏହି ଯାତ୍ରା ହେଉଛି।

Categories
ଆଞ୍ଚଳିକ ଖେଳ

ଲିପୁନଙ୍କ ବିସ୍ପୋରକ ଶତକୀୟ ଇନିଂସ: ଭଞ୍ଜନଗରକୁ ହରାଇ ବାଲୁଗାଁ ଏକାଦଶ ହେଲା ଚମ୍ପିୟାନ

ଭଞ୍ଜନଗର/ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଏକ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି। ଭଞ୍ଜନଗର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଘରୋଇ ଭଞ୍ଜନଗର ମା’ ବନଦୂର୍ଗା ଏକାଦଶ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏକାଦଶ ଖେଳିଥିଲା। ଏଥିରେ ବାଲୁଗାଁ ଏକାଦଶ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ତେବେ ଘରୋଇ ଦଳ ଟସ୍ ଜିତି ଭ୍ରମଣକାରୀ ଦଳ ବାଲୁଗାଁକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବାଲୁଗାଁ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ଧୂଆଁଧାର ୧୮୫ ରନ ସଂଗ୍ରହ କରିଥିଲା। ଲିପୁନ ବିସ୍ପୋରକ ବ୍ୟାଟିଂ କରି ବ୍ୟକ୍ତିଗତ ୧୪୦ ରନ ସଂଗ୍ରହ କରିଥିଲେ। ଜବାବରେ ଘରୋଇ ଭଞ୍ଜନଗର ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୧୪୦ ରନ ସଂଗ୍ରହ କରିପାରିଥିଲା। ଫଳରେ ବାଲୁଗାଁ ଏକାଦଶ ୪୫ ରନ ବ୍ୟବଧାନରେ ଏକ ବିରାଟ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା।

ବାଲୁଗାଁ  ଏକାଦଶର ଯାଦୁକରୀ ବୋଲର ତଥା ଅଧିନାୟକ ରାକେଶ ୩ ଓଭର ବୋଲିଂ କରି ସର୍ବାଧିକ ୪ ଟି ୱିକେଟ ହାସଲ କରିଥିଲେ। ଯେଉଁଥିରେ ଭଞ୍ଜନଗର ଦଳକୁ ମାତ୍ର ୧୪୦ ରନରେ ବାଲୁଗାଁ ଏକାଦଶ ସୀମିତ ରଖିବାରେ ସମର୍ଥ ହୋଇଥିଲା। ଏହି ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଲିପୁନଙ୍କୁ ପୁରଷ୍କୃତ କରାଯାଇଥିଲା। ସେହିଭଳି ବାଲୁଗାଁ ଏକାଦଶର ଅଧିନାୟକ ରାକେଶଙ୍କୁ ଶ୍ରେଷ୍ଠ ଫିଲଡର ଭାବେ ପୁରଷ୍କୃତ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଚିଲିକାର ଯୁବ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ଭରି ରହିଥିବା ବେଳେ ଜିଲ୍ଲା ବାହାରକୁ ଯାଇ ବହୁ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହେଉଥିବା ଦେଖାଯାଉଛି।